• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ଲକ୍ଷେ କୋଟି ଟଙ୍କା ପୁଞ୍ଜିନିବେଶ କରିବ ଆର୍ସେଲର ମିତ୍ତଲ-ନିପ୍ପନ ଷ୍ଟିଲ୍ । ମହାକାଳପଡ଼ାରେ ମେଗା ଷ୍ଟିଲ୍ ପ୍ଲାଣ୍ଟ ସ୍ଥାପନ ପାଇଁ ପ୍ରସ୍ତାବ । ବାର୍ଷିକ ୨୪ ନିୟୁତ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ସମନ୍ୱିତ ଷ୍ଟିଲ୍ ପ୍ଲାଣ୍ଟ ପ୍ରସ୍ତାବରେ ମୋହର ମାରିଛନ୍ତି ରାଜ୍ୟ ସରକାର । ଏଥିପାଇଁ ୧ ଲକ୍ଷ ୨ହଜାର ୨୭୫ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ଆର୍ସେଲର ମିତ୍ତଲ- ନିପ୍ପନ ଷ୍ଟିଲ । ଏହାସହ କମ୍ପ୍ଲେକ୍ସରେ ବାର୍ଷିକ ୧୮. ୭୫ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ସିମେଣ୍ଟ ପ୍ଲାଣ୍ଟ ବି ରହିବ । ୭ ବର୍ଷ ଭିତରେ ପର୍ଯ୍ୟାୟ କ୍ରମେ ଶେଷ ହେବାକୁ ଥିବା ଏହି ପ୍ରକଳ୍ପ ସ୍ଥାପନ ହେଲେ ୧୬ ହଜାର ଲୋକଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ମିଳିବ ବୋଲି କୁହାଯାଇଛି ।

ସେପଟେ ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ଏବେଠାରୁ ରାଜନୀତିର ବାସ୍ନା ବାରିଲେଣି ବିରୋଧୀ । କାରଣ ବିଧାନସଭାରେ ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ରଖିଥିବା ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ, ଅକ୍ଟୋବର ୨୦୨୧ ସୁଦ୍ଧା ଷ୍ଟିଲ୍ କ୍ଷେତ୍ରରେ ରାଜ୍ୟ ସରକାର ୫୦ଟି କମ୍ପାନୀ ସହ ୨ଲକ୍ଷ ୫୮ ହଜାର ୬୭୩ କୋଟି ଟଙ୍କାର ଏମ୍ଓୟୁ ସ୍ୱାକ୍ଷର କରିଥିଲେ । ୪ଟି କମ୍ପାନୀ ପ୍ରକଳ୍ପରୁ ଓହରି ଯାଇଥିବାରୁ ଲକ୍ଷାଧିକ କୋଟି ଟଙ୍କାର ପୁଞ୍ଜିନିବେଶ ରାଜ୍ୟରୁ ଫେରିଯାଇଛି । ଯେଉଁଥିରେ ଆର୍ସେଲର ମିତ୍ତଲ ଓ ପୋସ୍କୋ ଭଳି ସଂସ୍ଥା ଅଛି । ବିରୋଧୀଙ୍କ ଯୁକ୍ତି, ଏହା କେବଳ ପଞ୍ଚାୟତ ନିର୍ବାଚନୀ ଚାଲ୍ । ୨୦୦୬ରେ ଏମ୍ଓୟୁ ସ୍ୱାକ୍ଷରିତ କରି କେନ୍ଦୁଝର ପାଟଣାରେ ଆର୍ସେଲର ମିତ୍ତଲ ନିଜ ପ୍ରସ୍ତାବିତ ଷ୍ଟିଲ ପ୍ଲାଣ୍ଟ ପ୍ରକଳ୍ପରୁ ଓହରି ଯାଇଥିଲା । ଆଉ ଏବେ କିପରି ସେହି ସଂସ୍ଥା ମେଗା ପ୍ଲାଣ୍ଟ ସ୍ଥାପନ କରିବାକୁ ସକ୍ଷମ ହେବ ?

ବିଭିନ୍ନ ଶିଲ୍ପସଂସ୍ଥା ଗୁଡ଼ିକ ସହ ଏମ୍ଓୟୁ ପରେ ଏମ୍ଓୟୁ ସ୍ୱାକ୍ଷରିତ ହେଉଛି । ହେଲେ ପ୍ରସ୍ତାବିତ ପ୍ରକଳ୍ପଗୁଡିକରୁ ଶିଳ୍ପ ସଂସ୍ଥାଗୁଡିକ କୌଣସି ନା କୌଣସି କାରଣରୁ ମୁହଁ ଫେରାଇ ନେଉଛନ୍ତି । ଏବେ ନଜର ମିତ୍ତଲର ଏହି ମେଗା ପ୍ରୋଜେକ୍ଟ କେବେ ବାସ୍ତବିକ ରୂପ ନେଉଛି ।