Advertisment

ଟ୍ୱିନ୍‌ସିଟିରେ ଖଇ ଫୁଟୁଛି; ଦିନ ରାତି ଏଠି ସବୁ ଭୟଙ୍କର

୪୦ ତଳକୁ ଖସିବାର ନାଁ ଧରୁନି ପାରଦର ଗ୍ରାଫ୍। ଆଜି ସର୍ବାଧିକ ୪୪.୬ ଡିଗ୍ରୀ ସହ ଚଳିତ ଗ୍ରୀଷ୍ମୠତୁରେ ସର୍ବକାଳୀନ ରେକର୍ଡ କରିଛି ଭୁବନେଶ୍ୱରର ତାପମାତ୍ରା।

author-image
Manoranjan Behera
undefined

Heat wave

ଅସମ୍ଭାଳ ଗ୍ରୀଷ୍ମ ପ୍ରବାହରେ ଛଟପଟ ରାଜଧାନୀ, ସନ୍ତୁଳି ହେଉଛି ହଜାରେ ବର୍ଷର ସହର କଟକ। ଗତ ୧୦ ଦିନ ହେଲା ଟ୍ୱିନସିଟିରେ ଖରା ତ ନୁହେଁ, ଆକାଶ ଉପରୁ ସତେଯେମିତି ଖସୁଛି ନିଆଁଝୁଲ। ୪୦ ତଳକୁ ଖସିବାର ନାଁ ଧରୁନି ପାରଦର ଗ୍ରାଫ୍। ଆଜି ସର୍ବାଧିକ ୪୪.୬ ଡିଗ୍ରୀ ସହ ଚଳିତ ଗ୍ରୀଷ୍ମୠତୁରେ ସର୍ବକାଳୀନ ରେକର୍ଡ କରିଛି ଭୁବନେଶ୍ୱରର ତାପମାତ୍ରା। ଏଭଳି ଅସ୍ୱାଭାବିକ ଗ୍ରୀଷ୍ମପ୍ରବାହକୁ ନେଇ ଟ୍ୱିନସିଟିବାସୀ ଆତଙ୍କିତ ହୋଇପଡ଼ିଥିବା ବେଳେ ଉଦବେଗ ପ୍ରକାଶ କରିଛନ୍ତି ପରିବେଶବିତ୍।

Advertisment

ରାଜଧାନୀରେ ଖଇଫୁଟୁଛି ତାତି। ଗ୍ରୀଷ୍ମ ପ୍ରକୋପରେ ଦିନ ତ ଦିନ ରାତି ବି ଏଠି ଭୟଙ୍କର। ସାନ-ବଡ଼ ସମସ୍ତଙ୍କ ଅବସ୍ଥା ଏଠି ବେହାଲ୍। ଯେଉଁ ରୂପାଲି ଛକରେ ଜନଗହଳିରେ ଆକ୍ତାମାକ୍ତା ହୋଇଯାଏ, ଆଜି ସେହି ଛକରେ କାଁ ଭାଁ ଯିବା ଆସିବା କରୁଛି ଯାନବାହନ। ଅପରାହ୍ନର ମୁଣ୍ଡଫଟା ଖରା ଅସ୍ତବ୍ୟସ୍ତ କରିପକାଇଛି ସମସ୍ତଙ୍କୁ। ଆଜି ଦିନ ସାଢ଼େ ୨ଟା ସୁଦ୍ଧା ୪୪.୬ ଡିଗ୍ରୀ ରେକର୍ଡ କରାଯାଇଥିଲା ସ୍ମାର୍ଟସିଟିର ପାରଦ।

ପାଣିପାଗ ବିଭାଗର ରେଡ୍ ଆଲର୍ଟର ମାନଚିତ୍ରରେ ଥିବା ଭୁବନେଶ୍ୱରରେ ଚଳିତ ସିଜିନରେ ଆଜିଥିଲା ସର୍ବାଧିକ ତାପମାତ୍ରା। କେବଳ ଆଜି କାହିଁକି ଚଳିତ ଏପ୍ରିଲ ମାସରେ ଗତ ୧୦ଦିନର ଗ୍ରାଫ୍ ଉପରମୁହାଁ ରହିଥିଲା ଏମିତି କୌଣସି ଦିନ ନାହିଁ ଭୁବନେଶ୍ୱରର ପାରଦ ୪୦ ତଳକୁ ଖସିଛି। ଏଭଳି ଉପରମୁହାଁ ପାରଦ ଯୋଗୁ ସନ୍ତୁଳି ହେଉଛନ୍ତି ରାଜଧାନୀର ସାଧାରଣ ଜନତା।

Advertisment

ସମଦଶା ଭୋଗୁଛନ୍ତି ସିଲଭର୍ ସିଟି କଟକ ବାସିନ୍ଦା। ପେଟପାଟଣାକୁ ନେଇ ଚିନ୍ତାରେ ଥିବା ବ୍ୟକ୍ତିଙ୍କୁ କେବଳ ଘରୁ ବାହାରିବାକୁ ପଡୁଛି ନଚେତ, ସହରରେ ସତେ ଯେମିତି ଜାରି ହୋଇଛି ଅଘୋଷିତ କର୍ଫ୍ୟୁ। ଗତ ୧୦ ଦିନ ହେଲା ଟକମକ୍ ହୋଇଫୁଟୁଥିବା ଗ୍ରୀଷ୍ମର ତାତିରେ ଭାଜି ହେଉଛି ହଜାରେ ବର୍ଷର ସହର କଟକ। ଏପ୍ରିଲ ୧୭ରୁ ୨୬..ପାଣିପାଗ ବିଭାଗର ସୂଚନା ଆଧାରରେ ପ୍ରସ୍ତୁତ ଏହି ୧୦ ଦିନର ଟ୍ରେଣ୍ଡ ହିଁ ସୂଚାଇ ଦେଉଛି ଏଭଳି ପାରଦରେ କେତେ କଲବଲ ହେଉନଥିବେ ସହରବାସୀ।

ଆସନ୍ତା ମେ‘ ପହିଲା ଯାଏଁ ଏଭଳି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରୁ ତ୍ରାହି ମିଳିବନି ଟ୍ୱିନସିଟିବାସୀଙ୍କୁ। ସମ୍ଭାବ୍ୟ ଗ୍ରୀଷ୍ମପ୍ରବାହକୁ ଦେଖି ମେ ୧ ଯାଏଁ ହିଟୱେଭ୍ ଆଲର୍ଟ ଜାରି କରାଯାଇଛି। ଆସନ୍ତାକାଲି ପାଇଁ ଟ୍ୱିନସିଟି ସମେତ ୧୩ଟି ଏବଂ ୨୯ ତାରିଖ ପାଇଁ ୧୪ ଜିଲ୍ଲା ପାଇଁ ଜାରି ହୋଇଛି ରେଡ୍ ଆଲର୍ଟ। ତା’ସହ ସତର୍କ ରହିବା ପାଇଁ ସରକାରୀ ସୂଚନା ବି ଦିଆଯାଉଛି।

ସେପଟେ ଟ୍ୱିନସିଟିରେ କ୍ରମାଗତ ବୃଦ୍ଧି ପାଉଥିବା ଏଭଳି ତାପମାତ୍ରାକୁ ନେଇ ଉଦବେଗ କରିଛନ୍ତି ପରିବେଶବିତ୍। କହିଛନ୍ତି, ୪୦ ବର୍ଷ ତଳେ ଭୁବନେଶ୍ୱରର ପରିବେଶ ବେଶ୍ ଆରାମଦାୟକ ଥିଲା। କିନ୍ତୁ ଏବେ କ୍ରମାଗତ ଭାବେ ହ୍ରାସ ପାଉଥିବା ସବୁଜିମା, ଯାନବାହନ ସଂଖ୍ୟା ବୃଦ୍ଧି ଏବଂ ନିର୍ମାଣ କ୍ଷେତ୍ର ପାଇଁ ବିଗିଡ଼ିଯାଇଛି ପରିବେଶ।

Heat Wave Weather Update Temperature
Advertisment
Advertisment