• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସାଂଘାଇରେ ସଂକ୍ରମଣର ସାଂଘାତିକ ସ୍ଥିତି । କରୋନା ସଂକ୍ରମଣ ବେକାବୁ ହେବା ପରେ କେଉଁଠି ଆକାଶରେ ଡ୍ରୋନ୍ ଉଡ଼ି ଲୋକଙ୍କୁ ସଚେତନ କରୁଛି, ତ ଆଉ କେଉଁଠି ରାସ୍ତାରେ ବୁଲି ବୁଲି ସତର୍କ କରୁଛି କୁକୁର ଭଳି ଦେଖାଯାଉଥିବା ଚାରି ଗୋଡ଼ିଆ ରୋବୋଟ୍ । ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି କିଛି ଏପରି ଭିଡିଓ । କେବଳ ଏତିକି ନୁହେଁ ଚୀନ୍ ଭାଷାରେ ଘୋଷଣା ହେଉଛି ଯେ ଦଂପତିମାନେ ଏକାଠି ଶୋଇ ପାରିବେନି, ଏକାଠି ଖାଇପାରିବେନି । କେବଳ ଏତିକି ନୁହେଁ, ଚୁମ୍ବନ ଓ ଆଲିଙ୍ଗନକୁ ବି ବାରଣ କରାଯାଇଛି ।

ଚୀନରେ ବାଣିଜ୍ୟିକ ନଗରୀ ସାଂଘାଇରେ ମାର୍ଚ୍ଚ ପହିଲାରୁ ଗତକାଲି ପର୍ଯ୍ୟନ୍ତ ଚିହ୍ନଟ ହୋଇଛନ୍ତି ଲକ୍ଷେ ୧୪ ହଜାରରୁ ଅଧିକ କରୋନା ଆକ୍ରାନ୍ତ । ମହାମାରୀ ଆରମ୍ଭ ଦିନଠାରୁ ଦେଶରେ ଯେତିକି ଆକ୍ରାନ୍ତ ଚିହ୍ନଟ ହୋଇଥିଲେ, ଏହି ସଂଖ୍ୟା ତା ଠାରୁ ବି ଅଧିକ । ତେବେ ଗତକାଲି ୨୪ ଘଣ୍ଟାରେ ଏଠାରେ ସର୍ବକାଳୀନ ରେକର୍ଡ ୧୯ହଜାର ୯୮୨ ଆକ୍ରାନ୍ତ ଚିହ୍ନଟ ହେବା ପରେ ବଢିଛି ଚୀନ୍ର ଚିନ୍ତା । ମହାମାରୀର କୋପ ବଢିବା ପରେ  ମାର୍ଚ୍ଚ ୨୮ରୁ ସହରରେ  ଲାଗୁ ହୋଇଛି ଟୋଟାଲ୍ ଲକ୍ ଡାଉନ୍  । ତଥାପି କମୁନି ସଂକ୍ରମଣ।  ସାଂଘାଇରେ କରୋନା ସ୍ଥିତି ଅତି ସାଂଘାତିକ ବୋଲି ପ୍ରଶାସନିକ ଅଧିକାରୀ କହିଛନ୍ତି।  

ସଂକ୍ରମଣ ରୋକିବାକୁ ସହରରେ ହଜାର ହଜାର ସଂଖ୍ୟାରେ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ପଠାଯାଇଛି  ।  ତେବେ ସହରରେ କେହି ଜଣେ ବି ମହାମାରୀରେ ମରିବାର ଖବର ଆସିନି।  ତେଣୁ ଚୀନ  ସରକାରଙ୍କ ତଥ୍ୟକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ତେବେ କୋଭିଡକୁ ନେଇ ଚୀନର ଜିରୋ ଟଲରାନ୍ସ ନୀତି ଜିନପିଙ୍ଗ୍ ସରକାରକୁ ଅଡୁଆରେ ପକାଇବାରେ । ସଂପୂର୍ଣ୍ଣ ଲକଠଉନକୁ ନେଇ ଅସନ୍ତୋଷ ବଢୁଥିବା ବେଳେ ଲୋକଙ୍କ ଧୈର୍ଯ୍ୟର ବନ୍ଧ ବି ଭାଙ୍ଗିବାରେ ଲାଗିଛି । ଲୋକେ ଘରର ଛାତ ଓ ବାଲକୋନିକୁ ଆସି ପ୍ରତିବାଦ କରିବା ପରେ ସେମାନଙ୍କୁ ଡ୍ରୋନ୍ ସହାୟତାରେ ସଚେତନ କରାଯାଉଛି ।.

ସଂପୂର୍ଣ୍ଣ ଲକଉନକୁ ନେଇ ସାଂଘାଇରେ  ଠପ୍ ପଡିଯାଇଛି ବେପାର ବଣିଜ । ଦୋକାନବଜାର, ଅଫିସ, ଶିକ୍ଷା ସହ ଯାନବାହନ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଛି । ଖାଦ୍ୟ ପଦାର୍ଥ, କ୍ଷୀର ସମେତ ଅତ୍ୟାବଶ୍ୟକ ସାମଗ୍ରୀ ମିଳୁନଥିବା ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି କ୍ୱାରେଣ୍ଟିନ ସେଣ୍ଟରଗୁଡିକରେ ଗାଧୋଇବା ଲାଗି ପାଣି ମିଳୁନଥିବା ବେଳେ ପାଇଖାନାଗୁଡିକର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । 

 ଅନ୍ୟପକ୍ଷରେ କୋଭିଡ୍ ସଂକ୍ରମିତ ପିତାମାତାଙ୍କ ଠାରୁ ସେମାନଙ୍କ ପିଲାଙ୍କୁ ପୃଥକ କରାଯାଉଥିବାରୁ ବି ଅସନ୍ତୋଷ ତେଜିଛି । ଏପଟେ ଏପ୍ରିଲ ମାସ ସାରା ଲକଠାଉନ ବଳବତ୍ତର ରହିବା ଆଶଙ୍କା କରାଯାଉଛି । ଏହାକୁ ନେଇ ସାଂଘାଇବାସୀ କ୍ଷୁବ୍ଧ ହୋଇଛନ୍ତି । ଲକଡାଉନ ଯଦି ଜୁନ୍ ମାସ ଯାଏଁ ବଳବତ୍ତର ରହେ ତେବେ ଚୀନର ଅର୍ଥନୀତି ସାଂଘାତିକ ଭାବେ କ୍ଷତିଗ୍ରସ୍ତ ହେବା ଆଶଙ୍କା ପ୍ରକାଶ ପାଇଛି। ଚୀନର ବାର୍ଷିକ ଆର୍ଥିକ ଅଭିବୃଦ୍ଧି ହାର ୫.୫ ପ୍ରତିଶତ ରହିଥିବା ବେଳେ ଲକଡାଉନ ବଢିଲେ ଏହା ୧.୫ରୁ ୨ ପ୍ରତିଶତ ଯାଏଁ କମିଯିବା ଆଶଙ୍କା କରାଯାଉଛି।

୨୦୧୯ରେ ଚୀନ୍ର ୟୁହାନ ସହରରେ ଚିହ୍ନଟ ହୋଇଥିଲେ ପ୍ରଥମ କୋଭିଡ୍ ରୋଗୀ । ତାପରେ ସାରା ବିଶ୍ୱକୁ ବିଜୁଳି ବେଗରେ ମାଡି ଯାଇଥିଲା ଏହି ମାରାତ୍ମକ ଭୂତାଣୁ । ଉହାନର ଏକ ପରୀକ୍ଷାଗାରରେ  କରୋନା ଭୂତାଣୁ ଜୈବିକ ଅସ୍ତ୍ର ଭାବେ ବ୍ୟବହାର ନେଇ ଚାଲିଥିବା ପରୀକ୍ଷଣରେ ବେଳେ ଦୁର୍ଘଟଣା ବଶତଃ ଏହା ଲିକ୍ ହୋଇଯାଇଥିବା ଅଭିଯୋଗ ଉଠିଥିଲା।  ମାତ୍ର ଚୀନ୍ ଏହି ଅଭିଯୋଗକୁ ଦୃଢ଼ ଭାବେ ଖଣ୍ଡନ କରିଥିଲା । ଅନ୍ୟପକ୍ଷରେ ରୂପ ବଦଳାଉଥିବା କରୋନା ଭୂତାଣୁ ସାରା ବିଶ୍ୱକୁ ନୟାନ୍ତ କରିଥିଲେ ମଧ୍ୟ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି । ଫଳରେ ବିଶ୍ୱ ଏକ ରକମ ଆଶ୍ୱସ୍ତ ହୋଇଛି । ତେବେ ମହାମାରୀ ଶେଷ ପଯର୍ୟାୟରେ ପହଞ୍ଚିଥିବା କୁହାଯାଉଥିଲେ ମଧ୍ୟ କରୋନା ଚୀନକୁ ନାକେଦମ୍ କରୁଛି।