• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ରିସ୍କ ଦେଶରୁ ଫେରିଥିବା ଜଣେ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ । ଜଗତସିଂହପୁରର ଏହି ବ୍ୟକ୍ତି ଜଣଙ୍କୁ ଏବେ ଆଇସୋଲେସନରେ ରଖାଯାଇଛି । ସେ ଜଗତସିଂହପୁର ଓ କଟକ ଯାଆସ କରିଥିଲେ । ତିନି ଦିନ ତଳେ କରୋନା ଆକ୍ରାନ୍ତ ହେବା ପରେ ଘରୋଇ ହସ୍ପିଟାଲରେ ତାଙ୍କୁ ଆଇସୋଲେସନରେ ରଖାଯାଇଛି । ଯେହେତୁ ରିସ୍କ ଦେଶରୁ ଫେରିଛନ୍ତି, ତେଣୁ ତାଙ୍କର ଜିନମ ସିକ୍ୱେନ୍‌ସିଂ ପାଇଁ ନମୁନା ପଠାଯାଇଛି । କଟକକୁ ବିଦେଶରୁ ଆସିଥିବା ୧୦୦ ଜଣେ ବ୍ୟକ୍ତିଙ୍କ କରୋନା ଟେଷ୍ଟ କରାଯାଇଛି । ସମସ୍ତ ବିଦେଶ ଫେରନ୍ତାଙ୍କ ଉପରେ କଡ଼ ନଜର ରଖାଯାଇଥିବା ସିଡିଏମ୍ଓ କହିଛନ୍ତି ।

ଅନ୍ୟପଟେ ସାରା ଦେଶରେ ଧୀରେ ଧୀରେ ବଢିବାରେ ଲାଗିଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ସ୍ଥିତି ଏମିତି ହେଲାଣି ଯେ, ପ୍ରତ୍ୟେକ ଦିନ ଗୋଟିଏ ପରେ ଗୋଟିଏ ରାଜ୍ୟକୁ ଡେଉଁଛି ଓମିକ୍ରନ । କରୋନାର ଦ୍ୱିତୀୟ ଲହର ପରି ପୁଣି ଥରେ ସ୍ଥିତି ଉପୁଜିପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆଶଙ୍କା କଲେଣି । ଆଉ ଏହାରି ମଧ୍ୟରେ ସମ୍ଭାବ୍ୟ ୩ୟ ଲହରକୁ ନେଇ ବରିଷ୍ଠ ଚିକିତ୍ସକ ନିରୋଜ ମିଶ୍ର ଯେଉଁ ପ୍ରତିକ୍ରିୟା ରଖିଛନ୍ତି ତାହାକୁ ନେଇ ବେଶି ଚିନ୍ତା ବଢିଛି । ସେ କହିଛନ୍ତି ଯେ, ବିଦେଶରୁ ଅନେକ ଲୋକ ଦେଶକୁ ଆସୁଛନ୍ତି ।

ତେଣୁ ସଂକ୍ରମଣ ଯେ ନବଢିବ ତାହାକୁ କେହି କହିପାରିବେ ନାହିଁ । କେବଳ ଏତିକି ନୁହେଁ ବରଂ ଆଗାମୀ ମାସରେ ପିକ୍‌ରେ ରହିପାରେ କରୋନା । ଏହାସହ ସେ ସ୍ପଷ୍ଟ କରିଛନ୍ତି ଯେ, ଓମିକ୍ରନ ନିଶ୍ଚିତ ଭାବରେ ତୃତୀୟ ଲହର । ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଓମିକ୍ରନ ଯେଉଁ ପରି ଭାବରେ ସଂକ୍ରମଣ କରୁଛି ତାହା ବେଶ୍‌ ଚିନ୍ତାଜନକ । ଖାସ୍‌ କରି ଦକ୍ଷିଣ ଆଫ୍ରିକା ଓ ବ୍ରିଟେନ୍‌ ସ୍ଥିତି ଅଧିକ ଜଟିଳ ରହିଛି । ତେଣୁ ବେଳ ଥାଉ ଥାଉ ଆମେ ସଚେତନ ନହେଲେ ସ୍ଥିତି ଭୟଙ୍କର ହେବ ବୋଲି ଶ୍ରୀମିଶ୍ର କହିଛନ୍ତି । ଏହାସହ ସେ କହିଛନ୍ତି, ବିଦେଶରେ ବର୍ତ୍ତମାନ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ଅନୁସାରେ ଭାରତରେ ଦୈନିକ ସଂକ୍ରମଣ ୨୦ ରୁ ୨୫ ଲକ୍ଷ ଆସିପାରେ ।

ସେପଟେ, ତୃତୀୟ ଲହର ମୁକାବିଲା ଲାଗି ରାଜ୍ୟ ସରକାର ପ୍ରସ୍ତୁତ । ଯେତେ ରୋଗୀ ଚିହ୍ନଟ ହେଲେ ବି ସମସ୍ତଙ୍କୁ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି । ବ୍ରିଟେନରେ ଯେମିତି ସଂକ୍ରମଣ ବଢୁଛି, ତୃତୀୟ ଲହର ସମ୍ଭାବନା ଅଛି ବୋଲି ସେ କହିଛନ୍ତି । ତେବେ ନିୟମାବଳୀ ଅନୁସାରେ ଅନ୍ତର୍ଜାତୀୟ ଯାତ୍ରୀଙ୍କର ସର୍ଭେଲାନ୍ସ ଚାଲିଛି । ଏହାସହ ସତର୍କତା ବଢ଼ାଯାଇଛି । ଓମିକ୍ରନ ସଂକ୍ରମଣ ଚିହ୍ନଟ ପାଇଁ ଜିନୋମ୍ ସିକ୍ୟୁଏନ୍ସିଂ ଜରୁରୀ। ଏଣୁ ଅଧିକ ସଂଖ୍ୟକ ନମୁନା ସିକ୍ୟୁଏନ୍ସିଂ ପାଇଁ ପଠାଯାଉଥିବା ସେ କହିଛନ୍ତି।