• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପ୍ରତାପ, ଦିବ୍ୟଶଙ୍କର ଓ ଅରୁଣ ସାହୁ ନବୀନଙ୍କ ନୂଆ ଟିମ୍‌ରୁ ବାଦ୍ ପଡିଛନ୍ତି । ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାୟିତ୍ୱରେ ଥିବା ୩ କ୍ଷମତାଶାଳୀ ମନ୍ତ୍ରୀ । ଏମାନଙ୍କୁ ମହଙ୍ଗା ପଡିଛି କି ବିଭିନ୍ନ ବିବାଦରେ ସଂପୃକ୍ତି ଅଭିଯୋଗ ? ଏହାକୁ ନେଇ ପାଓ୍ୱାର କରିଡରରେ ଏବେ ଜୋରଦାର ଚର୍ଚ୍ଚା । ଏହି ୩ ଜଣଙ୍କ ବ୍ୟତିତ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସୁଦାମ ମାର୍ଣ୍ଡି, ସୁଶାନ୍ତ ସିଂହ ଓ ପଦ୍ମନାଭ ବେହେରାଙ୍କ ଭଳି ୧୧ ଜଣଙ୍କ ମନ୍ତ୍ରିପଦ ଯାଇଛି । ଏମାନଙ୍କ ମଧ୍ୟରୁ କେତେ ଜଣଙ୍କର ପଞ୍ଚାୟତ  ନିର୍ବାଚନରେ ପ୍ରଦର୍ଶନ ଆଶାନୁରୂପ ନଥିବା ବେଳେ ଆଉ କେତେ ଜଣ ଜିଲ୍ଲା ଓ୍ୱାରି କୋଟାରେ ବାଦ୍ ପଡିଥିବା କୁହାଯାଉଛି ।

ଦିନକ ଆଗରୁ ଏମାନେ ଥିଲେ ନବୀନଙ୍କ ଟିମର ଅତି ନିର୍ଭରଯୋଗ୍ୟ ଓ କ୍ଷମତାଶାଳୀ ମନ୍ତ୍ରୀ । ହେଲେ ରାତି ପାହୁ ପାହୁ ବଦଳି ଯାଇଛି ଚିତ୍ର । ଆମେ କହୁଛୁ ମନ୍ତ୍ରିପଦ ହରାଇଥିବା ପ୍ରତାପ ଜେନା, ଦିବ୍ୟଶଙ୍କର ମିଶ୍ର ଓ ଅରୁଣ ସାହୁଙ୍କ କଥା । ତେବେ କଣ ପାଇଁ ଏମାନଙ୍କୁ  ବିଦା କଲେ ନବୀନ ? ଏମାନଙ୍କୁ ମହଙ୍ଗା ପଡିଲା କି ବିଭିନ୍ନ ଅପରାଧ ମାମଲାରେ ସଂପୃକ୍ତି ଅଭିଯୋଗ ?

ମାହାଙ୍ଗା ଡବଲ ମର୍ଡର ମାମଲାରେ ଆଇନ ମନ୍ତ୍ରୀ ଥିବା ପ୍ରତାପ ଜେନାଙ୍କ ସଂପୃକ୍ତି ଅଭିଯୋଗ ବିଜେଡିକୁ କାଠଗଡ଼ାରେ ଠିଆ କରିଥିଲା । ଏଫଆଇଆରରେ ନାଁ ଥିବା ସତ୍ତ୍ୱେ ପୋଲିସ ତାଙ୍କୁ ତଦନ୍ତ ପରିସରଭୁକ୍ତ ନ କରିବା ସୃଷ୍ଟି କରିଥିଲା ତମ୍ବି ତୋଫାନ । ତେବେ ସବୁଠୁ ସାଂଘାତିକ ଅଭିଯୋଗ ଆସିଥିଲା ଗୃହରାଷ୍ଟ୍ରମନ୍ତ୍ରୀ ଥିବା ଦିବ୍ୟଶଙ୍କର ମିଶ୍ରଙ୍କ ବିରୁଦ୍ଧରେ । ଶିକ୍ଷୟିତ୍ରୀ ମମିତା ମେହେରଙ୍କ ବିଭତ୍ସ ହତ୍ୟାକାଣ୍ଡରେ ଦିବ୍ୟଶଙ୍କରଙ୍କ ସଂପୃକ୍ତି ଅଭିଯୋଗ ରାଜ୍ୟରେ ରାଜନୈତିକ ଝଡ ସୃଷ୍ଟି କରିବା ସହ ବିରୋଧୀଙ୍କୁ ସରକାରଙ୍କୁ ଟାର୍ଗେଟ କରିବା ଲାଗି ସୁଯୋଗ ଦେଇଥିଲା ।

ସେହିଭଳି ନୟାଗଡ଼ର କୁନି ଝିଅ ପରୀ ହତ୍ୟା ଘଟଣାକୁ ନେଇ ବିବାଦରେ ଫସିଥିଲେ ମନ୍ତ୍ରୀ ଅରୁଣ ସାହୁ । ତେଣେ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଥିବା ବିକ୍ରମ ଆରୁଖଙ୍କ ନାଁ ବି ବିବାଦ ଘେରକୁ ଆସିଥିଲା । ସେ ଦୃଷ୍ଟିରୁ ନିଜ କ୍ଲିନ୍ ଇମେଜ୍ ବଜାୟ ରଖିବାକୁ ନବୀନ ଏଭଳି ପଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଛି । 

ସୁଦାମ ମାର୍ଣ୍ଡି, ପଦ୍ମନାଭ ବେହେରା, ରଘୁନନ୍ଦନ ଦାଶ, ପଦ୍ମିନୀ ଦିଆନ୍, ପ୍ରେମାନନ୍ଦ ନାୟକ, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓ ସୁଶାନ୍ତ ସିଂହଙ୍କୁ ବି ମନ୍ତ୍ରିମଣ୍ଡଳରୁ ବାଦ୍ ଦିଆଯାଇଛି । ଏମାନଙ୍କ ମଧ୍ୟ୍ୟରୁ କିଛି ଜଣଙ୍କର ଗଲା ୩ ବର୍ଷର ପ୍ରଦର୍ଶନ ଦୁର୍ବଳ ଥିବା କୁହାଯାଉଛି । ସେହିପରି ଗତ ପଞ୍ଚାୟତ ନିର୍ବାଚନରେ ବିଜେଡିର ବୃହତ ବିଜୟ ସତ୍ତ୍ୱେ ନିଜ ଅଞ୍ଚଳରେ ଆଶାନୁରୂପ ଫଳାଫଳ ଆଣିପାରିନଥିବା କିଛି ମନ୍ତ୍ରୀଙ୍କୁ ପଦରୁ ହଟାଇଛନ୍ତି ନବୀନ । ଅନ୍ୟପକ୍ଷରେ ଆଉ କେତେ ଜଣ ଜିଲ୍ଲା ଓ୍ୱାରି କୋଟାରେ ବାଦ୍ ପଡିଥିବା ଚର୍ଚ୍ଚା ହେଉଛି ।

ଟାଣୁଆ ମନ୍ତ୍ରୀ ସୁଶାନ୍ତ ସିଂ ମନ୍ତିମଣ୍ଡଳରୁ ବାଦ୍ ପଡିଥିଲେ ମଧ୍ୟ ତାଙ୍କୁ ବଡ଼ ସାଙ୍ଗଠନିକ ଦାୟିତ୍ୱ ମିଳିବା ଚର୍ଚ୍ଚା ହେଉଛି । ମୁଖ୍ୟତଃ ପଶ୍ଚିମ ଓଡ଼ିଶାରେ ଦଳୀୟ ସଂଗଠନକୁ ମଜବୁତ କରିବା ଲାଗି ସୁଶାନ୍ତଙ୍କୁ ନିୟୋଜିତ କରାଯାଇପାରେ ।