• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Ipsita Pradhan

‘ଦେଖିଲୁ ଏଇ ପିଚ୍ କଲର୍ ଜ୍ୟାକେଟ୍‌ଟା କେମତି ଲାଗୁଛି?’ ପଚାରିଲା ପରେ କିଛି ଉତ୍ତର ନ ମିଳିବାରୁ ମୁଁ ପଛକୁ ବୁଲି ଚାହିଁଲା ବେଳକୁ ସୌମ୍ୟା ନଥିଲା। ଭାବିଲି, ବୋଧେ ଅଲଗା କୋଉ ରୋ’ରେ ଜ୍ୟାକେଟ୍ କିମ୍ବା କୁର୍ତ୍ତି ଦେଖୁଥିବ। ଫୋନ୍ ଲଗାଇଲି, ହେଲେ ରିସିଭ୍ କଲାନି। ଫ୍ଲୋରଟା ସାରା ବୁଲି ଆସିଲି। ବିଲିଂ କାଉଣ୍ଟର ଆଉ ସିକ୍ୟୁରିଟିକୁ ବି ପଚାରିଲି। ହେଲେ ଏତେ ଗ୍ରାହକ ଭିତରେ କିଏ କାହିଁକି ଲକ୍ଷ୍ୟ କରିବ।

ଆରେ ହରର୍ କି ମିଷ୍ଟ୍ରି ଫିଲ୍ମର ସିନ୍‌ପରି ହଠାତ୍ କୁଆଡେ ଗାୟବ ହୋଇଗଲା ସୌମ୍ୟା? ଲେଡିଜ୍ ଟଏଲେଟ୍ ପାଖକୁ ଗଲି, ସେଠି ବି ନାହିଁ! ୟା ଭିତରେ ପନ୍ଦର ମିନିଟ୍ ହୋଇଯାଇଥାଏ। ଏଥର ରିଂ କଲାରୁ ଫୋନ୍ ରିସିଭ୍ କଲା ସେ। ରିସିଭ୍ କରୁ କରୁ ମୁଁ କହିଲି ‘ଆରେ କୁଆଡେ ଗାୟବ ହୋଇଗଲୁ? ଏଠି ପସନ୍ଦ ଆସିଲାନି ଯଦି ଅନ୍ୟ ଜାଗାରେ ହେଖିଥାନ୍ତେ।

ସେପଟୁ ତରତର ହୋଇ ସୌମ୍ୟା କହିଲା ‘ଶୁଣେ, ମୁଁ ଘର ପାଖରେ ପହଁଞ୍ଚି ଗଲିଣି, ତୁ ଟିକେ ଫୋନ୍ ରଖିଲୁ...‘ଏତିକି କହି ଫୋନ୍ କାଟିଦେଲା। ଆଶ୍ଚର୍ଯ୍ୟ ଆଉ ବ୍ୟସ୍ତ ଲାଗିଲା। ହେଲେ ଘରୁ ତ ସେମତି କିଛି ଅର୍ଜେଣ୍ଟ୍ ଫୋନ୍‌ ବି ଆସି ନଥିଲା। ମୁଁ ଘରେ ପହଁଞ୍ଚିଲା ବେଳକୁ ସୌମ୍ୟା ସୋଫା ଉପରେ ଆରାମରେ ବସିଛି। ମୋତେ ଦେଖୁଦେଖୁ ଟିକେ ହସିଦେଇ କହିଲା, ‘ବସ୍ ବସ୍’।

ଆଉ ତା’ ମା’ ରୋଷେଇ ଘରୁ ମୋ ପାଇଁ ପାଣି ଆଣୁ ଆଣୁ ଜୋର ହସିହସି ଆସୁଥିଲେ। ମୁଁ କିଛି ପଚାରିବା ଆଗରୁ କହିଲେ, ଛାଡି ଦେଇ ଆସିଲାଟି, କିଛି ନ କହି? ତା’ର ଏଇଟା ପୁରୁଣା ଅଭ୍ୟାସ। ପରିସ୍ରା ଲାଗିଲେ କାହାକୁ କିଛି ନକହି ଘରକୁ ଦୌଡିବ।

ମୁଁ ସୌମ୍ୟା ଆଡକୁ ଚାହିଁଲାରୁ କହିଲା, ତୁ ଜାଣିନୁ, ମୁଁ ବହୁତ ସମୟ କଣ୍ଟ୍ରୋଲ୍ କଲି ହେଲେ ଦେଢ ଘଣ୍ଟା ପରେ ଆଉ ପାରିଲିନି।

ତା’ କଥା ଶୁଣି ମୁଁ କହିଲି, ଆରେ ସେଇ ଫ୍ଲୋର୍‌ରେ ବା ଓ୍ୱାସ୍‌ରୁମ୍ ଥିଲା। ମୋ କଥା ପୂରଣ ନ ହେଉଣୁ ସୌମ୍ୟା କହିଲା, ନା ବାବା! ସେ ପବ୍ଲିକ୍ ଓ୍ୱାସ୍‌ରୁମ୍ କି ଟଏଲେଟ୍ ଗଲା ମାନେ ମୋର ସାଙ୍ଗେ ସାଙ୍ଗେ ଇନ୍‌ଫେକ୍‌ସନ୍ ହୋଇଯାଏ।

କେବଳ ସୌମ୍ୟା କାହିଁକି ଆମ ଭିତରୁ ଅନେକ ଅଛନ୍ତି, ଯିଏ ଏଇ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସପିଂ, ମଲ୍, ମୁଭି, ମନ୍ଦିର, ଟୁରିଷ୍ଟ ପ୍ଲେସ୍ ହେଉ କି ସ୍କୁଲ୍, କଲେଜ୍ ଆଉ ଅଫିସ୍, ଯୁଆଡେ ଗଲେ, ମୁଖ୍ୟ ଚିନ୍ତା ପରିସ୍ରା ଲାଗିଲେ କ’ଣ କରିବି? ଏମିତିରେ ବି ଆମ ରାଜ୍ୟ ଆଉ ଦେଶରେ ପବ୍ଲିକ୍ ଟଏଲେଟ୍‌ର ବ୍ୟବସ୍ଥା ଭାରି ଦୁର୍ବଳ। ଆଉ ଯେଉଁଠିବି ଥାଏ, ତା’ର ପରିମଳ ବ୍ୟବସ୍ଥା ଭାରି ଖରାପ ବା ଆଦୌ ସଫାସୁତୁରା ନଥାଏ।

ଆବଶ୍ୟକ ସ୍ଥଳେ କିଛି ସମୟ ପାଇଁ ମୁତ୍ରତ୍ୟାଗ ନ କରିବା ବା ପରିଶ୍ରା ରୋକିବାରେ କିଛି ଅସୁବିଧା ନଥାଏ। କିନ୍ତୁ ଏପରି ବାରମ୍ବାର ଓ ବହୁତ ସମୟ ପର୍ଯ୍ୟନ୍ତ ପରିସ୍ରାଗାର ବ୍ୟବହାର ନକରି ଚାପିରଖିବା ଦ୍ୱାରା ଅନ୍ୟ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଏ। ଅନେକ ସମୟରେ ମହିଳାମାନେ ବା ଝିଅମାନେ କୌଣସି ଜାଗାକୁ ବୁଲିଗଲେ ବା ଲମ୍ବା ରାସ୍ତା ଗାଡିରେ ଯିବାର ଥିଲେ ନିଜର ପାଣି ପିଇବା କମେଇ ଦିଅନ୍ତି କିମ୍ବା ଆଦୌ ପିଅନ୍ତି ନାହିଁ। ଏହା ଦ୍ୱାରା ଡିହାଇଡ୍ରେସନ୍, ବାନ୍ତି, ମୁଣ୍ଡବୁଲାଇବା ଓ ଗୋଡହାତ ଘୋଳାବିନ୍ଧା ପରି ସମସ୍ୟା ଦେଖାଯାଏ।

ଏପରିକି ଅନେକ ମହିଳା ନିଜ ଅଫିସ୍‌ ବା ଓ୍ୱାର୍କିଂ ଆଓ୍ୱାରରେ ଆଠ-ଦଶ ଘଣ୍ଟା ଲଗାତାର କମ ପାଣି ପିଇ, ଆଦୌ ପରିଶ୍ରା ନ ଯାଇ ଘରକୁ ଫେରନ୍ତି। କିନ୍ତୁ ଏଇ ଅଭ୍ୟାସ ତୁରନ୍ତ ନ ହେଲେ ବି ଭବିଷ୍ୟତରେ ଅନେକ ସମସ୍ୟା ସୃଷ୍ଟି କରିଥାଏ। ସାଧାରଣତଃ ଜଣେ ସୁସ୍ଥ ମଣିଷର ବ୍ଲାଡର୍‌ ବା ମୂତ୍ରାଶୟ ପୂର୍ଣ୍ଣ ହେବାକୁ ୪-୫ଘଣ୍ଟା ସମୟ ନିଏ।

ଦେହରେ ଜଳୀୟ ଆବର୍ଜନା ଏକତ୍ରିତ ହୋଇଗଲେ ଆମକୁ ପରିସ୍ରା ତ୍ୟାଗ କରିବା ପାଇଁ ସିଗ୍‌ନାଲ୍ ବା ଅର୍ଜ ବା ଇଚ୍ଛା ହୁଏ୍‌ ଟଏଲେଟ୍‌ରେ ପହଞ୍ଚିବା ପର୍ଯ୍ୟନ୍ତ ପରିଶ୍ରାକୁ ରୋକିବା ଠିକ୍ଅଛି। କିନ୍ତୁ ଏପରି ଅଧିକ ସମୟ ପର୍ଯ୍ୟନ୍ତ କଲେ ଅନେକ ଜଟିଳ ସମସ୍ୟା ଦେଖାଯାଏ। ଯେମିତିକି ବ୍ଲାଡର ବା ମୂତ୍ରାଶୟର ମାଂସପେଶୀ ଦୁର୍ବଳ ହେବା, ଯାହାକି ପରବର୍ତ୍ତି ସମୟରେ ମୂତ୍ରରୋକିବାରେ ନିୟନ୍ତ୍ରଣ ହରାଇବା ବା ଇନ୍‌କଣ୍ଟିନେସନ୍ ଅଫ୍‌ ୟୁରିନ୍ ଓ ବ୍ଲାଡରକୁ ସମ୍ପୂର୍ଣ୍ଣ ରୂପେ ଖାଲି କରିବାରେ ଅପାରଗତା ବା ଅସୁବିଧା ହୁଏ।

ଏହା ସହ ଅନେକ ସମୟରେ ଦେହରେ ବର୍ଯ୍ୟବସ୍ତୁ କାଲ୍ସିଫାଏ ଓ କ୍ରିଷ୍ଟାଲାଇଜ୍ ହୋଇ କିଡ୍‌ନୀ ଷ୍ଟୋନ୍ ବା ବୃକକ୍‌ରେ ପଥର ସୃଷ୍ଟି ହୋଇପାରେ। ଏମିତି ହେଲେ ତଳିପେଟ ଦରଜ, ବ୍ୟଥା, ମୂତ୍ରନଳୀ ଜଳାପୋଡା ଓ ପରିଶ୍ରାରେ ରକ୍ତସ୍ରାବ ମଧ୍ୟ ଦେଖାଯାଏ ଓ ଅନେକ ସମୟରେ ଅସ୍ତ୍ରୋପଚାର ଦରକାର କରିଥାଏ।

ଅତ୍ୟଧିକ ସମୟ ପାଇଁ ପରିସ୍ରା ଚାପି ରଖିବାର ଆଉ ଗୋଟିଏ ବିରଳ କିନ୍ତୁ ଘାତକ ପରିଣାମ ବ୍ଲାଡର ବଷ୍ଟିଂ ବା ମୂତ୍ରାଶୟ ଫାଟିବା ମଧ୍ୟ ହୋଇପାରେ। ହେଲେ ଏସବୁ ସମସ୍ୟା ଠାରୁ ସବୁଠୁ ସାଧାରଣ ବା କମନ୍ ସମସ୍ୟା ହେଉଛି ପରିସ୍ରା ନଳୀ ଶୈଳୀ ସଂକ୍ରମଣ ବା ୟୁରିନାରୀଟ୍ରାକ୍ଟ ଇନ୍‌ଫେକସନ୍ ବା ସଂକ୍ଷେପରେ UTI । ପାଖାପାଖି ୪୦% ମହିଳା ଓ ୧୨% ପୁରୁଷ ନିଜ ଜୀବନକାଳ ମଧ୍ୟରେ ଥରେ ନା ଥରେ UTI ସମସ୍ୟା ଭୋଗିଥାନ୍ତି, ଏବଂ ପାଖାପାଖି ୪୦% ମହିଳାଙ୍କ ମଧ୍ୟରେ ଏଇ ସମସ୍ୟା ବାରମ୍ବାର ଦେଖାଯାଏ।

ମହିଳାମାନଙ୍କ ଠାର ଏଇ ସମସ୍ୟା ସହଜରେ ଓ ବାରମ୍ବାର ହେବାର ମୁଖ୍ୟ କାରଣ ହେଉଛି ସେମାନଙ୍କ ଶରୀରର ଗଠନ ପ୍ରଣାଳୀ ବା ଆନାଟୋମି। ମହିଳାମାନଙ୍କ ଶରୀରରେ ମୂତ୍ରଦ୍ୱାର ବା ୟୁରେଥ୍ରାଲ୍ଅରିଫିସ୍ ମଳଦ୍ୱାର ଓ ଯୋନିର ଅତି ପାଖରେ ହୋଇଥିବାରୁ, ବାକ୍ଟେରିଆ ବା ଜୀବାଣୁ ଉଭୟ ଜାଗାରୁ ଅତି ସହଜ ଓ ଶୀଘ୍ର ମୂତ୍ରଦ୍ୱାର ଦେଇ ମୂତ୍ରନଳୀ ଓ ମୂତ୍ରାଶୟରେ ପହଞ୍ଚି ପାରନ୍ତି ଓ ସଂକ୍ରମଣ କରିପାରନ୍ତି।

ଏହାଛଡା ମହିଳାମାନଙ୍କ ମୂତ୍ରନଳୀର ଦୈର୍ଘ୍ୟ ପୁରୁଷମାନଙ୍କ ତୁଳନାରେ କମ୍, ଏହା ମଧ୍ୟ UTI ହେବାର ଗୋଟିଏ ମୁଖ୍ୟ କାରଣ। ହେଲେ ସମସ୍ୟା ଥିଲେ ସମାଧାନ ବି ଥାଏ। କିଛି ସହଜ ଓ ସରଳ ସାବଧାନତା ଅବଲମ୍ବନ କଲେ ଆମେ UTI ଓ ପରୋକ୍ଷରେ ପରିସ୍ରା ଚାପି ରଖିବା ବା ପବ୍ଲିକ୍ ଟଏଲେଟ୍‌କୁ ଡରିକି ନ ଯିବା ଅଭ୍ୟାସକୁ ବଦଳାଇ ପାରିବା। ତାହେଲେ ଚାଲନ୍ତୁ ସେଇସବୁ ସରଳ ଓ ସ୍ୱଳ୍ପ ବ୍ୟୟକାରୀ ଉପାୟଗୁଡିକ ଉପରେ ଥରେ ନଜର ପକେଇବା।

୧- ମହିଳା ବା ଝିଅମାନେ ପବ୍ଲିକ୍ ବା ସର୍ବସାଧାରଣ ସ୍ଥାନଗୁଡିକରେ ୱେଓ୍ୱଷ୍ଟର୍ଣ୍ଣ ଟଏଲେଟ୍ (କମ୍ମୋଡ୍) ବ୍ୟବହାର ନ କରି ଇଣ୍ଡିଆନ୍ ଟଏଲେଟ୍ ବ୍ୟବହାର କରନ୍ତୁ, କିନ୍ତୁ ଏମ୍ଇତି କିଛି ସ୍ଥାନ ଥାଏ ଯେଉଁଠି ଇଣ୍ଡିଆନ ଟଏଲେଟ୍ ନ ଥାଏ, ସେମିତି କ୍ଷେତ୍ରରେ ଟଏଲେଟ୍ ସିଟ୍ ସାନିଟାଇଜର୍ ସ୍ପ୍ରେ ବ୍ୟବହାର କରନ୍ତୁ କିମ୍ବା ଆପଣ ଡିସ୍ପୋଜିବଲ୍ ଟଏଲେଟ୍ ସିଟ୍ କଭର୍ ମଧ୍ୟ ବ୍ୟବହାର କରିପାରନ୍ତି। ଏହି ସିଟ୍ କଭର୍‌କୁ ଆପଣ ୱେଷ୍ଟର୍ଣ୍ଣ ଟଏଲେଟ୍ ସିଟ୍ ଉପରେ ପକାଇ ବ୍ୟବହାର କରିସାରିବା ପରେ ଡଷ୍ଟବିନ୍‌ରେ ଫୋପାଡି ପାରିବେ।

୨- ପବ୍ଲିକ୍ ବା ସର୍ବସାଧାରଣ ସ୍ଥାନରେ ଟଏଲେଟ୍ ବ୍ୟବହାର କରିସାରିବା ପରେ ନିଜ ହାତକୁ ସାବୁନ୍/ ହ୍ୟାଣ୍ଡଓ୍ୱାସ୍‌ରେ ଭଲଭାବରେ ଅତି କମ୍‌ରେ ୨୦ ସେକଣ୍ଡ୍ ପାଇଁ ଧୁଅନ୍ତୁ ଓ ହ୍ୟାଣ୍ଡ୍ ସାନିଟାଇଜର୍ ବ୍ୟବହାର କରନ୍ତୁ। ଏବେଠାରୁ ନିଜ ହ୍ୟାଣ୍ଡ୍‌ବ୍ୟାଗ୍‌ରେ ଲିପ୍‌ଷ୍ଟିକ୍ ପରି ପେପର ସୋପ୍/ ହ୍ୟାଣ୍ଡଓ୍ୱାସ୍ ପାଉଚ୍, ହ୍ୟାଣ୍ଡ୍‌ସାନିଟାଇଜର୍, ଟଏଲେଟ୍ ସିଟ୍ ସାନିଟାଇଜର୍ ସ୍ପ୍ରେ ଓ ସଫା ଟିସୁ ନିହାତି ରଖନ୍ତୁ। ଏଇ ଛୋଟ ଅଭ୍ୟାସଟି ଆପଣଙ୍କୁ ଅନେକ ଜଟିଳ ସମସ୍ୟାରୁ ରକ୍ଷା କରିବ।

୩- ସବୁବେଳେ ସୂତା ବା କଟନ୍ ପ୍ୟାଣ୍ଟି ବ୍ୟବହାର କରନ୍ତୁ। ପ୍ୟାଣ୍ଟି ଓଦା ଥିଲେ ତୁରନ୍ତ ବଦଳାଇ ନେବା ଉଚିତ୍, ନହେଲେ ସଂକ୍ରମଣର ଭୟ ଥାଏ। ଅଫିସ୍ କିମ୍ବା ଯାତ୍ରା ସମୟରେ ଏଇ ସମସ୍ୟାରୁ ବଞ୍ଚିବା ପାଇଁ ଆପଣ ପ୍ୟାଣ୍ଟି ଲିନେର୍ ମଧ୍ୟ ବ୍ୟବହାର କରିପାରନ୍ତି।

୪- ମୂତ୍ରଦ୍ୱାର ଓ ଏହାର ଆଖପାଖ ସଫା ଓ ଧୋଇବା ସମୟରେ ସବୁବେଳେ ସାମ୍ନାରୁ ପଛଆଡକୁ ଧୁଅନ୍ତୁ। ଏହାଦ୍ୱାରା ମଳଦ୍ୱାରର ସଂକ୍ରମଣ ମୂତ୍ରଦ୍ୱାର ବା ମୂତ୍ରନଳୀ ଆଡକୁ ଆସେ ନାହିଁ।

୫- ଆପଣ ବାରମ୍ବାର UTI ଭୋଗୁଥିଲେ ବ୍ୟାଗ୍‌ରେ ରିୟୁଜେବଲ୍ (ସିଲିକନ୍) ବା ଡିସ୍ପୋଜିବଲ୍ ୟୁରିନେସନ୍ ଡିଭାଇସ୍ (urination device, କାହାଳୀ ପରି ଛୋଟ ଡିଭାଇସ୍ ବା ବସ୍ତୁ ଯାହା ମହିଳାମାନଙ୍କୁ ଯାତ୍ରା ଓ ପବ୍ଲିକ୍ ଟଏଲେଟ୍‌ରେ ଠିଆ ହୋଇ ମୂତ୍ରତ୍ୟାଗ କରିବାରେ ସାହାଯ୍ୟ କରେ) ରଖି ବ୍ୟବହାର କରନ୍ତୁ।

୬- ଏସବୁ ସହ ଅଧିକରୁ ଅଧିକ ପାଣି, ପଇଡ ପାଣି ଓ ଫ୍ରେସ୍ ଜୁସ୍ ବା ଫଳରସ ପିଅନ୍ତୁ, ଏହା ଦେହରୁ ଜଳୀୟ ବର୍ଯ୍ୟବସ୍ତୁ ଓ ଜୀବାଣୁ ବା ଇନ୍‌ଫେକସନ୍‌କୁ ବାହାର କରିବାରେ ସାହାଯ୍ୟ କରେ ଓ ଡିହାଇଡ୍ରେସନ୍ ହେବାକୁ ଦିଏନି।

ଏଇ ପାଞ୍ଚ-ଛ’ଟି ସରଳ କଥା ଉପରେ ଧ୍ୟାନ ଦେଲେ ଆପଣ ନିଜକୁ ଅନେକ ଜଟିଳ ସମସ୍ୟାରୁ ବଞ୍ଚେଇବା ସହ ସବୁବେଳେ ସୌମ୍ୟା ପରି ଅଧା ମାର୍କେଟିଂ କିମ୍ବା ସପିଂରୁ ଘରକୁ ଦୌଡିବାରୁ ମୁକ୍ତି ପାଇବେ।