• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଉ ଏକ ନୂଆ କରୋନା ଭୂତାଣୁକୁ ନେଇ ବିଶ୍ୱବ୍ୟାପୀ ଚର୍ଚ୍ଚା । ବାଦୁଡ଼ି ଦେହରେ ବୁଲୁଛି ଅତି ଘାତକ ନିଓକୋଭ୍ ଭୂତାଣୁ । ମଣିଷ ଦେହକୁ ଆସିପାରେ ବୋଲି ସତର୍କ କଲେ ଉହାନ୍ ବୈଜ୍ଞାନିକ । ସଂକ୍ରମଣ ବ୍ୟାପିଲେ ପ୍ରତି ୩ ଜଣ ସଂକ୍ରମିତଙ୍କ ମଧ୍ୟରୁ ଜଣଙ୍କର ହେବ ମୃତ୍ୟୁ ।

କରୋନା, ଡେଲ୍ଟା, ଓମିକ୍ରନ୍ । ୨ ବର୍ଷ ହେଲା କରୋନା ଭୂତାଣୁ ବାରମ୍ବାର ଲହର ଆଣୁଥିବା ବେଳେ, ଏମିତି ନୂଆ ନୂଆ ନାଁକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି । ଏସବୁ ଆତଙ୍କ ବି ଖେଳାଇଛି । ବର୍ତ୍ତମାନ ଏମିତି ଆଉ ଏକ ଭାଇରସ୍‌ର ନାଁକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଯାହାର ନାଁ ନିଓକୋଭ୍ । ଏହି ଭାଇରସ୍ ବି କରୋନା ଶ୍ରେଣୀର, କିନ୍ତୁ ଏବେ ମହାମାରୀ ଆଣିଥିବା ସାର୍ସ କୋଭ୍-ଟୁ ନୁହେଁ, ଏହା ଏକ ନୂଆ ଭୂତାଣୁ । ଯାହାକି ଏଯାଏଁ ମଣିଷ ଶରୀରକୁ ଆସିନାହିଁ । ତେବେ ଯଦି ଏହା ମଣିଷକୁ ସଂକ୍ରମିତ କରେ, ତେବେ ଭୟାବହ ସ୍ଥିତି ସୃଷ୍ଟି ହେବ ବୋଲି ଆଶଙ୍କା କରୁଛନ୍ତି ଚୀନ୍ ବୈଜ୍ଞାନିକ ।

ଏହି ଭାଇରସ୍‌ ଏବେ ଦକ୍ଷିଣ ଆଫ୍ରିକୀୟ ବାଦୁଡ଼ି ଦେହରେ ଠାବ ହେବା ପରେ ସତର୍କ ରହିବାକୁ ଚେତାଇଲେ ଚୀନ୍ ବୈଜ୍ଞାନିକ । ନିଓକୋଭ୍ ଯେତିକି ସଂକ୍ରାମକ ସେତିକି ଘାତକ । ମଣିଷକୁ ବ୍ୟାପିଲେ ୩ ସଂକ୍ରମିତଙ୍କ ମଧ୍ୟରୁ ହୋଇପାରେ ଜଣଙ୍କର ମୃତ୍ୟୁ ।

ବିଶ୍ୱବ୍ୟାପୀ ମହାମାରୀର ତାଣ୍ଡବ ରଚିଥିବା କରୋନା ଭୂତାଣୁ ପୂର୍ବରୁ ମଣିଷ ଦେହରେ ନଥିଲା । ବାଦୁଡ଼ି, ବଜ୍ରକାପ୍ତା କିମ୍ବା ଅନ୍ୟ କୌଣସି ଜୀବ ଠାରୁ ଏହା ମ୍ୟୁଟେସନ୍ ହୋଇ ମଣିଷ ଦେହକୁ ଆସିଥିବା ଆଶଙ୍କା କରାଯାଉଛି । ତେବେ କରୋନା ଭାଇରସ୍ ଭଳି ଆଉ ଏକ ମାରାତ୍ମକ ଭାଇରସ୍ ନିଓକୋଭ୍‌କୁ ନେଇ ଚେତାଇଛନ୍ତି ଚୀନ୍ ଉହାନ ବିଶ୍ୱବିଦ୍ୟାଳୟ ଏବଂ ଚାଇନିଜ୍ ଏକାଡେମୀ ଅଫ୍ ସାଇନ୍‌ସେସ୍ ଅଧୀନସ୍ଥ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ବାୟୋଫିଜିକ୍ସର ବୈଜ୍ଞାନିକ । ସେମାନେ କହିଛନ୍ତି, ଦକ୍ଷିଣ ଆଫ୍ରିକାରେ ବାଦୁଡ଼ି ଦେହରେ ଏହି ନିଓକୋଭ୍ ଭୂତାଣୁ ଦେଖାଯାଏ ଏବଂ ଏହା କେବଳ ଜନ୍ତୁଙ୍କ ମଧ୍ୟରେ ବ୍ୟାପିବାର ନଜିର ରହିଛି ।

ତେବେ କରୋନା ଭଳି ଏହି ଭାଇରସ୍ ମଧ୍ୟ ମଣିଷ ଶରୀରରେ ପ୍ରବେଶ କରିବା ପାଇଁ କେବଳ ଗୋଟିଏ ମାତ୍ର ମ୍ୟୁଟେସନ୍ ହିଁ ଯଥେଷ୍ଟ । ଆଉ ସେଭଳି ହେଲେ ସ୍ଥିତି ସାଂଘାତିକ ହେବାର ଆଶଙ୍କା ରହିଛି । କାରଣ ଏହି ଭୂତାଣୁ ଯେତେ ସଂକ୍ରାମକ, ସେତେ ଘାତକ । ଏଥିରେ ମିଡିଲ୍ ଇଷ୍ଟ ରେସ୍ପିରେଟୋରି ସିଣ୍ଡ୍ରୋମ୍ ବା ମର୍ସ-କୋଭ୍ ଭୂତାଣୁର ଲକ୍ଷଣ ଥିବାରୁ ପ୍ରତି ୩ ଜଣ ସଂକ୍ରମିତଙ୍କ ମଧ୍ୟରୁ ଏହା ଜଣଙ୍କର ଜୀବନ ନେବାର ଆଶଙ୍କା ରହିଛି ।

୨୦୧୨ ଓ ୨୦୧୫ରେ ମଧ୍ୟପ୍ରାଚ୍ୟରେ ବ୍ୟାପିଥିଲା ମର୍ସ-କୋଭ୍ ଭାଇରସ୍ । ଏହା ବାଦୁଡ଼ିରୁ ଓଟକୁ ଏବଂ ଓଟ ଠାରୁ ମଣିଷକୁ ବ୍ୟାପିଥିବା ଆଶଙ୍କା କରାଯାଏ । ସାଧାରଣ ଥଣ୍ଡାସର୍ଦ୍ଦି ଠାରୁ ଆରମ୍ଭ କରି କୋଭିଡ୍ ପର୍ଯ୍ୟନ୍ତ ରୋଗ ସୃଷ୍ଟିକାରୀ ଭୂତାଣୁ କରୋନାଭାଇରସ୍ ଶ୍ରେଣୀର । ତେବେ ମର୍ସ-କୋଭ୍ ଲିଙ୍କ୍ ଥିବା ନିଓକୋଭ୍ ଭୂତାଣୁ ସଂକ୍ରମଣ ହେଲେ ଆଣ୍ଟିବଡି କିମ୍ବା ପ୍ରୋଟିନ୍ ମଲିକୁଲ୍ କିମ୍ବା କୌଣସି ଟିକା ଏହା ବିରୋଧରେ ସୁରକ୍ଷା ଦେବାରେ ସଫଳ ହୋଇନଥାଏ । ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି, ନିଓକୋଭ୍ ମଣିଷ ପ୍ରତି ବିପଜ୍ଜନକ କି ନାହିଁ ଜାଣିବାକୁ, ଏ କ୍ଷେତ୍ରରେ ଅଧିକ ଗବେଷଣା ଆବଶ୍ୟକ ।