/odishatv-khabar/media/post_attachments/uploadimage/library/16_9/16_9_0/Cancer_1710569617.jpg)
Cancer
ଏଣିକି କର୍କଟ ରୋଗ ଚିହ୍ନଟ ପାଇଁ ଆଉ ହେବନି ଅସୁବିଧା। କମ ସମୟ ମଧ୍ୟରେ ରୋଗ କେତେ ପ୍ରତିଶତ ଦେହରେ ରହିଛି ତାହା ଜାଣିପାରିବ ରୋଗୀ। ଏପରିକି କୌଣସି ଡାଇଗ୍ନୋଷ୍ଟିକ ସେଣ୍ଟର ବା ଲାବରୋଟୋରିକୁ ଯିବାକୁ ପଡିବନି। "ପୋର୍ଟେବଲ କ୍ୟାନ୍ସର ଡାଇଗ୍ନୋଷ୍ଟିକ ଡିଭାଇସ" ର ଉଦ୍ଭାବନ କରିଛନ୍ତି ରେଭେନ୍ସା ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ।
ମଧୁମେହ, ମ୍ୟାଲେରିଆ, ଗର୍ଭ ପରୀକ୍ଷା ଭଳି ଖୁବ କମ ସମୟରେ ଚିହ୍ନଟ ହେବ କର୍କଟ ରୋଗ । "ପୋର୍ଟେବଲ କ୍ୟାନ୍ସର ଡାଇଗ୍ନୋଷ୍ଟିକ ଡିଭାଇସ" ଦ୍ୱାରା ଜାଣିହେବ ଜଣେ ବ୍ୟକ୍ତି କ୍ୟାନ୍ସର ପୀଡିତ କି ନାହିଁ। ଏଭଳି ଏକ ପୋର୍ଟେବଲ ମେସିନର ଉଦ୍ଭାବନ କରିଛି ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗ। ରକ୍ତ, ଲାଳ ଓ ଟିସୁ ନମୁନାରୁ କ୍ୟାନ୍ସର ଭଳି ମାରାତ୍ମକ ରୋଗ ଚିହ୍ନଟ ହୋଇପାରିବ। ବିଶ୍ବବିଦ୍ୟାଳୟର ପ୍ରାଣୀ ବିଭାଗର ଅଧ୍ୟାପକ ଲୁନା ସାମନ୍ତଙ୍କ ଟିମରେ ୭ଜଣ ପିଏଚଡି ଛାତ୍ରଛାତ୍ରୀ ୫ ବର୍ଷ ଧରି ଗବେଷଣା କରିବା ପରେ ଏହାର ଉଦ୍ଭାବନ କରିଛନ୍ତି। ଏହି ମେସିନର କାମ ୫୦ ପ୍ରତିଶତ ଶେଷ ହୋଇଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ସଫଳତା ମିଳିଛି।
ସାଧାରଣତଃ ଶରୀରରେ କ୍ୟାନ୍ସର ଲକ୍ଷଣ ଦେଖାଦେଲେ ଏହାର ପରୀକ୍ଷଣ ଲାଗି ବହୁତ ଖର୍ଚ୍ଚାନ୍ତ ହେବାକୁ ପଡେ। କର୍କଟ କେନ୍ଦ୍ର ହେଉ କିମ୍ବା ଅନ୍ୟାନ୍ୟ ଡାଇଗଗ୍ନୋଷ୍ଟିକ ସେଣ୍ଟରରୁ ରିପୋର୍ଟ ବିଳମ୍ବରେ ବି ମିଳିଥାଏ। ତେବେ ବାୟୋସେନ୍ସର ଏବଂ ମାଇକ୍ରୋ ଫ୍ଲୁଇଡର ବ୍ୟବହାର କରି କ୍ୟାନ୍ସରର ବିଭିନ୍ନ ମାର୍କରକୁ ଚିହ୍ନଟ ଲାଗି ଏହି ମେସିନର ଉଦ୍ଭାବନ କରାଯାଇଛି। ଚଳିତ ବର୍ଷ ଶେଷ ସୁଦ୍ଧା ଏହାକୁ ସମ୍ପୂର୍ଣ୍ଣ କରି କ୍ଲିନିକାଲ ଟ୍ରାଏଲ କରିବାକୁ ଯୋଜନା ରଖିଛନ୍ତି ପ୍ରାଣୀ ବିଜ୍ଞାନୀ ।
ପୋର୍ଟେବଲ କ୍ୟାନ୍ସର ଡାଇଗ୍ନୋଷ୍ଟିକ ଡିଭାଇସ"ର କାର୍ଯ୍ୟ ୫୦ ପ୍ରତିଶତ ଶେଷ ହୋଇଥିବା ବେଳେ ଖୁବଶୀଘ୍ର ଏହା ସମ୍ପୂର୍ଣ୍ଣ ହେବ। ଯାହା କର୍କଟ ରୋଗ ଚିହ୍ନଟ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି ଆଶା ରଖିଛି ରେଭେନ୍ସା ବିଶ୍ୱବିଦ୍ୟାଳୟ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)