• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦିନ ବଢିବା ସହ କଟକ ମହାନଦୀ ପଠାରେ ଜମୁଛି ବାଲିଯାତ୍ରା । ମେଳାରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେଉଥିବା ବେଳେ ଜମୁଛି ବିକ୍ରିବଟାର ଆସର । ମେଳାରେ ବୁଲାବୁଲି ସହ ଘରକରଣା ସାମଗ୍ରୀ କିଣାକିଣି ଓ ସୁସ୍ୱାଦୁ ଖାଦ୍ୟର ମଜା ବି ନେଉଛନ୍ତି ଲୋକେ । ଏଥର ବାଲିଯାତ୍ରାରେ ଉଭୟ ଆମିଷ ଓ ନିରାମିଷ ଖାଦ୍ୟର ସମ୍ଭାର ଲାଗିଥିବା ବେଳେ, କିଛି ନୂଆ ପ୍ରକାରର ଆମିଷ ବ୍ୟଞ୍ଜନ ଷ୍ଟଲରେ ଲାଗୁଛି ଭିଡ଼ । ଆମିଷ ପ୍ରେମୀଙ୍କ ରୁଚିକୁ ନଜରରେ ରଖି ଶାଳପତ୍ର ଚିକେନ୍, ମଟନ, ଚିଙ୍ଗୁଡ଼ି ଓ ଚୁନାମାଛ ଭଳି ଆଇଟମ୍ ପ୍ରସ୍ତୁତ କରାଯାଉଛି । ସେହିଭଳି ବାମ୍ବୋ ଚିକେନ୍-ମଟନ ଓ ମୁଢିମାଂସର ବି ରହିଛି ହେଭି ଡିମାଣ୍ଡ ।

ବାଲିଯାତ୍ରାର ଅନ୍ୟତମ ଆକର୍ଷଣ ସାଜିଛି କେରଳରୁ ଆସିଥିବା ରଙ୍ଗବେରଙ୍ଗର ଗୁଡ଼ି । କଟକ ଇନ୍ କଟକ କରିଡରରେ ଗୁଡି ଉଡ଼ାଇବାକୁ ପ୍ରଶାସନ ବ୍ୟବସ୍ଥା କରିଥିବା ବେଳେ, କେରଳର କାଇଟ ଲାଇଫ୍ ଫାଉଣ୍ଡେସନ୍ ଏହାର ଆୟୋଜନ କରିଛି । ଅନୁଷ୍ଠାନ ପକ୍ଷରୁ ୨୫ ପ୍ରକାର ଗୁଡି ଅଣାଯାଇଥିବା ବେଳେ, ଗୁଡି ଗୁଡିକର ଲମ୍ବ ୧୦ରୁ ୨୫ ଫୁଟ ମଧ୍ୟରେ ରହିଛି । ଡାଫେଟା ନାଇଲନ୍ କପଡ଼ାରେ ପ୍ରସ୍ତୁତ ଏହି ଗୁଡି ମାନଙ୍କରେ ଭାରତର ଐତିହ୍ୟ ପରମ୍ପରା ଓ ସଂସ୍କୃତିର ପ୍ରତିଛବି ରହିଛି । ପିଲାଠୁ ବୁଢା ସମସ୍ତେ ଏଥିରେ ସାମିଲ ହୋଇ ଗୁଡ଼ି ଉଡାର ମଜା ନେଉଛନ୍ତି ।

ଚଳିତ ବର୍ଷ ବାଲିଯାତ୍ରାରେ ପ୍ରାୟ ଦେଢ ହଜାର ଷ୍ଟଲ୍ ଲାଗିଛି । କିଣାକିଣି ସହ ମନୋରଂଜନର ମଜା ନେବାକୁ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରୁଛି ଜିଲ୍ଲା ପ୍ରଶାସନ ।

ଅନ୍ୟପଟେ ବାଲିଯାତ୍ରାରେ ନିଜ ଅସ୍ତିତ୍ୱ ଜାହିର କରିଛି ଓଡ଼ିଶା ର ପାରମ୍ପାରିକ ପିଠାପଣା । ଯାହାକୁ ପ୍ରସ୍ତୁତ କରୁଛନ୍ତି ମା ମହାଲକ୍ଷ୍ମୀ ମହିଳା ମିଶନ ଶକ୍ତିର ମହିଳା ମାନେ । ବିଡ଼ାନାସୀରେ ଥିବା ମା ମହାଲକ୍ଷ୍ମୀ ମହିଳା ମିଶନ ଶକ୍ତିର ପ୍ରାୟ ୮୦ ଜଣ ମହିଳା ଓଡ଼ିଆଣୀ ଘରର ସେହି ପାରମ୍ପରିକ ପିଠା କାକରାଠାରୁ ଆରମ୍ଭ କରି ଆରିସା, ମଣ୍ଡା, ଚକୁଳି, ଅମୃତ କୁଣ୍ଡ, ତରଣ, କ୍ଷୀରା, ଖେଚୁଡ଼ି ଓ ଡାଲମା ଆହୁରି କେତେ କଣ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି । ପ୍ରାୟ ୬୫ରୁ ଉର୍ଦ୍ଧ୍ୱ ପ୍ରକାରର ଏସବୁ ପିଠାର ମେଳାରେ ବେଶ୍ ଭଲ ଚାହିଦା ରହିଛି । ଏହି ସବୁ ପିଠା ଗୁଡ଼ିକ ଚାଉଳ, ନଡ଼ିଆ ଓ ଛେନାରେ ପ୍ରସ୍ତୁତ ହେଉଛି । ଯାହା ଖାଇବାକୁ ବେଶ ସୁଆଦିଆ ।