ଆମ ପ୍ରାକୃତିକ ପର୍ଯ୍ୟାବରଣକୁ ସୁସ୍ଥ ରଖିବା ଏବଂ ଏହାର ବିବିଧତାକୁ ବଜାୟ ରଖିବାରେ ବାଘମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ଯଦି ବାଘ ବଂଶ ଲୋପ ପାଇଯାଏ, ତେବେ ସମଗ୍ର ଇକୋସିଷ୍ଟମରେ ନକରାତ୍ମକ ପ୍ରଭାବ ପଡିପାରେ। ତେଣୁ ଏମାନଙ୍କ ଗୁରୁତ୍ୱକୁ ବୁଝିବା ଜରୁରୀ।
ଏହାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ୨୯ ଜୁଲାଇରେ ସମଗ୍ର ବିଶ୍ୱରେ ‘ଅନ୍ତର୍ଜାତୀୟ ବାଘ ଦିବସ’ ପାଳନ କରାଯାଏ। ବାଘ ସଂଖ୍ୟା ହ୍ରାସ ହେବାର କାରଣ ବିଷୟରେ ଜଣେଇବା ତଥା ଲୋକଙ୍କୁ ସଂରକ୍ଷଣ ବିଷୟରେ ସଚେତନ କରାଇବା ଉଦ୍ଦେଶ୍ୟରେ ଏହି ଦିନ ପାଳନ କରାଯାଏ।
Also Read
ଉଦ୍ଦେଶ୍ୟ:
ତେବେ ଏତେ ବଡ଼ ଆକାରରେ ବାଘ ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି କେବଳ ଲୋକଙ୍କୁ ବାଘର ସଂରକ୍ଷଣ ବିଷୟରେ ସଚେତନ କରାଇବା ନୁହେଁ, ବରଂ ସେମାନଙ୍କର ବାସସ୍ଥାନକୁ କିପରି ସୁରକ୍ଷା ଏବଂ ବିସ୍ତାର କରାଯିବ ସେ ସମ୍ବନ୍ଧରେ ମଧ୍ୟ ଲୋକଙ୍କୁ ଜଣାଇବା। ପରିବେଶର କ୍ଷତି, ଜଳବାୟୁ ପରିବର୍ତ୍ତନ ଏବଂ ବେଆଇନ ଶିକାର ଭଳି ଅନେକ କାରଣ ଅଛି, ଯେଉଁ କାରଣରୁ ଆଜି ବାଘ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି। ଏ ବିଷୟରେ ଲୋକମାନେ ଅବଗତ ହେବା ଜରୁରୀ ମଧ୍ୟ।
କେବେ ହେଲା ଆରମ୍ଭ:
‘ଅନ୍ତର୍ଜାତୀୟ ବାଘ ଦିବସ’ ପ୍ରଥମେ ୨୦୧୦ରେ ପାଳନ ହୋଇଥିଲା। ଜୁଲାଇ ୨୯ରେ ‘ବିଶ୍ୱ ବାଘ ଦିବସ’ ପାଳନ କରିବାର ନିଷ୍ପତ୍ତି ଋଷର ପିଟର୍ସବର୍ଗରେ ଏକ ଅନ୍ତର୍ଜାତୀୟ ସମ୍ମିଳନୀରେ ନିଆଯାଇଥିଲା। ଏହି ସମ୍ମିଳନୀରେ ବିଶ୍ୱର ପ୍ରାୟ ୧୩ଟି ଦେଶ ଅଂଶଗ୍ରହଣ କରିଥିଲେ। ବାଘ ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଉଥିବାବେଳେ ଏହି ସବୁ ଦେଶ ବାଘ ସଂଖ୍ୟାକୁ ଦ୍ୱିଗୁଣିତ କରିବାର ଲକ୍ଷ୍ୟ ରଖିଥିଲେ।
ଭାରତରେ ପ୍ରୋଜେକ୍ଟ ଟାଇଗର:
ବାଘମାନଙ୍କୁ ସୁରକ୍ଷା ଯୋଗାଇବା ଲକ୍ଷ୍ୟରେ ଭାରତ ସରକାର ୧୯୭୩ ମସିହାରେ ପ୍ରୋଜେକ୍ଟ ଟାଇଗର ଆରମ୍ଭ କରିଥିଲେ। ଏହି ପ୍ରକଳ୍ପ ଅଧୀନରେ ଅନେକ ବାଘ ସଂରକ୍ଷଣ ପ୍ରତିଷ୍ଠା କରାଯାଇଥିଲା। ଅନେକ ପ୍ରକାରର ନୀତି ପ୍ରସ୍ତୁତ କରାଯାଇଥିଲା, ଯାହା ଦ୍ୱାରା ବାଘ ଶିକାର ବନ୍ଦ ହୋଇପାରିବ ଏବଂ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇଁ କାର୍ଯ୍ୟ କରାଯାଇପାରିବ। ଯେଉଁ କାରଣରୁ ଭାରତରେ ସମୁଦାୟ ୫୪ଟି ବାଘ ସଂରକ୍ଷଣ କେନ୍ଦ୍ର ଅଛି ଏବଂ ଏଠାରେ ବାଘଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଉଛି।
ଭାରତରେ ବଢୁଛି ବାଘ ସଂଖ୍ୟା:
ଭାରତରେ ବାଘ ସଂଖ୍ୟାରେ ଉଲ୍ଲେଖନୀୟଭାବେ ବୃଦ୍ଧି ପାଉଛି। ୨୦୧୮ରେ ୨,୯୬୭ ବାଘ ଥିବାବେଳେ ଏହା ଚାରି ବର୍ଷ ମଧ୍ୟରେ ପ୍ରାୟ ୨୭% ର ବୃଦ୍ଧି ଓ ପାଇ ୨୦୨୩ ଗଣନା ବେଳକୁ ୩୬୮୨ରେ ପହଞ୍ଚିଥିଲା। ଏହି ଆକଳନ ଏକ ସକରାତ୍ମକ ଦିଗକୁ ଦର୍ଶାଉଛି।