• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • କାହାର ହେବ ସୁନ୍ଦରଗଡ଼?

  • କିଏ ଗଢିବ ଜିଲ୍ଲା ପରିଷଦ?

ପଂଚାୟତ ନିର୍ବାଚନ ପାଇଁ ଚଳଚଚଂଳ ହେଲାଣି ସବୁ ପଂଚାୟତ। କିଏ କେଉଁ ଆସନରୁ ପ୍ରାର୍ଥୀ ହେବ ଓ କେଉଁ ପଦ ପାଇଁ ହେବ ତାହାକୁ ନେଇ ଏବେ ସବୁଠି ଚର୍ଚ୍ଚା। ପୁଣି କେଉଁ ପ୍ରାର୍ଥୀଙ୍କ ପାଇଁ କେଉଁ ଦଳର ସମର୍ଥନ ରହିଛି ତାହାକୁ ନେଇ ବି ଚର୍ଚ୍ଚା ହୁଏ...ତେବେ ଆସନ୍ତୁ ଆଜି ସୁନ୍ଦରଗଡ଼ ଜିଲ୍ଲାରେ କେମିତି ଅଛି ପଂଚାୟତ ମାହୋଲ ଓ କେତୋଟି ଜିଲ୍ଲା ପରିଷଦ ଜୋନ୍‌ ଅଛି ଜାଣନ୍ତୁ...

ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ଜିଲ୍ଲା ସୁନ୍ଦରଗଡ଼। ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାରୁ ମୋଟ୍ ୩୫ଟି ଜୋନ୍କୁ ନେଇ ଗଠିତ ଏହି ଜିଲ୍ଲା ପରିଷଦରେ ଏବେ ମିଳିତ ସରକାର ଅର୍ଥାତ୍ ସଂଖ୍ୟାଖେଳର ବାଧ୍ୟବାଧକତାରେ କଂଗ୍ରେସ ଓ ସିପିଆଇଏମ୍ ସହ ମିଶି ଜିଲ୍ଲା ପରିଷଦ ଗଢ଼ିଥିଲା ବିଜେଡି। ଅଧ୍ୟକ୍ଷ ହୋଇଥିଲେ ବିଜେଡିରୁ। ବିଜେଡିର ଏମା ଏକ୍କାଙ୍କୁ ଅଧ୍ୟକ୍ଷ ପଦ ମିଳିଥିଲା। ଉପାଧ୍ୟକ୍ଷ ହୋଇଥିଲେ କଂଗ୍ରେସ ଦଳରୁ। କଂଗ୍ରେସର କାଶୀନାଥ ରାଉତ ଉପାଧ୍ୟକ୍ଷ ନିର୍ବାଚିତ ହୋଇଥିଲେ। ଆମେ ଯଦି ଆସନ ସଂଖ୍ୟା କଥା ଦେଖିବା, ତାହେଲେ ବିଜେଡି ସର୍ବାଧିକ ୧୪ଟି ଜୋନରେ ଜିତିଥିଲା, ତା ତଳକୁ ବିଜେପି ହାତରେ ଲାଗିଥିଲା ୧୩ଟି ଜୋନ୍।

ସେହିପରି କଂଗ୍ରେସ ୫ ଓ ଅନ୍ୟାନ୍ୟଙ୍କୁ ୩ ଅର୍ଥାତ୍-ସିପିଆଇ-୧, ସିପିଏମ୍-୧ ଓ ସ୍ୱାଧୀନ ପ୍ରାର୍ଥୀଙ୍କ ଦଖଲରେ ଅଛି ଗୋଟିଏ ଜୋନ୍। ୧୭ଟି ବ୍ଲକ୍‌କୁ ନେଇ ଗଠିତ ଏଇ ଜିଲ୍ଲାରେ ଅଛି ୧୭ଟି ପଞ୍ଚାୟତ ସମିତି ଏବଂ ଅଛନ୍ତି ୨୭୯ ସରପଞ୍ଚଙ୍କ ସହ ସମାନ ସଂଖ୍ୟକ ସମିତି ସଭ୍ୟ। ଆଉ ଓ୍ୱାର୍ଡ ସଂଖ୍ୟା ହେଲା ୧ ହଜାର ୭୩୧ ଅର୍ଥାତ୍ ଏଇ ହଜାରେ ୭୩୧ଟି ଓ୍ୱାର୍ଡର ନେତା ବା ଓ୍ୱାର୍ଡସଭ୍ୟ ପଦ ପାଇଁ ବି ହେବ ଭୋଟ୍। ପଞ୍ଚାୟତ ନିର୍ବାଚନ ପାଇଁ ଜିଲ୍ଲାର ରାଜନୈତିକ ସ୍ଥିତି ସଂପର୍କରେ ଆଲୋଚନା କରିବା ପୂର୍ବରୁ ପ୍ରଥମେ ମୁଦ୍ଦା ଉପରେସମସ୍ତଙ୍କ ନଜର ରହିଛି। କାରଣ ସୁନ୍ଦରଗଡ଼ ଜିଲ୍ଲାରେ ପଞ୍ଚାୟତ ଭୋଟ୍ ରାଜନୀତିକୁ ପ୍ରଭାବିତ କରିବାକୁ ଥିବା ଭଳି ଅନେକ ମୌଳିକ ସମସ୍ୟା ରହିଛି। ଗତ ପଞ୍ଚାୟତ ନିର୍ବାଚନ ଭଳି ଏଥର ବି ଭୋଟରଙ୍କ ଦୂଆରମୁହାଁ ହେଲେଣି ନେତା। ଗାଁ ଖଟି, ଚା ଦୋକାନ, ମନ୍ଦିର, କ୍ଲବ୍ ସବୁଠି ଚର୍ଚ୍ଚା ହେଲାଣି, ନିର୍ବାଚିତ ପ୍ରତିନିଧିଙ୍କ କାମର ହିସାବ ମାଗିବାକୁ ବି ସଜ ହେଲେଣି ଜନତା।

କୁହାଯାଉଛି ଅନ୍ୟ ଅନେକ ସମସ୍ୟା ସହ ଖଣି ଖାଦାନଭରା ଆଦିବାସୀ ବହୁଳ ଏ ଜିଲ୍ଲାରେ ରାସ୍ତା, ଦାଦନ ଓ ସ୍ୱାସ୍ଥ୍ୟ ଭଳି ସମସ୍ୟା ଏଥର ପଞ୍ଚାୟତ ନିର୍ବାଚନର ପ୍ରମୁଖ ମୁଦ୍ଦା ବନିପାରେ। ଖାଲଖମାରେ ଭର୍ତ୍ତି ମୁଖ୍ୟ ରାସ୍ତା ଏ ଅଂଚଳର ସମସ୍ୟାକୁ ଦ୍ୱିଗୁଣିତ କରୁଛି। ଯୁଆଡେ ଚାହିଁବ ପଥର ଆଉ ମାଟିରେ ଭର୍ତ୍ତି। ମଝି ରାସ୍ତାରେ ଥିବା ଖାଲରେ ପାଣି ଜମିଛି। ରାସ୍ତା ସାରା କାଦୁଅ ପଚ୍ ପଚ୍ ହୋଇ ରହିଛି। ପିଚୁର ନାଁ ଗନ୍ଧ ନାହିଁ... ଦୂର ଦୂର ଯାଏଁ ଉଡୁଛି ଧୂଳି ଆଉ ତାରି ଭିତରେ ପ୍ରତିଦିନ ଗଡୁଛି ହଜାର ହଜାର ଭାରିଯାନ। ଧୂଳିମୟ ପ୍ରଦୂଷଣରେ ରୁନ୍ଧି ହୋଇ ଧାଉଁଛି ଜୀବନ।

ଖଣିଖାଦାନ ଭରା ସୁନ୍ଦରଗଡର କୋଇଡା ଅଂଚଳ ବରସୁଆ ଠାରୁ ଟେନ୍ସାର ଦୂରତା ମାତ୍ର ୯ କିଲୋମିଟର... ହେଲେ ଯିବାକୁ ଲାଗେ ଘଂଟା ଘଂଟା ସମୟ। କାରଣ, ୯ କିଲୋମିଟର ରାସ୍ତାରେ ରହିଛି ୯ଶହରୁ ଅଧିକ ବଡ଼ ବଡ଼ ଗାତ। ଶୋଚନୀୟ ହୋଇପଡିଛି ପୂରା ରାସ୍ତା । ଟିକେ ଅସାବଧାନ ହେଲେ ଦୁର୍ଘଟଣା ଥୟ। ଲୋକଙ୍କ ଅଭିଯୋଗ ଏଇ ଅଞ୍ଚଳର ଖଣି ଖାଦାନରୁ ରାଜ୍ୟ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ପାଉଛନ୍ତି, ହେଲେ ରାସ୍ତାର ଏ ଅବସ୍ଥା ପାଇଁ ଯେମିତି ଟିକିଏ ଦୃଷ୍ଟି ନାହିଁ। ସ୍ଥାନୀୟ ନେତାଠୁ ପ୍ରଶାସନ ସମସ୍ତେ ଯେମିତି ନିଦାବିଷ୍ଣୁ। ସେପଟେ ରାଜଗାଙ୍ଗପୁର ବ୍ଳକ୍ କୁଟୁନିଆ ପଞ୍ଚାୟତର ଉପସ୍ୱାସ୍ଥ୍ୟକେନ୍ଦ୍ର ୧୦ ବର୍ଷ ହେଲା ଖୋଲିଛି। ହେଲେ ନାହିଁ ନାହିଁରେ ଚାଲିଛି। ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ ନଥିବାରୁ ପ୍ରଥମେ ବନ୍ଦ ହୋଇଯାଇଥିଲା। ଗତ ବର୍ଷ ସେପଟେମ୍ବରରେ ପୁଣି ଥରେ ଖୋଲିଛି। ଜଣେ ଫାର୍ମାସିଷ୍ଟଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଖୁବଶୀଘ୍ର ଜଣେ ଡାକ୍ତର ଆସିବେ ବୋଲି କୁହାଗଲା। ହେଲେ ଏଯାଏଁ ଫାର୍ମାସିଷ୍ଟଙ୍କ ଭରସାରେ ଚାଲିଛି ସ୍ୱାସ୍ଥ୍ୟକେନ୍ଦ୍ର।

ଆଉ ଏହାରି ଉପରେ ନିର୍ଭରଶୀଳ କୁଟୁନିଆ, ଚିମିମହଲ, ଦୁପୁକୁ, ସୋନାଖଣ୍ଡ ଓ କେନ୍ଦୁକୁଦର ଭଳି ୧୫ ଖଣ୍ଡ ଗାଁ। ଲୋକସଂଖ୍ୟା ପାଖାପାଖି ୫ ହଜାର ରହିଛି। ହେଲେ ଏମାନଙ୍କ ଉନ୍ନତ ସ୍ୱାସ୍ଥ୍ୟସେବାର ସ୍ୱପ୍ନ ଆଜି ବି ସ୍ୱପ୍ନ। କ୍ଷମତାରେ ଯିଏ ବି ଥାଉ ନା କାହିଁକି, ସୁନ୍ଦରଗଡ଼ ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଲୋକେ ରାସ୍ତା ସମସ୍ୟା ସହ ଜୁଝୁଛନ୍ତି, ଉନ୍ନତ ସ୍ୱାସ୍ଥ୍ୟ ସେବାର ଅପେକ୍ଷା ରଖୁଛନ୍ତି, ରୋଜଗାର ପାଇଁ ସଂଘର୍ଷ କରୁଛନ୍ତି ଭୋଟ୍ ହାତେଇବାକୁ ପ୍ରତିଥର ଭଳି ଆଗାମୀ ପଞ୍ଚାୟତ ନିର୍ବାଚନରେ ଏସବୁ ପ୍ରସଙ୍ଗକୁ ବି ପୁଣି ମୁଦ୍ଦା ବନାଇ ପାରନ୍ତି ନେତା।

ତେବେ ରାଜ୍ୟର ଅନ୍ୟ ଜିଲ୍ଲା ଅପେକ୍ଷା ସୁନ୍ଦରଗଡ଼ରେ ପଞ୍ଚାୟତ ରାଜନୀତି ପାଣିପାଗ ଟିକେ ଅଲଗା। କାରଣ ଇଏ ଏକମାତ୍ର ଜିଲ୍ଲା, ଯେଉଁଠି କ୍ଷମତା ପାଇଁ ଅହି-ନକୂଳ ବି ଏକାଠି ଅର୍ଥାତ୍ ୧୭ ନିର୍ବାଚନରେ କଂଗ୍ରେସ ଓ ସିପିଆଇ,ସିପିଏମ୍ ସହ ମିଶି ଏଠି ଜିଲ୍ଲା ପରିଷଦ ଗଢ଼ିଥିଲା ବିଜେଡି। ହେଲେ ଏଥର କିଭଳି ଅଛି ରାଜନୈତିକ ସ୍ଥିତି, ଭୋଟ୍ ପାଇଁ କେତେ ପାଗ ଭିଡ଼ିଲେଣି ତାହାକୁ ନେଇ ଏବେ ବେଶ୍‌ ଚର୍ଚ୍ଚା। ବିଜେପି, ବିଜେଡି, କଂଗ୍ରେସ ପଞ୍ଚାୟତ ଦଖଲ ପାଇଁ ଏବେଠୁ ଜୋରଦାର ହେଲାଣି ପାଗଭିଡ଼ା, କସରତ। ଗତ ପଞ୍ଚାୟତ ନିର୍ବାଚନରେ ପଶ୍ଚିମ ଓଡିଶାରେ ଭଲ ପ୍ରଦର୍ଶନ ଏବଂ ସୁନ୍ଦରଗଡ଼ ଲୋକସଭା ଆସନଟି ବିଜେପି ହାତରେ ଥିବା ସତ୍ତ୍ୱେ ଏଠି ପରିଷଦ ଗଠନ କରିବାରେ ସଫଳ ହୋଇ ପାରିନଥିଲା ବିଜେପି। ତେଣୁ ଏଥର ପଞ୍ଚାୟତ ନିର୍ବାଚନର ସଂଖ୍ୟା ଖେଳରେ ପ୍ରତିପକ୍ଷକୁ ମାତ୍ ଦେବାକୁ ସମର୍ଥକଙ୍କ ସହ ରଣନୀତି ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି, ସୁନ୍ଦରଗଡ଼ ବିଜେପିର ବଡ଼ ଚେହେରା ସାଂସଦ ଜୁଏଲ୍ ଓରାମ୍। ଲକ୍ଷ୍ୟ ରହିଛି କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନତିମୂଳକ ଜନ କଲ୍ୟାଣକାରୀ ଯୋଜନାକୁ ଗାଁକୁ ନେବେ, ଗ୍ରାମାଞ୍ଚଳରେ ରାଜ୍ୟ ସରକାରଙ୍କ ବିଫଳତାର ଗଣ୍ଠିଲିକୁ ଜନତା ଜନାର୍ଦ୍ଦନଙ୍କ ପାଖରେ ଖୋଲିବେ।

ଆଉ ଏସବୁକୁ ସାହାରା କରି ଏକାକି ବିଜେପିକୁ ଜିଲ୍ଲା ପରିଷଦ ଗଠନର ରାସ୍ତାକୁ ପ୍ରଶସ୍ତ କରିବେ। ଏପଟେ ପାଖରେ ଆବଶ୍ୟକ ସଂଖ୍ୟା ନଥାଇବି ପ୍ରଥମ ଥର ପାଇଁ କଂଗ୍ରେସ ଓ ସିପିଆଇ-ସିପିଏମ୍ ସହ ହାତ ମିଳାଇ ପରିଷଦ ଗଢ଼ିଥିବା ବିଜେଡି ଏଥର ଫୁଲ୍ ଫର୍ମରେ ପୂର୍ବାପେକ୍ଷା ଅଧିକ ଜୋନରେ ଜିତି ପରିଷଦ ଗଠନ କରିବାକୁ ଗ୍ରାଉଣ୍ଡ ଓ୍ୱାର୍କରେ ଲାଗିପଡ଼ିଛି ଦଳ। ଗାଁ ଭୋଟ ହାତେଇବାକୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ଠାରୁ , କୋଭିଡ ସହାୟତା ଏବଂ ବିଜୁ ପକ୍କା ଘର ମରାମତି ପାଇଁ ଅର୍ଥ ପ୍ରଦାନ ଭଳି ପ୍ରସଙ୍ଗର ଅସ୍ତ୍ରକୁ ଶାଣ ଦେବାରେ ଲାଗିଛି ଦଳ। ଏପଟେ ପ୍ରଫୁଲ୍ଲ ମାଝୀଙ୍କ ଭଳି ନେତାଙ୍କ ଦଳବଦଳ ପରେ ଜିଲ୍ଲାରେ ଏକ ପ୍ରକାର ଅସ୍ଥିତ୍ୱ ସଂକଟରେ ଥିବା କଂଗ୍ରେସର ଭରସା ଏବେ ଆଦିବାସୀ ନେତା ଜର୍ଜ ତିର୍କୀ। ତାଙ୍କରି ନେତୃତ୍ୱରେ ପଞ୍ଚାୟତ ଭୋଟ୍ ଡଙ୍ଗାରେ ନିର୍ବାଚନୀ ବୈତରଣୀ ପାର ହେବାକୁ ଅଣ୍ଟା ଭିଡ଼ିଛି କଂଗ୍ରେସ। ପଞ୍ଚାୟତ ଦଖଲ ପାଇଁ ନେତା ତାଙ୍କ ବାଗରେ ଲାଗିଛନ୍ତି।

ଏପଟେ ଦ୍ରୁତ କୋଭିଡ୍ ସଂକ୍ରମଣ ଭିତରେ ନିର୍ବାଚନ ଚ୍ୟାଲେଞ୍ଜକୁ ସମ୍ମୁଖୀନ ହେବାକୁ ପ୍ରସ୍ତୁତି ଚଳାଇଛି ପ୍ରଶାସନ। ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ହେବା ପରଠାରୁ କେବେବି ଜିଲ୍ଳା ପରିଷଦ ଗଠନ କରିପାରିନି ବିଜେପି। କଂଗ୍ରେସ ଏକାକି ଦୁଇ ଥର ଏବଂ ଥରେ ଜେଏମଏମ୍ ସହ ମିଶି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଉପରେ କବଜା କରିଛି। ୨୦୧୨ରେ ଏକାକୀ ଜିଲ୍ଲା ପରିଷଦ ଗଢିଥିଲା ବିଜେଡି। ହେଲେ ଏବେ କେଉଁ ପାଣି କୁଆଡ଼େ ଯାଉଛି, କାହା ଉପରେ ଭରସା କରୁଛନ୍ତି ସୁନ୍ଦରଗଡ଼ର ଜନତା ତା ଉପରେ ନଜର।

ସୁନ୍ଦରଗଡରୁ ବିଜୟ ବରୁଆ ଏବଂ ରାଉରକେଲାରୁ ପବନ ତିଓ୍ବାରୀ