• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଶପଥ ନେଲା ନବୀନଙ୍କ ନୂଆ ଟିମ୍ । ରାଜ୍ୟ ରାଜନୈତିକ ଇତିହାସରେ ପ୍ରଥମଥର ପାଇଁ କେବଳ ମୁଖ୍ୟମନ୍ତ୍ରୀଙ୍କୁ ଛାଡ଼ି ସବୁ ମନ୍ତ୍ରୀ ଇସ୍ତଫା ଦେବାର ଦିନକ ପରେ ମନ୍ତ୍ରିମଣ୍ଡଳର ସଂପୂର୍ଣ୍ଣ ନବକଳେବର ହୋଇଛି । ରାଜଭବନ ବଦଳରେ ପ୍ରଥମଥର ଲାଗି ଲୋକସେବା ଭବନ କନ୍‌ଭେନ୍‌ସନ୍ ହଲ୍‌ରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ୧୩ କ୍ୟାବିନେଟ୍ ଓ ୮ ରାଷ୍ଟ୍ରମନ୍ତ୍ରୀଙ୍କ ସମେତ ୨୧ ମନ୍ତ୍ରୀଙ୍କ ଶପଥପାଠ କରାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ପୂର୍ବ ମନ୍ତ୍ରିମଣ୍ଡଳର ସଦସ୍ୟ ସଂଖ୍ୟା ୨୧ ଥିଲା ବେଳେ ଏହା ସର୍ବୋଚ୍ଚସୀମା ୨୨କୁ ସଂପ୍ରସାରିତ ହୋଇଛି ।

ପଞ୍ଚମ ପାଳି ଚତୁର୍ଥ ବର୍ଷ ଆରମ୍ଭରେ ନବୀନ ସରକାରର ନବକଳେବର । ନୂଆ ଟିମ୍ ପୂରା ନୂଆ ସରକାର ଦାୟିତ୍ୱ ନେଲାଭଳି ସ୍ଥିତି । ପ୍ରଥମଥର ପାଇଁ ଲୋକସେବା ଭବନ କନ୍‌ଭେନ୍‌ସନ୍ ହଲ୍‌ରେ ଶପଥପାଠ । ରାଜ୍ୟପାଳ ଗଣେଶୀ ଲାଲଙ୍କ ଦ୍ୱାରା କ୍ୟାବିନେଟ୍ ମନ୍ତ୍ରୀଭାବେ ଜଗନ୍ନାଥଙ୍କ ନାଁ ଥିବାରୁ ରାୟଗଡ଼ା ଜିଲ୍ଲା ବିଷମକଟକ ବିଧାୟକ ଜଗନ୍ନାଥ ସାରକାଙ୍କଠୁ ନୂଆ ଟିମ୍ ଶପଥପାଠ ଆରମ୍ଭ କରିଥିଲା । ପରେ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରମିଳା ମଲ୍ଲିକ, ଉଷା ଦେବୀ, ପ୍ରଫୁଲ୍ଲ ମଲ୍ଲିକ, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ କୁମାର ଅମାତ, ନବକିଶୋର ଦାସ, ଅଶୋକ ଚନ୍ଦ୍ର ପଣ୍ଡା, ଟୁକୁନି ସାହୁ ଓ ରାଜେନ୍ଦ୍ର ଢୋଲକିଆ ପ୍ରମୁଖ ୧୩ କ୍ୟାବିନେଟ୍ ମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିଥିଲେ । ସେହିପରି ରାଷ୍ଟ୍ରମନ୍ତ୍ରୀ ଶପଥ ନେଇଥିଲେ ସମୀର ରଞ୍ଜନ ଦାଶ, ଅଶ୍ୱିନୀ ପାତ୍ର, ପ୍ରୀତିରଞ୍ଜନ ଘଡ଼େଇ, ଶ୍ରୀକାନ୍ତ ସାହୁ, ତୁଷାରକାନ୍ତି ବେହେରା, ରୀତା ସାହୁ, ରୋହିତ ପୂଜାରୀ ଓ ବାସନ୍ତୀ ହେମ୍ବ୍ରମ୍‌ଙ୍କ ସମେତ ୮ ମନ୍ତ୍ରୀ ।

ପୂର୍ବ ମନ୍ତ୍ରିମଣ୍ଡଳରେ ୨୦ ମନ୍ତ୍ରୀ ସ୍ଥାନ ପାଇଥିଲା ବେଳେ ଏଥର ସଂଖ୍ୟା ୨୧କୁ ବଢ଼ିଛି । ହେଲେ ମନ୍ତ୍ରିମଣ୍ଡଳର ସ୍ୱରୂପକୁ ଦେଖିଲେ ନୂଆ ଅପେକ୍ଷା ବରିଷ୍ଠ ଓ ଅଭିଜ୍ଞଙ୍କୁ ଅଧିକ ଗୁରୁତ୍ୱ ମିଳିଛି । ମୋଟ୍ ୭ ନୂଆ ମୁହଁ । ସେମାନେ ହେଲେ ଅଶ୍ୱିନୀ ପାତ୍ର, ପ୍ରୀତିରଞ୍ଜନ ଘଡ଼େଇ ଶ୍ରୀକାନ୍ତ ସାହୁ, ରୋହିତ ପୂଜାରୀ, ରୀତା ସାହୁ, ରାଜେନ୍ଦ୍ର ଢୋଲକିଆ । ଏମାନଙ୍କୁ ପ୍ରଥମଥର ପାଇଁ ମନ୍ତ୍ରିପଦ ମିଳିଥିଲା ବେଳେ କେବଳ ବାସନ୍ତୀ ହେମ୍ବ୍ରମ୍‌ଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତଙ୍କର ଏକାଧିକବାର ବିଧାନସଭାକୁ ନିର୍ବାଚିତ ହେବାର ଅଭିଜ୍ଞତା ଅଛି । ସେହିପରି ପୂର୍ବ ମନ୍ତ୍ରିମଣ୍ଡଳରୁ ୯ ଜଣ ମନ୍ତ୍ରିପଦ ବଜାୟ ରଖିବାକୁ ସକ୍ଷମ ହୋଇଛନ୍ତି । ସେମାନେ ହେଲେ ଜଗନ୍ନାଥ ସାରକା, ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରଫୁଲ୍ଲ ମଲ୍ଲିକ, ନବ ଦାସ, ଅଶୋକ ପଣ୍ଡା, ଟୁକୁନି ସାହୁ, ସମୀର ଦାଶ, ତୁଷାରକାନ୍ତି ବେହେରା ।

ତେବେ ସବୁଠୁ ବଡ଼ କଥା ହେଉଛି ୩୩ ପ୍ରତିଶତ ମହିଳା କାର୍ଡ ଖେଳୁଥିବା ବିଜେଡି ଏଥର ମନ୍ତ୍ରିମଣ୍ଡଳରେ ମହିଳାଙ୍କ ପ୍ରତିନିଧିତ୍ୱକୁ ୨ରୁ ୫କୁ ବଢ଼ାଇଛି । ସେଭିତରୁ ୩ କ୍ୟାବିନେଟ୍, ୨ ରାଷ୍ଟ୍ରମନ୍ତ୍ରୀ ।

ସେହିପରି ଗତ ମନ୍ତ୍ରିମଣ୍ଡଳ ଭଳି ଏଥର ବି ୧୨ଟି ଜିଲ୍ଲା ମନ୍ତ୍ରୀ ଶୂନ୍ୟ ରହିଛିି । ସେଗୁଡ଼ିକ ହେଲା ଭଦ୍ରକ, ଜଗତ୍ସିଂହପୁର, ଅନୁଗୁଳ, ସୁନ୍ଦରଗଡ଼, ଗଜପତି, କନ୍ଧମାଳ, ନୟାଗଡ଼, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, କେନ୍ଦୁଝର ଓ କଳାହାଣ୍ଡି । ଏହି ଜିଲ୍ଳାରୁ କାହାରିକୁ ବି ମନ୍ତ୍ରିମଣ୍ଡଳରେ ପ୍ରତିନିଧିତ୍ୱର ସୁଯୋଗ ମିଳିନି । ତେବେ ପଶ୍ଚିମ ଓଡ଼ିଶାରୁ ଏଥର ସର୍ବାଧିକ ୭ ଜଣଙ୍କୁ ସୁଯୋଗ ମିଳିଥିଲା ବେଳେ, ଗଞ୍ଜାମ, ଯାଜପୁର, ପୁରୀ ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ଅଧିକ ଗୁରୁତ୍ୱ ମିଳିବା ସହ ଏଇସବୁ ଜିଲ୍ଲାରୁ ୨ ଜଣ ଲେଖାଏଁ ମନ୍ତ୍ରୀ ହୋଇଛନ୍ତି । ସେହିପରି ମୟୂରଭଞ୍ଜ, ରାୟଗଡ଼ା, କଟକ, ଢେଙ୍କାନାଳ, ଖୋର୍ଦ୍ଧା ଓ ବାଲେଶ୍ୱର ଜିଲ୍ଲାରୁ ଜଣେ ଲେଖାଏଁ ବିଧାୟକଙ୍କୁ ମନ୍ତ୍ରିମଣ୍ଡଳରେ ପ୍ରତିନିଧିତ୍ୱର ସୁଯୋଗ ମିଳିଛି ।

ସେହପରି ମନ୍ତ୍ରିମଣ୍ଡଳରେ ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ, ଯୁବ ଓ ମହିଳାଙ୍କ ମଧ୍ୟରେ ସନ୍ତୁଳନ ରକ୍ଷା ଉଦ୍ୟମ କରିଛନ୍ତି ନବୀନ । ଏଥିସହ ସ୍ୱଚ୍ଛ ଭାବମୂର୍ତ୍ତି ଏବଂ କ୍ଷମତା କେନ୍ଦ୍ର ସହ ଘନିଷ୍ଠ ଚେହେରାଙ୍କୁ ବି ସୁଯୋଗ ମିଳିଛି । ୨୦୨୪ ନିର୍ବାଚନ ପୂର୍ବରୁ ସରକାରର ପରିବର୍ତ୍ତିତ ଚେହେରା ମାଧ୍ୟମରେ ରାଜ୍ୟବାସୀଙ୍କୁ ଉତ୍ତମ ଶାସନ ଯୋଗାଇବା, ଯୋଜନାର ସଫଳତାକୁ ତୃଣମୂଳ ସ୍ତରକୁ ପହଞ୍ଚାଇବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ମନ୍ତ୍ରିମଣ୍ଡଳକୁ ଆମୂଳଚୂଳ ବଦଳାଇଥିବା କୁହାଯାଉଛି ।