Advertisment

Chaitra Purnima Festival in Odisha: ପ୍ରଭୁ ରାମଙ୍କୁ ଡଙ୍ଗାରେ ବସାଇ ସରଜୁ ନଦୀ ପାର କରିଥିବା ଲୋକଟିକୁ କ’ଣ ମିଳିଲା ଉପହାର

କିମ୍ବଦନ୍ତୀ ଅନୁସାରେ ଶ୍ରୀରାମଚନ୍ଦ୍ର ବନବାସକୁ ଗଲାବେଳେ ବାଟରେ ସରଜୁ ନଦୀ ପଡ଼ିଲା। ଦାସ ରାଜା ନାମରେ ଜଣେ କେଉଟ ଡଙ୍ଗାରେ ବସାଇ ରାମ ଲକ୍ଷ୍ମଣ ଓ ସୀତାଙ୍କୁ ନଦୀପାର କରାଇ ଦେଇଥିଲେ।

author-image
Sarojini Sankhua
ଅଦ୍ୟତନ ହୋଇଛି
History and mythology behind chaitra purnima parva in odisha

History and mythology behind chaitra purnima parva in odisha

ଚୈତ୍ର ମାସର ପୂର୍ଣ୍ଣିମାକୁ ଚଇତି ପରବ ଭାବେ ସାରା ଓଡ଼ିଶାର ଜନସାଧାରଣ ପାଳନ କରିଥାଆନ୍ତି। ଏହା ଓଡ଼ିଆ ଜନସାଧାରଣଙ୍କ ଏକ ଲୋକପ୍ରିୟ ପର୍ବ। ଦୋଳ ପୂର୍ଣ୍ଣିମା ଯେମିତି ଗୋପାଳ ମାନଙ୍କ ମୁଖ୍ୟ ପର୍ବ ସେହିପରି ଚୈତ୍ର ପୂର୍ଣ୍ଣିମା କୈବର୍ତ୍ତ ମାନଙ୍କ ମୁଖ୍ୟ ପର୍ବ। ଚୈତ୍ର ମାସ ସାରା ଏହି ପର୍ବ ପାଳନ କରାଯାଏ। ଚୈତ୍ର ପୂର୍ଣ୍ଣିମାଠାରୁ ବୈଶାଖ ଅଷ୍ଟମୀ ପର୍ଯ୍ୟନ୍ତ ସେମାନେ ଗାଁ ଗାଁ ବୁଲି ଘୋଡ଼ା ନାଚ କରନ୍ତି।

Advertisment

ଚଇତି ଘୋଡ଼ା

ଚଇତି ଘୋଡ଼ା ନାଚ ବହୁତ ପୁରୁଣା। ପୂର୍ବରୁ ଓଡ଼ିଶାର ଉପକୂଳ ଅଞ୍ଚଳ ନ‌ଦୀ ନାଳରେ ଭରାଥିଲା। ନଦୀପାର ହେବାର ଏକମାତ୍ର ମାଧ୍ୟମ ଥିଲା ଡଙ୍ଗା। ଏହି ଡଙ୍ଗାକୁ କେଉଟମାନେ ଚଳାଉଥିଲେ। ଏମାନଙ୍କୁ ନାଉରୀ କୁହାଯାଉଥିଲା। ସେମାନେ ଡଙ୍ଗାର ଦେବତା ରୂପେ ଅଶ୍ୱମୁଖୀ ବାଶେଳୀଙ୍କୁ ପୂଜା କରୁଥିଲେ। ଘୋଡା ନାଚରେ ଏହି ଅଶ୍ଵମୁଖୀ ବାଶେଳୀଙ୍କୁ ପୂଜା କରାଯାଏ।

କୈବର୍ତ୍ତଙ୍କ ଚଇତି ଘୋଡ଼ା ପୂଜା

ଚଇତ ପୂର୍ଣ୍ଣମୀ ଦିନ କୈବର୍ତ୍ତମାନେ ନିଜ ନିଜ ଗ୍ରାମରେ ଏକାଠି ହୋଇ ବାଉଁଶ ବୁଦାକୁ ପୂଜା କରନ୍ତି। ଗୋଟିଏ ନିଖୁଣ ବାଉଁଶକୁ କାଟି କରି ନିଅନ୍ତି। ପାର୍ବତୀଙ୍କୁ ସ୍ମରଣ କରି ବତା ଚିରନ୍ତି। ବାରଖଣ୍ଡ ବତା ହୁଏ। ସେଥିରେ ଘୋଡ଼ାର ପଞ୍ଜରା ତିଆରି ହୁଏ। କାଠରେ ତିଆରି ଘୋଡ଼ାମୁଣ୍ଡ ଏହି ପଞ୍ଜରା ଦେହରେ ଯୋଡ଼ାଯାଏ। ଘୋଡ଼ାକୁ ପାଟ ଶାଢ଼ିରେ ସଜ୍ଜାଇ ତା ବେକରେ ମନ୍ଦାର ଫୁଲହାର ଲମ୍ବାଇ ଦିଆଯାଏ। ବାଉଁଶ ବତାରେ ନିର୍ମିତ ଏହି ଘୋଡ଼ା ଖୋଳ ମଧ୍ୟରେ ଜଣେ ଅଣ୍ଟା ପର୍ଯ୍ୟନ୍ତ ପଶି ଘୋଡ଼ାକୁ ନଚାଇଥାଏ।

Advertisment

ଚଇତ ପୂର୍ଣ୍ଣିମା ଦିନ ପ୍ରତ୍ୟେକ କୈବର୍ତ୍ତଙ୍କ ଘରେ ସଜ ବସେ। ଯେଉଁମାନେ ଜାଲ ଦ୍ୱାରା ମାଛ ଧରନ୍ତି, ସେମାନେ ଜାଲକୁ ମଧ୍ୟ ଏହି ଦିନ ପୂଜା କରନ୍ତି। ଢୋଲ ଓ ଯୋଡି ମହୁରୀ ବାଜେ। ହୁଳହୁଳି ଧ୍ୱନିରେ ଘର ଉଛୁଳି ପଡ଼େ। ଜାଲୁଆ ଓ ନାଉରୀ କୈବର୍ତମାନେ ନଈକୂଳରେ ନିଜନିଜର ଡଙ୍ଗାଳୁ ଧୋଇ, ସେଥିରେ ଚିତା ପକାନ୍ତି। ନୂଆ ଲୁଗା ଥୋଇ ଭୋଗରାଗ ପୂଜା କରନ୍ତି। ଆରିଶା ପିଠା ପୂଜା ହୁଏ। ଡଙ୍ଗାକୁ ବନ୍ଦାପନା କରାଯାଏ। ଚଇତି ଘୋଡ଼ାକୁ ପୂଜା କରିବା ଦ୍ଵାରା ଧନ, ଜନ ଗୋପଲକ୍ଷ୍ମୀ ପ୍ରାପ୍ତ ହୋଇଥାଏ।

ଚଇତି ଘୋଡ଼ାର କିମ୍ବଦନ୍ତୀ

କିମ୍ବଦନ୍ତୀ ଅନୁସାରେ ଶ୍ରୀରାମଚନ୍ଦ୍ର ବନବାସକୁ ଗଲାବେଳେ ବାଟରେ ସରଜୁ ନଦୀ ପଡ଼ିଲା। ଦାସ ରାଜା ନାମରେ ଜଣେ କେଉଟ ଡଙ୍ଗାରେ ବସାଇ ରାମ ଲକ୍ଷ୍ମଣ ଓ ସୀତାଙ୍କୁ ନଦୀପାର କରାଇ ଦେଇଥିଲେ। ଏଥିରେ ଶ୍ରୀରାମଚନ୍ଦ୍ର ଖୁସି ହୋଇ ଦାସ ରାଜାଙ୍କୁ ଗୋଟିଏ ଘୋଡ଼ା ଉପହାର ଦେଇଥିଲେ। ସେହିଦିନରୁ ଏହି ଘଟଣାର ସ୍ମୃତିରୂପେ କେଉଟମାନେ ଏ ପର୍ବ ପାଳି ଆସୁଛନ୍ତି। ଏହିଦିନ ସେମାନେ ଗୋଟିଏ କୃତ୍ରିମ ଘୋଡ଼ାର ରୂପକରି ତା’ରି ଭିତରେ ଜଣେ ଲୋକକୁ ପୂରାଇ ନାଚଗୀତ କରାନ୍ତି।

ଆଉ ମଧ୍ୟ ଲୋକକଥାରେ ଅଛି, ଦାସରାଜା ପାଇଥିବା ଘୋଡ଼ାଟିକୁ ଧରି ବୋଇତରେ ସିଂହଳ ଯାତ୍ରା କରିଥିଲେ। ସେଠାରେ ଘୋଡ଼ା କେହି ଦେଖି ନଥିଲେ। ଏ ବିଚିତ୍ର ପଶୁକୁ ଦେଖି ସିଂହଳବାସୀ ଦାସରାଜାଙ୍କୁ ବହୁତ ଶ୍ରଦ୍ଧା କଲେ। ଦାସରାଜା ସିଂହଳରେ ରାଜତ୍ଵ କଲେ। ରାଜା- ଘୋଡ଼ାଟିକୁ ଲକ୍ଷ୍ମୀ ରୂପରେ ପୂଜା କରୁଥିଲେ। ଘୋଡ଼ା ରୂପକୁ ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ସେ ଧନସଂପଦ ଓ ସୌଭାଗ୍ୟପ୍ରାପ୍ତ ହୋଇଥିଲେ। ଦାସରାଜା ଅଶ୍ଵର ମୃତ୍ୟୁରେ ଭାଙ୍ଗି ଭାଙ୍ଗି ପଡ଼ିଲେ। ଏହି ସମୟରେ ଦୈବୀବାଣୀ ହେଲା, ଏହାକୁ ତୁ ସବୁ ଜନ୍ମରେ ପୂଜା କରିବୁ। ଏହା ହେଉଛି ଅଶ୍ୱିନୀ ବାଶେଳୀ। ଭଗବାନ କହିଛନ୍ତି, ଏହି ଦେବୀଙ୍କୁ ପୂଜିଲେ ମୁକ୍ତି ମିଳିଥାଏ।

ଏହି ବାଶେଳୀ ପୂଜା ସୁଦୂର ସିଂହଳ ଦ୍ୱୀପରେ ହେବାର ମଧ୍ୟ ପ୍ରମାଣ ଘୋଡ଼ାନାଚ ଗୀତରୁ ମିଳେ–

“କାଷ୍ଠରେ ନିର୍ମାଣ ଦେବୀ ସ୍ଥାପନ ହୋଇଲୁ

ସିଂହଳ ଦ୍ୱୀପେ ମାଗୋ ବାଶେଳୀ ବୋଲାଇଲୁ ।”

ଆଦିବାସୀଙ୍କ ଚଇତି ପରବ

ଆଦିବାସୀ ସଂପ୍ରଦାୟ ଚୈତ୍ର ପର୍ବକୁ ମହା ଯାକଯମକରେ ପାଳନ କରନ୍ତି। ଏ ସମୟରେ ବିଲରେ କାମ ନଥାଏ। ଜଙ୍ଗଲ ପୋଡ଼ାଯାଇ ଚାଷ ଜମି ପ୍ରସ୍ତୁତ ଆରମ୍ଭ ହୋଇଯାଇଥାଏ। ଏ ବେଳ ଅବସରର ବେଳ। ଆନନ୍ଦ, ଗୀତ, ନାଚ ଆଉ ଶିକାର କରିବାର ବେଳ। ସାରା ରାତି ସେମାନେ ନାଚନ୍ତି। ରାତି ପରେ ରାତି। ଦିସାରୀ ନକ୍ଷତ୍ର ମାନଙ୍କର ଗତିବିଧିକୁ ଲକ୍ଷ୍ୟ କରି ଯୋଗ ଠିକ କରେ। ପୂଜା କରିବାର ସମୟ ଠିକ କରିଦିଏ।

ଶିକାର ନପାଇଲେ ସ୍ତ୍ରୀଙ୍କଠାରୁ ତିରସ୍କାର ସହିବାକୁ ପଡେ

ଦିସାରୀ ଶିକାରକୁ ବାହାରିବାର ସମୟ କହିଦିଏ। ଠିକ୍ ସେଇ ବେଳକୁ ଧରି ପୁରୁଷମାନେ ବାହାରି ଯାଆନ୍ତି ଶିକାରକୁ। ସ୍ତ୍ରୀ ଲୋକମାନେ ସେମାନଙ୍କର ବାଟ ଚାହିଁ ବସି ରହନ୍ତି। ଶିକାର ଧରି ଫେରିଲେ ସେମାନେ ମହାଆନନ୍ଦରେ ପାଛୋଟି ନିଅନ୍ତି ପୁରୁଷମାନଙ୍କୁ, ସେମାନଙ୍କର ଧାଙ୍ଗଡ଼ା-ମାନଙ୍କୁ। ଶିକାର ନ ଧରି ଫେରିଲେ ପୁରୁଷମାନଙ୍କୁ ତିରସ୍କାର ସହିବାକୁ ପଡ଼େ। ତେଣୁ ସମୟ ସମୟରେ ପୁରୁଷମାନେ ଦିନ ଦିନ ଧରି ଜଙ୍ଗଲ ଭିତରେ କଟାଇଥାନ୍ତି। କେତେକ ପରଜା ଓ କନ୍ଧ ସଂପ୍ରଦାୟରେ ପୁରୁଷମାନେ ଶିକାର ନ ପାଇଲେ ସନ୍ଧ୍ୟାରେ ଫେରି ଆସି ପୁଣି ସକାଳେ ବାହାରି ପଡ଼ନ୍ତି।

ଅତୀତରେ ଏଇ ଶିକାର ଚୈତ୍ର ପର୍ବର ଏକ ଶ୍ରେଷ୍ଠ ଉତ୍ସବ ଥିଲା। ଜଙ୍ଗଲ ପୋଡି ନଷ୍ଟ ହୋଇଗଲା ପରେ ବନ୍ୟଜନ୍ତୁ ମାନଙ୍କର ସଂଖ୍ୟା ଖୁବ୍ କମି ଯାଇଛି। ତେଣୁ ଅନେକେ ଆଉ ଶିକାରକୁ ଯାଉ ନାହାନ୍ତି। କିନ୍ତୁ ନାଚଗୀତ ପୂର୍ବପରି ଲାଗି ରହିଛି।

ପ୍ରେମର ପର୍ବ ଚଇତି ପରବ

ପ୍ରେମହଁ ଏ ପର୍ବର ମୂଳ କଥା। ଧାଙ୍ଗଡ଼ା ଧାଙ୍ଗଡି ମାନେ ଏଇ ସମୟରେ ଖୁବ୍ ମୁକ୍ତ ହୋଇ ଯାଆନ୍ତି। ଗୀତ ନାଚରୁ ମିଳାମିଶା ସୃଷ୍ଟି ହୁଏ। ଏଇ ପର୍ବ ସମୟରେ ଅନେକଙ୍କର ବାହାଘର ମଧ୍ୟ ହୋଇଥାଏ। ତେବେ ବାହାଘର ହେଉ ବା ନ ହେଉ ଧାଙ୍ଗଡ଼ା ଧାଙ୍ଗିଡି ମାନଙ୍କର ମିଳାମିଶାରେ କୌଣସି ବାଧା ରହେ ନାହିଁ। ପରସ୍ପର ମଧ୍ୟରେ ଥଟ୍ଟା ଟାପରା ହେବା ସହ ଉଭୟ ଇଚ୍ଛା କଲେ ଜଙ୍ଗଲର ଗୋପନୀୟତା ଏବଂ ନର୍ଜନତା ଉତରକୁ ମଧ୍ଯ ଚାଲି ଯାଇ ପାରନ୍ତି। ତାଙ୍କୁ କେହି ବିରୋଧ କରନ୍ତି ନାହିଁ କି ପ୍ରତିବାଦ କରନ୍ତି ନାହିଁ।

ଏହି ସ୍ୱାଧୀନତା ବିଶେଷ ପରଲକ୍ଷିତ ହୁଏ ବଣ୍ଡାମାନଙ୍କ କ୍ଷେତ୍ରରେ। ବର୍ଷ ସାରା ପୁଅଝିଅମାନେ କଠୋର କଟକଣା ମଧ୍ୟରେ ରହନ୍ତି। ଗୋଟିଏ ଗୋଷ୍ଠୀ ବା ଗୋତ୍ରର ପୁଅଝିଅମାନେ ପରସ୍ପରକୁ ପରିହାସ କରିବାକୁ ମଧ୍ୟ ସାହସ କରନ୍ତି ନାହିଁ। ଏ ଦୃଷ୍ଟିରୁ ଏମାନଙ୍କର ସାମାଜିକ ଶୃଙ୍ଖଳା ବଡ଼ କଠୋର। ମାତ୍ର ଏଇ ଚୈତ୍ର ପର୍ବ ସମୟରେ ଏ ଧରଣର କଟକଣା ରହେ ନାହିଁ। ଏପରକି ଗୋଟିଏ ବଂଶର ଧାଙ୍ଗଡା ଧାଙ୍ଗିଡୀମାନେ ପରସ୍ବରର ସମ୍ମତିରେ ଜଙ୍ଗଲର ନିର୍ଜନତାକୁ ଯାଇ କଛି ସମୟ କଟାଇ ଆସି ପାରନ୍ତି।

ଓଡ଼ିଶାର ବିଭିନ୍ନ ଦେବୀ ପୀଠରେ ଚଇତି ପର୍ବ

ଓଡ଼ିଶାର ଦେବୀପୀଠ ମାନଙ୍କରେ ଚଇତି ପର୍ବ ପାଳନ କରାଯାଏ। ବାଣପୁରର ଭଗବତୀ, ପୁରୀର ବିମଳା, କାକଟପୁରର ମଙ୍ଗଳା, ଝଙ୍କଡ଼ର ଶାରଳା, ଯାଜପୁରର ବିରଜା, ବାଙ୍କିର ଚର୍ଚ୍ଚିକା, ସମ୍ବଲପୁରର ସମଲାଇ ତାଳଚେରର ହିଙ୍ଗୁଳା,ତାରାତାରିଣୀ ପୀଠ ଓ କେନ୍ଦୁଝରର ତାରିଣୀ ପୀଠରେ ଚୈତ୍ର ମାସରେ ଚଇତି ପର୍ବ ପାଳନ ହୁଏ।

ତାଳଚେରର ମା’ ହିଙ୍ଗୁଳାଙ୍କ ପର୍ବ ଚଇତି ପର୍ବ ରୂପେ ପାଳନ ହୁଏ । ହିଙ୍ଗୁଳା ଯାତ୍ରାର ପୂଜାକର୍ମ ଚୈତ୍ର ମାସ ପ୍ରଥମ ଗୁରୁବାରଠାରୁ ଆରମ୍ଭ ହୋଇ ଏହି ସମୟରେ ପରଂପରା ଅନୁଯାୟୀ ହିଙ୍ଗୁଳାଙ୍କ ସହିତ ବଡ଼ ମଣ୍ଡପରେ କୁଟେଇଶୁଣି ଓ କରଡ଼େଇଙ୍କର ଆଲମ ପୂଜା ହୁଏ।

Chaiti Parba Odisha
Advertisment
Advertisment