• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ଛାନିଆ କଲାଣି ଓମିକ୍ରନ ସଂକ୍ରମଣ । ବିଜୁଳି ବେଗରେ ମାଡ଼ୁଛି ଭାଇରସ୍ । ସାରା ବିଶ୍ୱର ହୋସ୍ ଉଡ଼ାଇଥିବା କରୋନାର ଏହି ନୂଆ ଭ୍ୟାରିଏଣ୍ଟର ପ୍ରବେଶ ରୋକିବାକୁ ରାଜ୍ୟ ସୀମାରେ ସଜାଗ ସର୍ଭେଲାନ୍ସ ଟିମ୍ । ସଂକ୍ରମଣକୁ ଜିରୋ କରିବା ସଂଭବ ନୁହେଁ । ହେଲେ ସର୍ଭେଲାନ୍ସ ଦ୍ୱାରା ନିୟନ୍ତ୍ରଣ ସମ୍ଭବ କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ବିଦେଶରୁ ରାଜ୍ୟକୁ ଫେରି କୋଭିଡ୍ ପଜିଟିଭ ଚିହ୍ନଟ ୭ ଜଣଙ୍କ ମଧ୍ୟରୁ ୪ ଜଣଙ୍କ ନମୁନାର ଜେନମ୍ ସିକ୍ୱେନ୍ସିଂ ରିପୋର୍ଟରେ ଓମିକ୍ରନ୍ ନେଗେଟିଭ୍ ରହିଛି । ବଳକା ୩ ଜଣଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଆମେରିକାର ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍ସନ୍ ତଥ୍ୟ ଅନୁଯାୟୀ ଓମିକ୍ରନ୍ ଭ୍ୟାରିଏଣ୍ଟ ଅଧିକ ସଂକ୍ରାମକ । କିନ୍ତୁ ଏଥିରେ ଆକ୍ରାନ୍ତମାନେ ଅଧିକ ଗୁରୁତର ହେଉନାହାନ୍ତି । ଏମିତିକି ଅକ୍ସିଜେନ ବ୍ୟବହାର ଓ ହସ୍ପିଟାଲରେ ଭର୍ତ୍ତି ସଂଖ୍ୟା ମଧ୍ୟ ବଢୁନାହିଁ । ତଥାପି ରାଜ୍ୟ ସରକାର ଓମିକ୍ରନ୍ ମୁକାବିଲା ପାଇଁ ପ୍ରସ୍ତୁତ । ତେବେ ପଜିଟିଭିଟି ହାର ଦେଖି ଆଗକୁ କଣ ପ୍ରତିବନ୍ଧକ ଲଗାଯିବ ସେନେଇ ସରକାର ନିଷ୍ପତ୍ତି ନେବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଅନ୍ୟପଟେ ବିଶ୍ୱର ପ୍ରଥମ ଦେଶ ଭାବେ ଓମିକ୍ରନ ସଂକ୍ରମଣ ରୋକିବାକୁ ଲକ୍‌ଡାଉନ୍ କରିଛି ନେଦରଲ୍ୟାଣ୍ଡସ୍ । ଖ୍ରୀଷ୍ଟମାସ ବେଳେ ସଂକ୍ରମଣ ବଢିବା ଆଶଙ୍କା ଥିବାରୁ ଆଜିଠାରୁ ଆସନ୍ତା ଜାନୁଆରୀ ୧୪ ଯାଏଁ ଦେଶରେ ଲାଗୁ ହୋଇଛି ଲକଡାଉନ୍ । ସେହିପରି ୟୁକେରେ ଚିହ୍ନଟ ହେଉଥିବା କୋଭିଡ୍ ପଜିଟିଭ୍ ମଧ୍ୟରୁ ୬୦ ପ୍ରତିଶତ ଓମିକ୍ରନ୍ ଭ୍ୟାରିଏଣ୍ଟରେ ଆକ୍ରାନ୍ତ ହେଉଥିବା କହିଛନ୍ତି ସେଠାକାର ସ୍ୱାସ୍ଥ୍ୟମନ୍ତ୍ରୀ । ଏପଟେ ଭାରତରେ ଦେଢଶହ ମୁହାଁ ହେଲାଣି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ଗୋଟିଏ ଦିନରେ ଦେଶରେ ୩୦ ନମୁନା ଓମିକ୍ରନ ପ୍ରଜାତି ଚିହ୍ନଟ ହୋଇଥିଲା । ତେଲେଙ୍ଗାନା, ମହାରାଷ୍ଟ୍ର, କର୍ଣ୍ଣାଟକ ଓ କେରଳରେ ଓମ୍ରିକନ୍ କେସ୍ ଦ୍ରୁତଗତିରେ ବଢୁଥିବା ଜଣାପଡ଼ିଛି ।

ନ୍ୟାସନାଲ କୋଭିଡ୍-୧୯ ସୁପର ମଡେଲ୍ କମିଟିର ଅନୁମାନ ଆସନ୍ତା ଫେବ୍ରୁଆରିରେ ଦେଶରେ ପିକ୍‌ରେ ପହଞ୍ଚିପାରେ ଓମିକ୍ରନ୍ ସଂକ୍ରମଣ । ତେବେ ଏହି ୱେଭ୍ କରୋନାର ଦ୍ୱିତୀୟ ୱେଭ୍ ଠାରୁ କମ୍ ଘାତକ ହେବ ବୋଲି ଅନୁମାନ କରାଯାଉଛି ।