• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ମାସାଧିକ କାଳର ଛକାପଞ୍ଝା ପରେ ଧରାପଡ଼ିଲା ଖଲିସ୍ତାନ ସମର୍ଥକ ତଥା ପଳାତକ ଘୋଷିତ ଅମ୍ରିତପାଲ ସିଂ । ଆଜି ସକାଳୁ ପଞ୍ଜାବର ମୋଗା ଜିଲ୍ଲାର ଏକ ଗୁରୁଦ୍ବାରରେ ତାକୁ ଧରିବାରେ ସଫଳ ହୋଇଛି ପଞ୍ଜାବ ପୋଲିସ । NSA ଅଧୀନରେ ତାକୁ ଗିରଫ କରି ସିଧା ପଠାଇ ଦିଆଯାଇଛି ଆସାମର ଦିବ୍ରୁଗଡ଼ ଜେଲକୁ ।

ସରିଲା ୩୬ ଦିନର ଛକାପଞ୍ଝା । ଖଲିସ୍ତାନ ସମର୍ଥକର ଲୁଚକାଳି ଖତମ୍ । ଧରାପଡ଼ିଲା ଅମ୍ରିତପାଲ୍ ଓରଫ୍ ଭିଣ୍ଡ୍ରନୱାଲେ 2.0 । ୱାରିସ ପଞ୍ଜାବ ଦେ ସଂଗଠନର ମୁଖ୍ୟ ତଥା ଖଲିସ୍ତାନ ସମର୍ଥକ ଅମ୍ରିତପାଲ ସିଂ ମାର୍ଚ୍ଚ୧୮ରେ ଫେରାର୍ ହୋଇଯିବା ପରେ ତାକୁ ପଳାତକ ଘୋଷଣା କରିଥିଲା ପଞ୍ଜାବ ପୋଲିସ । ଦୀର୍ଘ ୩୬ ଦିନ ଧରି ଚାଲିଥିଲା ଛକାପଞ୍ଝା । ବାରମ୍ବାର ବେଶ ଓ ସ୍ଥାନ ବଦଳାଇ ପୋଲିସକୁ ଚକମା ଦେଉଥିଲା ୩୦ ବର୍ଷୀୟ ପଳାତକ ।

ହେଲେ ଆଜି ସକାଳ ୬ଟା ୪୫ରେ ପଞ୍ଜାବର ମୋଗା ଜିଲ୍ଲାରେ ଥିବା ରୋଡ଼େ ଗାଁର ଗୁରୁଦ୍ୱାରରେ ଧରାପଡ଼ିଛି ଅମ୍ରିତପାଲ । ରୋଡ଼େ ହେଉଛି ଅମ୍ରିତପାଲର ଆଦର୍ଶ ତଥା ଅପରେସନ ବ୍ଲୁ ଷ୍ଟାରରେ ନିହତ ଖଲିସ୍ତାନୀ ଆତଙ୍କୀ ଜର୍ଣ୍ଣେଲ ସିଂ ଭିଣ୍ଡ୍ରନୱାଲେର ଜନ୍ମସ୍ଥଳୀ । ସେଠାରେ ଆଜି ଧରାପଡ଼ିବା ଆଗରୁ ଅମ୍ରିତପାଲ ଗୁରୁଦ୍ୱାରରେ ପ୍ରବଚନ ଦେଉଥିବା ଭିଡିଓ ସାମ୍ନାକୁ ଆସିଛି ।

ଗୁରୁଦ୍ୱାରର ଗ୍ରନ୍ଥୀଙ୍କ ସହାୟତାରେ ସେ ନିଜେ ଆତ୍ମସମର୍ପଣ କରିଥିବା ଅମ୍ରିତପାଲର ସମର୍ଥକ ଓ ପରିବାର ଲୋକେ ଦାବି କରୁଥିବା ବେଳେ, ପୋଲିସ କହିଛି ଯେ ଠୋସ୍ ଗୁଇନ୍ଦା ସୂଚନା ଆଧାରରେ ତାକୁ ଧରିବା ପାଇଁ ଗୁରୁଦ୍ୱାରକୁ ଫୋର୍ସ ଘେରାଉ କରିଥିଲା । ତା ପାଖରେ ଖସିଯିବାର କୌଣସି ବାଟ ନଥିଲା । ଅମ୍ରିତପାଲକୁ ଗିରଫ କରି ଭଟିଣ୍ଡା ଏୟାରପୋର୍ଟରୁ ସ୍ୱତନ୍ତ୍ର ବିମାନ ଯୋଗେ ଆସାମର ଦିବ୍ରୁଗଡ଼ ଜେଲକୁ ପଠାଇଦିଆଯାଇଛି । ଏଣେ ମୋହାଲି ଓ ଭଟିଣ୍ଡା ସମେତ ପଞ୍ଜାବର ବିଭିନ୍ନ ସ୍ଥାନରେ ଆଇନଶୃଙ୍ଖଳା ବିଗିଡ଼ିବା ଆଶଙ୍କାରେ ଫ୍ଲାଗମାର୍ଚ୍ଚ କରିଛି ପୋଲିସ ।

ଆସାମର ଦିବ୍ରୁଗଡ଼ ସେଣ୍ଟ୍ରାଲ୍ ଜେଲ୍। ଆଜିଠାରୁ ଏହି ଜେଲର ଆଇସୋଲେସନ ସେଲ୍ ପାଲଟିଛି ଅମ୍ରିତପାଲ ସିଂର ନୂଆ ଠିକଣା । ଜେଲ୍ ଭିତରେ ୨୪ ଘଣ୍ଟିଆ କଡ଼ା ପହରା, ୫୭ଟି ସିସିଟିଭି କ୍ୟାମେରା, ଜେଲ୍ ବାହାରେ ସିଏପିଏଫ୍ ଓ ଆସାମ ପୋଲିସ କମାଣ୍ଡୋଙ୍କ ପଇଁତରା । ସେଠାରେ ତାର ଅନ୍ୟ ୯ ଜଣ ସହଯୋଗୀଙ୍କୁ ବି ରଖାଯାଇଛି ।

ପଞ୍ଜାବ କିମ୍ବା ଦିଲ୍ଲୀର ବିଭିନ୍ନ ଜେଲରେ ବହୁ ଗ୍ୟାଙ୍ଗଷ୍ଟର ସଜା କାଟୁଥିବାରୁ, ସେଠାରେ ଅମ୍ରିତପାଲକୁ ରଖିବା ସୁରକ୍ଷିତ ନଥିଲା । ତାକୁ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ର' ଓ ଆଇବି ଅଧିକାରୀ ଜେରା କରିବେ ବୋଲି ସୂଚନା ମିଳିଛି । ତେଣେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ କହିଛନ୍ତି, ଯେଉଁମାନେ ଦେଶର ଶାନ୍ତିଭଙ୍ଗ ପାଇଁ ଚେଷ୍ଟା କରୁଛନ୍ତି, ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।

ୱାରିସ ପଞ୍ଜାବ ଦେ ପ୍ରତିଷ୍ଠାତା ତଥା ଅଭିନେତା ଦୀପ ସିଦ୍ଧୁଙ୍କ ଦେହାନ୍ତ ପରେ, ଦୁବାଇରେ ଟ୍ରକ୍ ଚଳାଉଥିବା ଅମ୍ରିତପାଲ ସିଂ ଭାରତ ଫେରି ନିଜକୁ ସେହି ସଂଗଠନର ମୁଖ୍ୟ ବୋଲି ଘୋଷଣା କରିଥିଲା । ଭିଣ୍ଡ୍ରନୱାଲେ ଭଳି ବେଶପୋଷାକ ପିନ୍ଧି ନିଜକୁ ଭିଣ୍ଡ୍ରନୱାଲେ 2.0 ବୋଲି ପ୍ରଚାର କରୁଥିଲା । ତେବେ ଗତ ଫେବୃଆରୀରେ ଅମୃତସର ଅଜନାଲା ଥାନା ଭିତରକୁ ଖଣ୍ଡା ଓ ବନ୍ଧୁକ ଧରି ଶତାଧିକ ସମର୍ଥକଙ୍କ ସହ ଧସେଇ ପଶିବା ପରେ ବଢ଼ିଥିଲା ଅମ୍ରିତପାଲର ଅଡ଼ୁଆ ।

ତା’ ବିରୋଧରେ ହତ୍ୟା ଉଦ୍ୟମ, ସାମ୍ପ୍ରଦାୟିତ ସଦ୍ଭାବନା ଭଙ୍ଗ, ପୋଲିସ ଉପରେ ଆକ୍ରମଣ ଆଦି ଦଫା ଲାଗିଥିଲା । ପରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISI ସହାୟତାରେ ଅସ୍ତ୍ର ଯୋଗାଡ଼ କରୁଥିବା ଜଣାପଡ଼ିବା ପରେ ଅମ୍ରିତପାଲ ବିରୋଧରେ ଜାତୀୟ ନିରାପତ୍ତା ଆଇନ ବା NSA ଲାଗିଥିଲା । ୨ ଦିନ ତଳେ ଅମ୍ରିତପାଲର ପତ୍ନୀ କିରଣଦୀପ ଲଣ୍ଡନ ଖସିଯିବା ପାଇଁ ଉଦ୍ୟମ ବେଳେ ତାଙ୍କୁ ପୋଲିସ ଅଟକାଇବାରୁ, ଅମ୍ରିତପାଲ୍ ଧରାଦେବାକୁ ବାଧ୍ୟ ହୋଇଥାଇପାରେ ବୋଲି ଚର୍ଚ୍ଚା ହେଉଛି ।