Advertisment

Mahabharat Story: ଦୁଇ ଭାଇଙ୍କ ମିଳନ ଓ ବୁଢ଼ା ବାନରର ବିଶାଳ ରୂପ ଧାରଣର କଥା

ନିଜକୁ ଅତୁଳ ପରାକ୍ରମୀ ଭାବୁଥିବା ଭୀମସେନ ଶେଷରେ ଗୋଟେ ବୁଢ଼ା ବାନରର ସାମାନ୍ୟ ଲାଞ୍ଜକୁ ଉଠେଇ ପାରିଲେନି କାହିଁକି? କିଏ ସେହି ବୁଢା ବାନର? କ'ଣ ତାଙ୍କର ପରିଚୟ? ଦୁହେଁ ଦୁହିଁଙ୍କ ପରିଚୟ ପାଇଲା ପରେ ଭୀମଙ୍କୁ କ'ଣ ଉପଦେଶ ଦେଲେ ସେ? ଏଇ ସବୁ କଥାର ଉତ୍ତର ଜାଣିବାକୁ ପଢ଼ନ୍ତୁ ମହାଭାରତର ଆଜିର ଅଧ୍ୟାୟ ।

author-image
Ramakanta Samantaray
Mahabharat

Mahabharat

ଦ୍ରୌପଦୀଙ୍କ ଅନୁରୋଧରେ ଭୀମ ସୁଗନ୍ଧିତ ଶତଦଳ ପଦ୍ମ ସନ୍ଧାନରେ ହିମାଳୟର ଅଗମ୍ୟ ଅଞ୍ଚଳରେ ପଶିଗଲେ । ଯାଉ ଯାଉ ବାଟରେ ଦେଖିଲେ ରୋଗୀଣା ବୁଢ଼ା ବାନର ଗୋଟେ ତାଙ୍କ ରାସ୍ତାରେ ବସିଛି । ସାମାନ୍ୟ ଏକ ବାନର ତାଙ୍କ ପଥ ଅବରୋଧ କରିବ ଓ ତାଙ୍କୁ ଉପଦେଶ ଦେବ ତାହା ଭୀମସେନ ଗ୍ରହଣ କରିପାରିଲେନି ।

Advertisment

ବାନର ଜଣକ ଭୀମଙ୍କୁ ତାଙ୍କ ପରିଚୟ ପଚାରିବାରୁ ଭୀମ କହିଲେ, ସେ ବିଖ୍ୟାତ କୁରୁକୁଳରେ କୁନ୍ତୀଙ୍କ ଗର୍ଭରୁ ଜନ୍ମ ନେଇଛନ୍ତି । ନାମ ହେଲା ଭୀମସେନ । ପବନ ଦେବତାଙ୍କର ପୁଅ ସେ । ଭୀମଙ୍କ କଥା ଶୁଣି ବାନରଟି ହସିଲା। କହିଲା, ଠିକ ଅଛି । ହେଲେ ମୁଁ ରାସ୍ତାରୁ ଉଠିପାରିବିନି । ଆଗକୁ ଗଲେ ତୁମ ଉପରେ ବିପଦ ପଡ଼ିବ । ତୁମେ ଏଉଠୁ ଫେରିଯାଅ ।

ଭୀମ ବିରକ୍ତ ହୋଇ କହିଲେ, ସେ କଥା ମୁଁ ବୁଝିବି । ମୋ ପାଇଁ ତୁମେ ଚିନ୍ତା କରନି । ପ୍ରଥମେ ବାଟରୁ ଉଠ । ମୋତେ ଅଯଥାରେ ଉପଦେଶ ଦିଅନି ।

Advertisment

ମୁଁ ବୁଢ଼ା ହେଲିଣି । ଦେହ ବି ଖରାପ । ତୁମର ଆଗକୁ ଯିବାର ଅଛି ତ ମୋତେ ଡେଇଁକି ଯାଅ । ବାନରଟି କହିଲା ।

ଭୀମ କହିଲେ ତାହା କରିବାର ଥିଲେ ମୁଁ ଅନେକ ଆଗରୁ କରିପାରିଥା'ନ୍ତି । କିନ୍ତୁ କୌଣସି ଜୀବନ୍ତ ପ୍ରାଣୀକୁ ଡେଇଁ ଯିବା ଉଚିତ ନୁହେଁ ବୋଲି ମୁଁ ଜାଣିଛି । ନିର୍ଗୁଣ ପରମାତ୍ମା ସମସ୍ତ ଦେହରେ ବ୍ୟାପିଛନ୍ତି । ସେତିକି ଜାଣିଛି ବୋଲି ତୁମକୁ ରାସ୍ତା ଛାଡିବାକୁ ଅନୁରୋଧ କରୁଛି । ନହେଲେ ମୁଁ କେବଳ ତୁମକୁ କାହିଁକି ହନୁମାନ ସମୁଦ୍ର ଲଙ୍ଘିବା ପରି ପୂରା ପର୍ବତକୁ ଲଙ୍ଘନ କରି ଯାଇପାରିଥାନ୍ତି ।

ହନୁମାନଙ୍କ ନାଁ ଶୁଣି ବାନରଟି ପଚାରିଲା, ହେ ବୀର ତୁମେ ଯେଉଁ ସମୁଦ୍ର ଲଙ୍ଘିଥିବା ହନୁମାନଙ୍କ କଥା କହିଲ ସେ କିଏ? ତାଙ୍କ ବିଷୟରେ ଜାଣିଛ ଯଦି ମୋତେ ଟିକେ ବିଶଦ ଭାବରେ କୁହ ତ ।

ଭୀମ ଗୋଟେ ଅଟ୍ଟହାସ୍ୟ ମାରି କହିଲେ, ତୁମେ ବୀର ଶ୍ରେଷ୍ଠ ହନୁମାନଙ୍କୁ ଜାଣିନ? ହନୁମାନ ହେଲେ ମୋର ବଡ଼ ଭାଇ । ପବନ ପୁତ୍ର ହନୁମାନ ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମଙ୍କ ପତ୍ନୀ ସୀତା ମାଆଙ୍କ ସନ୍ଧାନରେ ଶହେ ଯୋଜନର ସମୁଦ୍ରକୁ ଲଙ୍ଘନ କରି ରାବଣର ଲଙ୍କା ପୁରକୁ ଯାଇଥିଲେ । ମୋ ବଡ଼ ଭାଇଙ୍କ ପରି ମୋର ବଳ, ଶୌର୍ଯ୍ୟ ଓ ପରାକ୍ରମକୁ ତୁମେ କଳନା କରିପାରିବନି। ତେଣୁ ଭଲରେ ଭଲରେ ରାସ୍ତା ଛାଡ଼। ନହେଲେ ପରାଭବ ଭୋଗିବାକୁ ପ୍ରସ୍ତୁତ ହୁଅ ।

ଭୀମଙ୍କ କଥା ଶୁଣି ବାନର କହିଲା, ଦେଖୁଛ ମୁଁ ବୁଢ଼ା ବାନର । ମୋ ସାଙ୍ଗରେ ଆଉ ବେଶି କଟାଳ କରନି । ମୋତେ ନ ଡେଇଁଲେ ନାହିଁ ମୋ ଲାଙ୍ଗୁଡକୁ ଟେକି ଆଡ଼େଇ ଦେଇ ନିଜ ରାସ୍ତାରେ ଚାଲିଯାଅ । ମୁଁ ଟିକେ ବିଶ୍ରାମ ନେବି । ଭୀମ ମନେ ମନେ ଭାବିଲେ କେବଳ ଲାଞ୍ଜ ହଟେଇବେ କାହିଁକି ବରଂ ଲାଞ୍ଜ ଧରି ପୂରା ବାନରକୁ ଦୂରକୁ ଫିଙ୍ଗିଦେବେ । ଭୀମ ବଡ଼ ଅବଜ୍ଞାରେ ବାମ ହାତରେ ବାନରର ଲାଞ୍ଜକୁ ଟେକିବାକୁ ଚେଷ୍ଟାକଲେ । କିନ୍ତୁ ଲାଞ୍ଜକୁ ସୁତାଏ ବି ଘୁଞ୍ଚେଇ ପାରିଲେନି । ତାପରେ ଦୁଇ ହାତ ଲଗେଇଲେ । ନିଜର ସମସ୍ତ ବଳ ଲଗାଇ ଦେହରୁ ଝାଳ ବୁହାଇ ବି ଦୁର୍ବଳ ବୁଢା ବାନରର ସାମାନ୍ୟ ଲାଞ୍ଜକୁ ଟିକିଏ ବି ଉଠେଇ ପାରିଲେନି ।

ଅଧିକ ପଢ଼ନ୍ତୁ: ଶତଦଳ ପଦ୍ମର ସନ୍ଧାନ ଓ ଭୀମଙ୍କ ଗର୍ବ ଭଙ୍ଗ କଥା

ଭୀମ ବୁଝିଗଲେ ଏତେବେଳ ଯାଏଁ ସେ ଯାହାକୁ ସାମାନ୍ୟ ବାନର ଭାବୁଛନ୍ତି ସେ ଆଉ କେହି ଜଣେ । ଭୀମ ଆଉ ଡେରି ନକରି ଲାଜରେ ମୁହଁ ତଳକୁ କରି ହାତ ଯୋଡ଼ି ସେ ବାନର ଆଗରେ ଛିଡା ହେଇ କହିଲେ, ହେ କପିବର ଆପଣଙ୍କୁ ଚିହ୍ନିବାରେ ମୋର ଭୁଲ ହୋଇଯାଇଛି। ମୋତେ ଦୟାକରି କ୍ଷମା କରନ୍ତୁ ଓ ନିଜର ପରିଚୟ ଦିଅନ୍ତୁ । କିଏ ଆପଣ? ମୁଁ ଜାଣିପାରୁଛି ଆପଣ ନିଶ୍ଚୟ କେହି ଜଣେ ସିଦ୍ଧ ପୁରୁଷ ଅବା କୌଣସି ଦେବତା, ଯକ୍ଷ କିମ୍ବା ଗନ୍ଧର୍ବ ।

ବାନର ଜଣକ ଭୀମଙ୍କୁ ଚାହିଁ କହିଲେ, ହେ ପବନ ପୁତ୍ର ମଧ୍ୟମ ପାଣ୍ଡବ ମୋର ପରିଚୟ ହେଲା, ମୁଁ ତୁମର ବଡ଼ ଭାଇ ହନୁମାନ । ତୁମେ ଏ ଅଗମ୍ୟ ରାସ୍ତାରେ ଆସୁଛ ବୋଲି ଜାଣିପାରି ତୁମକୁ ବାରଣ କରିବାକୁ ତୁମ ରାସ୍ତା ଚାହିଁ ବସିଥିଲି । ତୁମେ ଯେଉଁ ରାସ୍ତାରେ ଚାଲିଛ ସେଥିରେ ଆଉ କିଛି ବାଟ ଆଗକୁ ଗଲେ ପ୍ରେତଲୋକ ପଡିବ । ସେଇଠି ରାକ୍ଷସ ଓ ଯକ୍ଷମାନେ ବାସ କରନ୍ତି । ଅତି ଭୟଙ୍କର ବିପଦପୂର୍ଣ୍ଣ ସେ ରାସ୍ତା । ସେଠାରୁ ଫେରିବା ଆଉ ସମ୍ଭବ ନୁହେଁ । ଦିବ୍ୟ ପଥ ହୋଇଥିବାରୁ ମଣିଷମାନଙ୍କୁ ଏ ରାସ୍ତାରେ ଚାଲିବା ମନା । ତୁମେ ଯେଉଁ ଫୁଲ ସନ୍ଧାନରେ ଆସିଛ ତାହା ଏଠାରୁ ଅଳ୍ପ ଦୂରରେ ଥିବା ଏକ ସରୋବରରେ ଅଛି । ଯେତେ ଚାହଁ ସେତେ ସଂଗ୍ରହ କରି ନେଇପାର ।

Hanumanହନୁମାନ

ଭୀମ ଯେତେବେଳେ ଜାଣିଲେ ଏତେ ସମୟ ଧରି ସେ ଯାହାକୁ ଗୋଟେ ସାଧାରଣ ମାଙ୍କଡ଼ ଭାବୁଥିଲେ ସେ ପ୍ରକୃତରେ ତାଙ୍କର ବଡ଼ ଭାଇ ମହାବଳୀ ହନୁମାନ ତାଙ୍କର ଆନନ୍ଦର ସୀମା ରହିଲାନି। ଭୀମ ଜାଣିବାକୁ ଚାହିଁବାରୁ ହନୁମାନ ସଂକ୍ଷେପରେ ରାମାୟଣ କଥା ବର୍ଣ୍ଣନା କଲେ । ରାମାୟଣ ଶୁଣିସାରିଲା ପରେ ଭୀମ କହିଲେ, ଶ୍ରୀରାମଙ୍କ କଥା ତ ଶୁଣିଲି ଏବେ ମୋର ଇଚ୍ଛା ତୁମେ ସମୁଦ୍ର ଲଙ୍ଘନ ସମୟରେ ଯେଉଁ ବିରାଟ ରୂପ ଧାରଣ କରିଥିଲ ସେଇ ରୂପ ଥରେ ଦେଖିବି ।

ହନୁମାନ କହିଲେ, ଆଜି ଆମର ସେ ବିଶାଳ ରୂପ ଦେଖିବାକୁ ତୁମେ ଅବା ଅନ୍ୟ କେହି ମନୁଷ୍ୟ ସମର୍ଥ ହେବନି । ଯୁଗ ଅନୁସାରେ ସବୁ କିଛି ପରିବର୍ତ୍ତନ ହୁଏ । ଯୁଗ ଅନୁସାରେ ଭୂମି, ନଦୀ, ପର୍ବତ, ବୃକ୍ଷ, ବେଦ ଓ ଋଷି ସମୟର ଅନୁଗାମୀ ହୁଅନ୍ତି । ଦେହ, ବଳ ଓ ପ୍ରଭାବ ସମୟ ଅନୁସାରେ ଉଦ୍ଭବ ହୁଏ ଓ ସମୟ ଅନୁସାରେ ବିନିଷ୍ଟ ହୁଏ । ଭୀମ ଯୁଗ ଓ ଯୁଗ ଧର୍ମ ବିଷୟରେ ଜାଣିବାକୁ ଚାହିଁବାରୁ ହନୁମାନ କହିଲେ- ପ୍ରଥମ ଯୁଗ ହେଲା ସତ୍ୟ ଯୁଗ । ସତ୍ୟ ଯୁଗରେ ଦେବ, ଦାନବ, ଗନ୍ଧର୍ବ, ଯକ୍ଷ, ରାକ୍ଷସ ନଥିଲେ । କିଣା ବିକା ନଥିଲା । ଋକ୍, ସାମ୍, ଯଜୂଃ ବେଦ ନଥିଲା । ଧର୍ମ ନଷ୍ଟ ହୋଇନଥିଲା । ଯାହାର ଯାହା ଦରକାର ସେ ତାହା ପାଉଥିଲା । ଖାଦ୍ୟ ପାଇଁ ଚାଷ କାମ ହେଉନଥିଲା । ଶସ୍ୟ ଆପେ ଉତ୍ପନ୍ନ ହେଉଥିଲା । କ୍ରୋଧ, ଈର୍ଷା, ଗର୍ବ ଓ ରୋଗ ଶୋକ ନଥିଲା । ବ୍ରାହ୍ମଣ, କ୍ଷତ୍ରୀୟ, ବୈଶ୍ୟ, ଶୂଦ୍ର ଏହି ଚାରି ବର୍ଣ୍ଣର ସମାନ ଆଚାର ଓ ସମାନ କର୍ମ ଥିଲା । ସତ୍ୟ ଯୁଗରେ ଧର୍ମର ଚାରିପାଦ ଥିଲା । ନାରାୟଣ ଶୁକ୍ଳବର୍ଣ୍ଣ ଧାରଣ କରିଥିଲେ ।

ତାପରେ ଆସିଲା ତ୍ରେତା ଯୁଗ । ତ୍ରେତା ଯୁଗରେ ଯଜ୍ଞ ଅନୁଷ୍ଠାନ ଆରମ୍ଭ ହେଲା । ଧର୍ମର ତିନି ପାଦ ହେଲା । ନାରାୟଣ ଲୋହିତ ବର୍ଣ୍ଣ ଧାରଣ କଲେ । ମନୁଷ୍ୟ ସତ୍ୟ ଓ ଧର୍ମ ପଥରେ ଚାଲୁଥିଲେ। ଧର୍ମକୁ ମାନି କାମ କରୁଥିଲେ । ତାପରେ ଆସିଲା ଦ୍ୱାପର ଯୁଗ । ଦ୍ୱାପର ଯୁଗରେ ଧର୍ମର ଦୁଇ ପାଦ ରହିଲା । ନାରାୟଣ ହଳଦୀ ବର୍ଣ୍ଣ ଧାରଣ କଲେ । ବେଦ ଚାରି ଭାଗରେ ବିଭକ୍ତ ହେଲା । କେହି ଚାରିବେଦ ଜାଣିଲେ, କେହି ତିନି ପୁଣି କେହି ଗୋଟେ ବେଦ ଜାଣିଲେ । ଆଦୌ ବେଦ ଜାଣିନଥିବା ଲୋକେବି ରହିଲେ। ଧର୍ମ ଶାସ୍ତ୍ର ଅନେକ ଭାଗରେ ବିଭକ୍ତ ହେଲା ଓ ବହୁ ପ୍ରକାର କର୍ମକାଣ୍ଡ ଚାଲିଲା । ପ୍ରଜାମାନେ ରଜୋ ଗୁଣର ହେଲେ । ଫଳରେ ମନରେ ସେମାନଙ୍କର ଅନେକ କାମନା ବସା ବାନ୍ଧିଲା ଓ ସେମାନେ ମନୋକାମନା ପୂରଣ ପାଇଁ ତପସ୍ୟା କଲେ । ଦ୍ୱାପର ଯୁଗରେ ଧର୍ମର କ୍ଷୟ ଘଟୁଛି । ଦ୍ୱାପର ପରେ କଳି ଯୁଗ ଆସିବ। ଧର୍ମ ଏକ ପାଦିଆ ହେବ । ନାରାୟଣ କଳା ରଙ୍ଗର ହେବେ । ବେଦାଚାର, ଧର୍ମାଚାର ଓ ଯଜ୍ଞ ଅନୁଷ୍ଠାନ ଆଉ ହେବନି । ବହୁ ବୃଷ୍ଟି, ବିନା ବୃଷ୍ଟିର ପରିସ୍ଥିତି ସହ ରୋଗ, କ୍ରୋଧ ଓ ପାପାଚାର ବଢିବ । ଦୈବୀ ଦୁର୍ବିପାକ ଲାଗି ରହିବ ।

ଯୁଗର ପରିବର୍ତ୍ତନରେ ଧର୍ମର ପରିବର୍ତ୍ତନ ହେବ । ଧର୍ମର କ୍ଷୟ ହେଲେ ପ୍ରାଣୀମାନଙ୍କର କ୍ଷୟ ହେବ । ଯୁଗକ୍ଷୟ ପ୍ରଭାବରୁ କର୍ମର ଓଲଟା ଫଳ ଫଳିବ । ଆଉ ଅଳ୍ପ ଦିନ ପରେ କଳିର ପ୍ରବେଶ ହେବ। ଯେଉଁମାନେ ଅଧିକ ଦିନ ବଞ୍ଚିବେ ସେମାନେ କଳି ଯୁଗ ଦେଖିବେ ।

ଯୁଗ ବର୍ଣ୍ଣନା କରିସାରି ହନୁମାନ କହିଲେ, ଭୀମ ଏବେ ତୁମେ ଫେରିଯାଇପାର । ଭୀମ କିନ୍ତୁ କହିଲେ, ନା ଆପଣଙ୍କର ବିଶାଳ ରୂପ ବିନା ଦର୍ଶନରେ ମୁଁ ଏଠାରୁ ଟିକେ ବି ଘୁଞ୍ଚିବିନି ।

ଶେଷରେ ଭୀମଙ୍କ ଜିଦ୍ ନଭାଙ୍ଗି ହନୁମାନ ତାଙ୍କର ଶରୀରକୁ ବିଶାଳ କରିବାକୁ ଲାଗିଲେ । କଦଳୀ ବନରୁ ବାହାରି ତାଙ୍କ ଶରୀର ଧିରେ ଧିରେ ବିଶାଳ ପାହାଡର ଆକାର ଧାରଣ କଲା । ଭୀମଙ୍କୁ ଲାଗିଲା ଏ ବିଶାଳ ଶରୀର ସମଗ୍ର ଧରାଧାମକୁ ଗ୍ରାସ କରିଯିବ । ହନୁମାନଙ୍କ ଶରୀରରୁ ଦିବ୍ୟ ତେଜ ନିର୍ଗତ ହେଉଥାଏ। ସେ ତେଜକୁ ଆଉ ଅଧିକ ସମୟ ଭୀମ ଚାହିଁ ପାରିଲେନି । ଭୀମଙ୍କ ଆଶ୍ଚର୍ଯ୍ୟ ଦେଖି ହନୁମାନ କହିଲେ ଶତ୍ରୁଙ୍କ ଆଗରେ ଏହାଠାରୁ ବି ମୁଁ ଆହୁରି ବିଶାଳ ହୋଇପାରିବି ।

ଅଳ୍ପ ସମୟ ପରେ ହନୁମାନ ତାଙ୍କ ଶରୀରକୁ ପୂର୍ବ ଅବସ୍ଥାକୁ ଫେରାଇ ଆଣି ଭୀମଙ୍କୁ ଆଲିଙ୍ଗନ କଲେ । ହନୁମାନଙ୍କୁ ଆଲିଙ୍ଗନ କଲାବେଳେ ଭୀମ ତାଙ୍କ ଶରୀରରେ ଏକ ଅଜବ ଅଜଣା ପୁଲକ ଅନୁଭବ କଲେ । ଭୀମ କହିଲେ, ହେ ବୀର ଆପଣଙ୍କ ସହ ସାକ୍ଷାତ ପରେ ମୁଁ ନିଜକୁ ଭାଗ୍ୟବାନ ମନ କରୁଛି। ଲାଗୁଛି ଏଣିକି ଆମକୁ ଶତ୍ରୁମାନଙ୍କୁ ପରାସ୍ତ କରିବାରେ କିଛି ଅସୁବିଧା ହେବନି ।

ତାପରେ ହନୁମାନ ଅହୁରି ଅନେକ ବିଷୟରେ ଭୀମଙ୍କୁ ଉପଦେଶ ଦେଲେ । ଭୀମ ଖୋଜୁଥିବା ଶତଦଳ ପଦ୍ମ ଫୁଲ ଫୁଟିଥିବା କୁବେରଙ୍କ ସରୋବରର ସନ୍ଧାନ ଦେଲେ । କହିଲେ, ଫୁଲ ଧରି ତୁମେ ତୁମ ଭାଇମାନଙ୍କ ପାଖକୁ ଶୀଘ୍ର ଫେରିଯାଅ । ଦରକାର ପଡିଲେ ମୋତେ ସ୍ମରଣ କଲେ ମୁଁ ତୁମ ପାଖରେ ନିଶ୍ଚୟ ପହଞ୍ଚିବି। ଯୁଦ୍ଧ ସମୟରେ ମୁଁ ଅର୍ଜୁନଙ୍କ ରଥର ପତାକାରେ ରହିବି। ତୁମେ ଯୁଦ୍ଧ ଭୂମିରେ ଯେତବେଳେ ସିଂହନାଦ କରିବ ସେତେବେଳେ ତୁମ ସ୍ୱର ସହ ମୋ ସ୍ୱର ମିଳିତ ହେଇ ଶତ୍ରୁମାନଙ୍କର ହୃଦକମ୍ଫନ ସୃଷ୍ଟି କରିବ । ମୁଁ ଏଠାରେ ଏକାନ୍ତରେ ବସବାସ କରୁଛି ବୋଲି କାହାକୁ ବି କହିବନି ।

ତାପରେ ହନୁମାନ ତାଙ୍କ ସାନଭାଇ ଭୀମସେନଙ୍କୁ ଆଉ ଥରେ ପ୍ରେମପୂର୍ଣ୍ଣ ଆଲିଙ୍ଗନ କରି ସେଠାରୁ ଅର୍ନ୍ତହିତ ହେଲେ । ଭୀମ ସେଠାରୁ ଫୁଲ ସନ୍ଧାନରେ ହନୁମାନ କହିଥିବା ଦିଗରେ ଅଗ୍ରସର ହେଲେ ।

ଅଧିକ ପଢ଼ନ୍ତୁ: ଜ୍ଞାନ ପ୍ରାପ୍ତିର ସରଳ ରାସ୍ତା ଖୋଜୁଥିବା ଋଷିପୁତ୍ରର କାହାଣୀ 

Mahabharata Mahabharat Mahabharat Bheem
Advertisment
Advertisment