• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଦେଶରେ ପୁଣି ଉପରମୁହାଁ କରୋନା ଗ୍ରାଫ୍ । କରୋନାକୁ ନେଇ ପୁଣି ବଢ଼ିଲା ଚିନ୍ତା । ମେ ପ୍ରଥମ ସପ୍ତାହ ପରେ ଦୈନିକ ସଂକ୍ରମଣ ହାର ଖସି ଖସି ଆସୁଥିଲାବେଳେ ଜୁନ୍ ମାସ ଆରମ୍ଭରୁ ପୁଣି ବଢ଼ି ଚାଲିଲା ଗ୍ରାଫ୍ । ଗତ ୨୪ ଘଣ୍ଟାରେ ନୂଆ ୪ ହଜାର ୨୭୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମାର୍ଚ୍ଚ ୯ ପରେ, ଅର୍ଥାତ୍ ପ୍ରାୟ ୩ ମାସ ଭିତରେ ଏହା ସର୍ବାଧିକ ଦୈନିକ ସଂକ୍ରମଣ ଚିହ୍ନଟ ହୋଇଥିବାବେଳେ ୩୪ ଦିନ ପରେ ଦେଶର ଡେଲି ପଜିଟିଭିଟି ରେଟ୍ ୧ ପ୍ରତିଶତ ଉପରକୁ ଯାଇଛି । ଗତ ୨୪ ଘଣ୍ଟାରେ ୧୫ ଆକ୍ରାନ୍ତଙ୍କ ଜୀବନ ଯାଇଛି । କେରଳରେ ଆଜି ସର୍ବାଧିକ ୧ ହଜାର ୪୬୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, ମହାରାଷ୍ଟ୍ରରେ ଲଗାତାର ଚତୁର୍ଥ ଦିନ ଲାଗି ଡେଲି କେଶ୍ ହଜାରେ ଉପରେ ରହୁଛି । ଆଜିର ସଂଖ୍ୟା ରହିଛି ୧୩ ଶହ ୫୭। ପୂରା ମହାରାଷ୍ଟ୍ରରେ ଯେତିକି ପଜିଟିଭ୍ ଚିହ୍ନଟ ହେଉଛନ୍ତି, ତାର ୬୫ ପ୍ରତିଶତ କେବଳ ମୁମ୍ବାଇ ବାସିନ୍ଦା ।

ସେହିପରି ରାଜ୍ୟରେ ସ୍ଥିତି ବିଗିଡ଼ିବାକୁ ଯାଉଥିବା ବେଳେ, ବସ୍, ଟ୍ରେନ୍ ଓ ଅଡିଟୋରିୟମ ଆଦି ଆବଦ୍ଧ ସ୍ଥାନରେ ମାସ୍କ ବାଧ୍ୟତାମୂଳକ କରାଯାଇଛି । କଡ଼ା କଟକଣା ଚାହୁଁନଥିଲେ ମାସ୍କ ପିନ୍ଧ ଓ ଟିକା ନିଅ ବୋଲି ମହାରାଷ୍ଟ୍ର ସରକାର ଲୋକଙ୍କୁ ଚେତାଇଛନ୍ତି । ସେପଟେ ମହାରାଷ୍ଟ୍ର ବିଧାନସଭାରେ ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡ଼ନାଭିସ୍ ୨୦୨୦ ଅକ୍ଟୋବର ପରେ ପୁଣି ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହୋଇଛନ୍ତି ।

କେନ୍ଦ୍ର ସରକାରଙ୍କ ୫ ରାଜ୍ୟ ତଥା କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର, ତେଲେଙ୍ଗାନା ଓ ତାମିଲନାଡ଼ୁ ଚିନ୍ତାର କାରଣ ପାଲଟିଛି । ଏହି ୫ଟି ରାଜ୍ୟକୁ ଚିଠି ଲେଖି ପଞ୍ଚସୂତ୍ରୀ ରଣନୀତି- ଟେଷ୍ଟ୍-ଟ୍ରାକ୍-ଟ୍ରିଟ୍-ଟିକାକରଣ ଓ କୋଭିଡ୍ ସତର୍କତା ଅନୁପାଳନ କରିବାକୁ ଏବଂ ନୂଆ ସଂକ୍ରମଣ ହେଉଥିବା କ୍ଲଷ୍ଟର୍ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଓଡ଼ିଶାରେ ସ୍ଥିତି ସେଭଳି ଚିନ୍ତାଜନକ ହୋଇନଥିଲେ ବି, ପ୍ରାୟ ୩ ସପ୍ତାହ ପରେ ଦୈନିକ ସଂକ୍ରମଣ ୧୯କୁ ବଢ଼ିଛି । ଏହାପୂର୍ବରୁ ଗତମାସ ୧୩ ତାରିଖରେ ୧୯ ସଂକ୍ରମିତ ଚିହ୍ନଟ ହୋଇଥିଲେ ।