/odishatv-khabar/media/post_attachments/uploadimage/library/16_9/16_9_0/IMAGE_1639918068.jpg)
Kantabanji Police
ବଲାଙ୍ଗିର: ଯାହାର କେହି ନାହାନ୍ତି ତାର ପୋଲିସ ଅଛନ୍ତି । ଏକ ଅଚିହ୍ନା ଶବ ସତ୍କାର କରି ଏଭଳି ବାର୍ତ୍ତା ବାଣ୍ଟିଛି ବଲାଙ୍ଗିର କଣ୍ଟାବାଞ୍ଜି ପୋଲିସ । କଣ୍ଟାବାଞ୍ଜି ମେଡିକାଲରେ ଚିକିତ୍ସାଧିନ ଥିବା ଜଣେ ଅଚିହ୍ନା ବ୍ୟକ୍ତିଙ୍କର ମୃତ୍ୟୁ ପରେ ପାରଂପରିକ ରୀତିନୀତି ଅନୁଯାୟୀ ପୋଲିସ ତାଙ୍କର ଶବ ସତ୍କାର କରିଛି ।
ପୋଲିସ ସହ କିଛି ସମାଜସେବୀ ସାମିଲ ହୋଇ ନିକଟସ୍ଥ ଶ୍ମଶାନରେ ଶବଦାହ କରିଛନ୍ତି । ବୃଦ୍ଧ ଜଣକ କଣ୍ଟାବାଞ୍ଜି ସହରରେ ଭିକ ମାଗି ଚଳୁଥିଲେ । ଗତ ୧୬ ତାରିଖରେ ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ସମ୍ମାନର ସହ ମୃତଦେହ ସତ୍କାର କରିଛି । ପୋଲିସର ଏହି ଉଦ୍ୟମକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି ।
ଗତ ୧୬ ତାରିଖ ଦିନ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଉକ୍ତ ଭକ୍ଷୁକଙ୍କ ମୃତ୍ୟୁ ହୋଇଥିଲା । ତିନି ଦିନ ବିତିଯାଇଥିଲେ ମଧ୍ୟ ତାଙ୍କର କେହି ସମ୍ପର୍କୀୟ ନ ଆସିବାରୁ ବୃଦ୍ଧଙ୍କ ଶବ ସତ୍କାର ପାଇଁ ଅଣ୍ଟା ଭିଡିଥିଲା ପୋଲିସ ପ୍ରଶାସନ । ଶେଷରେ କଣ୍ଟାବାଞ୍ଜି ଏସଡିପିଓ ଡା. ହୃଷିକେଶ ମେହେରଙ୍କ ନିର୍ଦ୍ଦେଶକ୍ରମେ ଥାନା ଅଧିକାରୀ ସତ୍ୟଜିତ କଣ୍ଡେଲକର ଓ ସମସ୍ତ ପୋଲିସଙ୍କ ଉପସ୍ଥିତିରେ କଣ୍ଟାବାଞ୍ଜି ହସ୍ପିଟାଲରୁ ଚାରି କାନ୍ଧ ଦେଇଥିଲେ ଚାରି ପୋଲିସ ଅଧିକାରୀ ।
ଏସଡିପିଓ ଡା. ହୃଷିକେଶ ମେହେର, କଣ୍ଟାବାଞ୍ଜି ଥାନା ଅଧିକାରୀ ସତ୍ୟଜିତ କଣ୍ଡେଲକର ଓ ଆଉ ଦୁଇ ପୋଲିସ ଅଧିକାରୀ ନିଜ ନିଜର କାନ୍ଧରେ ବୃଦ୍ଧର ମୃତଦେହକୁ ଶ୍ମଶାନ ଘାଟକୁ ନେଇଥିଲେ । ପୋଲିସକୁ ମଧ୍ୟ ସହରର ସମାଜସେବୀ ଓ କିଛି ଯୁବଗୋଷ୍ଠୀ ମଧ୍ୟ ସହାୟତା କରିଥିଲେ । ଶ୍ମଶାନରେ ଖୋଦ ଏସଡିପିଓ ବୃଦ୍ଧଙ୍କୁ ମୁଖାଗ୍ନି ଦେଇଥିଲେ । ପୋଲିସର ଗୋଟିଏ ନାରା ଯାହାର କେହି ନାହିଁ ତାହାର ପୋଲିସ ଅଛି । କଣ୍ଟାବାଞ୍ଜି ପୋଲିସର ଏଭଳି ପଦକ୍ଷେପକୁ ସବୁଠି ପ୍ରଶଂସା କରାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)