• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆ ମନ୍ତ୍ରୀଙ୍କୁ 6T ମନ୍ତ୍ର । ନବୀନଙ୍କ ନୂଆ ଟିମ୍‌ର ନୂଆ ମନ୍ତ୍ରୀଙ୍କୁ ଦିଆଯାଇଛି 6T ମନ୍ତ୍ର । ଶପଥ ନେବା ପରେ ମନ୍ତ୍ରୀମାନେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ । ଏହି ସମୟରେ ସେମାନଙ୍କୁ 6Tର ମନ୍ତ୍ର ଦେଇଛନ୍ତି ନବୀନ । ପୂର୍ବର 5T ସହିତ ଯୋଡ଼ି ହୋଇଛି ଆଉ ଗୋଟିଏ T- TOUR । ମୋ ସରକାର କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଅଞ୍ଚଳ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିବାକୁ ଓ ତାର ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବିଜେଡିର ନିର୍ବାଚନୀ ଇସ୍ତାହାର ଅନୁସାରେ କାମ କରିବାକୁ କହିଛନ୍ତି । କାର୍ଯ୍ୟରେ ସ୍ୱଚ୍ଛତା ବଜାୟ ରଖିବା ସହିତ କୌଣସି ବିବାଦରେ ନ ପଡ଼ିବାକୁ ମୁଖ୍ୟମନ୍ତ୍ରୀ ସବୁ ମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ।

ତେବେ ନବୀନଙ୍କ ନୂଆ ଟିମ୍‌ରେ ନୂଆ ଚେହେରାଙ୍କୁ ମିଳିଛି ନୂଆ ଦାୟିତ୍ୱ । ସରକାରୀ ଦଳ ମୁଖ୍ୟ ସଚେତକ ଥିବା ପ୍ରମିଳା ମଲ୍ଲିକ ଏବେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଉଷା ଦେବୀଙ୍କୁ ନଗର ଉନ୍ନୟନ, ପ୍ରତାପ ଦେବଙ୍କୁ ଶକ୍ତି, ଶିଳ୍ପ, MSME ବିଭାଗ ମିଳିଛି । ସେହିପରି ଅତନୁ ସବ୍ୟସାଚୀ ନାୟକ ହୋଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସହ ସମବାୟ ବିଭାଗର ମନ୍ତ୍ରୀ । ପ୍ରଦୀପ ଅମାତଙ୍କୁ ଗୁରୁତ୍ୱପୂର୍ଣ୍ଣ ଜଙ୍ଗଲ ଓ ପରିବେଶ ସହ ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସମ୍ପର୍କ ବିଭାଗ ମିଳିଛି ।

ସେପଟେ ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇଥିବା ରୋହିତ ପୂଜାରୀଙ୍କୁ ଉଚ୍ଚଶିକ୍ଷା, ରାଜେନ୍ଦ୍ର ଢ଼ୋଲକିଆଙ୍କୁ ଯୋଜନା ଓ ସଂଯୋଜନା, ବାସନ୍ତୀ ହେମ୍ବ୍ରମଙ୍କୁ ମହିଳା ଓ ଶିଶୁବିକାଶ ସହ ମିଶନ ଶକ୍ତି, ଶ୍ରୀକାନ୍ତ ସାହୁଙ୍କୁ ଶ୍ରମ, ପ୍ରୀତିରଂଜନ ଘଡ଼େଇଙ୍କୁ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଅଶ୍ୱିନୀ ପାତ୍ରଙ୍କୁ ପର୍ଯ୍ୟଟନ, ସଂସ୍କୃତି, ଓଡ଼ିଆ ଭାଷା ଓ ଅବକାରୀ, ରୀତା ସାହୁଙ୍କୁ ହସ୍ତତନ୍ତ ଓ ବୟନ ଶିଳ୍ପୀ ମନ୍ତ୍ରୀ କରାଯାଇଛି ।

ତେବେ ବିଭାଗ ବଣ୍ଟନ ବେଳେ କାହାକୁ ରିପିଟ୍ ତ ଆଉ କାହାର ହୋଇଛି ପ୍ରମୋସନ୍ । ସମ୍ପୂର୍ଣ୍ଣ ଭାବେ ବିଭାଗ ବଦଳିଲା ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କର । ଏବେ ତାଙ୍କୁ ମିଳିଛି କୃଷି ବିଭାଗ । ସେହିପରି ମହିଳା ଓ ଶିଶୁ ବିକାଶ ସହ ମିଶନ ଶକ୍ତି ଦାୟିତ୍ୱରେ ଥିବା ଟୁକୁନି ସାହୁଙ୍କୁ ଏବେ ଜଳ ସମ୍ପଦ ଓ ବାଣିଜ୍ୟ ପରିବହନ ବିଭାଗର ମନ୍ତ୍ରୀ କରାଯାଇଛି । କ୍ରୀଡ଼ା ଓ ଆଇଟି ବିଭାଗ ମନ୍ତ୍ରୀ ଥିବା ତୁଷାରକାନ୍ତି ବେହେରାଙ୍କ ପୂର୍ବ ପଦବୀ ବଜାୟ ରହିବା ସହ ଗୃହରାଷ୍ଟ୍ର ମନ୍ତ୍ରୀ ଭାବେ ଗୁରୁତ୍ୱପୂର୍ଣ୍ଣ ଦାୟିିତ୍ୱ ଦିଆଯାଇଛି ।