ମଥୁରା ନିକଟସ୍ଥ ଏକ ପ୍ରସିଦ୍ଧ ପାହାଡ ହେଉଛି – ଗୋବର୍ଦ୍ଧନ। ଏହି ପର୍ବତକୁ ଅନେକ ଦେବତା ବୋଲି ମନେକରୁଥିବା ବେଳେ ବୈଷ୍ଣବ ଆର୍ଯ୍ୟଗଣ ଏହି ପର୍ବତକୁ କୃଷ୍ଣ ତୁଲ୍ୟ ମନେକରିଥାନ୍ତି। ଏହି ପର୍ବତକୁ କେହି ଆରୋହଣ କରନ୍ତି ନାହିଁ। ପୁରାଣକାରଙ୍କର ମତରେ ଶ୍ରୀକୃଷ୍ଣଙ୍କୁ ପରାସ୍ତ କରିବା ପାଇଁ ଦେବତାମାନଙ୍କର ରାଜା ଇନ୍ଦ୍ରଦେବ ସାତଦିନ ଧରି ଅବିରତ ଭୟଙ୍କର ବର୍ଷା କରିଥିଲେ। ସେତେବେଳେ ଗୋରୁଗାଈମାନଙ୍କୁ ନଡାଛପର ଚାଳିଆ କରି ରଖୁଥିଲେ। ଏହି ଭୀଷଣ ବର୍ଷାରେ ସେଗୁଡିକ ନଷ୍ଟ ହୋଇଗଲା। ଶେଷରେ ଶ୍ରୀକୃଷ୍ଣ ବାମ ହାତରେ କାଣି ଆଙ୍ଗୁଠିରେ ଗୋବର୍ଦ୍ଧନ ପର୍ବତକୁ ଟେକି ଧରି ଗୋପବାସୀ ଓ ଗୋସମ୍ପଦକୁ ପ୍ରବଳ ବୃଷ୍ଟିରୁ ରକ୍ଷା କରିଥିଲେ। ସେହିଦିନ ଠାରୁ ଇନ୍ଦ୍ରପୂଜା ବଦଳରେ ଏହି ଗୋବର୍ଦ୍ଧନ ପୂଜା ଆରମ୍ଭ ହେଲା।
କେତେକ ପୁରାଣରେ ଏହି ଗୋବର୍ଦ୍ଧନ ପର୍ବତରେ ଶ୍ରୀକୃଷ୍ଣ ବସନ୍ତ ଋତୁରେ ରାସଲୀଳା କରିଥିଲେ। ସେଥିପାଇଁ ଏହି ପର୍ବତକୁ ଯେ କେବଳ ପୂଜା କରାଯାଏ ତା’ ନୁହେଁ ତା’ର ଛୋଟ ଖଣ୍ଡ ଶିଳାକୁ ମଧ୍ୟ ପୂଜା ସ୍ଥାନରେ ରଖି ବୈଷ୍ଣବମାନେ ପୂଜା କରିଥାନ୍ତି। ସେହି ଦିବସକୁ ମନେରଖିବା ପାଇଁ କାର୍ତ୍ତିକ ଶୁଳ୍କପକ୍ଷ ପ୍ରତିପଦା ତିଥିରେ ଗିରିଗୋବର୍ଦ୍ଧନ ପୂଜା କରାଯାଏ। ଏପରିକି ଗୋପାଳ ଜାତିର ଲୋକମାନେ ବିଭି ସ୍ଥାନରେ ଥିବା ପାହାଡ ଉପରକୁ ଯାଇ ଗିରିପୂଜା କରିବା ସହିତ ଗୋବର୍ଦ୍ଧନ ପର୍ବତକୁ ଆବାହନ କରି ପଞ୍ଚ ଉପଚାରରେ ପୂଜା କରିଥାନ୍ତି। ବଡ଼ ଧରଣର ରୋଷେଇ କରି ଅନ୍ନ ଡାଲି ବ୍ୟଞ୍ଜନ ସହ ଖିରୀ ବହୁଳ ଭାବରେ କରାଯାଇ ପରିବେଷଣ କରାଯାଇଥାଏ, ଯାହାକୁ ଅନ୍ନକୂଟ ମହୋତ୍ସବ କୁହାଯାଇଥାଏ। କଥାରେ ଅଛି –
ଇନ୍ଦ୍ର ସପତ ଦିନ ବର୍ଷାକଳା।
ବଜ୍ରାଘାତେ ପାଷାଣ ବୃଷ୍ଟିକଲା॥
ଅଙ୍ଗୁଳି ଅଗ୍ରେ ଗିରିବର ତୋଳି।
ଗୋପ ସମ୍ପଦ ରଖିଲେ ମୁରାରୀ॥
ଏହି କାର୍ତ୍ତିକ ମାସରେ ଗୋବର୍ଦ୍ଧନ ଗିରିକୁ ଭକ୍ତମାନେ ପରିପ୍ରମା କରିଥାନ୍ତି। ତାହାକୁ ଗୋବର୍ଦ୍ଧନ ପରିକ୍ରମା ବୋଲି କୁହାଯାଇଥାଏ। ସେହି ପାହାଡର ପରିସୀମାର ବିଭିନ୍ନ ସ୍ଥାନରେ ଶ୍ରୀରାଧାକୃଷ୍ଣଙ୍କର ଅନେକ ଭବ୍ୟ ମନ୍ଦିର ସବୁ ରହିଛି। ଗିରିଗୋବର୍ଦ୍ଧନ ପୂଜାରେ ଶ୍ରୀରାଧାକୃଷ୍ଣଙ୍କର ଆଶୀର୍ବାଦ ମିଳିବା ସହ ଧନ ସମ୍ପଦ ଲାଭ ହୋଇଥାଏ ବୋଲି ଜନଶ୍ରୁତି ରହିଛି।
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)