ଦକ୍ଷିଣ ଏସିଆର ଏକ ଜନପ୍ରିୟ ପାରମ୍ପରିକ ହିନ୍ଦୁପର୍ବ ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା। ଏହି ପର୍ବ ଭାଇ ଓ ଭଉଣୀଙ୍କ ସଂପର୍କକୁ ଦୃଢ କରିବା ସହ ସେମାନଙ୍କ ମଧ୍ୟରେ ଏକ ପବିତ୍ର ପ୍ରେମକୁ ବୁଣିଥାଏ। ଏହି ଦିନ ଭଉଣୀ, ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଓ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ। ଏହା ବଦଳରେ ଭାଇ, ତା'ର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ।
ଓଡ଼ିଶାରେ ରାକ୍ଷୀ ପୂର୍ଣ୍ଣିମାକୁ ଗହ୍ମା ପୂର୍ଣ୍ଣିମା ଭାବେ ପାଳନ କରାଯାଏ। ଏହି ପର୍ବ ମଧ୍ୟ ରଜ ସଂକ୍ରାନ୍ତୀ ଏବଂ ଅକ୍ଷୟ ତୃତୀୟା ପରି କୃଷି କାମ ସହିତ ଜଡିତ। ଗାଈଗୋରୁ ଚାଷର ଏକ ପ୍ରମୁଖ ଅଂଶ ହୋଇଥିବାରୁ ଏହି ଦିନ ଓଡ଼ିଆମାନେ ବିଶେଷ କରି ଗୋସେବକମାନେ(ଗୌଡିୟ ସଂପ୍ରଦାୟ) ଗୋରୁଙ୍କୁ ପୂଜା କରନ୍ତି।
ଅଧିକ ପଢ଼ନ୍ତୁ: ରାଶି ଅନୁସାରେ ଭାଇ ହାତରେ ବାନ୍ଧନ୍ତୁ ରାକ୍ଷୀ; ମିଳିବ ଶୁଭ ଫଳ
Also Read
ଶତାବ୍ଦୀ ଶତାବ୍ଦୀ ଧରି ବିଭିନ୍ନ ପ୍ରକାର କୃଷି କାର୍ଯ୍ୟରେ ଗୋରୁ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି। କୃଷି ହେଉଛି ଓଡ଼ିଆ ମୁଖ୍ୟ ଜୀବିକା, ଏହା ବ୍ୟତୀତ ଆମେ ଗାଈରୁ କ୍ଷୀର ପାଉ ଏବଂ କ୍ଷୀରକୁ ଆମେ ସିଧାସଳଖ ଆମର ଖାଦ୍ୟ ରୂପେ ବ୍ୟବହାର କରିବା ସହ ଏଥିରୁ ଅନେକ ପ୍ରକାର ପୁଷ୍ଟିକର ଉପଦ୍ରବ୍ୟ ଉତ୍ପାଦନ କରୁ। ଏ ସବୁକୁ ଦେଖିଲେ ଗୋରୁ ମାନବଜାତି ପାଇଁ ବରଦାନ ସଦୃଶ। ଏନେଇ ଏମାନଙ୍କୁ ପୂଜା କରିବା ପ୍ରତି ମାନବର କର୍ତ୍ତବ୍ୟ।
ଯେହେତୁ ଆମେ ଏହି ଦିନ ଗୋରୁ / ଗାଈଙ୍କୁ ପୂଜା କରୁ, ଏହାକୁ ଗହ୍ମା ପୂର୍ଣ୍ଣିମା କୁହାଯାଏ। ଗହ୍ମା ଅର୍ଥ ଗାଈ। ଏହିଦିନ ଗୋରୁମାନଙ୍କୁ ସୁନ୍ଦର ଭାବରେ ସଜାଯାଇ ପୂଜା କରାଯାଏ। ବର୍ଷସାରା ଆମେ ଗୋରୁମାନଙ୍କଠାରୁ ସେବା ପାଉ ଏବଂ ଏହି ଦିନ ଆମେ ସେମାନଙ୍କୁ ସିନ୍ଦୁର, ଚନ୍ଦନ ଏବଂ ଫୁଲ ଦେଇ ପୂଜା କରି ଆଦର ଏବଂ ସମ୍ମାନ କରୁ।
ଏହି ପର୍ବ ଶ୍ରାବଣ ମାସର ପୂର୍ଣ୍ଣମୀ ଦିନ ପାଳନ କରାଯାଇଥାଏ। ତେବେ ଅନ୍ୟ ରାଜ୍ୟମାନଙ୍କରେ ଏହି ଶ୍ରାବଣ ପୂର୍ଣ୍ଣିମାର ପର୍ବ ଭିନ୍ନ ରୀତିରେ ପାଳିତ ହେଇଆସୁଛି। ଗୁଜରାଟ, ମହାରାଷ୍ଟ୍ର, ଗୋଆ, କର୍ଣ୍ଣାଟକ ଆଦି ସ୍ଥାନରେ ଶ୍ରାବଣ ପୂର୍ଣ୍ଣିମା ନାରିକେଳ ପୂର୍ଣ୍ଣିମା ଭାବେ ପାଳିତ ହେଇଥାଏ।
ଏହି ଦିନ ସମୂଦ୍ର ଦେବତା ବରୁଣଙ୍କୁ ନାରିକେଳ ବା ନଡ଼ିଆ ପ୍ରଦାନ କରାଯାଏ। ଉପକୂଳବର୍ତ୍ତୀ ଅଞ୍ଚଳ, ବିଶେଷ କରି ଯେଉଁମାନେ ନିଜର ଗୁଜରାଣ ମେଣ୍ଟାଇବା ପାଇଁ ସମୁଦ୍ର ଉପରେ ନିର୍ଭର କରିଥାନ୍ତି ସେମାନଙ୍କ ପାଇଁ ଏହି ପର୍ବ ଯଥେଷ୍ଟ ମହତ୍ତ୍ୱ ରଖେ। ଗୁଜରାଟରେ ଏହି ଦିନକୁ ପବିତ୍ରୋପନ ଭାବେ ପାଳନ କରାଯାଏ।
ଅଧିକ ପଢ଼ନ୍ତୁ: ଚଳଚ୍ଚିତ୍ରରେ ଭାଇ-ଭଉଣୀଙ୍କ ନିଆରା କାହାଣୀ; କେଉଁଠି ହସ...କେଉଁଠି କାନ୍ଦ
ଶ୍ରାବଣର ପ୍ରତି ସୋମବାର ଶିବ ମନ୍ଦିରରେ ଜଳଲାଗି ସହ ପୂର୍ଣ୍ଣମୀରେ ଏହି ପର୍ବ ବହୁତ ଆଡ଼ମ୍ବର ସହିତ ପାଳିତ ହୋଇଥାଏ। ଉତ୍ତର ଭାରତରେ ଏହି ପର୍ବ କାଜରି ପୂର୍ଣ୍ଣିମା ଭାବେ ଜଣାଶୁଣା। ଭଲ ଫସଲ ଉତ୍ପାଦନ ପାଇଁ ଏହି ଦିନ ଦେବୀଙ୍କୁ ପୂଜା କରାଯାଇଥାଏ। ତେବେ ଏହା ସବୁ ସ୍ଥାନରେ ନୁହେଁ, ସ୍ଥାନୀୟ ଭାବେ ପାଳିତ ହୋଇଥାଏ। ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ ଓ ଛତିଶଗଡ଼ର କେତେକ ସ୍ଥାନରେ ଏହା ପାଳିତ ହେଇଥାଏ ।
ତେବେ ଦକ୍ଷିଣ ଭାରତରେ ଏହି ତିଥିକୁ ଅବନୀ ଅୱିଟ୍ଟମ୍ ଭାବେ ପାଳନ କରାଯାଇଥାଏ। ଏହାକୁ ଓଡ଼ିଶାର ବ୍ରାହ୍ମଣଶାସନରେ ଶ୍ରାବଣୀ ବେଦଉପାକର୍ମ ମଧ୍ୟ କୁହାଯାଏ। ବ୍ରାହ୍ମଣମାନେ ଏହିଦିନ ପବିତ୍ର ବୁଡ଼ ପକାଇ ଶ୍ଲୋକ ଉଚ୍ଚାରଣ ସହ ଯଜ୍ଞୋପବୀତ ଧାରଣ କରିଥାନ୍ତି । ବ୍ରାହ୍ମଣଙ୍କଦ୍ୱାରା କରାଯାଉଥିବା ଉତ୍ସବକୁ ବ୍ରହ୍ମୟଜ୍ଞ ମଧ୍ୟ କୁହାଯାଏ।