• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

କିଛି ମାସ ପୂର୍ବେ ଟିମ୍ ଇଣ୍ଡିଆ ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ (ଡବ୍ଲୁ୍ୟଟିସି) ୨୦୨୩-୨୫ ଚକ୍ରର ଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ିବା ପରେ କ୍ରିକେଟର ପାରମ୍ପରିକ ଫର୍ମାଟରୁ ରୋହିତ ଶର୍ମାଙ୍କ ଅବସର ଓ ତାଙ୍କ ଉତ୍ତରାଧିକାରୀଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା ।

ଭାରତୀୟ ଟେଷ୍ଟ ଟିମ୍ ଘରେ ନ୍ୟୁଜିଲାଣ୍ଡ ଠାରୁ ସିରିଜ୍ ହାରିବା ପରେ ଅଷ୍ଟ୍ରେଲିଆରେ ବର୍ଡର-ଗାଭାସ୍କର ଟ୍ରଫିରେ ବି ପରାଜିତ ହୋଇଥିଲା । ଉଭୟ ସିରିଜରେ ଅଧିନାୟକ ରୋହିତଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ମଧ୍ୟ ନୈରାଶ୍ୟଜନକ ଥିଲା । ସେତେବେଳେ ସେ ଅଧିନାୟକତ୍ୱ ଓ ବ୍ୟକ୍ତିଗତ ପ୍ରଦର୍ଶନକୁ ନେଇ ସମାଲୋଚନାର ଶରବ୍ୟ ହୋଇଥିଲେ ବି ନା ଅଧିନାୟକତ୍ୱ ଛାଡ଼ିଥିଲେ ନା ଅବସର ନେଇଥିଲେ ।

ଭାରତୀୟ ଟେଷ୍ଟ ଟିମ୍ ଜୁନ୍-ଜୁଲାଇରେ ଇଂଲଣ୍ଡ ଗସ୍ତ କରିବ । ନୂଆ (୨୦୨୫-୨୭) ଟେଷ୍ଟ ଚକ୍ରରେ ଏହା ଭାରତର ପ୍ରଥମ ସିରିଜ୍ ହେବ । ତେବେ ଏଥିରେ ଟେଷ୍ଟ ଟିମ୍ର ଅଧିନାୟକ ଓ ଉପ-ଅଧିନାୟକ କିଏ ହେବେ, ତାହା ସ୍ଥିର କରିବା ଚୟନ କମିଟି ପାଇଁ ଏକ ଚାଲେଞ୍ଜ୍ ହୋଇପାରେ ।

ମେ’ ଦ୍ୱିତୀୟ ସପ୍ତାହରେ ଟିମ୍ ଘୋଷଣା କରାଯାଇପାରେ । ରୋହିତ ଇଂଲଣ୍ଡ ଗସ୍ତରେ ପୁନର୍ବାର ଟିମ୍‌ର ଅଧିନାୟକ ହୋଇପାରନ୍ତି । କିନ୍ତୁ ଯଶପ୍ରୀତ ବୁମରା ଉପ-ଅଧିନାୟକତ୍ୱ ବଜାୟ ରଖିବାର ସମ୍ଭାବନା କମ୍, ଏହାର କାରଣ ତାଙ୍କ ଫିଟନେସ ସମସ୍ୟା ।

ଚୟନକାରୀମାନେ ଜଣେ ଯୁବ ଖେଳାଳିଙ୍କୁ ଟେଷ୍ଟ ଟିମ୍‌ର ଉପ-ଅଧିନାୟକ କରିବାକୁ ଚାହାନ୍ତି, ଯିଏ ଭବିଷ୍ୟତରେ ଅଧିନାୟକ ହେବେ । ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ମଧ୍ୟ ଭବିଷ୍ୟତର ଟିମ୍ ପ୍ରସ୍ତୁତ କରିବାକୁ ଚାହାନ୍ତି । ସେ ଏଭଳି ଅଧିନାୟକ ଚାହାନ୍ତି ଯିଏ ଦୀର୍ଘ ଦିନ ଯାଏଁ ତାଙ୍କ ସହିତ ରହିବେ ।

ଯିଏ ଟିମ୍‌ର ଉପ-ଅଧିନାୟକ ଦାୟିତ୍ୱ ପାଇବେ, ସେ ହେବେ ଅଧିନାୟକ ରୋହିତଙ୍କ ଉତ୍ତରାଧିକାରୀ । ଏଥିପାଇଁ ଦୁଇ ନାମକୁ ନେଇ ଚର୍ଚ୍ଚା ହେଉଛି, ଜଣେ ହେଲେ ଶୁବମନ ଗିଲ୍ ଓ ଅନ୍ୟ ଜଣେ ରିଷଭ ପନ୍ତ । ଉଭୟଙ୍କ ମଧ୍ୟରୁ କାହାକୁ ଚୟନ କରାଯିବ? କିଏ ହେବେ ରୋହିତଙ୍କ ଉତ୍ତରାଧିକାରୀ?

ଶୀଘ୍ର ରୋହିତଙ୍କ ଉତ୍ତରାଧିକାରୀ ଖୋଜାଯିବା କାହିଁକି ଜରୁରୀ

ଟେଷ୍ଟରେ ଶୀଘ୍ର ଅଧିନାୟକ ରୋହିତଙ୍କ ଉତ୍ତରାଧିକାରୀ ଖୋଜାଯିବା ଜରୁରୀ । ଏହାର ମୁଖ୍ୟତଃ ତିନି କାରଣ ରହିଛି ।

ଏହାର ପ୍ରଥମ କାରଣ ହେଉଛି, ରୋହିତ ଏବେ ତାଙ୍କ କ୍ୟାରିଅରର ଅନ୍ତିମ ସୋପାନ ଦେଇ ଗତି କରୁଛନ୍ତି । ତାଙ୍କୁ ୩୮ ବର୍ଷ ବୟସ ହେଲାଣି । ବୟସାଧିକ୍ୟ ଯୋଗୁଁ ଉଭୟ ଟେଷ୍ଟ ଓ ଦିନିକିଆ ଆନ୍ତର୍ଜାତିକ ଖେଳିବା ତାଙ୍କ ପାଇଁ ସହଜ ହେବ ନାହିଁ । କ୍ୟାରିଅର୍କୁ ଆଉ କିଛି ବାଟ ଆଗକୁ ନେବା ପାଇଁ ତାଙ୍କୁ ଉଭୟ ଫର୍ମାଟ୍ ମଧ୍ୟରୁ ଗୋଟିଏକୁ ବାଛିବାକୁ ପଡ଼ିପାରେ ।

ଦ୍ୱିତୀୟ କାରଣ ହେଉଛି, ଟେଷ୍ଟ ଅଧିନାୟକତ୍ୱରେ ତାଙ୍କର ଆଉ ପୂର୍ବ ଭଳି ଦମ୍ ନାହିଁ । ଏହାର ଉଦାହରଣ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ବିପକ୍ଷ ପୂର୍ବ ଦୁଇ ସିରିଜରେ ଦେଖିବାକୁ ମିଳିଥିଲା ।

ସେ ଏ ଯାବତ ୨୪ ଟେଷ୍ଟରେ ଭାରତୀୟ ଟିମ୍‌ର ନେତୃତ୍ୱ ନେଇଛନ୍ତି । ସେଥିମଧ୍ୟରୁ ଟିମ୍ ୧୨ ମ୍ୟାଚ୍ ଜିତିଥିବା ବେଳେ ନଅ ମ୍ୟାଚ୍ ହାରିଛି ଏବଂ ଅନ୍ୟ ତିନି ମ୍ୟାଚ୍ ଡ୍ର’ ରହିଛି ।

ତୃତୀୟ କାରଣ ହେଉଛି, ତାଙ୍କ ଦୁର୍ବଳ ବ୍ୟାଟିଂ ପ୍ରଦର୍ଶନ । ଅଧିନାୟକତ୍ୱ ବଜାୟ ରଖିବାରେ ତାଙ୍କ ବ୍ୟାଟିଂର ବଡ଼ ଭୂମିକା ରହିଆସିଛି । କିନ୍ତୁ ସେ ଟେଷ୍ଟରେ ଅନେକ ଦିନ ହେଲା ଫର୍ମରେ ନାହାନ୍ତି । ସେ ୨୦୨୪ ମାର୍ଚ୍ଚରେ ଧର୍ମଶାଳା ଠାରେ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ତାଙ୍କ ଶେଷ ଶତକ ଲଗାଇଥିଲେ ।

ରୋହିତ ଅଷ୍ଟ୍ରେଲିଆ ବିପକ୍ଷରେ ପାଞ୍ଚ ଇନିଂସ୍ ଖେଳି ମାତ୍ର ୩୧ ରନ୍ ସଂଗ୍ରହ କରିଥିଲେ । ଏହା ପୂର୍ବରୁ ଘରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଛଅ ଇନିଂସରେ ୯୧ ଓ ବାଂଲାଦେଶ ବିପକ୍ଷରେ ଚାରି ଇନିଂସରେ ୪୨ ରନ୍ କରିଥିଲେ ।

ରୋହିତଙ୍କ ଅଧିନାୟକତ୍ୱରେ ଭାରତୀୟ ଦିନିକିଆ ଟିମ୍ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଜିତିଥିବାରୁ ଏହାର ସକାରାତ୍ମକତାକୁ ଦୃଷ୍ଟିରେ ରଖି ତାଙ୍କୁ ପରବର୍ତ୍ତୀ କିଛି ଟେଷ୍ଟ ସିରିଜ୍ ପାଇଁ ଅଧିନାୟକ ଭାବେ ଅପରିବର୍ତ୍ତିତ ରଖାଯାଇପାରେ । ତେବେ ଏଥିରେ ଟିମ୍ର ଓ ତାଙ୍କର ବ୍ୟକ୍ତିଗତ ପ୍ରଦର୍ଶନ ଉପରେ ବି ନଜର ରହିବ ।

ଇଂଲଣ୍ଡ ଗସ୍ତରେ ଗିଲ୍ ହୋଇପାରନ୍ତି ଉପ-ଅଧିନାୟକ

ଭାରତୀୟ ଟିମ୍ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବା ପାଇଁ ଇଂଲଣ୍ଡ ଗସ୍ତ କରିବ । ଏହି ଗସ୍ତ ଜୁନ୍ ୨୦ରୁ ଜୁଲାଇ ୩୧ ଯାଏଁ ଚାଲିବ ।

ବ୍ୟାଟର୍ ଗିଲଙ୍କୁ ଏହି ଟେଷ୍ଟ ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ଉପ-ଅଧିନାୟକ ମନୋନୀତ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଏଭଳି ଖେଳାଳି ଚାହୁଁଛି ଯିଏ ସିରିଜର ସମସ୍ତ ପାଞ୍ଚ ଟେଷ୍ଟ ମ୍ୟାଚ୍ ପାଇଁ ଉପଲବ୍ଧ ହେବେ ଏବଂ ତାଙ୍କୁ ଉପ-ଅଧିନାୟକ ଦାୟିତ୍ୱ ଦିଆଯିବ । ଏହି ଭୂମିକା ପାଇଁ ଗିଲଙ୍କୁ ଅନ୍ୟମାନଙ୍କ ଠାରୁ ଅଗ୍ରାଧିକାର ଦିଆଯାଇପାରେ ।

ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ପେସର୍ ବୁମରା ଉପ-ଅଧିନାୟକ ଥିଲେ । ସେ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଦୁଇ ଟେଷ୍ଟରେ ଟିମ୍‌ର ନେତୃତ୍ୱ ନେଇଥିଲେ । ସେଥିମଧ୍ୟରେ ଟିମ୍ ପର୍ଥରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍ ଜିତିଥିବା ବେଳେ ସିଡ୍‌ନୀରେ ହୋଇଥିବା ପଞ୍ଚମ ତଥା ଶେଷ ମ୍ୟାଚ୍‌ରେ ହାରିଯାଇଥିଲା ।

ସିଡ୍‌ନୀ ଟେଷ୍ଟରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ୍ ସମୟରେ ବୁମରା ଆହତ ହୋଇଥିଲେ । ଏହାପରେ ସେ ଆଉ ବୋଲିଂ କରିପାରି ନ ଥିଲେ । ଟିମ୍‌ର ପ୍ରଦର୍ଶନ ଉପରେ ଏହାର ପ୍ରଭାବ ପଡ଼ିଥିଲା ।

ଏହି କାରଣରୁ ସେ ଚାମ୍ପିଅନ୍ସ ଟ୍ରଫିରେ ବି ଖେଳିପାରି ନ ଥିଲେ । ଏବେ ସେ ଫିଟ୍ ହୋଇ ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ (ଆଇପିଏଲ୍) ୨୦୨୫ ଜରିଆରେ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।

ଇଂଲଣ୍ଡ ଗସ୍ତରେ ବୁମରା ସମସ୍ତ ମ୍ୟାଚ୍ ଖେଳିପାରିବେ ବୋଲି ଦୃଢ଼ କଣ୍ଠରେ କୁହାଯାଇପାରିବ ନାହିଁ । କାର୍ଯ୍ୟଭାର ପରିଚାଳନା ଦୃଷ୍ଟିରୁ ଚୟନ କମିଟି ତାଙ୍କୁ କିଛି ମ୍ୟାଚ୍‌ରୁ ବିଶ୍ରାମ ଦେଇପାରେ ।

ଏପରି ସ୍ଥଳେ ଭିନ୍ନ ଭିନ୍ନ ମ୍ୟାଚ୍ ପାଇଁ ଭିନ୍ନ ଭିନ୍ନ ଉପ-ଅଧିନାୟକ ରଖାଯିବା ଠିକ୍ ହେବ ନାହିଁ । ତେଣୁ ପ୍ରଥମରୁ ସ୍ଥିର ଅଧିନାୟକ ଓ ଉପ-ଅଧିନାୟକ ମନୋନୀତ କରିବାକୁ ହେବ, ଯିଏ ସମସ୍ତ ମ୍ୟାଚ୍ ଖେଳିପାରିବେ ।

କିଏ ହେବେ ରୋହିତଙ୍କ ଯୋଗ୍ୟ ଉତ୍ତରାଧିକାରୀ - ଗିଲ୍ ନା ପନ୍ତ

ଟେଷ୍ଟରେ ରୋହିତଙ୍କ ଉତ୍ତରାଧିକାରୀ ଦୌଡ଼ରେ ଏବେ ଦୁଇ ଯୁବ ଖେଳାଳି - ଗିଲ୍ ଓ ପନ୍ତ ଅଛନ୍ତି । ଅନ୍ୟତମ ପ୍ରତିଭାଶାଳୀ ବ୍ୟାଟର୍ ଯଶସ୍ୱୀ ଜୟସ୍ୱାଲଙ୍କୁ ବି ତାଲିକାଭୁକ୍ତ କରାଯାଇପାରେ, ହେଲେ ଟେଷ୍ଟ ଟିମ୍‌ର କୌଣସି ଦାୟିତ୍ୱ ସମ୍ଭାଳିବା ଭଳି ବୟସ ତାଙ୍କର ହୋଇ ନାହିଁ ।

ପ୍ରଦର୍ଶନ ଓ ଖେଳରେ ଅଭିଜ୍ଞତା ଦୃଷ୍ଟିରୁ ଦେଖିଲେ, ରୋହିତଙ୍କ ପରେ ବୁମରା ଟେଷ୍ଟ ଅଧିନାୟକତ୍ୱ ପାଇଁ ଏକ ନମ୍ବର ପସନ୍ଦ ହେବା କଥା । କିନ୍ତୁ ଫିଟନେସ୍ ଦୃଷ୍ଟିରୁ ବିଚାର କଲେ, ତାଙ୍କୁ ଅଧିନାୟକ କରାଯିବାରେ ରିସ୍କ ଅଛି । ଏହାଛଡ଼ା ଅଧିନାୟକତ୍ୱର ଚାପ ଯୋଗୁଁ ତାଙ୍କ ବୋଲିଂ ବି ପ୍ରଭାବିତ ହୋଇପାରେ ।

ଏବେ ପନ୍ତ ଟେଷ୍ଟରେ ବିଶ୍ୱର ଶ୍ରେଷ୍ଠ ୱିକେଟକିପର-ବ୍ୟାଟରଙ୍କ ମଧ୍ୟରେ ପରିଗଣିତ ହେଉଛନ୍ତି । ସେ ଏ ଯାବତ ୪୩ ଟେଷ୍ଟ ଖେଳି ୨୯୪୮ ରନ୍ ସଂଗ୍ରହ କରିଛନ୍ତି, ଯେଉଁଥିରେ ଛଅ ଶତକ ରହିଛି । ଅନ୍ୟପଟେ, ଗିଲ୍ ଏ ଯାବତ ୩୨ ଟେଷ୍ଟ ଖେଳି ୧୮୯୩ ରନ୍ କରିଛନ୍ତି ।

ଅଧିନାୟକତ୍ୱ ଦୃଷ୍ଟିରୁ ଦେଖିଲେ, ଉଭୟଙ୍କର ଆଇପିଏଲରେ ନେତୃତ୍ୱ ନେବାର ଅଭିଜ୍ଞତା ଅଛି । ପନ୍ତ ଅବଶ୍ୟ ଏ ଦିଗରେ ଗିଲଙ୍କ ଠାରୁ ଅଧିକ ଅଭିଜ୍ଞ । କିନ୍ତୁ ଯଦି ଆଇପିଏଲ ୨୦୨୫ ସିଜନ୍ କଥା ବିଚାରକୁ ନିଆଯିବ, ଗୁଜରାଟ ଟାଇଟନ୍ସର ଅଧିନାୟକ ଭାବେ ଗିଲ୍ ଅଧିକ ପ୍ରଭାବିତ କରିପାରିଛନ୍ତି । ସେ ପୂର୍ବ ସିଜନ୍ରୁ ଏହି ଟିମ୍‌ର ନେତୃତ୍ୱ ନେଉଛନ୍ତି ।

ଚଳିତ ସିଜନରେ ଗିଲ୍ ଏ ଯାବତ ୧୧ ମ୍ୟାଚ୍ ଖେଳି ୫୦୮ ରନ୍ ସଂଗ୍ରହ କରିଛନ୍ତି । ଅନ୍ୟପଟେ, ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍ସର ପନ୍ତ ଉଭୟ ଅଧିନାୟକତ୍ୱ ଓ ବ୍ୟାଟିଂରେ ନିରାଶ କରିଛନ୍ତି । ପନ୍ତ ୧୧ ମ୍ୟାଚ୍ ଖେଳି ମାତ୍ର ୧୨୮ ରନ୍ କରିଛନ୍ତି ।

ମେ’ ୬ ସୁଦ୍ଧା ଉଭୟ ଟିମ୍ ୧୧ ମ୍ୟାଚ୍ ଖେଳିଛନ୍ତି । ଗୁଜରାଟ ୧୬ ପଏଣ୍ଟ ସହ ଟେବୁଲ୍ ଶୀର୍ଷରେ ଥିବା ବେଳେ ଲକ୍ଷ୍ନୌ ୧୦ ପଏଣ୍ଟ ସହ ସପ୍ତମ ସ୍ଥାନରେ ଅଛି ।

ଗିଲଙ୍କୁ ହ୍ୱାଇଟ୍-ବଲ୍ ଟିମ୍ ଦ୍ୱୟର ଉପ-ଅଧିନାୟକ ଦାୟିତ୍ୱ ଦିଆସରିଛି । ଟେଷ୍ଟରେ ବି ତାଙ୍କୁ ଉପ-ଅଧିନାୟକ କରାଯାଇ ଭବିଷ୍ୟତର ଅଧିନାୟକ ଭାବେ ପ୍ରସ୍ତୁତ କରାଯିବାର ସମ୍ଭାବନା ରହିଛି ।

ନୂଆ ଟେଷ୍ଟ ଚକ୍ର ମଝିରେ ହିଁ ଟେଷ୍ଟ ଅଧିନାୟକତ୍ୱ ବଦଳିପାରେ । ଯଦି ଗିଲଙ୍କୁ ଅଗ୍ରାଧିକାର ଦିଆଯାଏ, ସେତେବେଳକୁ ସେ ରୋହିତଙ୍କ ଉତ୍ତରାଧିକାରୀ ହେବା ପାଇଁ ଯୋଗ୍ୟ ହୋଇଯିବେଣି ।