• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଧାର କାର୍ଡ, ଭୋଟର କାର୍ଡ ଜାଲିଆତି କରି କୋଟି କୋଟି ଟଙ୍କାର ଜମି ଠକେଇ । ବ୍ରହ୍ମପୁର ମହାନଗର ଅନ୍ତର୍ଗତ ଗାନ୍ଧିନଗର ଅଞ୍ଚଳରେ ସାମ୍ନାକୁ ଆସିଛି ଏଭଳି ବଡ଼ ଧରଣର ଜମି ଠକେଇ । ଏନେଇ ଠକାମୀର ଶିକାର ମାଲିକ ଥାନାରେ ଅଭିଯୋଗ କରିବା ପରେ ଘଟଣାର ଖୋଳତାଡ଼ ଆରମ୍ଭ କରିଛି ପୋଲିସ । ମାମଲାରେ ୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଗକୁ ଆହୁରି ଗିରଫଦାରୀ ହେବ ବୋଲି ବ୍ରହ୍ମପୁର ଏସ୍‌ପି ଚେତାଇ ଦେଇଛନ୍ତି ।

ବ୍ରହ୍ମପୁରରେ ମାତିଛନ୍ତି ଜମି ଦଲାଲ । ମୃତ ବ୍ୟକ୍ତିଙ୍କ ନାଁରେ ଡୁପ୍ଲିକେଟ୍ ଆଧାର କାର୍ଡ କରି ବିକୁଛନ୍ତି ଜମି । ଯେଉଁଠି ଘର ଛିଡ଼ା ହୋଇଛି ସେହି ଜାଗାକୁ ଜମି ଡିହ ବୋଲି ଦର୍ଶାଇ ବିକ୍ରି କରାଯାଉଛି । ଗାନ୍ଧୀନଗର ଅଞ୍ଚଳର କମଳେନ୍ଦୁ ପାତ୍ର ଠକେଇର ଶିକାର ହେବା ପରେ ବ୍ରହ୍ମପୁର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଅଭିଯୋଗ ଅନୁଯାୟୀ ଗୋଟିଏ ଜାଗାକୁ ଡବ୍ଲ୍ୟୁ.ଭି.ରାମା ରାଓଙ୍କ ଠାରୁ ୧୯୭୨ ମସିହାରେ କିଣିଥିଲେ କମଳେନ୍ଦୁଙ୍କ ବାପା ଲକ୍ଷ୍ମୀକାନ୍ତ ପାତ୍ର । ହେଲେ ରାମା ରାଓଙ୍କ ୧୯୯୪ରେ ମୃତ୍ୟୁ ହେବା ପରେ ତାଙ୍କ ନାଁରେ ଆଧାର କାର୍ଡ କରି ଗୋପିନାଥ ପାଣିଗ୍ରାହୀ ନାମକ ଜଣେ ବ୍ୟକ୍ତି ଏହାକୁ ଜଣେ ମହିଳାଙ୍କୁ ବିକ୍ରି କରିଦେଇଛନ୍ତି । ତେବେ ଜାଗାର ଉନ୍ନତିକରଣ ପାଇଁ ବ୍ୟାଙ୍କକୁ ଋଣ ଆଣିବାକୁ ଯିବା ବେଳେ ଏ ସଂପର୍କରେ ଜାଣିବାକୁ ପାଇଥିଲେ କମଳେନ୍ଦୁ ।

ଖାଲି ଏହି ଗୋଟିଏ କେସ୍ ନୁହେଁ, ବ୍ରହ୍ମପୁରରେ ଜମି ଠକେଇ ରାକେଟ୍ ସକ୍ରିୟ ରହିଛି । ସେମାନେ ବିଭିନ୍ନ ସ୍ଥାନରେ ଠକେଇ କରୁଥିବା ଅଭିଯୋଗ ଆଣିଛନ୍ତି ଜଣେ ଆଇନଜୀବୀ । ଏନେଇ ପୋଲିସ ଉପଯୁକ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ମାମଲାରେ ଏଯାଏଁ ୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଗକୁ ଛାନ୍‌ଭିନ୍ ଜାରି ରହିଥିବା ଏସ୍‌ପି କହିଛନ୍ତି ।

ନକଲି ଆଧାର କାର୍ଡ ଦ୍ୱାରା କିପରି ହେଉଛି ଜମି ରେଜେଷ୍ଟ୍ରି ? ସବ୍‌ରେଜିଷ୍ଟ୍ରାର୍ ଅଫିସ୍‌ରେ କିଭଳି ନକଲି ଆଧାରକାର୍ଡ ବିଷୟରେ ଜାଣି ପାରିଲେନି ? ଠକେଇ ପଛରେ ସରକାରୀ ଅଫିସ୍‌ର ଅଧିକାରୀ ସାମିଲ ଅଛନ୍ତି କି ? କେତେଦୂର ଲମ୍ବିଛି ଏହି ରାକେଟ୍ ? ଏସବୁର ଖୋଳତାଡ଼ ପରେ ସାମ୍ନାକୁ ଆସିବ ପ୍ରକୃତ ସତ ।