• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ସାରା ବିଶ୍ୱରେ ବିଭିନ୍ନ ପ୍ରକାରର ଭାଇରସ୍‌ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିବା ସହ ତାଣ୍ଡବ ରଚୁଥିବା ନଜର ଆସିଛି। କିଛିବର୍ଷ ପୂର୍ବେ କରୋନା ଭାଇରସ୍‌ ଲୋକଙ୍କ ଜୀବନଶୈଳୀକୁ ପୁରା ବଦଳାଇ ଦେଇଥିଲା। ଏବେବି କରୋନାର ମହାମାରୀ ବେଳର ଭୟାନକ ଦୃଶ୍ୟ ମନେ ପଡ଼ିଲେ ଲୋକମାନେ ଭୟଭୀତ ହୋଇଯାଆନ୍ତି। ଏସବୁ ଭିତରେ ପୁଣି ଆଉ ଏକ ଭାଇରସ୍‌ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ମିଳିଥିବା ସୂଚନା ଅନୁସାରେ, ଆମେରିକାରେ ପୋୱାସନ୍‌ ଭାଇରସ୍‌(Powassan Virus) ଯୋଗୁ ଲୋକଙ୍କ ମୃତ୍ୟୁ ହେଉଥିବା ଘଟଣା ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରୁ ସାମ୍ନାକୁ ଆସିଛି।

ଟିଙ୍କ କାମୁଡ଼ିବା ଦ୍ୱାରା ବ୍ୟାପୁଥିବା ଏହି ଭାଇରସ୍‌ର ନିରାକରଣ ଲାଗି ଏବେ ସୁଦ୍ଧା କୌଣସି ଚିକିତ୍ସା ବାହାରିପାରିନି। ହେଲେ ଏହି ଭାଇରସ୍‌ ଦ୍ୱାରା ହେଉଥିବା ମୃତ୍ୟୁକୁ ନେଇ ଲୋକଙ୍କ ଚିନ୍ତା ବଢ଼ିଛି। ଜାଣନ୍ତୁ, କ’ଣ ଏହି ଭାଇରସ୍‌ ? ଏହାର ଲକ୍ଷଣ ଓ କେମିତି ନିଜକୁ ସୁରକ୍ଷିତ ରଖିବେ...

ପୋୱାସନ୍‌ ଭାଇରସ୍‌ କ’ଣ ?

ପୋୱାସନ୍‌ ଟିଙ୍କ କାମୁଡ଼ିବା ଦ୍ୱାରା ବ୍ୟାପୁଥିବା ଏକ ଭାଇରସ୍‌। ଼ଏହାର ନିରାକରଣ ଲାଗି ଏବେ ସୁଦ୍ଧା କୌଣସି ଚିକିତ୍ସା ବାହାରିପାରିନି। ରିପୋର୍ଟ ଅନୁସାରେ, ଆମେରିକାରେ ପ୍ରତ୍ୟେକ ବର୍ଷ ୨୫ ଜଣ ଲୋକ ଏହି ଭାଇରସ୍‌ରେ ସଂକ୍ରମିତ ହେଉଛନ୍ତି। ସାଧାରଣତଃ ଏହି ଭାଇରସ୍‌ ହରିଣ ଟିଙ୍କ, ଗ୍ରାଉଣ୍ଡହୋଗ୍ ଟିଙ୍କ ମଣିଷକୁ କାମୁଡ଼ିବା ଦ୍ୱାରା ଏହା ଜଣଙ୍କଠୁ ଅନ୍ୟ ଜଣଙ୍କ ଶରୀରକୁ ବ୍ୟାପିଥାଏ। ହେଲେ ଏହି ଭାଇରସ୍‌ରେ ସଂକ୍ରମିତ ମାମଲା ବହୁତ କମ୍‌। ହେଲେ ଗତ କିଛିବର୍ଷ ହେବ ଏହାର ଅଧିକ ମାମଲା ସାମ୍ନାକୁ ଆସିଛି। ଏହି ଭାଇରସ୍‌ରେ ସଂକ୍ରମିତ ମାମଲା ଆମେରିକା, କାନାଡା ଓ ଋଷ୍‌ରେ ଦେଖିବାକୁ ମିଳିଛି।

ପୋୱାସନ୍‌ ଭାଇରସ୍‌ର ଲକ୍ଷଣ...

ସେଣ୍ଟର୍ସ ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ୍‌ ପ୍ରିଭେସନ୍‌ ଅନୁସାରେ, ପୋୱାସନ୍‌ ଭାଇରସ୍‌ରେ ସଂକ୍ରମିତ ଅଧିକାଂଶ ଲୋକଙ୍କ ଠାରେ ଏହାର ଲକ୍ଷଣ କମ୍‌ ଦେଖିବାକୁ ମିଳିଥାଏ। ଏହି ସଂକ୍ରମଣର ପ୍ରାରମ୍ଭିକ ଲକ୍ଷଣ ଦେଖାଯିବା ପାଇଁ ୧ ସପ୍ତାହରୁ ଆରମ୍ଭ କରି ୧ ମାସ ପର୍ଯ୍ୟନ୍ତ ସମୟ ଲାଗିଥାଏ। 

  • ଜ୍ୱର
  • ମୁଣ୍ଡବ୍ୟଥା
  • ବାନ୍ତି ହେବା
  • ଦୁର୍ବଳ ଅନୁଭବ କରିବା

ଏହା ବ୍ୟତୀତ ପୋୱାସନ୍‌ ଭାଇରସ୍‌ ବଡ଼ ବଡ଼ ରୋଗର କାରଣ ମଧ୍ୟ ହୋଇପାରେ। ଏହି ଭାଇରସ୍‌ ଯୋଗୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ମସ୍ତିଷ୍କରେ ସଂକ୍ରମଣ ମଧ୍ୟ ହେବାର ସମ୍ଭାବନା ରହିଛି। ଏହିସବୁ ଭୟଙ୍କର ରୋଗର ଲକ୍ଷଣ ଦେଖା ଦେଇପାରେ..

  • କୌଣସି ଜିନିଷକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିବା
  • କଥା କହିବା ବେଳେ କଷ୍ଟ ଅନୁଭବ କରିବା 
  • ସମନ୍ୱୟର ଅଭାବ

କେମିତି ଏହି ଭାଇରସ୍‌ରୁ ନିଜକୁ ସୁରକ୍ଷିତ ରଖିବେ...

ସାଧାରଣତଃ ଟିଙ୍କ ଜଙ୍ଗଲରେ କାଠ, ପତ୍ର ଓ ବୁଦା ଅଞ୍ଚଳରେ ଦେଖିବାକୁ ମିଳିଥାଏ। ପୋୱାସନ୍‌ ଭାଇରସ୍‌ର ନିରାକରଣ ଲାଗି ଏବେ ସୁଦ୍ଧା କୌଣସି ଚିକିତ୍ସା ବାହାରିପାରିନି। ତେବେ ଟିଙ୍କ କାମୁଡ଼ିବା ଆଶଙ୍କାକୁ କମାଇବା ପାଇଁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ହାଲୁକା ପୋଷାକ ପରିଧାନ କରନ୍ତୁ। ଯାହା ଆପଣଙ୍କ ଶରୀରକୁ ପୁରା କଭର୍‌ କରିବ। ଘରକୁ ଫେରିବା ପରେ ପୋଷାକ ଧୋଇବା ପୂର୍ବରୁ ଏହାକୁ ଡ୍ରାୟରରେ ରଖନ୍ତୁ। କୌଣସି ଟିଙ୍କକୁ  ମାରିବା ଲାଗି ୧୦-୧୫ ମିନିଟ୍‌ ପାଇଁ ଉଚ୍ଚ ଉତ୍ତାପ ବ୍ୟବହାର କରନ୍ତୁ।