• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ପାହାଲଗାଓଁ ଘଟଣାର ଦୁଇ ଦିନ ପରେ ଗୋଟେ ଫୋନ୍ ପାଇଲି । ଅପର ପାଶ୍ୱର୍ରେ ଚିହ୍ନା ସ୍ୱର କିନ୍ତୁ ଆବେଗ ଅଚିହ୍ନା । ପ୍ରବୀର ଆମର ଶାନ୍ତଶିଷ୍ଠ ପିଲାଟିଏ । ନିଜ କାମରେ ମାତିଥାଏ । ସାନବେଳେ ବି ବଦମାସିଆ ପିଲାଙ୍କ ଦଳରୁ ଦୂରେଇ ରହେ । ୟା କଥା ତା' ପାଖରେ ତା' କଥା ୟା ପାଖରେ କରିବାର ଅଭ୍ୟାସ ବି ତା'ର ନଥିଲା । ତା' ସହ ମୋର ଶେଷ ଦେଖା ହୋଇଥିଲା ଗତ ବର୍ଷ ମେ ଚାରି ତାରିଖ ଦିନ ଭୁବନଶ୍ୱେର, ଜୟଦେବ ଭବନରେ ଆମ ଫାଉଣ୍ଡେସନ୍ ତରଫରୁ ହୋଇଥିବା ପ୍ରତିମା ପୁରସ୍କାର ଉତ୍ସବ ଓ ସ୍ମାରକୀ ବକ୍ତୃତା ଅବସରରେ ।

ଫୋନ୍ ଦେଖି ମୁଁ ଭାବିଲି ଏଥର କାର୍ଯ୍ୟକ୍ରମ କେବେ କ'ଣ ହେଉଛି ବୋଲି ବୋଧେ ଜାଣିବାକୁ ଫୋନ୍ କରିଛି । ମୁଁ ବି ଏଥର ୪ ବଦଳରେ ୬ ତାରିଖ ଦିନ ଗୀତଗୋବିନ୍ଦ ସଦନରେ ହେଉଛି ବୋଲି ତାକୁ ଜଣେଇବାକୁ ଭୁଲି ଯାଇଥିଲି । ହେଲେ ତା' ସ୍ୱରରେ ଅସ୍ଥିରତା ଦେଖି ସେସବୁ ଭୁଲି ଆଗ କ'ଣ ହୋଇଛି ବୋଲି ପଚାରିଲି । ସେ କହିଲା; "ଦିଦି, ସବୁଦିନ ଖବରରେ କିଛି ନା କିଛି ଦୁର୍ଘଟଣା, ହତ୍ୟା, ଘୃଣା ଓ ମୃତ୍ୟୁ ଦେଖି ଦେଖି ଅସ୍ଥିର ଲାଗୁଥିଲା । ତା' ଦେହରେ ପୁଣି ମଣିଷର ପରସ୍ପର ପ୍ରତି ହିଂସା, ଅସହିଷ୍ଣୁତା ଓ ଅବିଶ୍ୱାସ ।

ଏସବୁ ଏତେ ବଢିଯାଇଛି ଯେ କାହା ସହ କଥା ହେବାକୁ ବି ଡର ଲାଗେ । ଲାଗେ ସମସ୍ତେ ମୋ ଚିନ୍ତାଧାରା ଶୁଣି ଆଉ କାହାକୁ ଯାଇ ରିପୋର୍ଟ କରୁଛନ୍ତି କି? କାଲିର ଘଟଣା ପରେ ଏସବୁ ଆହୁରି ବଢିଛି । ଏମିତି ପରିସ୍ଥିତିରେ ଆମ ପିଲାଙ୍କର ଭବିଷ୍ୟତ କ'ଣ ଯେ? କାହା ସହ ସାଙ୍ଗ ହେବି ଏଠି, କାହା ସହ ଗପିବି? ଯିଏ ସବୁ ଚାରିପାଖରେ ଅଛନ୍ତି ତାଙ୍କ ସହ କଥା ହେଲେ ମୁଁ ଏତେ ଉତ୍ତେଜିତ ହୋଇଯାଉଛି ଯେ ମୋ ବ୍ଲଡପ୍ରେସର୍ ବଢିଯାଉଛି । ଆହୁରି କେତେ କ'ଣ ସବୁ ମୁଣ୍ଡରେ ଆସୁଛି । ମୁଁ ଏଥିରୁ କେମିତି ବାହାରିବି କହିଲ ।"

Also Read


ସେ କେବଳ ଏକା ନୁହେଁ ଏମିତି ଅନେକ ଜଣ ଅଛନ୍ତି । ତାପରେ ଏ ଭିତରେ ଅନେକ ମେସେଜ୍ ଆଉ କଲ୍ ବି ପାଇଛି । ତେଣୁ ଏ ବିଷୟରେ ଲେଖାଯିବା ଜରୁରୀ ବୋଲି ଭାବିଲି । ଡର ଆଗରୁ ଟିଭିରେ ଦେଖି ଦୂରରେ ଘଟୁଥିବା ଗୋଟେ ଘଟଣା ହୋଇ ଆଉ ରହିନାହିଁ । ଏହା ଆମର ଘର, ଆମ ମନ, ଶରୀର ଓ ଦୈନନ୍ଦିନ ଜୀବନରେ ଘର କରିସାରିଲାଣି । ସମଗ୍ର ବିଶ୍ୱରେ ହିଂସ୍ରତାର ଯେଉଁ ମହାମାରୀ ବ୍ୟାପିଛି ତାହା ବ୍ୟକ୍ତିଗତ ଜୀବନକୁ ବି ସଂକ୍ରମିତ ହେଲାଣି । ତାହାର କାରଣକୁ ନଚିହ୍ନି ତାକୁ ମୂଳରୁ ଓପାଡି ନଫିଙ୍ଗିଲେ ସେ ଆମ ଜୀବନ ନଷ୍ଟ କରିବା ସହ ମାନବତା ଓ ମାନବିକତାକୁ ବି ଗିଳି ପକାଇବ ।

ଭୟ ଓ ଆତଙ୍କରୁ ଆରମ୍ଭ ମାନସିକ ଅସୁସ୍ଥତାର ଲକ୍ଷଣ-

ଅଧିକାଂଶ ଲୋକଙ୍କୁ ଜଣାନାହିଁ ଯେ ତାଙ୍କ ଭିତରେ ଡର କେତେ ଗଭୀରରେ ଯାଇ ଚକାଚଉକ ମାଡି ଘର କରି ବସିଲାଣି । ନିମ୍ନରେ ଦିଆଯାଇଥିବା ଲକ୍ଷଣ ଭିତରୁ ଆପଣ ଯଦି ଦୁଇ ତିନୋଟି ବି ଅନୁଭବ କରୁଛନ୍ତି ତାହେଲେ ଟିକେ ଧ୍ୟାନ ଦିଅନ୍ତୁ ।

• ଅସ୍ଥିରତା - ନିରନ୍ତର ଅସ୍ୱସ୍ତି ଲାଗିବା, ଯେପରି କିଛି ଗୋଟେ ଖରାପ ଘଟିବାକୁ ଯାଉଛି ।

• ସୁରକ୍ଷା ବିଷୟରେ ଅଧିକ ଚିନ୍ତା କରିବା - ପ୍ରତ୍ୟେକ ଗତିବିଧି ଉପରେ ନଜର ରଖିବା, ବାହାରକୁ ବାହାରିଲା ବେଳକୁ ରାସ୍ତା ଠିକ୍ ଅଛି ନା ନାହିଁ ବୁଝିବା; ଯେମିତିକି ତିଆରି ଚାଲୁଥିବା ବ୍ରିଜ୍ ଗଳିପଡି ଦୁର୍ଘଟଣା ହେବାର ଖବର ଆସୁଛି ମାନେ ବ୍ରିଜ୍ ତଳ ରାସ୍ତାରେ ଯିବାଆସିବା ନକରିବା; ସାର୍ବଜନୀନ ସ୍ଥାନ ବା ଗହଳି ସ୍ଥାନକୁ ଏଡାଇଯିବା, ସବୁଠାରୁ ଖରାପ ଘଟଣା କ'ଣ ଘଟିପାରେ ବୋଲି ଆଶଙ୍କା କରିବା ଇତ୍ୟାଦି ।

• ଅତି ସତର୍କତା – ହଠାତ୍ ଶବ୍ଦ ଶୁଣି ଡେଇଁପଡିବା, ଭିଡରେ ସନ୍ଦେହଜନକ ଭାବରେ ଲୋକଙ୍କୁ ଦେଖିବା ।

• ନିଦ୍ରା ସମସ୍ୟା – ଶୋଇବାରେ ଅସୁବିଧା, ନିଦ ସହଜରେ ନହେବା ବା ଡେରିରେ ହେବା, ଆକ୍ରମଣ କିମ୍ବା ଦୁର୍ଘଟଣା ବିଷୟରେ ସ୍ୱପ୍ନ ଦେଖିବା, ଉତ୍ତେଜିତ ହୋଇ ବା ଟେନସନ୍ ହୋଇ ଡଠିପଡିବା ।

• ଭାବନାତ୍ମକ ନିଷ୍କ୍ରିୟତା – ଖୁସିର ମୁହୂର୍ତ୍ତ ଠାରୁ ବି ନିଜକୁ ଦୂରେଇ ରଖିବା ବା ଭିତରୁ ଖୁସି ଅନୁଭବ ନକରିବା, ଯେମିତିକି ଖୁସି ବି ବିପଦପୂର୍ଣ୍ଣ ।

• ଚିଡିଚିଡାପଣ – କାରଣ ନବୁଝି ପ୍ରିୟ ଲୋକଙ୍କୁ ଗାଳିଦେବା, ମାରିବା; ଭିତରେ ଭିତରେ କ୍ରୋଧରେ ଫାଟିପଡିବା, ହିତାହିତ ଜ୍ଞାନ ହରେଇବା ।

• ଓହରିଯିବା - ଆବଶ୍ୟକତା ଠାରୁ ଅଧିକ ସମୟ ଘର ଭିତରେ ରହିବାକୁ ପସନ୍ଦ କରିବା, ଘର ହିଁ ଏକମାତ୍ର ସୁରକ୍ଷିତ ସ୍ଥାନ ବୋଲି ଅନୁଭବ କରିବା ।

• ନିରାଶା – କଣ ଆଉ ଅଛି? ଏବେ ତ କେଉଁ ଜାଗା ବି ସୁରକ୍ଷିତ ନୁହେଁ ବୋଲି ଭାବିବା ।

ଏସବୁ ଓଭରରିଆକସନ ନୁହେଁ । ଏହା ଆସ୍ୱାଭାବିକ ପରିସ୍ଥିତି ପ୍ରତି ଆପଣଙ୍କର ସ୍ୱାଭାବିକ ପ୍ରତିକ୍ରିୟା । ଆପଣଙ୍କ ମନ ଓ ଶରୀର ଏହି ସବୁ ପ୍ରତିକ୍ରିୟା ମାଧ୍ୟମରେ ଅସୁରକ୍ଷିତ ଅନୁଭବ କରାଉଥିବା ଏକ ଦୁନିଆ ସହିତ ମୁକାବିଲା କରିବାକୁ ଚେଷ୍ଠା କରୁଛନ୍ତି ।

ମୁଁ କଥା ହୋଇଥିବା ଅନେକ ଜଣ କୁହନ୍ତି; "ହୁଏତ ମୁଁ ଅଧିକ ଚିନ୍ତା କରୁଛି", "ହୁଏତ ମୁଁ ଦୁର୍ବଳ"। କିନ୍ତୁ ସତ କଥା ହେଉଛି ଏସବୁ ଭାବନା ଭିତରେ ଭୟ ନିଜର କାୟା ବିସ୍ତାର କରିବାକୁ ସୁଯୋଗ ପାଏ । ଯେତେବେଳେ ଆପଣ ଭୟଭୀତ ବୋଲି ସ୍ୱୀକାର କରନ୍ତିନି, ସେତେବେଳେ ଆପଣ ଏହାକୁ ବଢିବାକୁ ବେଶୀ ବେଶୀ ଖୋରାକ୍ ଦିଅନ୍ତି । ଯେତେବେଳେ ଆପଣ ଏହାକୁ ଚିହ୍ନିବା ଆରମ୍ଭ କରନ୍ତି, ନାଁ ଦିଅନ୍ତି, ସେତେବେଳେ ଯାଇ ଏହାକୁ ନିୟନ୍ତ୍ରଣ କରିବା ଆରମ୍ଭ କରନ୍ତି ।

ଭୟ ଓ ଘୃଣାପୂର୍ଣ୍ଣ ପରିସ୍ଥିତିରେ ମାନସିକ ସ୍ୱାସ୍ଥ୍ୟ ରକ୍ଷା କରିବାର ୧୦ଟି ଉପାୟ ।

କିଛିଗୁଡିଏ ପଦକ୍ଷେପ ରହିଛି ଯାହା ଆପଣ ଆଜି ଠୁ ହିଁ ଆରମ୍ଭ କରିପାରିବେ ।

୧. ମିଡିଆ ହାଇଜିନ୍ ଅଭ୍ୟାସ କରନ୍ତୁ ।

ଆପଣ ଖବରକୁ ନୁହେଁ ଖବର ଆପଣଙ୍କୁ କବଳିତ କରିନେଉଛି । ତେଣୁ ତାକୁ କମ୍ କରନ୍ତୁ । ସୂଚନା ଆବଶ୍ୟକ କିନ୍ତୁ ନକାରାତ୍ମକ ଖବରରେ ବୁଡିରହିବା ବିପଦପୂର୍ଣ୍ଣ । ନିଉଜ୍ ଅପଡେଟ୍ ଦେଖିବା ପାଇଁ ଗୋଟେ ସମୟ ସ୍ଥିର କରନ୍ତୁ ଏବଂ ଅନବରତ ସ୍କ୍ରୋଲ୍ କରିବାରୁ ବିରତ ରୁହନ୍ତୁ । ଆପଣଙ୍କ ମସ୍ତିଷ୍କକୁ ଖାଲି ଜାଗା ବି ଦରକାର । ଏବଂ ମନେରଖନ୍ତୁ ଖବର ଅପଡେଟ୍ ରହିବା ଅପେକ୍ଷା ସୁସ୍ଥରେ ବଞ୍ଚିରହିବା ଜରୁରୀ । ଆପଣଙ୍କ ଡିଜିଟାଲ୍ ସ୍ପେସ୍ ନିଜେ ବାଛନ୍ତୁ । କରୁଣା, କଳା, ପ୍ରକୃତି ଏବଂ ସୁସ୍ଥତା ପ୍ରଚାର କରୁଥିବା ଏକାଉଣ୍ଟକୁ ଅନୁସରଣ କରନ୍ତୁ ଏବଂ ବିଷାକ୍ତ ବା ଉସୁକାଉଥିବା ଏକାଉଣ୍ଟକୁ ଅନଫଲୋ କରନ୍ତୁ ।

୨. ସାମୂହିକ ଆଶାବାଦୀ କାର୍ଯ୍ୟରେ ସାମିଲ୍ ହୁଅନ୍ତୂ ।

ସାମାଜିକ କାମ, ସହାୟତା ଗୋଷ୍ଠୀ ଅଥବା ଶାନ୍ତି ଉଦ୍ୟମ ମାନଙ୍କରେ ଅଂଶଗ୍ରହଣ କରନ୍ତୁ । ଯେତେବେଳେ ଆପଣ ଅନ୍ୟମାନଙ୍କୁ କିଛି ଭଲ ପାଇଁ କାମ କରୁଥିବାର ଦେଖନ୍ତି, ସେତେବେଳେ ମାନବତା ପ୍ରତି ଆପଣଙ୍କର ବିଶ୍ୱାସ ଦୃଢ ହୁଏ ।

୩. ଶାନ୍ତି ଅନୁଭବ କରାଉଥିବା ଲୋକଙ୍କ ସମ୍ପର୍କରେ ରୁହନ୍ତୁ ।

ଏମିତି ଲୋକମାନଙ୍କ ଗହଣରେ ରୁହନ୍ତୁ ଯିଏ ଉତ୍ତେଜନା କି ଅରାଜକତା ନୁହେଁ ଶାନ୍ତି ଆଣନ୍ତି । ଏମିତି ଲୋକଙ୍କୁ ଠାରୁ ନିଜକୁ ଟିକେ ଦୂରେଇ ରଖନ୍ତୁ ଯେଉଁମାନେ ଲଗାତାର ଡର, କ୍ରୋଧ ବା ଘୃଣା ବଢାନ୍ତି, ସେମାନେ ଯେତେ ନିଜର ହୋଇଥାଆନ୍ତୁ ନା କାହିଁକି । ସାଙ୍ଗସାଥି, ପରିବାର ବା ଏମିତି ଜଣେ କି ଦି ଜଣ ଲୋକଙ୍କ ସହ ଭାବଗତ ସମ୍ପର୍କ ତିଆରି କରନ୍ତୁ, ଯେଉଁମାନଙ୍କ ଉପରେ ଆପଣ ଭରସା କରିପାରିବେ । ଆପଣଙ୍କ ଡର ବିଷୟରେ ସେମାନଙ୍କ ସହ କଥା ହୁଅନ୍ତୁ । ତାଙ୍କ କଥା ଶୁଣନ୍ତୁ । ହସନ୍ତୁ, କାନ୍ଦନ୍ତୁ, ପୁଣି ସାଙ୍ଗ ହୋଇ ସେଥିରୁ ମୁକୁଳନ୍ତୁ । ଆପଣ ଯେତେବେଳେ ସାଙ୍ଗରେ ଛିଡା ହେବା ପାଇଁ କାହାକୁ ଜଣଙ୍କୁ ପାଆନ୍ତି ସେତେବେଳେ ଆପଣ ବେଶୀ ମଜବୁତ ହୁଅନ୍ତି ।

୪. ସବୁଦିନ ବର୍ତ୍ତମାନରେ ରହିବାର ଅଭ୍ୟାସ କରନ୍ତୁ ।

ସରଳ ଶ୍ୱାସକ୍ରିୟା ବ୍ୟାୟାମ, ସଚେତନ ଭାବରେ ଅଳ୍ପ ଟିକେ ଚାଲିବା, କିଛି ସମୟ ନୀରବରେ ବସିବା ଇତ୍ୟାଦି । ଡର ଆପଣଙ୍କ ଉପରେ ପ୍ରଭାବ ବିସ୍ତାର କରିବା ବେଳେ ବି ଏହା ଆପଣଙ୍କୁ ସ୍ଥିର ଓ ଗ୍ରାଉଣ୍ଡେଡ୍ ରଖିବାରେ ସାହାଯ୍ୟ କରେ ।

୫. ଛୋଟ ଛୋଟ ସୁରକ୍ଷା ପଦକ୍ଷେପ ନିଅନ୍ତୁ ।

ଜରୁରୀକାଳୀନ ନମ୍ବର ରଖନ୍ତୁ । ମସ୍ତିଷ୍କ ଶାନ୍ତ ରଖି ବୁଲାବୁଲି କରିବାର ଯୋଜନା କରନ୍ତୁ । ଏମିତି କାମ ସବୁ ଆପଣଙ୍କୁ କମ୍ ଅସହାୟ ଓ ଯେକୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତ ଅନୁଭବ କରାଏ ।

୬. ଆର୍ନ୍ତସୁରକ୍ଷା ନିଶ୍ଚିତ କରନ୍ତୁ ।

ମୁଁ ଏହି ମୁହୂର୍ତ୍ତରେ ସୁରକ୍ଷିତ ଅଛି, ମୁଁ ଡର ଓ ଘୃଣା ବଦଳରେ ଶାନ୍ତି ବାଛିଛି ପରି ଆଫାରମେସନ୍ ଗୁଡିକ ମନେମନେ ଦୈନିକ କୁହନ୍ତୁ । ବାରମ୍ବାର ଦୃଢତାର ସହ ଏହା କହିବା ଦ୍ୱାରା ଆପଣଙ୍କ ସ୍ନାୟୁତନ୍ତ୍ରର ସ୍ୱରୁପ ବଦଳେ ।

୭. ସୃଜନାତ୍ମକ ଅଭିବ୍ୟକ୍ତିର ବ୍ୟବହାର କରନ୍ତୁ ।

ଲେଖନ୍ତୁ, ଚିତ୍ର କରନ୍ତୁ, ଗାଆନ୍ତୁ, ନାଚନ୍ତୁ ବା କିଛି ତିଆରି କରନ୍ତୁ । କଳାତ୍ମକ ଅଭିବ୍ୟକ୍ତି ପୁଞ୍ଜିଭୂତ ମାନସିକ ଭୟକୁ ମୁକ୍ତ କରେ ଏବଂ ଏହାକୁ ଅର୍ଥପୂର୍ଣ୍ଣ ଭାବରେ ରୂପାନ୍ତରିତ କରିବାରେ ବାଟ ଦେଖାଏ ।

୮.ଶାନ୍ତି ପାଇଁ  ବ୍ୟକ୍ତିଗତ ରୀତିନୀତି ତିଆରି କରନ୍ତୁ ।

ବଗିଚାରେ କିଛି ସମୟ ବିତାନ୍ତୁ । ନୀରବରେ ଧ୍ୟାନ କରନ୍ତୁ ଅବା ଯାହା ଯାହା ଆଜି ଦିନରେ ଭଲ ହୋଇଛି ସେଥିପାଇଁ କୃତଜ୍ଞତା ଜଣାନ୍ତୁ । ଯେତେବେଳେ ସାରା ପୃଥିବୀ ଅସ୍ଥିର ସେତେବେଳେ ଏଇ ଛୋଟ ଛୋଟ ଅଭ୍ୟାସ ଆପଣଙ୍କୁ ସ୍ଥିର ଅନୁଭବ କରାଏ ।

୯. ପ୍ରକୃତି ସହ ଯୋଡି ହୁଅନ୍ତୁ ।

ବଗିବା, ଜଙ୍ଗଲ, ପାହାଡ, ନଦୀ, ଝରଣା କି ସମୁଦ୍ର ପାଖରେ ସମୟ ବିତାନ୍ତୁ । ପ୍ରକୃତି ଆପଣଙ୍କ ସ୍ନାୟୁତନ୍ତ୍ରକୁ ନିୟନ୍ତ୍ରଣ କରେ ଓ ଆପଣଙ୍କୁ ମନେପକାଇଦିଏ ଯେ ଏ ଘନଘୋର କୋଳାହଳ ବାହାରେ ଶାନ୍ତି ଏବେବି ରହିଛି ।

୧୦. ବିତର୍କ ନକରି କଥା ହୁଅନ୍ତୁ ।

ଅନଲାଇନ୍ କିମ୍ବା ଅଫଲାଇନରେ ଯୁକ୍ତି କରିବା ପରିବର୍ତ୍ତେ ଆପଣଙ୍କ ଠାରୁ ଭିନ୍ନ ଲୋକଙ୍କ ସହ ଗଭୀର, ଅର୍ଥପୂର୍ଣ୍ଣ ଏବଂ ସହାନୁଭୂତିପୂର୍ଣ୍ଣ ଆଲୋଚନାକୁ ବାଛନ୍ତୁ । ବୁଝାମଣା ବିଚାରକୁ ବଦଳାଇଥାଏ ।

ଏସବୁ ଛୋଟ ଛୋଟ କଥା ଯେକେହି ବି କରିପାରିବେ । କାଲି ହିଁ ପୁଣି କଲ୍ ପାଇଲି । ପ୍ରବୀର କହିଲା, "ପୁରା ସପ୍ତାହେ ପରେ ଗତକାଲି ରାତିରେ କୁଁ ପ୍ରଥମ ଥର ପାଇଁ ଶାନ୍ତିରେ ଶୋଇଲି ।"

ଦୁନିଆ ବଦଳିନି । ଖବର ସବୁ ଏବେବି ବେଶ୍ ଭୟଙ୍କର । ସବୁଦିନ କିଛି ନା କିଛି ଅପରାଧ, ହତ୍ୟା, ମୃତ୍ୟୁ, ଆକ୍ସିଡେଣ୍ଟ ଖବରକାଗଜରେ, ନ୍ୟୁଜ୍ ହେଉଲାଇନରେ ଆସୁଛି । ଏସବୁ ଲୋକଙ୍କୁ ବାହାରକୁ ଯିବାକୁ କିମ୍ବା ପିଲାମାନଙ୍କୁ ବାହାରକୁ ପଠେଇବାକୁ ଡରେଇବାକୁ ଯଥେଷ୍ଟ । କିନ୍ତୁ ପ୍ରବୀର କିଛି ଛୋଟ ଛୋଟ କାମ କରିବା ଆରମ୍ଭ କରିଥିଲା । ସେ ବିଶ୍ରାମ ନେବାକୁ, ଶାନ୍ତିରେ ନିଶ୍ୱାସ ନେବାକୁ, ତା' ମନର ଯତ୍ନ ନେବାକୁ ବାଛିଥିଲା । ଏଇଠୁ ଆରମ୍ଭ ହୁଏ ସୁସ୍ଥତା । କାରଣ ଅପରାଧ ଯେତେବେଳେ ବଢୁଛି, ଘୃଣା ଯେତେବେଳେ ରକେଟ୍ ସ୍ପିଡରେ ବ୍ୟାପିଯାଉଛି ଏବଂ ଭୟ ଯେତେବେଳେ ଛାଇ ପରି ଆମ ସାଙ୍ଗରେ ଚାଲୁଛି, ସେତେବେଳେ ନିଜେ ଶାନ୍ତିରେ ରହିବାକୁ ଚେଷ୍ଟା କରିବା ବି ଏକ ନୀରବ ପ୍ରତିବାଦ ଓ ବିପ୍ଳବ ।

ମଜବୁତ ହେବା ପାଇଁ ଆପଣକୁ ଚିତ୍କାର କରି କହିବା ଦରକାର ନାହିଁ କି ନିଜକୁ ରକ୍ଷା କରିବା ପାଇଁ ଦୁନିଆକୁ ଠିକ୍ କରିବା ଦରକାର ନାହିଁ । କେବେକେବେ ସବୁଠୁ ଶକ୍ତିଶାଳି କାମ ଆପଣ ଯାହା କରିପାରିବେ ତାହା ହେଉଛି ସମ୍ବେଦନଶୀଳ ରହିବା, ସ୍ଥିର ରହିବା ଏବଂ ଦୁନିଆର ଯାବତୀୟ ଅନ୍ଧାରକୁ ନିଜ ହୃଦୟରେ ପ୍ରବେଶ କରିବାକୁ ନଦେବା । ତେଣୁ ଦୀର୍ଘଶ୍ୱାସ ନିଅନ୍ତୁ । ନିଜର ଡରକୁ ଚିହ୍ନନ୍ତୁ, ପ୍ରିୟ ଲୋକଙ୍କ ସହ କଥା ହୁଅନ୍ତୁ ଆଉ ଯେତେବେଳେ ଦୁନିଆ କୋଳାହଳ କରି ଆପଣଙ୍କ ଆବେଗକୁ ଅକ୍ତିଆର୍ କରିବାକୁ ଚେଷ୍ଟା କରୁଛି, ସେତେବେଳେ ଚୁପଚାପ୍ ଯାଇ ଶୋଇପଡନ୍ତୁ । ଏବଂ ମନେରଖନ୍ତୁ ଆପଣ ଏକା ନୁହଁନ୍ତି । ଆପଣଙ୍କ ପରି ଲକ୍ଷ ଲକ୍ଷ ମଣିଷ ଅଛନ୍ତି ଯେଉଁମାନେ ଅସହାୟତା ଅପେକ୍ଷା ଆଶା ବାଛିଛନ୍ତି ।

ପ୍ରତ୍ୟେକ ବ୍ୟକ୍ତି ଯିଏ ଘୃଣା ଅପେକ୍ଷା ଶାନ୍ତି, ସନ୍ଦେହ ଅପେକ୍ଷା ବିଶ୍ୱାସ, ହିଂସା ଅପେକ୍ଷା କରୁଣା ବାଛିଥାଏ ସେ କୋଳାହଳପୂର୍ଣ୍ଣ ଦୁନିଆରେ ଶାନ୍ତିର ଗୋଟେ ଛୋଟ ବଳୟ ତିଆରି କରେ ବିଶ୍ୱର ବୃହତ୍ତର ସ୍ୱାର୍ଥ ଉଦ୍ଦେଶ୍ୟରେ । ମହାଯୋଗୀ ଶ୍ରୀଅରବିନ୍ଦ କହିଛନ୍ତି, "ଜଣେ ମଣିଷର ପୂର୍ଣ୍ଣତା ସମଗ୍ର ବିଶ୍ୱକୁ ରକ୍ଷା କରିପାରିବ । ତେଣୁ ବ୍ୟସ୍ତ ହୁଅନ୍ତୁନି ଆପଣଙ୍କର ଶାନ୍ତି ବି ଆମ ପୃଥିବୀକୁ ଶାନ୍ତିମୟ କରିପାରିବ ।

ଓଟିଭି ବିଜ୍ଞାପନ