• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ: ଦିଲ୍ଲୀର ରୋହିଣୀ କୋର୍ଟ ପରିସରରେ ବୋମା ବିସ୍ଫୋରଣ ମାମଲାରେ ଜଣକୁ ଗିରଫ କରିଛି ଦିଲ୍ଲୀ ପୋଲିସ । ଅଭିଯୁକ୍ତ ଜଣକ ଡିଆରଡିଓର କର୍ମଚାରୀ ବୋଲି ଜଣାପଡ଼ିଛି । ଅଭିଯୋଗ ଅନୁସାରେ ଏହି ବ୍ୟକ୍ତି ଜଣକ ରୋହିଣୀ କୋର୍ଟ କଂପ୍ଲେକ୍ସରେ କମ୍ କ୍ଷମତା ସଂପନ୍ନ ଏକ ବୋମା ଖଞ୍ଜିଥିଲା । ଗତ ୯ ତାରିଖରେ ହୋଇଥିଲା ଏହି ଘଟଣା । ଏହା ପଛରେ କୌଣସି ଆତଙ୍କବାଦୀ ଷଡ଼ଯନ୍ତ୍ର ନାହିଁ ବୋଲି ପୋଲିସ ସ୍ପଷ୍ଟ କରିଛି । ୬ ବର୍ଷ ତଳର ଏକ ଜମିଜମା ବିବାଦକୁ ନେଇ ଜଣେ ଓକିଲଙ୍କୁ ଟାର୍ଗେଟ କରି ଏହି ବୋମା ଖଂଜା ଯାଇଥିଲା ।

ସିସିଟିଭି ଫୁଟେଜକୁ ଆଧାର କରି ଅଭିଯୁକ୍ତକୁ ଧରିବାରେ ପୋଲିସ ସକ୍ଷମ ହୋଇଛି । ପ୍ରାୟ ୮୮ଟି ସିସିଟିଭି କ୍ୟାମେରାର ଫୁଟେଜ ଯାଞ୍ଚ କରାଯାଇଥିଲା ।  ଦେଖାଯାଇଥିଲା ଯେ, ବୋମା ବିସ୍ଫୋରଣର ଅଳ୍ପ ସମୟ ପରେ ଅଭିଯୁକ୍ତ ଜଣକ ଘଟଣାସ୍ଥଳରୁ ଚଂପଟ ମାରିଥିଲା । ବୋମା ବିସ୍ଫୋରଣ ସତ୍ତ୍ୱେ କାହାରି ବିଶେଷ କ୍ଷତି ହୋଇନଥିଲା । କେବଳ ଜଣେ କର୍ମଚାରୀ ସାମାନ୍ୟ ଆହତ ହୋଇଥିଲେ ।

ଗତ ଗୁରୁବାର ସକାଳେ ରାଜଧାନୀ ଦିଲ୍ଲୀର ରୋହିଣୀ କୋର୍ଟରେ ଏହି ବିସ୍ଫୋରଣ ଘଟିଥିଲା । ବୋମା ବିସ୍ଫୋରଣ ସମ୍ପର୍କରେ ଖବର ପାଇବା ପରେ ୬ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା । ତଦନ୍ତ ପାଇଁ ପୋଲିସ କୋର୍ଟ ଖାଲି କରି ଫାଟକ ବନ୍ଦ କରି ଦେଇଥିଲା । ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଏହି ତଦନ୍ତ ଆରମ୍ଭ କରିଥିଲା ।

ଦିଲ୍ଲୀର ରୋହିଣୀ କୋର୍ଟରେ ଘଟିଥିବା ଏହି ବିସ୍ଫୋରଣ କମ୍ ତୀବ୍ରତା ବିଶିଷ୍ଟ ଥିଲା । ଏହା ଏକ ପ୍ରକାର କ୍ରୁଡ ବୋମା ବୋଳି କୁହାଯାଏ । ପୋଲିସ ଘଟଣାସ୍ଥଳରୁ IED ବିସ୍ଫୋରକ ସାମଗ୍ରୀ ଏବଂ ଟିଫିନ୍ ଭଳି ଜିନିଷ ଜବତ କରିଥିଲା । ଏନଏସଜିକୁ ମଧ୍ୟ ଘଟଣାସ୍ଥଳକୁ ଡକାଯାଇଥିଲା । ଅନ୍ୟପକ୍ଷରେ ଦିଲ୍ଲୀ ପୋଲିସ କମିଶନର ରାକେଶ ଆସ୍ଥାନା ମଧ୍ୟ ରୋହିଣୀ କୋର୍ଟରେ ପହଞ୍ଚିଥିଲେ । 

ଖବର ପାଇବା ମାତ୍ରେ ରୋହିଣୀ ଜିଲ୍ଲାର ଡିସିପି ଏବଂ ଏସିପି ଆରତୀ ଶର୍ମା ପୋଲିସ ଟିମ୍ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ । କିଛି ଇଲେକ୍ଟ୍ରୋନିକ୍ ଉପକରଣ ସାହାଯ୍ୟରେ ଏହି ବିସ୍ଫୋରଣ ଘଟିଥିଲା ବୋଲି କୁହାଯାଇଛି ।

କିଛି ଦିନ ପୂର୍ବରୁ ରୋହିଣୀ କୋର୍ଟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା । କୋର୍ଟରେ ଦୁଇଜଣ ଆକ୍ରମଣକାରୀଙ୍କ ଦ୍ୱାରା ଗ୍ୟାଙ୍ଗଷ୍ଟର ଜିତେନ୍ଦ୍ର ଗୋଗିଙ୍କ ଉପରକୁ ଗୁଳି କରାଯାଇଥିଲା । ଏହି ଆକ୍ରମଣରେ ସେ ନିହତ ହୋଇଥିଲେ । ଜିତେନ୍ଦ୍ର ଗୋଗି ଶୁଣାଣି ପାଇଁ କୋର୍ଟରେ ହାଜର ହୋଇଥିଲେ । ଏହା ପରେ ପୋଲିସ ଏହାର ପ୍ରତିଶୋଧ ନେଇ ଦୁଇ ଦୁର୍ବୃତ୍ତଙ୍କୁ ଏନକାଉଣ୍ଟର୍ କରିଥିଲା ।