ଓଡ଼ିଆଙ୍କ ବାର ମାସ ତେର ପର୍ବ ଭିତରୁ ଖୁଦୁରୁକୁଣୀ ଓଷା ଏକ ପାରମ୍ପରିକ ପର୍ବ। ଏହାକୁ କେହିକେହି ଭାଲୁକୁଣି ଓଷା ତ ଆଉ କିଏ ଢିଙ୍କି ଓଷା ମଧ୍ୟ କୁହନ୍ତି। କୁଆଁରୀ ଝିଅ ମାନେ ସାଧବ ପରମ୍ପରାକୁ ନେଇ ଭାଇଙ୍କ ଶୁଭ ମନାସୀ ଭାଦ୍ରବ ମାସରେ ମା’ ଖୁଦୁରୁକୁଣୀଙ୍କ ପୂଜା କରିଥାନ୍ତି। ଓଡିଶାର କୋଣ ଅନୁକୋଣରେ ଏହି ପୂଜା କରାଯାଇଥାଏ। ଭାଦ୍ରବ ମାସର ପ୍ରତି ରବିବାର ଏହି ଓଷା ପଡିଥାଏ।
ଏହି ଓଷାରେ ସିଂହବାହିନୀ ମା’ ମଙ୍ଗଳାଙ୍କୁ ଖୁଦଭଜା ଲାଗି ହୋଇଥାଏ। ଖୁଦଭଜା ଠାକୁରାଣୀଙ୍କର ସବୁଠୁ ପ୍ରିୟ ବୋଲି କିମ୍ବଦନ୍ତୀରେ ରହିଛି। ଖୁଦରୁ ଏହି ଓଷାର ନାମ ଖୁଦୁରୁକୁଣୀ ହୋଇଛି। ଗାଁମାନଙ୍କରେ ଢିଙ୍କି ଶାଳରେ ଖୁଦୁରୁକୁଣୀଙ୍କୁ ପୂଜା କରାଯାଏ। ଏହି ଓଷାକୁ ନେଇ ଲିଖିତ ଏକ ବହିରେ ତଅପୋଇ କଥା ରହିଛି । ଝିଅମାନେ ତଅପୋଇ ଗୀତ ଗାଇ ଏହି ଓଷା ପାଳନ କରନ୍ତି।
ଅଧିକ ପଢ଼ନ୍ତୁ: କିପରି ପାଳନ ହୁଏ ‘ଖୁଦୁରୁକୁଣୀ ଓଷା’; ଏମିତି ନାମକରଣର ରହସ୍ୟ କ’ଣ
Also Read
ଓଡ଼ିଶାରେ ସାଧବ ପୁଅମାନେ ଅତୀତରେ ଦେଶବିଦେଶକୁ ବଣିଜ କରିବା ପାଇଁ ଯାଉଥିଲେ। ସେହିପରି ଏକ ସାତ ସାଧବ ଭାଇଙ୍କ ଅଲିଅଳି ଭଉଣୀ ଥିଲା ତଅପୋଇ। ଭାଉଜମାନେ ତାଙ୍କୁ ଯାତନା ଦେବା ଓ ପରେ ଖୁଦୁରୁକୁଣୀଙ୍କୁ ପୂଜି ସେଥିରୁ ମୁକ୍ତି ମିଳିବା ଦିନଠୁ ଏହି ଓଷାର ଆରମ୍ଭ। ତେବେ ଆସନ୍ତୁ ଏହାକୁ ନେଇ ପ୍ରଚଳିତ କାହାଣୀ ଉପରେ ନଜର ପକେଇନେବା।
ତଅପୋଇ କାହାଣୀ:
ଅଲିଅଳି ତଅପୋଇ, ସାତ ଭାଇରେ ଗୋଟିଏ ଭଉଣୀ। ଯାହା ଜିଦ୍ କରେ ତାହା ପୁରଣ ହୋଇଯାଏ। ତା’ ଜିଦିରେ ସୁବର୍ଣ୍ଣ କୁଲେଇ ତିଆରି କରିଥିଲେ ସାଧବ। ଦିନେ ୭ ଜଣ ସାଧବ ପୁଅ ଦୂରଦେଶକୁ ବଣିଜ କରିବାକୁ ଯାଇଥିଲେ। ଆଉ ଘରେ ଛାଡି ଯାଇଥିଲେ ତାଙ୍କର ଗେହ୍ଲା ଭଉଣୀ ତଅପୋଇକୁ। ଭାଇମାନେ ଥିବା ସମୟରେ ତଅପୋଇକୁ ଯେମିତି ଭଲପାଇବା ମିଳୁଥିଲା ସେମାନେ ଗଲା ପରେ ମଧ୍ୟ ତାକୁ ସେହି ଭଲପାଇବା ଦେଉଥିଲେ ଭାଉଜମାନେ। ହେଲେ ତାହା ଥିଲା କିଛି ଦିନ ପାଇଁ।
ଖୁସିରେ ଗ୍ରହଣ ଲାଗିବା ଭଳି ଘରେ ଆସି ପହଞ୍ଚିଥିଲା ରାଣ୍ଡୀ ବ୍ରାହ୍ମଣୀ। ସେ ଭାଉଜମାନଙ୍କୁ ଶିଖେଇ ନଣନ୍ଦ ତଅପୋଇକୁ ଦେଉଥିଲା ଗଞ୍ଜଣା। ଭାଉଜମାନେ ବ୍ରାହ୍ମଣୀ କଥାରେ ପଡି ତଅପୋଇକୁ ଘରକାମ ସହ ଛେଳି ଚରାଇବା ପାଇଁ କହୁଥିଲେ। ଭାତ ବଦଳରେ ଗୋଡି ମିଶା ଖୁଦ ଦେଉଥିଲେ। ଭାଇମାନେ ପାଖରେ ନ ଥିବାରୁ ତଅପୋଇ ଏକଥା କାହାରିକୁ କହିପାରୁ ନ ଥିଲା। ନିଜ କଷ୍ଟ ନିଜ ମନରେ ଚାପି କାନ୍ଦି କାନ୍ଦି ରହୁଥିଲା। କିନ୍ତୁ ସାନ ଭାଉଜ ଥିଲେ ତଅପୋଇ ସପକ୍ଷରେ। ସେ ହିଁ ତଅପୋଇକୁ ଭଲପାଉଥିଲେ। ସମସ୍ତଙ୍କୁ ଲୁଚାଇ ଖାଇବାକୁ ଦେଉଥିଲେ। ସ୍ନେହ ଆଦର କରୁଥିଲେ।
ଅଧିକ ପଢ଼ନ୍ତୁ: ଭାଇ ଭଉଣୀର ମଧୁର ପ୍ରେମକୁ ମନେପକେଇ ଦିଏ ଖୁଦୁରୁକୁଣୀ ଓଷା
ଅନେକ ଦିନ ପରେ ଭାଇମାନେ ବିଦେଶରୁ ଫେରିବାରେ ଡେରି ହୋଇଗଲା। ତଅପୋଇ ମନରେ ଭାଇମାନଙ୍କ ଫେରିବାକୁ ନେଇ ଅନେକ ଦୁଶ୍ଚିନ୍ତା ଆସିଲା।
ସାତ ଭଉଣୀଙ୍କ ଅଲିଅଳିକୁ ସ୍ୱର୍ଣ୍ଣ ମହଲ ଛାଡି ଛେଳି ଜଗିବାକୁ ପଡୁଥିଲା। ପ୍ରକୃତିର ଏକ ବିଭିଷିକାରେ ହଠାତ୍ ବଡ ଭାଉଜଙ୍କ ଛେଳି ଘରମଣୀ ଅରଣ୍ୟ ମଧ୍ୟରେ ନିରୁଦ୍ଧିଷ୍ଟ ହୋଇଗଲା। ଘରମଣୀକୁ ଖୋଜୁଥିବା ସମୟରେ ପାଖ ଗ୍ରାମରେ ସେ ହୁଳୁହୁଳି, ଶଙ୍ଖନାଦ ଶୁଣିବାକୁ ପାଇଲା। ସେଠାକୁ ଯାଇ ଦେଖେ ତ କୁମାରୀମାନେ ଖୁଦୁରୁକୁଣୀ ଓଷା କରୁଛନ୍ତି। ସେମାନଙ୍କଠାରୁ ଏହି ପର୍ବର ମହାନତା ଜାଣିବା ପରେ ସେ ମାନସିକ କଲା।
ଶେଷରେ ତଅପୋଇ ନଦୀ ବାଲିରେ ମାଟିରେ ମୂର୍ତ୍ତି ଗଢ଼ି ଭାଇମାନଙ୍କର ମଙ୍ଗଳମନାସୀ ଖୁଦୁରୁକୁଣୀ ଓଷା କରିଥିଲା। ପାଖରେ କିଛି ନ ଥିବାବେଳେ ଭାଉଜମାନେ ଦେଉଥିବା ଶୁଖିଲା ଖୁଦକୁ ସେ ଭୋଗ ଆକାରରେ ଠାକୁରାଣୀଙ୍କ ପାଖରେ ଭୋଗ କରୁଥିଲା। ସେଦିନ ଥିଲା ରବିବାର। ସେହିଦିନଠୁ ୫ ପାଳି ଓଷା କରିଥିଲା ତଅପୋଇ। ତା’ ଡାକ ଶୁଣି ମା’ ମଙ୍ଗଳା ବା ଖୁଦୁରୁକୁଣି ଶୁଣିଥିଲେ। ସେ ଘରମଣିକୁ ଫେରି ପାଇବା ସହ ତା’ ସାତ ଭାଇ ସୁରୁଖୁରରେ ଫେରିଲେ।
ଭାଇମାନଙ୍କୁ ବନ୍ଦାପନା କରିବା ନେଇ ସବୁ ଭାଉଜମାନେ ଯାଇଥିବା ବେଳେ ତଅପୋଇକୁ ଭାଉଜମାନେ ଘରକୋଣରେ ବାନ୍ଧି ଦେଇଥିଲେ। ହେଲେ ତଅପୋଇ ନ ଆସିଲେ ସେମାନେ ବୋଇତରୁ ଓହ୍ଲାଇବୁ ନାହିଁ ବୋଲି ଭାଇମାନେ ଜିଦ୍ ଧରି ବସିବାରୁ ସାନଭାଉଜ ସବୁ ଗୋପନ କଥା ଭାଇମାନଙ୍କ ଆଗରେ କହିଥିଲେ।
ଶେଷରେ ଦଣ୍ଡ ସ୍ୱରୁପ କେବଳ ସାନ ଭାଉଜଙ୍କୁ ଛାଡ଼ି ସାତ ସାଧବ ବାକି ସମସ୍ତଙ୍କର ନାକ କାଟିବାକୁ ଭଉଣୀ ତଇପୋଇକୁ ନିର୍ଦେଶ ଦେଇଥିଲେ। ଆଉ ତଅପୋଇ ସମସ୍ତଙ୍କ ନାକ କାଟିଥିଲା ସତ ହେଲେ ସାନଭାଉଜଙ୍କ ବେକରେ ଅଳଙ୍କାର ପକାଇ ତାଙ୍କୁ ସ୍ନେହ କରିଥିଲା।
ଓଡ଼ିଆ ଚଳଣିର ଏହି ଲୋକକଥାକୁ ନେଇ କୁଆଁରୀ ଝିଅମାନେ ଭାଇମାନଙ୍କ ଶୁଭ ମନାସି ଭୋଦୁଅଁ (ଭାଦ୍ରବ) ମାସରେ ଭାଲୁକୁଣି ଓଷା ବା ଖୁଦୁରୁକୁଣୀ ଓଷା କରିଥାନ୍ତି।