• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

୧୯୯୮ରୁ ୨୦୦୯। ବିଜେପି- ବିଜେଡି ମେଣ୍ଟ କରି ଲଢ଼ିଛନ୍ତି ୩ଟି ଲୋକସଭା ଓ ୨ଟି ବିଧାନସଭା ନିର୍ବାଚନ। ୪:୩ ଅନୁପାତରେ ଆସନ ବୁଝାମଣା କରି ଉଭୟ ଦଳ କେନ୍ଦ୍ର ଓ ରାଜ୍ୟରେ କ୍ଷମତାର ସ୍ୱାଦ ବି ଚାଖିଛନ୍ତି। ତେବେ ୨୦୦୮ ମସିହାରେ ଦୁଇ ଦଳଙ୍କ ମଧ୍ୟରେ କାହିଁକି ସଂପର୍କ ତିକ୍ତ ହେଲା ଏବଂ ୧୫ ବର୍ଷର ବ୍ୟବଧାନ ପରେ ପୁଣି ଏକାଠି ହେବା..ଜାଣନ୍ତୁ

ବିଜେପି- ବିଜେଡି ଭିତରେ ମେଣ୍ଟ ନୂଆ ନୁହେଁ କି ଅସମ୍ଭବ ବି ନୁହେଁ। ୧୯୯୮ରୁ ୨୦୦୯ ଦୁଇ ଦଳ ଏକାଠି ଥିଲେ, ମିଳିମିଶି କ୍ଷମତା ମହୁକୁ ବି ଚାଖୁଥିଲେ। ମେଣ୍ଟ ଇତିହାସକୁ ନିରିଖେଇ ଦେଖିଲେ ୧୯୯୭ ମସିହାରେ ଯେତେବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନିଧନ ହେଲା ସେତେବେଳେ ରାଜ୍ୟରେ ନେତୃତ୍ୱର କୃତ୍ରିମ ଅଭାବ ଦେଖାଦେଲା। ନେତା ନଥିଲେ ତାହା ନୁହେଁ, କିନ୍ତୁ ସେମାନଙ୍କ ଭିତରୁ କାହାକୁ କ୍ଷମତାପନ୍ନ କରିବାକୁ କୌଣସି ଅଣ କଂଗ୍ରେସ ବିଜୁପ୍ରେମୀ ଏକଜୁଟ ହୋଇପାରିଲେ ନାହିଁ। ଫଳରେ ସେତେବେଳର ପ୍ରତିଷ୍ଠିତ ନେତା ବିଜୁ ବାବୁଙ୍କ ପରିବାରର ଜଣଙ୍କୁ ଖୋଜା ପଡ଼ିଲା।

ରାଜନୀତି ଖିଅରେ କେବେ ବାନ୍ଧି ହୋଇନଥିବା ଏ ପରିବାରର ସାନ ପୁଅ ନବୀନଙ୍କୁ ଆଣି ରାଜନୀତିରେ ଭର୍ତ୍ତି କଲେ। ଆଉ ଘଟଣାକ୍ରମରେ ‘କଂଗ୍ରେସ ମୁକ୍ତ ଭାରତ’ର ସ୍ୱପ୍ନ ଦେଖୁଥିବା ବିଜେପି ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନବୀନଙ୍କୁ ସମର୍ଥନ କରିବାରୁ ଗଢ଼ା ହେଲା ବିଜୁ ଜନତା ଦଳ। ୧୯୯୮ରେ ବାଜପେୟୀ ସରକାର କେନ୍ଦ୍ରରେ କ୍ଷମତାସୀନ ଥିବାବେଳେ ପ୍ରଥମେ ବିଜେଡି-ବିଜେପି ମଧ୍ୟରେ ହେଲା ମେଣ୍ଟ। ଏନଡିଏରେ ସାମିଲ ହୋଇଥିଲା ବିଜୁ ଜନତା ଦଳ। ସେହିବର୍ଷ ହୋଇଥିବା ଲୋକସଭା ନିର୍ବାଚନରେ ଆସ୍କାରୁ ନବୀନ ପଟ୍ଟନାୟକଙ୍କୁ ମିଶାଇ ବିଜେଡି ୯, ବିଜେପି ୭ ଆସନରେ ବିଜୟୀ ହୋଇଥିଲା। ତାପରେ ବାଜପେୟୀ ସରକାର ଭାଙ୍ଗିଯିବାକୁ ୧୯୯୯ରେ ପୁଣି ନିର୍ବାଚନ ହେଲା, ଯେଉଁଥିରେ ବିଜେଡି ୧୦, ବିଜେପି ୯ ଆସନ ଜିତିଥିଲେ। ସେମିତି ୨୦୦୪ ସାଧାରଣ ନିର୍ବାଚନରେ ବିଜେଡି ୧୧ ଓ ବିଜେପି ୭ଟି ଆସନରେ ଜିତିଥିଲେ।

ଲୋକସଭା ଭଳି ୨୦୦୦ ଓ ୨୦୦୪ ମସିହା ବିଧାନସଭା ନିର୍ବାଚନ ବି ବିଜେପି-ବିଜେଡି ମେଣ୍ଟ କରି ଲଢ଼ିଥିଲେ। ଓଡ଼ିଶାରେ ସରକାର ଗଢି କ୍ଷମତାର ସ୍ୱାଦ ବି ଚାଖିଥିଲେ। ୪:୩ ଅନୁପାତରେ ଦୁଇ ଦଳଙ୍କ ମଧ୍ୟରେ ସିଟ ସେୟାରିଂ ହୋଇ ବିଜେଡି ୮୪ ଓ ବିଜେପି ୬୩ ସିଟ୍ ସିଟରେ ଲଢିଥିଲେ। ୨୦୦୦ ମସିହାରେ ବିଜେଡି ୬୮, ବିଜେପି ୩୮ ଓ ୨୦୦୪ରେ ବିଜେଡି ୬୧ ଓ ବିଜେପି ୩୨ଟି ବିଧାନସଭା ଆସନରେ ବିଜୟୀ ହୋଇଥିଲେ। କିନ୍ତୁ ୨୦୦୮ ମସିହାର କନ୍ଧମାଳ ଦଙ୍ଗା ଏ ଦୁଇ ମିତ୍ରଦଳଙ୍କ ଭିତରେ ସମ୍ପର୍କ ତିକ୍ତ କଲା।

ନବୀନ ନିବାସରେ କେନ୍ଦ୍ରୀୟ ବିଜେପି ନେତାଙ୍କ ବାରମ୍ବାର ବୈଠକ ସୁଫଳ ହେଲାନି। ଫଳରେ ୨୦୦୯ ମସିହା ମାର୍ଚ୍ଚ ୯ ତାରିଖରେ ହଠାତ୍ ମେଣ୍ଟ ଭାଙ୍ଗିଗଲା। ନିରାଶ ହୋଇ ନବୀନ ନିବାସରୁ ଏମିତି ଫେରିଥିଲେ ସେତେବେଳର ରାଜ୍ୟ ବିଜେପି ପ୍ରଭାରୀ ଚନ୍ଦନ ମିତ୍ର। ବିଜେପିକୁ ପର କରି ଲୋକଙ୍କ ହାତ ଧରିଲା ବିଜେଡି। ସାମ୍ପ୍ରଦାୟିକ ଶକ୍ତିଠୁ ଦୂରରେ ବୋଲି କହି ୨୦୦୯ ଏବଂ ୨୦୧୪ ଓ ୨୦୧୯ ନିର୍ବାଚନ ବି ଜିତିଲା। ହେଲେ ଏବେ ସମୟ ବଦଳିଛି, ପୁଣି ଦୁଇଦଳ ଏକାଠି ହେବା ଚର୍ଚ୍ଚା ହେଉଛି।

୧୯୯୮ରୁ ୨୦୦୪ ଏନଡିଏ ସରକାର କେନ୍ଦ୍ରରେ କ୍ଷମତାରେ ଥିବାବେଳେ ଓଡ଼ିଶାରୁ ଉଭୟ ବିଜେଡି ଓ ବିଜେପି ସାଂସଦଙ୍କୁ ମିଳିଥିଲା ମନ୍ତ୍ରୀପଦ। ୨ବର୍ଷ ଧରି ବିଜେଡି ସଭାପତି ନବୀନ ପଟ୍ଟନାୟକ ଖଣି ଓ ଇସ୍ପାତ ମନ୍ତ୍ରୀ ଥିବାବେଳେ ଅନ୍ୟ ମନ୍ତ୍ରୀ ଭାବେ ଅର୍ଜୁନ ଚରଣ ସେଠୀ-ଜଳ ସଂପଦ, ବ୍ରଜ କିଶୋର ତ୍ରିପାଠୀ- ଇସ୍ପାତ, ଦିଲ୍ଲିପ ରାୟ - ଇସ୍ପାତ ଓ କୋଇଲା, ଦେବେନ୍ଦ୍ର ପ୍ରଧାନ- ଭୂପୃଷ୍ଠ ପରିବହନ ଓ ଜୁଏଲ ଓରାମ ଆଦିବାସୀ ବ୍ୟାପାର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।