• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦେଶର ୧୪ ହଜାର ୫ଶହ ସ୍କୁଲର  ଆଧୁନିକୀକରଣ କରାଯିବ । ଗୁରୁ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ସ୍କୁଲ୍ସ ଫର୍ ରାଇଜିଂ ଇଣ୍ଡିଆ ବା ପିଏମ୍-ଶ୍ରୀ ଯୋଜନା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ନୂଆ ପ୍ରୟାସରେ ଦେଶବ୍ୟାପୀ ୧୪ହଜାର ୫ଶହ ସ୍କୁଲର ଉନ୍ନତିକରଣ ଓ ଆଧୁନିକୀକରଣ କରାଯିବ ବୋଲି ଟ୍ୱିଟ୍ କରିଛନ୍ତି ମୋଦି । ଏଥିସହ ଲେଖିଛନ୍ତି ଯେ, ଜାତୀୟ ଶିକ୍ଷା ନୀତିକୁ ସମ୍ପୂର୍ଣ୍ଣ ଇଚ୍ଛାଶକ୍ତି ସହ ପ୍ରଣୟନ କରିବାରେ ଏଗୁଡ଼ିକ ମଡେଲ୍ ସ୍କୁଲ ହେବ । ସେଠାରେ ଆଧୁନିକ, ପରବର୍ତ୍ତନକାରୀ ତଥା ସାମଗ୍ରିକ ଶିକ୍ଷାଦାନ ବ୍ୟବସ୍ଥା ରହିବ । ନୂଆ କିଛି ଆବିଷ୍କାର ବା ଉଦ୍ଭାବନ ଦିଗରେ ଅଧିକ ଗୁରୁତ୍ୱ ଦିଆଯିବ ।

ନୂଆ ଟେକ୍ନୋଲଜି, ସ୍ମାର୍ଟ କ୍ଲାସରୁମ୍, କ୍ରୀଡ଼ା ଓ ଅନ୍ୟାନ୍ୟ ଆଧୁନିକ ଭିତ୍ତିଭୂମି ଉପରେ ଧ୍ୟାନ ଦିଆଯିବ । ଜାତୀୟ ଶିକ୍ଷାନୀତି ବିଗତ ବର୍ଷମାନଙ୍କରେ ଶିକ୍ଷା କ୍ଷେତ୍ରରେ ଅଭୂତପୂର୍ବ ପରିବର୍ତ୍ତନ ଆଣିଛି । ଏଥିସହ ମୋଦି ପ୍ରକାଶ କରିଛନ୍ତି- ମୁଁ ନିଶ୍ଚିତ ଯେ, ପିଏମ୍-ଶ୍ରୀ ଯୋଜନା ମଧ୍ୟ ଭାରତର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଲାଭ ଦେବ । ଦୁଇ ଦିନ ପୂର୍ବରୁ ଗୁରୁଦିବସ ଅବସରରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ବୋଧନ କରିବା ବେଳେ ମଧ୍ୟ ଜାତୀୟ ଶିକ୍ଷାନୀତି-୨୦୨୦ ଉପରେ ଜୋର୍ ଦେଇଥିଲେ ପ୍ରଧାନମନ୍ତ୍ରୀ ।

ପିଏମ୍-ଶ୍ରୀ ଯୋଜନାରେ କୌଣସି ନୂଆସ୍କୁଲ ସ୍ଥାପନ ହେବ ନାହିଁ ବରଂ ପ୍ରଚଳିତ ସ୍କୁଲକୁ ଚିହ୍ନଟ କରି ତାହାର ଆଧୁନିକୀକରଣ ହେବ । ଏହାର ପରିଚାଳନା କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ଗାଇଡଲାଇନ ଅନୁସାରେ ହେବ । ଆବଶ୍ୟକତା ଅନୁସାରେ ସରକାରୀ ସ୍କୁଲର ପରିସର ଓ ନିର୍ମାଣକୁ ଅଧିକ ମଜବୁତ, ସୁନ୍ଦର ଓ ଆକର୍ଷଣୀୟ କରାଯିବ । ଏଥିପାଇଁ ଆବଶ୍ୟକ ଅର୍ଥ କେନ୍ଦ୍ର ସରକାର ବହନ କରିବେ । ରାଜ୍ୟ ସରକାର ଏହି ଯୋଜନାର ପ୍ରଣୟନ କରିବା ସହିତ କାର୍ଯ୍ୟକାରିତା ଉପରେ ନଜର ରଖିବେ ।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ପିଏମ୍-ଶ୍ରୀ ଯୋଜନାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍ । ସେ ଟ୍ୱିଟ୍ କରିଛନ୍ତି ଯେ, କେନ୍ଦ୍ର ସରକାର ସ୍କୁଲର ‌ଆଧୁନିକୀକରଣ ପର୍ଯ୍ୟାୟକ୍ରମେ କରିବା ପରିବର୍ତ୍ତେ, ସମସ୍ତ ରାଜ୍ୟକୁ ସାଥିରେ ନେଇ ୫ ବର୍ଷ ଭିତରେ ଦେଶର ସବୁଯାକ ସରକାରୀ ସ୍କୁଲର ଆଧୁନିକୀକରଣ କରିବା ଉଚିତ ।