• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ଓଡ଼ିଶାକୁ ଛୁଇଁଲା କି ଓମିକ୍ରନ୍ ? କଟକରେ ଜଣେ ନାଇଜେରିଆ ଫେରନ୍ତା ପଜିଟିଭ ଚିହ୍ନଟ ହେବା ନେଇ କଟକ ସିଡିଏମ୍ଓଙ୍କ ଏହି ସୂଚନା ପରେ ରାଜ୍ୟକୁ ଘାରିଛି ଓମିକ୍ରନ୍ ଭୟ । ସୂଚନା ମୁତାବକ, ୩-୪ ଦିନ ତଳେ ବ୍ୟକ୍ତି ଜଣଙ୍କ ନାଇଜେରିଆରୁ ଜଗତସିଂହପୁର, ପରେ କଟକ ଆସିଥିଲେ । ଏଠି କୋଭିଡ୍ ଚିହ୍ନଟ ତ ହୋଇଛନ୍ତି, ହେଲେ ଓମିକ୍ରନ୍‌ରେ ଆକ୍ରାନ୍ତ କି ନୁହଁ, ଜାଣିବା ପାଇଁ ତାଙ୍କ ନମୁନାକୁ ଜିନମ୍ ସିକ୍ୱେନ୍ସିଂ ଲାଗି ପଠାଯାଇଛି । ଏପଟେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, କଟକରେ ଓମିକ୍ରନ୍ ସନ୍ଦିଗ୍ଧ ଥିବା ନେଇ ଚାଲିଥିବା ଚର୍ଚ୍ଚା ସମ୍ପର୍କରେ ଆମେ ଖବର ପାଇଛୁ । ସେନେଇ ତର୍ଜମା ଚାଲିଛି । ତେବେ ବ୍ରିଟେନ୍‌ରେ ଯେଉଁଭଳି ଓମିକ୍ରନ୍ କାୟା ବିସ୍ତାର କରିଚାଲିଛି, ତୃତୀୟ ଲହର ନିଶ୍ଚିତ ।

ଏପଟେ ସ୍ୱାସ୍ଥ୍ୟ ବିଭାଗ କହିଛି, ତୃତୀୟ ଲହର ମୁକାବିଲା ଲାଗି ରାଜ୍ୟ ସରକାର ସମର୍ଥ । ଯେତେ ରୋଗୀ ସଂଖ୍ୟା ବଢ଼ିଲେ ମଧ୍ୟ ଚିକିତ୍ସା ସେବା ଯୋଗାଇବାକୁ ସରକାର ପ୍ରସ୍ତୁତ । ପୂର୍ବ ପ୍ରସ୍ତୁତି ସହ ଅକ୍ସିଜେନ, ବେଡ୍ ଓ ମେଡିସିନ୍ ମହଜୁଦ ରଖାଯାଉଛି । ରାଜ୍ୟର ସବୁ କୋଭିଡ୍ ହସ୍ପିଟାଲରେ ସ୍ୱତନ୍ତ୍ର ଓମିକ୍ରନ୍ ବ୍ଲକ୍ କରାଯାଉଛି । କିନ୍ତୁ କୋଭିଡ୍‌ର ଓମିକ୍ରନ୍ ଭ୍ୟାରିଏଣ୍ଟରେ ଲକ୍ଷଣ ବଦଳିଛି, ତେଣୁ ଲୋକମାନେ ସତର୍କ ରୁହନ୍ତୁ ବୋଲି ନିବେଦନ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ସେ କହିଛନ୍ତି, ଓମିକ୍ରନ୍ ଆକ୍ରାନ୍ତଙ୍କର ଘ୍ରାଣ ଶକ୍ତି କମୁନି କି ଅଧିକ ଜ୍ୱର କିମ୍ବା ଥଣ୍ଡା ହେଉନି । ବରଂ ତଣ୍ଟି ଦରଜ ବା ବସିବା ଭଳି ଲାଗୁଛି, ଗଳା ଖିଚ୍ ଖିଚ୍ ହେଉଛି । ଏଣୁ ଏ ସଂକ୍ରାମକ ଭ୍ୟାରିଏଣ୍ଟକୁ ରୋକିବାକୁ ହେଲେ, ଲୋକମାନେ ଟିକା ନିଅନ୍ତୁ, କୋଭିଡ୍ ଅନୁରୂପ ନିୟମ କଡ଼ାକଡ଼ି ମାନନ୍ତୁ । ସେପଟେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଦକ୍ଷିଣ ଆଫ୍ରିକା, ବ୍ରିଟେନ୍, ଡେନ୍‌ମାର୍କ ଓ ନରୱେ ଭଳି ଦେଶରେ ବହୁ କ୍ଷୀପ୍ର ଗତିରେ ମାଡ଼ିଚାଲିଛି ଏହି ଭ୍ୟାରିଏଣ୍ଟ । ଜାନୁଆରୀ ବେଳକୁ ଭାରତରେ ଓମିକ୍ରନ୍ ସଂକ୍ରମଣ ବଢ଼ିବ । ସ୍ୱଳ୍ପ ଲକ୍ଷଣ ରହୁଥିବାରୁ ଅନେକ ରୋଗୀଙ୍କୁ ଚିହ୍ନଟ କରିବା ବି କଷ୍ଟକର ହୋଇଯିବ । ହେଲେ ମାତ୍ର ୩-୪ ସପ୍ତାହ ମଧ୍ୟରେ ଏହା ପିକ୍‌ରେ ପହଞ୍ଚି ଶେଷ ବି ହୋଇଯିବ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନା ଅନୁଯାୟୀ, ସଂକ୍ରାମକ ଭାଇରସ ଓମିକ୍ରନ୍ କବଳରେ ଏବେ ସୁଦ୍ଧା ବିଶ୍ୱର ୮୯ ରାଷ୍ଟ୍ର । ଡେଲ୍‌ଟା ତୁଳନାରେ ଓମିକ୍ରନ୍ ଏତେ ଅଧିକ ବେଗରେ ମାଡ଼ୁଛି ଯେ, ଏହା ଗୋଷ୍ଠୀ ସଂକ୍ରମଣର ରୂପ ନେଇ ଦେଢ଼ରୁ ୩ ଦିନ ଭିତରେ ଦ୍ୱିଗୁଣିତ ହୋଇଯାଉଛି ।