• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନବୀନ ନିବାସରେ ନୂଆ ମନ୍ତ୍ରୀ । ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ମନ୍ତ୍ରୀମାନେ ପହଞ୍ଚିଛନ୍ତି ନବୀନ ନିବାସରେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ମନ୍ତ୍ରୀମାନେ । ଭରସା କରି ଦାୟିତ୍ୱ ଦେଇଥିବାରୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ନୂଆ ମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଛନ୍ତି ନବୀନ ପଟ୍ଟନାୟକ । ନିସ୍ୱାର୍ଥପର ଭାବେ ନିଷ୍ଠାର ସହିତ ଲୋକଙ୍କ ସେବା କରିବାକୁ ଏବଂ ରାଜ୍ୟ ସରକାରଙ୍କର ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବାକୁ ନୂଆ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିବା ଜଣାପଡ଼ିଛି ।

ତେବେ ଆଜି ନବୀନଙ୍କ ନୂଆ ଟିମରେ ମହିଳାଙ୍କୁ ଗୁରୁତ୍ୱ ଦିଆଯାଇଥିବା ଦେଖାଯାଇଛି । ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି ୫ ମହିଳା ମନ୍ତ୍ରୀ । ପୂର୍ବରୁ ସରକାରୀ ଦଳ ମୁଖ୍ୟ ସଚେତକ ଥିବା ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ଚିକିଟି ବିଧାୟିକା ଉଷା ଦେବୀଙ୍କୁ ନୂଆ କ୍ୟାବିନେଟରେ ସ୍ଥାନ ମିଳିଛି । ସେହିପରି ପୂର୍ବରୁ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଥିବା ଟୁକୁନି ସାହୁଙ୍କୁ ରିପିଟ୍ କରାଯାଇଛି । ମନ୍ତ୍ରିମଣ୍ଡଳରେ ନୂଆ ମୁହଁ ଭାବେ ଏଥର ବିଜେପୁର ବିଧାୟିକା ରୀତା ସାହୁ ଓ କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମଙ୍କୁ ସାମିଲ କରାଯାଇଛି ।

ଉଷା ଦେବୀ (କ୍ୟାବିନେଟ୍‌ ମନ୍ତ୍ରୀ) : ପୂର୍ବରୁ ତିନି ଥର ମନ୍ତ୍ରୀ ରହିଛନ୍ତି ଉଷା ଦେବୀ । ଏଥର ପୁଣି ଥରେ ତାଙ୍କୁ ସୁଯୋଗ ଦେଇଛନ୍ତି ନବୀନ ପଟ୍ଟନାୟକ । ସେ ଚିକିଟିରୁ ଛଅ ଥର ବିଧାୟକ ରହି ସାରିଛନ୍ତି । ଗଞ୍ଜାମ ଜିଲ୍ଲାରେ ବିରୋଧୀଙ୍କ ଦବଦବା ବଢ଼ିଥିବା ବେଳେ ତାଙ୍କୁ ଚେକ୍‌ ଦେବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଥିବା ଚର୍ଚ୍ଚା ହେଉଛି । ତେବେ ଏଥର ଉଷା ଦେବୀଙ୍କୁ ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ଦାୟିତ୍ୱ ପ୍ରଦାନ କରାଯାଇଛି ।

ପ୍ରମିଳା ମଲ୍ଲିକ(କ୍ୟାବିନେଟ୍‌ ମନ୍ତ୍ରୀ) : ପୁଣି ମନ୍ତ୍ରିମଣ୍ଡଳକୁ କମ୍‌ବ୍ୟାକ୍‌ କଲେ ପ୍ରମିଳା ମଲ୍ଲିକ୍‌ । ସେ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ପୂର୍ବରୁ ୨ ଥର ମନ୍ତ୍ରୀ ରହିସାରିଛନ୍ତି । ଏଥର ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ପଦ ପାଇଛନ୍ତି ପ୍ରମିଳା ମଲ୍ଲିକ ।

ଟୁକୁନି ସାହୁ(କ୍ୟାବିନେଟ୍‌ ମନ୍ତ୍ରୀ) : ପୁଣି ଟୁକୁନି ସାହୁଙ୍କୁ ନବୀନଙ୍କ ନୂଆ ଟିମରେ ସ୍ଥାନ ମିଳିଛି । ସେ ମନ୍ତ୍ରୀ ପଦ ବଜାୟ ରଖିଛନ୍ତି । ପୂର୍ବରୁ ଶିଶୁ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ ଟୁକୁନି ସାହୁ । ଟିଟିଲାଗଡ଼ରୁ ଦୁଇ ଦୁଇ ଥର ବିଧାୟିକା ରହିସାରିଛନ୍ତି । ଏଥର ତାଙ୍କୁ ମିଳିଛି ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ଦାୟିତ୍ୱ ।

ରୀତା ସାହୁ ( ରାଷ୍ଟ୍ରମନ୍ତ୍ରୀ) - ବିଜେପୁରର କଂଗ୍ରେସ ବିଧାୟକ ସ୍ୱର୍ଗତଃ ସୁବଳ ସାହୁଙ୍କ ପତ୍ନୀ ତଥା ବିଜେପୁରରୁ ଦୁଇ ଦୁଇ ଥର ବିଧାୟକ ରୀତା ସାହୁ ପ୍ରଥମ ଥର ପାଇଁ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି । ତାଙ୍କ ହାତକୁ ଯାଇଛି ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗ ।

ବାସନ୍ତୀ ହେମ୍ବ୍ରମ୍ ( ରାଷ୍ଟ୍ରମନ୍ତ୍ରୀ) - କରଞ୍ଜିଆରୁ ପ୍ରଥମ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ବାସନ୍ତୀ ହେମ୍ବ୍ରମ୍ ପ୍ରଥମ ଥର ପାଇଁ ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି। ତାଙ୍କୁ ମହିଳା ଓ ଶିଶୁ କଲ୍ୟାଣ, ମିଶନ ଶକ୍ତି ମନ୍ତ୍ରୀ କରିଛନ୍ତି ନବୀନ ।

କ୍ୟାବିନେଟ୍ ମନ୍ତ୍ରୀ

ନିରଞ୍ଜନ ପୂଜାରୀ- ଅର୍ଥ, ସଂସଦୀୟ ବ୍ୟାପାର ମନ୍ତ୍ରୀ 
ଜଗନ୍ନାଥ ସାରକ- ଆଦିବାସୀ କଲ୍ୟାଣ, ଆଇନ ମନ୍ତ୍ରୀ
ରଣେନ୍ଦ୍ର ପ୍ରତାପ ସ୍ୱାଇଁ- କୃଷି ଓ ମତ୍ସ୍ୟ ସମ୍ପଦ
ପ୍ରମିଳା ମଲ୍ଲିକ- ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ
ଉଷା ଦେବୀ- ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ
ପ୍ରଫୁଲ୍ଲ ମଲ୍ଲିକ- ଖଣି ଓ ଇସ୍ପାତ, ପୂର୍ତ୍ତ
ପ୍ରତାପ କେଶରୀ ଦେବ- ଶିଳ୍ପ ଓ ଶକ୍ତି, ଏମଏସଏମଇ
ଅତନୁ ସବ୍ୟସାଚୀ ନାୟକ-  ଯୋଗାଣ ଓ ସମବାୟ
ପ୍ରଦୀପ କୁମାର ଅମାତ- ଜଙ୍ଗଲ ଓ ପରିବେଶ , ପଞ୍ଚାୟିତିରାଜ, ସୂଚନା ଲୋକସମ୍ପର୍କ
ନବକିଶୋର ଦାଶ- ସ୍ୱାସ୍ଥ୍ୟ  ଓ ପରିବାର କଲ୍ୟାଣ ମନ୍ତ୍ରୀ
ଅଶୋକ ଚନ୍ଦ୍ର ପଣ୍ଡା- ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ଭିନ୍ନକ୍ଷମ ଶସକ୍ତିକରଣ
ଟୁକୁନି ସାହୁ- ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ
ରାଜେନ୍ଦ୍ର ଢୋଲକିଆ- ଯୋଜନା ଓ ସଂଯୋଜନ ମନ୍ତ୍ରୀ

ରାଷ୍ଟ୍ରମନ୍ତ୍ରୀ ତାଲିକା 
ସମୀର ରଂଜନ ଦାଶ- ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ 
ଅଶ୍ୱିନୀ କୁମାର ପାତ୍ର- ପର୍ଯ୍ୟଟନ, ଓଡ଼ିଆ ଭାଷା ଓ ସଂସ୍କୃତି, ଅବକାରୀ ମନ୍ତ୍ରୀ
ପ୍ରୀତିରଞ୍ଜନ ଘଡ଼େଇ- ଗ୍ରାମ୍ୟ ଉନ୍ନୟନ, ଦକ୍ଷତା, ବୈଷୟିକ ଶିକ୍ଷା 
ଶ୍ରୀକାନ୍ତ ସାହୁ- ଶ୍ରମ ଓ ଇଏସଆଇ ମନ୍ତ୍ରୀ 
ତୁଷାରକାନ୍ତି ବେହେରା- ଗୃହରାଷ୍ଟ୍ର ମନ୍ତ୍ରୀ,  କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ 
ରୋହିତ ପୂଜାରୀ- ଉଚ୍ଚ ଶିକ୍ଷା ମନ୍ତ୍ରୀ 
ରୀତା ସାହୁ- ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ
ବାସନ୍ତୀ ହେମ୍ବ୍ରମ୍- ମହିଳା ଓ ଶିଶୁ କଲ୍ୟାଣ, ମିଶନ ଶକ୍ତି