Advertisment

Veer Surendra Sai: ଅଗ୍ନି ସ୍ଫୁଲିଙ୍ଗ ବୀର ସୁରେନ୍ଦ୍ର ସାଏ; ଯାହାଙ୍କ ଡାକରାରେ ପ୍ରଜ୍ଜ୍ୱଳିତ ହୋଇଥିଲା ବିଦ୍ରୋହର ବହ୍ନି

ନିଜ ଜୀବନ କାଳ ମଧ୍ୟରେ ସମୁଦାୟ ୩୭ ବର୍ଷ ବନ୍ଦୀ ଜୀବନ କାଟିଥିବା ସେହି ମହାନ ସ୍ଵାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଫେବ୍ରୁଆରୀ ୨୮, ୧୮୮୪ରେ ସମସ୍ତଙ୍କ ଅଗୋଚରରେ ଗିରିଦୁର୍ଗ ମଧ୍ୟରେ ଶେଷ ନିଃଶ୍ଵାସ ତ୍ୟାଗ କଲେ। ହେଲେ ଅସୀମ ତ୍ୟାଗ ଓ ବୀରତ୍ଵର ପ୍ରତୀକ ବୀର ସୁରେନ୍ଦ୍ର ସାଏ ଆଜି ବି ଜଣେ ମହାନ୍ ଯୋଦ୍ଧା ରୂପେ ପ୍ରତିଟି ଭାରତୀୟଙ୍କ ମନରେ ଜୀବିତ ଅଛନ୍ତି।

author-image
Sonali Ojha
ଅଦ୍ୟତନ ହୋଇଛି
Veer Surendra Sai

Veer Surendra Sai

ଦୁର୍ଦ୍ଧର୍ଷ ଯୋଦ୍ଧା ଓ ବିଚକ୍ଷଣ ବିପ୍ଳବୀ ବୀର ସୁରେନ୍ଦ୍ର ସାଏ। ଜନ୍ମ ନେଇଥିଲେ କେବେଳ ଦେଶ ମାତୃକା ପାଇଁ। ଇଂରେଜଙ୍କ ବିରୋଧରେ ଦେଇଥିଲେ ଯୁଦ୍ଧଂ ଦେହି ଡାକରା। ୧୮୫୭ ସିପାହୀ ବିଦ୍ରୋହର ୩୦ ବର୍ଷ ପୂର୍ବରୁ ରାଜଗାଦିର ଉତ୍ତରାଧିକାରୀତ୍ୱ ନେଇ ବ୍ରିଟିଶ ସରକାର ବିରୋଧରେ ସେ ଆନ୍ଦୋଳନ ଆରମ୍ଭ କରିଥିଲେ । ତାଙ୍କ ଡାକରାରେ ବିଦ୍ରୋହର ବହ୍ନି ପ୍ରଜ୍ଜ୍ୱଳିତ ହୋଇ ଉଠିଥିଲା।

Advertisment

ଜନ୍ମ ତାଙ୍କର ୧୮୦୯ ମସିହା ଜାନୁଆରୀ ୨୩ ତାରିଖ ସମ୍ବଲପୁର ଖିଣ୍ଡା ଅଞ୍ଚଳର ବରଗାଁରେ । ଧର୍ମ ସିଂହ ଓ ରେବତୀ ଦେବୀଙ୍କ ସାତ ପୁଅ ଓ ଗୋଟିଏ ଝିଅ ମଧ୍ୟରୁ ସୁରେନ୍ଦ୍ର ଥିଲେ ବଡ଼ । ସମ୍ବଲପୁରରେ ଚୌହାଣ ବଂଶର ଚତୁର୍ଥ ରାଜା ମଧୁକର ସାଏଙ୍କ ବଂଶଜ। ପିତା ଧରମ ସିଂହଙ୍କ ମୃତ୍ୟୁ ପରେ ଦାଦା ବଳରାମ ସିଂହଙ୍କ ତତ୍ତ୍ୱାବଧାନରେ ଘୋଡ଼ା ଚଢ଼ା, ଖଣ୍ଡା ଓ ତୀରଚାଳନା ସମେତ ଅନ୍ୟାନ୍ୟ ପ୍ରଶିକ୍ଷଣ ନେଇଥିଲେ । ସୁରେନ୍ଦ୍ର ସାଏ ଗାଙ୍ଗପୁର ରାଜ୍ୟର ହାତିବାରୀ ଜମିଦାରଙ୍କ କନ୍ୟା ସୁବର୍ଣ୍ଣକୁମାରୀଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇଟି ସନ୍ତାନ ଥିଲେ ।

୧୮୨୭ରେ ଚୌହାଣ ବଂଶର ଶେଷ ରାଜା ନିଃସନ୍ତାନ ମହାରାଜ ସାଏଙ୍କ ମୃତ୍ୟୁ ପରେ ରାଜଗାଦିରେ ଅଧିଷ୍ଠିତ ହେବା ପାଇଁ ସେ ଯୋଗ୍ୟ ଥିଲେ। ମାତ୍ର ବ୍ରିଟିଶ କର୍ତ୍ତୃପକ୍ଷ ଏହି ଅଧିକାରରୁ ତାଙ୍କୁ ବଞ୍ଚିତ ରଖିଥିଲେ। ଯାହାକୁ ନେଇ ଜନ ଅସନ୍ତୋଷ ତୀବ୍ରତର ହୋଇ ସମ୍ବଲପୁର ବିପ୍ଳବର ରୂପ ନେଲା। ତାଙ୍କର ଅସୀମ ପରାକ୍ରମ, ଅସାଧାରଣ ରଣକୌଶଳ ବ୍ରିଟିଶ ଶାସକ ଓ ସୈନ୍ୟବାହିନୀକୁ ଚକିତ କରିଥିଲା । ସେ ଅନେକ ଥର ଜେଲ୍ ମଧ୍ୟ ଯାଇଛନ୍ତି। ତାଙ୍କ ଜୀବନ କାଳରେ ସେ ୩୬ ବର୍ଷ କାରାଗାରରେ ବିତାଇଛନ୍ତି।

Advertisment

୧୮୫୭ ସିପାହୀ ବିଦ୍ରୋହ ବେଳେ ସୁରେନ୍ଦ୍ର ସାଏ ଭାଇ ଉଦନ୍ତଙ୍କ ସହ ଜେଲରୁ ଖସି ଆସି ଜନ୍ମଭୂମିରେ ପହଞ୍ଚିବା ପରେ ପ୍ରଭାବଶାଳୀ ଗୌନ୍ତିଆଙ୍କଠାରୁ ଆରମ୍ଭ କରି ଗୋଣ୍ଡ ଓ କୋହ୍ଲ ଆଦିବାସୀ ସମ୍ପ୍ରଦାୟର ହଜାର ହଜାର ଲୋକ ଜମା ହୋଇ ସେମାନଙ୍କୁ ସମର୍ଥନ ଜଣାଇଥିଲେ। ସେଠାରୁ ଆରମ୍ଭ ହୋଇଥିଲା ବ୍ରିଟିଶ ଶାସକଙ୍କ ବିରୁଦ୍ଧରେ ସୁରେନ୍ଦ୍ର ସାଏଙ୍କ ମହାସଂଗ୍ରାମ। ସେତେବେଳେ ଦେଶରୁ ଇଂରେଜମାନଙ୍କୁ ତଡ଼ିବା ପାଇଁ ଚାଲିଥିଲା ଘମାଘୋଟ ଆନ୍ଦୋଳନ। ସମ୍ବଲପୁରରେ ବି ଏହାର ପ୍ରଭାବ ପଡିଥିଲା।

ଅଧିକ ପଢ଼ନ୍ତୁ: ଏହି ଦିନ ଦେଶର ସେନାର ନେତୃତ୍ୱ ଜଣେ ଭାରତୀୟଙ୍କ ହାତକୁ ଆସିଥିଲା

ସେତେବେଳେ ସୁରେନ୍ଦ୍ର ସାଏ ଆରମ୍ଭ କଲେ ସଶସ୍ତ୍ର ବିପ୍ଳବ। ବ୍ରିଟିଶ ସେନାବାହିନୀକୁ ଚକମା ଦେଇ ତାଙ୍କୁ ଧୂଳି ଚଟାଇଲେ। ଇଂରେଜମାନଙ୍କୁ କଡ଼ା ଜବାବ ଦେବା ପାଇଁ ୭ ଅକ୍ଟୋବର ୧୮୫୭ରେ ୧୨ଶହ ଲୋକଙ୍କ ସହ ସମ୍ବଲପୁର ସହରରେ ପ୍ରବେଶ କରିଥିଲେ । ହେଲେ ବିଶ୍ୱାସଘାତକତା ପାଇଁ ସେ ବନ୍ଦୀ ହୋଇଥିଲେ। ଦୁଇଜଣ ସ୍ଥାନୀୟ ଲୋକ ଦୟାନିଧି ମେହେର ଓ ମୋହନ ସିଂହ ଚକ୍ରାନ୍ତ କରି ତାଙ୍କୁ ଇଂରେଜଙ୍କ ହାତରେ ଧରାଇ ଦେଇଥିଲେ। ଗିରଫ ସୁରେନ୍ଦ୍ର ସାଏଙ୍କୁ ମଧ୍ୟପ୍ରଦେଶର ବୁରହାନପୁର ଜିଲା ଅସୀରଗଡ଼ ଦୁର୍ଗରେ ବନ୍ଦୀ ଭାବେ ରଖାଯାଇଥିଲା । ସେ ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ବନ୍ଦୀ ଜୀବନ ବିତାଇଥିଲେ।

ନିଜ ଜୀବନ କାଳ ମଧ୍ୟରେ ସମୁଦାୟ ୩୬ ବର୍ଷ ବନ୍ଦୀ ଜୀବନ କାଟିଥିବା ସେହି ମହାନ ସ୍ଵାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଫେବ୍ରୁଆରୀ ୨୮, ୧୮୮୪ରେ ସମସ୍ତଙ୍କ ଅଗୋଚରରେ ଗିରିଦୁର୍ଗ ମଧ୍ୟରେ ଶେଷ ନିଃଶ୍ଵାସ ତ୍ୟାଗ କଲେ। ହେଲେ ଅସୀମ ତ୍ୟାଗ ଓ ବୀରତ୍ଵର ପ୍ରତୀକ ବୀର ସୁରେନ୍ଦ୍ର ସାଏ ଆଜିବି ଜଣେ ଯୋଦ୍ଧା ରୂପେ ପ୍ରତିଟି ଭାରତୀୟଙ୍କ ମନରେ ଜୀବିତ ଅଛନ୍ତି।

ଅଧିକ ପଢ଼ନ୍ତୁ: କାହିଁକି ପାଳନ ହୁଏ ପରାକ୍ରମ ଦିବସ ?

Sambalpur Veer Surendra Sai
Advertisment
Advertisment