/odishatv-khabar/media/post_attachments/uploadimage/library/16_9/16_9_0/Cuttack_1642817486.jpg)
Cuttack
କରୋନା ମହାମାରୀ ଲାଗି ଶ୍ରୀକ୍ଷେତ୍ରରେ କାଳିଆ ଠାକୁରଙ୍କୁ ଦର୍ଶନ ପାଇଁ ସିନା ରହିଛି କଟକଣା। ହେଲେ ଭକ୍ତ ମନ ମାନୁନାହିଁ । ଘରେ ବସି ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି କରିବାରେ ନିମଗ୍ନ ଜଣେ ଭକ୍ତ। ଏମିତି ଜଣେ ଭକ୍ତ ହେଉଛନ୍ତି କଟକ ଝାଞ୍ଜିରମଙ୍ଗଳା ଅଞ୍ଚଳରର ସ୍ମୃତିରଂଜନ ମହାନ୍ତି । ମାତ୍ର ଗୋଟିଏ ଇଞ୍ଚ ଉଚ୍ଚତା ବିଶିଷ୍ଟ ମହମର ଜଗନ୍ନାଥ ମୂର୍ତ୍ତି ସହ ଦିଆସିଲି କାଠିରେ ତିଆରି କରିଛନ୍ତି ନନ୍ଦିଘୋଷ ରଥ। ଯୁକ୍ତ ଦୁଇ ପାଠ ପଢୁଥିବା ସ୍ମୃତି ରଞ୍ଜନ ମହାନ୍ତି, ଅଦରକାରୀ ଜିନିଷ ନ ଫୋପାଡ଼ି ସୁନ୍ଦର ସୁନ୍ଦର କଳାକୃତି କରିପାରୁଛନ୍ତି । ମହମବତୀ, ଦିଆସିଲି କାଠି, ଇୟର ବର୍ଡ ଓ ସୋଲ ଆଦିକୁ ନେଇ ତାଙ୍କର କଳାକୃତି । ପିଲାଟି ଦିନରୁ ତାଙ୍କର ଜଗନ୍ନାଥଙ୍କ ପ୍ରତି ଭକ୍ତି ରହି ଆସିଛି। ବିନା ପ୍ରଶିକ୍ଷଣରେ ଜଗନ୍ନାଥଙ୍କ ଦୟାରୁ ସେ ଏପରି କରିପାରୁଥିବା କହିଛନ୍ତି।
ଅଦରକାରୀ ଜିନିଷରୁ ଏଭଳି କଳାକୃତି ପାଇଁ ସ୍ମୃତିରଂଜନଙ୍କୁ ମିଳିଛି ଜାତୀୟ ସ୍ତରର ପୁରସ୍କାର। ସ୍ମୃତି ରଞ୍ଜନ ୧ ଇଞ୍ଚର ଜଗନ୍ନାଥ ମୂର୍ତ୍ତି ନିର୍ମାଣ କରି ଇଣ୍ଡିଆ ବୁକ୍ ଅଫ ରେକର୍ଡ ସହ ଏସିଆ ବୁକରେ ସ୍ଥାନ ପାଇଛନ୍ତି। ସେହିପରି ୨୭ ସେଣ୍ଟିମିଟର ଉଚ୍ଚତା ବିଶିଷ୍ଟ କେଦାରନାଥ ନାଥ ମନ୍ଦିରର ଏକ ଅବିକଳ ମଡେଲ ପ୍ରସ୍ତୁତ କରିଛନ୍ତି ସ୍ମୃତି । ଏଥିପାଇଁ କାର୍ଡବୋର୍ଡ, ଟିସୁ ପେପର, ସୋଲ ଓ ଦିଆସିଲି କାଠି ବ୍ୟବହାର କରିଛନ୍ତି। ସେହିପରି ଜଗନ୍ନାଥଙ୍କ ଦଶାବତାର ସହ ଦୋଳିରେ ଝୁଲୁଥିବା ଜଗନ୍ନାଥ ମୂର୍ତ୍ତିରେ ବି ତାଙ୍କ ହାତର କାରିଗରି ଝଲକ ଦେଖିବାକୁ ମିଳିଛି। ପୁଅର ଏହି ସଫଳତା ପାଇଁ ବେଶ୍ ଖୁସି ପରିବାର ଲୋକେ। ତେବେ ଆଗକୁ ଆହୁରି ଅଧିକ ଆକର୍ଷଣୀୟ କଳାକୃତି ନିର୍ମାଣ କରିବାର ଆଶା ରଖିଛନ୍ତି ସ୍ମୃତି ରଞ୍ଜନ।
କଟକରୁ ପ୍ରଭାତ ବିଷୋୟୀଙ୍କ ରିପୋର୍ଟ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)