• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ଆଈ ଆଡକୁ ଆଙ୍ଗୁଳି ଉଠାଇଲେ ଜେଜେ ମା

  • ଶିଶୁର ଆଈ ଓ ବାପାକୁ ନେଇ ପୋଲିସର ତନାଘନା

ସୁବର୍ଣ୍ଣପୁର: କାଲି ଏଠି ଶୁଭୁଥିଲା ନବଜାତର କୁଆଁ କୁଆଁ ରାବ, ଆଜି କିନ୍ତୁ ଶୁଭୁଛି ସମ୍ପର୍କୀୟଙ୍କ ବୁକୁଫଟା ଚିତ୍କାର । ଗର୍ଭଯନ୍ତ୍ରଣା ସହି ଯେଉଁ ପିଲାକୁ ଦୁନିଆକୁ ଆଣିଥିଲା ମା, ସେହି ପିଲାକୁ ଚୋରି କରି ନେଇଗଲା ଚୋର । ଜନ୍ମ ହେବାର କେଇଘଣ୍ଟା ଭିତରେ ଚୋରି ହୋଇଗଲା ପିଲା । ଅର୍ଥାତ କାଲି ଜନ୍ମ ଆଜି ଚୋରି ।

ଏ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ତ୍ରୀ ଓ ପ୍ରସୂତି ବିଭାଗର ଦୁର୍ଭାଗ୍ୟଜନକ ଘଟଣା । ବୀରମହାରାଜପୁର ଷଣ୍ଢା ଗାଁର ଗଜେନ୍ଦ୍ର ତାଣ୍ଡିଙ୍କ ପତ୍ନୀ ସନ୍ତୋଷିନୀ ଗତକାଲି ସକାଳ ୯ଟା ୧୫ରେ ଏହି ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ବେଡ୍ ନଥିବାରୁ ନବଜାତ ଶିଶୁକନ୍ୟାକୁ ଧରି ସନ୍ତୋଷିନୀ ପ୍ରସୂତି ଓ୍ୱାର୍ଡର ବାରଣ୍ଡାରେ ରହି ଚିକିତ୍ସିତ ବି ହେଉଥିଲେ । ତେବେ ଆଜି ସକାଳେ ସନ୍ତୋଷିନୀ ଶୌଚ ପାଇଁ ଯାଇଥିବାବେଳେ ବାରଣ୍ଡା ନିକଟରେ ଶିଶୁକୁ କୋଳେଇ ଛିଡ଼ା ହୋଇଥିଲେ ତାଙ୍କ ଆଇ ପନ୍ତି ଜାଲ । ଏହି ସମୟରେ ଜଣେ ଅଜଣା ମହିଳା ସାମ୍ନାକୁ ଆସିଥିଲେ । ଶିଶୁକୁ ଟିକା ଦିଆଯିବ ବୋଲି କହି ଆଇ ହାତରୁ ଛୁଆକୁ ନେଇଯାଇଥିଲେ । ତାପରଠୁ ଛୁଆ ନିଖୋଜ ରହିଛି । ଏହାର ଏକ ଭିଡିଓ ମଧ୍ୟ ରେକର୍ଡ ହୋଇଛି ।

ଏହି ଭିଡିଓରେ ଆଈ ପନ୍ତି ଜାଲ୍ ଶିଶୁକୁ ଧରିଛନ୍ତି, ସେହି ସମୟରେ ଆଉ ଜଣେ ମହିଳା କୋଳେଇ ଶିଶୁକନ୍ୟାକୁ ନେଉଛନ୍ତି । ତେବେ କୁଆଡ଼େ ନେଲା ? କାହିଁକି ନେଇଗଲା ଅଜଣା ମହିଳା ? ନା କେହି ଜାଣିପାରୁଛନ୍ତି ନା କେହି କହିପାରୁଛନ୍ତି । ଏନେଇ ଅଭିଯୋଗ ପରେ ପୋଲିସକୁ ଅବଗତ କରିଥିଲେ ମେଡ଼ିକାଲ୍ କର୍ତ୍ତୃପକ୍ଷ । ଆଉ ସଦର ପୋଲିସ ତନାଘନା କରିବା ସହ ନିଖୋଜ ଶିଶୁର ବାପା ଗଜେନ୍ଦ୍ର ତାଣ୍ଡି ଏବଂ ଆଈ ପନ୍ତି ଜାଲଙ୍କୁ ଧରି ପଚରାଉଚରା କରୁଥିବାର ସୁଚନା ମିଳିଛି । ସେପଟେ ଗଜେନ୍ଦ୍ରଙ୍କ ମା ଗୁରୁତର ଅଭିଯୋଗ ଆଣିଛନ୍ତି । ଶିଶୁକୁ ତାର ଆଈ ତଥା ଗଜେନ୍ଦ୍ରଙ୍କ ଶାଶୂ ପନ୍ତି ଜାଲ୍ ହିଁ ସଂପୃକ୍ତ ମହିଳାଙ୍କୁ ଦେଇ ଦେଇଛନ୍ତି ବୋଲି ମହିଳା ଜଣକ ଅଭିଯୋଗ କରିଛନ୍ତି ।

 

ସାନ ମେଡ଼ିକାଲରୁ ବଡ଼ ମେଡ଼ିକାଲ୍ ଯାଏଁ ରାଜ୍ୟରେ ପିଲା ଚୋରି ଅଭିଯୋଗ ମାମଲା ନୂଆ ନୁହେଁ । ପୂର୍ବରୁ ୪ ବର୍ଷ ତଳର ଅର୍ଥାତ ୨୦୧୭, ମାର୍ଚ୍ଚ ୨୪ ତାରିଖ ରାତି ଅଧରେ ଏହି ସିସିଟିଭି ଫୁଟେଜରେ କେମିତି କୌଶଳକ୍ରମେ ସମ୍ବଲପୁର ଜିଲ୍ଲା ମୁଖ୍ୟ ହସ୍ପିଟାଲରୁ ଏକ ନବଜାତକୁ ଚୋରି କରିନେଇଯାଇଥିଲା ମହିଳା ଜଣକ । ଛୁଆକୁ ଫେରି ପାଇବା ଆଶାରେ କିଛି ମାସ ଧରି ମେଡ଼ିକାଲ୍ ବେଡରେ ରହି ଅପେକ୍ଷା କରିଥିଲେ ବାପା ଅନିରୁଦ୍ଧ ଭୋଇ ଏବଂ ମା ଗୀତାଞ୍ଜଳି । ଶେଷରେ ନିରାଶ ହୋଇ ଘରକୁ ଫେରିଗଲେ ସିନା ମିଳିଲାନି ଦାବି କରୁଥିବା ଶିଶୁର ପତ୍ତା ।

ରିପୋର୍ଟର- ରବୀନ୍ଦ୍ର ହୋତା