• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଓଡ଼ିଶାର ଜନ ଜୀବନର ଗଣପର୍ବ ‘ରଜ’। ତିନିଦିନର ଆନନ୍ଦ ଉଲ୍ଲାସର ଉତ୍ସବ ରଜ ମଉଜ। ଘରେ ଘରେ ପିଠା ପଣା, ଦୋଳି ଖେଳ ସହ ରଜ ପାନର ମଜା ନିଆରା। ଯେମିତି ସଜବାଜ ହେବା, ପୋଡ଼ ପିଠା ଖାଇବା ଆଉ ଦୋଳି ଖେଳିବା ରଜ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ, ଠିକ୍‌ ସେମିତି ପାନ ଖିଆ ବି ଏହି ଗଣପର୍ବର ଏକ ଅବିଚ୍ଛିନ୍ନ ଅଙ୍ଗ।

ଝିଅଙ୍କ ପାନ ଖିଆ:

ଅନ୍ୟ ଦିନରେ ପାନ ନ ହେଲେ ନାହିଁ, କିନ୍ତୁ ରଜରେ ଝିଅମାନେ ପାନ ଖାଇବା ଥୟ। ସେଇଥିପାଇଁ ତ ପ୍ରତି ବର୍ଷ ରଜ ଆସିଲେ ଜମିଉଠେ ପାନ ବଜାର। ରଜ ପୂର୍ବରୁ ଛକ ଛକରେ ଲାଗେ ବିଭିନ୍ନ ପ୍ରକାରର ପାନ ଦୋକାନ। କିଏ ବନାରସି ମସଲା ପାନ ବିକ୍ରି କରେ ତ ଆଉ କିଏ କଲିକତାର ସ୍ପେଶାଲ ମସଲା ପାନ ତିଆରି କରେ। ଇତିହାସ କହେ, ପୂର୍ବରୁ ନାରୀମାନେ ନିଜ ଓଠକୁ ରଙ୍ଗ କରିବା ପାଇ ପାନ ଖାଉଥିଲେ। ସେମାନେ ପ୍ରାକୃତିକ ରଙ୍ଗ ହିସାବରେ ଏହାକୁ ବ୍ୟବହାର କରୁଥିଲେ।

Also Read

ସଂପର୍କକୁ କରେ ମଜଭୁତ:

ରଜରେ ପାନଖିଆ ଏକ ପୁରୁଣା ଓଡ଼ିଆ ପରମ୍ପରା। ପ୍ରୀତିର ବନ୍ଧନ ହେଉଛି ପାନ। ଭୋଜନ ଶେଷରେ ତାମ୍ବୁଳ(ପାନ) ସେବା ଏକ ନିଆରା ଓଡିଆ ବ୍ୟବସ୍ଥା। ଓଡ଼ିଆ ଠାକୁର ଜଗନ୍ନାଥ ପ୍ରତିଦିନ ଭୋଜନ ଶେଷରେ ପାନ ଖାଇ ନିଦ୍ରା ଯିବା ପରମ୍ପରା ରହିଛି।

ପାନ ହେଉଛି ମୁଖବାସ ଓ ପରିତୋଷ। ରଜ ସହିତ ପାନର ସଂପର୍କ ନିଆରା। କୁହାଯାଏ ଯେ ଏହା ବନ୍ଧୁତାର ଡୋରିକୁ ସୁଦୃଢ କରେ। ଏନେଇ ରଜରେ ଝିଅମାନେ ସମସ୍ତଙ୍କୁ ପାନ ଦବାନବା କରିଥାନ୍ତି।

ଆୟୁର୍ବୈଦିକ ଗୁଣ:

ଆୟୁର୍ବେଦ ଶାସ୍ତ୍ର ଅନୁସାରେ ପାନ ଜୀର୍ଣ୍ଣକାରକ ଏବଂ କୃମିନାଶକ। ପାନରେ ଦିଆଯାଉଥିବା ଚୂନ ଲୌହଶକ୍ତିରେ (କ୍ୟାଲ୍‌ସିୟମ)ରେ ଭରା ଓ ଖଇର ଦାନ୍ତକୁ ମଜବୁତ କରିଥାଏ। ରଜପାନର ମହକ ସାରାବର୍ଷର ପାନକୁ ବଳିଯାଏ। ରଜପାନରେ ଗୁଆ, ଅଳେଇଚ, ଗୁଜୁରାତି, ଭଜା ଧଣିଆ, ନଡିଆ ଖଣ୍ଡ, ଚେରି, ଲବଙ୍ଗ, କବାବଚିନି, ଚୁଆ, ପାନ ମଧୁରି, ସୁବାସିତ ଜାଫ୍ରାନ୍‌ କେଶର, ଖଇର ପରି ୧୦ରୁ ୧୨ ପ୍ରକାର ମସଲା ଦିଆହୁଏ।

ପାନ ଭଙ୍ଗା:

ଖାଲି ଏତିକି ନୁହେଁ, ଏହାକୁ ବିଭିନ୍ନ ଢଙ୍ଗରେ ତ୍ରିଭଙ୍ଗି, ଚଉଭଙ୍ଗି ଆକୃତି ଦେଇ ଉପରେ ଲବଙ୍ଗ ଖୋସି ଅତି ସୁନ୍ଦର ଭାବେ ଭଙ୍ଗାଯାଏ ଓ ଥାଳିରେ ସଜାଇ ଦିଆଯାଏ। ସାଧାରଣ ଦିନର ପାନଠାରୁ ରଜପାନର ସ୍ୱାଦ ନିଆରା। ରଜ ଆସିଲେ ବଜାରରେ ମଧ୍ୟ ପାନର ଦର ବଢିଯାଏ। ରଜ ସହିତ ପାନର ସଂପର୍କକୁ ନେଇ ଢଗରେ ଅଛି-

‘ପାନଖିଆ ରସିକ ପାଟି,
ଖୋଜି ବୁଲୁଥିଲା ରାଜାଙ୍କ ହାତୀ,
ଢାଳି ଦେଇଗଲା ଶିରରେ, ରାଜା ହୋଇଗଲା ରଜରେ’।

ପଲ୍ଲୀଜୀବନରେ ପାନ:

ଓଡ଼ିଆ ପଲ୍ଲୀଜୀବନରେ ପ୍ରତିଟି କାମ ଓ ପର୍ବପର୍ବାଣିରେ ପାନର ଏକ ସ୍ୱତନ୍ତ୍ର ଭୂମିକା ରହିଛି। ବାହାଘର ହେଉକି ଶୁଦ୍ଧ ଘର ସବୁଠି ପାନ ଲୋଡ଼ା ହୋଇଥାଏ। ପିଲାଠାରୁ ବୁଢ଼ା ସଭିଏଁ ପାନ ଖାଇଥାନ୍ତି। ଓଡ଼ିଆ ଜୀବନରେ ପାନର ଭୂମିକା ଓଡ଼ିଆ ସାହିତ୍ୟ, ଲୋକକଥା ଆଦିରେ ସ୍ପଷ୍ଟ ଦେଖାଯାଏ।

କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଲେଖନୀରୁ :

“ମଲ୍ଲୀମାଳ ଶ୍ୟାମଙ୍କୁ ଦେବି, ମନ ତୋଷିବି
ସେ ଯେବେ କରିବେ ମାନ, ଭାଙ୍ଗି ଭୁଞ୍ଜାଇବି ପାନ
ଗଣ୍ଡରେ ଦେଇ ଚୁମ୍ବନ ହରଷ କରାଇବି।”