Advertisment

ଟ୍ୱିନ୍‌ସିଟିରେ ଖରା କର୍ଫ୍ୟୁ; ମେ' ପହିଲା ଯାଏ ହିଟ୍‌ୱେଭ୍ ଆଲର୍ଟ

ଆସନ୍ତା ମେ' ପହିଲା ଯାଏଁ ଏଭଳି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରୁ ଟ୍ୱିନସିଟିବାସୀଙ୍କୁ ତ୍ରାହି ମିଳିବନି । ସମ୍ଭାବ୍ୟ ଗ୍ରୀଷ୍ମପ୍ରବାହକୁ ଦେଖି ମେ ୧ ଯାଏଁ ହିଟୱେଭ୍ ଆଲର୍ଟ ଜାରି କରାଯାଇଛି।

author-image
Sonali Ojha
Heatwave

Heatwave

ଅସମ୍ଭାଳ ଗ୍ରୀଷ୍ମ ପ୍ରବାହରେ ଛଟପଟ ରାଜଧାନୀ, ସନ୍ତୁଳି ହେଉଛି ହଜାରେ ବର୍ଷର ସହର କଟକ। ଗତ ୧୦ ଦିନ ହେଲା ଟ୍ୱିନସିଟିରେ ଖରା ତ ନୁହେଁ, ଆକାଶ ଉପରୁ ସତେଯେମିତି ଖସୁଛି ନିଆଁଝୁଲ। ୪୦ ତଳକୁ ଖସିବାର ନାଁ ଧରୁନି ପାରଦର ଗ୍ରାଫ୍। ଏଭଳି ଅସ୍ୱାଭାବିକ ଗ୍ରୀଷ୍ମପ୍ରବାହକୁ ନେଇ ଟ୍ୱିନସିଟିବାସୀ ଆତଙ୍କିତ ହୋଇପଡ଼ିଥିବା ବେଳେ ଉଦବେଗ ପ୍ରକାଶ କରିଛନ୍ତି ପରିବେଶବିତ୍।

Advertisment

ଆଜି ଦିନ ୧୧ଟା ୩୦ ସୁଦ୍ଧା ଭୁବନେଶ୍ୱରରେ ସର୍ବାଧିକ ୪୧.୬°C ତାପମାତ୍ରା ରେକର୍ଡ ହୋଇଛି। ସେହିପରି ବାଲେଶ୍ୱର: ୪୦.୭°C ଚାନ୍ଦବାଲି: ୪୦.୨°C କେନ୍ଦୁଝର: ୪୦°C ଝାରସୁଗୁଡା: ୩୯.୫°C ସମ୍ବଲପୁର: ୩୯.୪°C ରାଉରକେଲା: ୩୯.୪°C ହୀରାକୁଦ: ୩୭.୮°C ପୁରୀ: ୩୪.୨°C ଗୋପାଳପୁର: ୩୩.୫°C ପାରାଦୀପ: ୩୩.୪°C ତାପମାତ୍ରା ରେକର୍ଡ କରାଯାଇଛି।

ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ଅନୁଗୁଳରେ ୩୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା। ସେହିପରି ଭବାନୀପାଟଣା ୩୫.୫, ତାଳଚେର ୩୫.୪,ବାଲେଶ୍ବର ୩୪.୮, କେନ୍ଦୁଝର ୩୪.୮ ଏବଂ ଝାରସୁଗୁଡ଼ାରେ ୩୪.୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ବରରେ ୩୩.୪ ଏବଂ କଟକରେ ସକାଳ ସାଢ଼େ ୮ଟା ସୁଦ୍ଧା ୩୩.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା।

Advertisment

ରାଜଧାନୀରେ ଖଇଫୁଟୁଛି ତାତି। ଗ୍ରୀଷ୍ମ ପ୍ରକୋପରେ ଦିନ ତ ଦିନ ରାତି ବି ଏଠି ଭୟଙ୍କର। ସାନ-ବଡ଼ ସମସ୍ତଙ୍କ ଅବସ୍ଥା ଏଠି ବେହାଲ୍। ମୁଣ୍ଡଫଟା ଖରା ଅସ୍ତବ୍ୟସ୍ତ କରିପକାଇଛି ସମସ୍ତଙ୍କୁ। ସମଦଶା ଭୋଗୁଛନ୍ତି ସିଲଭର୍ ସିଟି କଟକ ବାସିନ୍ଦା। ପେଟପାଟଣାକୁ ନେଇ ଚିନ୍ତାରେ ଥିବା ବ୍ୟକ୍ତିଙ୍କୁ କେବଳ ଘରୁ ବାହାରିବାକୁ ପଡୁଛି ନଚେତ, ସହରରେ ସତେ ଯେମିତି ଜାରି ହୋଇଛି ଅଘୋଷିତ କର୍ଫ୍ୟୁ।

ଆସନ୍ତା ମେ‘ ପହିଲା ଯାଏଁ ଏଭଳି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରୁ ଟ୍ୱିନସିଟିବାସୀଙ୍କୁ ତ୍ରାହି ମିଳିବନି । ସମ୍ଭାବ୍ୟ ଗ୍ରୀଷ୍ମପ୍ରବାହକୁ ଦେଖି ମେ ୧ ଯାଏଁ ହିଟୱେଭ୍ ଆଲର୍ଟ ଜାରି କରାଯାଇଛି। ଦିନ ସାଢ଼େ ୧୧ ପର୍ଯ୍ୟନ୍ତଗୁଳୁଗୁଳି ଅଧିକ ରହିବ, ପରେ ତାତି ବଢ଼ିବ। ଉପକୂଳରେ ପ୍ରାୟ ସବୁ ସ୍ଥାନରେ ଆର୍ଦ୍ରତା ୬୫ ପ୍ରତିଶତରୁ ଅଧିକ ରହୁଥିବାରୁ ଅସମ୍ଭାଳ ହେଉଛି ସ୍ଥିତି।

ଭୁବନେଶ୍ବରରେ କାଲିର ତାପମାତ୍ରା ସ୍ବାଭାବିକଠୁ ୬.୮ ଡିଗ୍ରୀ ଅଧିକ ଥିଲା। ଆଜି ମଧ୍ୟ ତାପମାତ୍ରା କିଛି ସ୍ଥାନରେ ୪୪ ଡିଗ୍ରୀ ଉପରେ ରହିବ। ଆଉ କିଛି ସ୍ଥାନରେ ତାପମାତ୍ରା ୪୫ ପାଖାପାଖି ପହଞ୍ଚିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।ତା’ସହ ସତର୍କ ରହିବା ପାଇଁ ସରକାରୀ ସୂଚନା ବି ଦିଆଯାଉଛି।

ସେପଟେ ଟ୍ୱିନସିଟିରେ କ୍ରମାଗତ ବୃଦ୍ଧି ପାଉଥିବା ଏଭଳି ତାପମାତ୍ରାକୁ ନେଇ ଉଦବେଗ କରିଛନ୍ତି ପରିବେଶବିତ୍। କହିଛନ୍ତି, ୪୦ ବର୍ଷ ତଳେ ଭୁବନେଶ୍ୱରର ପରିବେଶ ବେଶ୍ ଆରାମଦାୟକ ଥିଲା। କିନ୍ତୁ ଏବେ କ୍ରମାଗତ ଭାବେ ହ୍ରାସ ପାଉଥିବା ସବୁଜିମା, ଯାନବାହନ ସଂଖ୍ୟା ବୃଦ୍ଧି ଏବଂ ନିର୍ମାଣ କ୍ଷେତ୍ର ପାଇଁ ବିଗିଡ଼ିଯାଇଛି ପରିବେଶ।

Heat Wave In Odisha Weather Heat Wave
Advertisment
Advertisment