• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ନୂଆଦିଲ୍ଲୀ : ଟଙ୍କା ପଇସା ବିନା କାରବାର ଅସମ୍ଭବ । ବର୍ତ୍ତମାନ ସର୍ବନିମ୍ନ ୧୦ ଟଙ୍କା, ୨୦ ଟଙ୍କା , ୫୦ ଟଙ୍କାଠୁ ଆରମ୍ଭ କରି ସର୍ବାଧିକ ୫୦୦ ଟଙ୍କିଆ,୨୦୦୦ ଟଙ୍କିଆ ନୋଟ ବ୍ୟବହାର କରାଯାଉଛି । ହେଲେ ଆପଣ କେବେ ଦେଖିଛନ୍ତି କି ‘୦’ ଟଙ୍କିଆ ନୋଟ ? ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗିପାରେ ହେଲେ କଥାଟି ପୁରା ସତ

୧ ଦଶନ୍ଧିରୁ ଅଧିକ ସମୟ ଧରି ଭାରତରେ ‘ଶୂନ’ ଟଙ୍କିଆ ନୋଟ ରହିଛି । ହେଲେ ଅନ୍ୟ ନୋଟ ଗୁଡିକ ଦେଣନେଣରେ ବ୍ୟବହାର କରାଯାଉ ଥିବାବେଳେ ‘୦’ ଟଙ୍କିଆ ନୋଟକୁ ସ୍ୱତନ୍ତ୍ର କାର୍ଯ୍ୟ ପାଇଁ ବ୍ୟବହାର କରାଯାଏ ।

କାହିଁକି ବ୍ୟବହାର କରାଯାଏ ‘୦’ ଟଙ୍କିଆ ନୋଟ

ଦେଶରେ ଦୁର୍ନୀତି ତଥା ଲାଞ୍ଚକୁ ହ୍ରାସ କରିବା ପାଇଁ ‘୦’ ଟଙ୍କିଆ ନୋଟ୍ ପ୍ରସ୍ତୁତ କରାଯାଇଛି । ୨୦୦୭ ମସିହାରେ ‘ଫିପ୍‌ଥ ପିଲର’ ନାମକ ଏକ ଏନ୍‌ଜିଓ ସଂସ୍ଥା ଏହି ନୋଟକୁ ଉପସ୍ଥାପନ କରିଥିଲେ । ଏହି ନୋଟର ପଛଭାଗରେ କର୍ତ୍ତୃପକ୍ଷଙ୍କ ଯୋଗାଯୋଗ ବିବରଣୀ ରହିଛି । କୌଣସି ସ୍ଥିତିରେ ମଧ୍ୟ ଲାଞ୍ଚକୁ ବିରୁଦ୍ଧରେ ସ୍ୱର ଉଠାଇବା ହେଉଛି ଏହି ନୋଟର ଉଦ୍ଦେଶ୍ୟ । କେହି ଅଧିକାରୀ ଲାଞ୍ଚ ମାଗିଲେ, ତାଙ୍କୁ ଟଙ୍କା ବଦଳରେ ଏହି ‘୦’ ଟଙ୍କିଆ ନୋଟ୍ ଦିଆଯିବା ପାଇଁ ଏହାକୁ ଛପାଯାଇଛି ।

ତାମିଲ୍‌ନାଡୁର ଏନ୍‌ଜିଓ ସଂସ୍ଥା ‘ଫିପ୍‌ଥ ପିଲର’ ଗୋଟେ କିମ୍ୱା ଦୁଇଟି ନୁହେଁ ବରଂ ଲକ୍ଷେ ଲକ୍ଷେ ‘୦’ ଟଙ୍କିଆ ନୋଟକୁ ଛାପିଛନ୍ତି । କେବଳ ଏତିକି ନୁହେଁ ଏହି ନୋଟଟିକୁ ହିନ୍ଦି, ତେଲୁଗୁ, କାନ୍ନାଡା ଓ ମାଲାୟଲମ ପରି ଭିନ୍ନ ଭିନ୍ନ ଭାଷ।ରେ ମଧ୍ୟ ଛପା ଯାଇଛି । ଯାହାକୁ ଏନ୍‌ଜିଓ କର୍ମୀମାନେ ସର୍ବସାଧାରଣ ସ୍ଥାନରେ ବାଣ୍ଟୁଛିନ୍ତି । ବସ୍‌ ଷ୍ଟାଣ୍ଡ୍, ରେଳ ଷ୍ଟେସନ୍‌ ତଥା ବଜାରରେ ଏହି ନୋଟକୁ ବାଣ୍ଟିବା ସହ ଲାଞ୍ଚ ପ୍ରତି ଜନସାଧାରଣରେ ସଚେତନତା ସୃଷ୍ଟି କରୁଛନ୍ତି ।

ଲାଞ୍ଚ ତଥା ଦେଶରୁ ଦୁର୍ନୀତି ଦୂର କରିବା ହେଉଛି ସେମାନଙ୍କର ମୂଳ ଲକ୍ଷ୍ୟ । ତେଣୁ ସେମାନେ ଦେଶରୁ ଦୁର୍ନୀତି ଦୂର କରିବା ପାଇଁ ଏଭଳି ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ‘୦’ ଟଙ୍କିଆ ଜାଲି ନୋଟରେ ଏହା ମଧ୍ୟ ଲେଖାଯାଇଛି ଯେ ଯଦି କେହି ଲାଞ୍ଚ ମାଗନ୍ତି, ତେବେ ଏହି ନୋଟ୍ ଦେଇ ତାଙ୍କ ବିରୁଦ୍ଧରେ ଥାନାରେ ମାମଲା ରୁଜୁ କରନ୍ତୁ ।