• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବନ ବିଭାଗର କେବଳ ଲୋକ ଦେଖାଣିଆ ଚଢ଼ାଉ । କୋକୋ ଘରେ ବି କରିଥିଲେ ଚଢ଼ାଉ । ହେଲେ କୋକୋ ମାଲିକଙ୍କ ବିରୋଧରେ ହୋଇନାହିଁ କାର୍ଯ୍ୟାନୁଷ୍ଠାନ । କେମିତି ସୁଧୁରିବେ ଲୋକେ ? କେମିତି ସୁରକ୍ଷିତ ହେବେ ଜଙ୍ଗଲି ପଶୁ ପକ୍ଷୀ ? ଏଭଳି ପ୍ରଶ୍ନ ଯେକୌଣସି ଲୋକଙ୍କ ମନରେ ଆସିବା ସ୍ୱାଭାବିକ୍‌ । ତେବେ ଏମିତି ଆଉ ଏକ ଘଟଣା ଏବେ ସମସ୍ତଙ୍କ ନଜରକୁ ଆସିଛି । ସୋସିଆଲ ମିଡିଆରେ ୟୁଟ୍ୟୁବ୍‌ରେ ମଧ୍ୟ ଏକ ଭିଡିଓ ଢ଼େର ଭାଇରାଲ ହେଉଛି ।

ତେବେ ସାଧାରଣ ଭାବେ ଦେଖିବାକୁ ଗଳେ ଘରେ ଘରେ ଲୋକ ଶୁଆ ପୋଷିଛନ୍ତି । ଆଉ ବନ ବିଭାଗଠାରୁ ଆରମ୍ଭ କରି ସମସ୍ତେ ଏହି କଥା ଜାଣିଛନ୍ତି । ହେଲେ କାର୍ଯ୍ୟାନୁଷ୍ଠାନ ଶୂନ୍‌ । ଶୂଆ ଏକ ବନ୍ୟ ପ୍ରାଣୀ । ତେଣୁ ତାକୁ ଘରେ ପଞ୍ଜୁରୀ ଭିତରେ ରଖିବା ଏକ ପ୍ରକାର ଅପରାଧ । ଏହା ଜାଣି ମଧ୍ୟ ସମସ୍ତେ ଘରେ ଶୂଆ ରଖିବାକୁ ଇଚ୍ଛୁକ । ଆଉ ବନ ବିଭାଗ ମଧ୍ୟ ଏଥିପ୍ରତି ବିଶେଷ ଗୁରୁତ୍ୱ ଦେଉ ନାହିଁ । ଖାସ ଏହି କାରଣରୁ ରାଜ୍ୟରେ ବେଆଇନ ବନ୍ୟ ପ୍ରାଣୀ ଶିକାର ବଢ଼ିବାରେ ଲାଗିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଯଦିଓ ବନ ବିଭାଗ ବେଳେ ବେଳେ ଶୁଆ ବିକ୍ରେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉଛି, କିନ୍ତୁ ତାହା ପର୍ଯ୍ୟାପ୍ତ ହେଉ ନାହିଁ ।

ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲାର ଏକ ଭିଡ଼ିଓ ଏବେ ସୋସିଆଲ ମେଡିଆରେ ଭାଇରାଲ ହେବାରେ ଲାଗିଛି । ୟୁଟ୍ୟୁବରେ ଅପଲୋଡ୍‌ ହୋଇଥିବା ଏକ ଭିଡିଓରେ, ଜଣେ ଯୁବକ ଜଙ୍ଗଲରେ ଏକ ଗଛ ଉପରେ ଚଢ଼ି, କୋରଡ଼ ଭିତରୁ ଶୁଆ ଶାବକଙ୍କୁ ଗାମୁଛାରେ ବାନ୍ଧି ତଳକୁ ଓହ୍ଲାଉଛି ।ଏହାପରେ ଯୁବକ ଜଣକ ଗର୍ବର ସହିତ ୩ଟି ଆଲେକଜାଣ୍ଡ୍ରିନ୍ ପାରାକିଟ୍‌ ବା ନାହାକ ଶୁଆ ଛୁଆଙ୍କୁ ତଳେ ଛାଡ଼ୁଛି, ସେମାନଙ୍କର ଡେଣାରେ ସମ୍ପୁର୍ଣ୍ଣ ପର ଲାଗି ନଥିବାରୁ ଉଡି ନପାରି ତଳେ ଚାଲୁଛନ୍ତି । ସେଇ ଶୁଆ ଶିକାର ଭିଡିଓକୁ ଏବେ ସୁଦ୍ଧା ୫ ଲକ୍ଷ ୪୨ ହଜାର ଲୋକ ଦେଖି ସାରିଲେଣି । ହେଲେ ବନ ବିଭାଗ କିମ୍ବା ୱାଇଲ୍ଡ ଲାଇଫ୍‌ କ୍ରାଇମ୍ କଣ୍ଟ୍ରୋଲ ବ୍ୟୁରୋ ଆଖିରେ ତାହା ଏବେ ସୁଦ୍ଧା ପଡ଼ିନାହିଁ । ଏନେଇ ଆଶ୍ଚର୍ଯ୍ୟ ଲାଗିବା ସ୍ୱାଭାବିକ୍ ।

 

ଏହି ଭିଡ଼ିଓକୁ ଡାଉନଲୋଡ୍ କରି ଇମେଲ ଯୋଗେ ରାଜ୍ୟର ମୁଖ୍ୟ ବନ୍ୟ ପ୍ରାଣୀ ତତ୍ୱାବଧାରକଙ୍କୁ ପଠାଇ ବିଧିବଦ୍ଧ ଅଭିଯୋଗ କରିଛନ୍ତି ଖୋର୍ଦ୍ଧ ଜିଲ୍ଲାର ଅବୈତନିକ ବନ୍ୟ ପ୍ରାଣୀ ତତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ । ପ୍ରମାଣ ସ୍ୱରୂପ ୨ଟି ଭିଡିଓର ୟୁଆରଏଲ ଥାଇ ସ୍କ୍ରିନସଟ୍ ମଧ୍ୟ ଶୁଭେନ୍ଦୁ ଦେଇଛନ୍ତି । ଏହି ଅଭିଯୋଗର ଏକ ନକଲ ୱାଇଲଡ ଲାଇଫ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋର ଅତିରିକ୍ତ ନିର୍ଦ୍ଦେଶକ ତିଲୋତ୍ତମା ବର୍ମାଙ୍କୁ ମଧ୍ୟ ପଠାଯାଇଛି ।

ଏଭଳି ଭାବେ ଜଙ୍ଗଲରୁ ଶୁଆ ଶାବକଙ୍କୁ ପର ଉଠି ନଥିବା ଅବସ୍ଥାରେ ସଂଗ୍ରହ କରି ରାଜ୍ୟର ବିଭିନ୍ନ ସହରରେ ବିକ୍ରି କରାଯାଉଛି । ଏହା ଉପରେ ରୋକ ଲାଗିବା ନିତ୍ୟାନ୍ତ ଜରୁରୀ । ତେଣୁ ଏଭଳି ଶିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଶୁଭେନ୍ଦୁ ମଲ୍ଲିକ ଅନୁରୋଧ କରିଛନ୍ତି ।