• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବ୍ରହ୍ମପୁର: ପୁଣି ତପସ୍ୟାରେ ତପସ୍ୱିନୀ । ଏଥର ଟିକିଏ କଠୋର ହୋଇଛନ୍ତି । ଯେପଯର୍ୟନ୍ତ ତାଙ୍କୁ ଶ୍ୱଶୁର ଘରେ ରହିବାକୁ ଅନୁମତି ମିଳିବନି, ସେ ଯାଏଁ ଏମିତି ବସି ରହିବେ ଘର ବାହାରେ । ଯେପଯର୍ୟନ୍ତ ତାଙ୍କ ସ୍ୱାମୀ ତାଙ୍କୁ ନମିଳିଛନ୍ତି, ସେଯାଏଁ ସେ ଏଇଠୁ ହଟିବେନି । ଏହି ଜିଦ୍ ଧରି ଗତକାଲି ପୁଣି ତମ୍ବୁ ପୋତିଲେ, ରାତିତମାମ ଶୀତ କାକରରେ ବସିରହିଲେ । ସକାଳୁ ସଞ୍ଜ ହୋଇ ପୁଣି ରାତି ଆସିଥିବାବେଳେ ନଛୋଡ଼ବନ୍ଧା ତପସ୍ୱିନୀ ।

ସନ୍ଧ୍ୟାରେ ସେଇଠି ରନ୍ଧାବଢ଼ା କରି ଖିଆପିଆ କଲେ । ପୁଣି ବସିରହିଲେ ସେହି ଜାଡ଼ରେ । କାରଣ, ଯେଉଁ ଗେଷ୍ଟ ହାଉସ୍‌କୁ ଯାଇ ସପ୍ତାହେ ରହିଥିଲେ ତପସ୍ୱିନୀ ଓ ସୁମିତ, ପରବର୍ତ୍ତି ସମୟରେ ସେହି ଗେଷ୍ଟହାଉସ୍ କୁଆଡ଼େ ତାଙ୍କୁ ମନା କରିଦେଲା । ତପସ୍ୱିନୀ ଓରଫ୍ ଡିମ୍ପଲଙ୍କ କହିବା କଥା, ଯେହେତୁ ସ୍ୱାମୀ ତାଙ୍କୁ ଛାଡ଼ି କୁଆଡ଼େ ପଳାଇଗଲେ, ତେଣୁ ଏଠାରେ ସେ ଆଉ ଏକୁଟିଆ ରହିପାରିବେନି । ସେ ଏବେ କେଉଁଠି ରହିବେ, ସେନେଇ ବ୍ରହ୍ମପୁର SDJMଙ୍କ ନିକଟରେ ଗତକାଲି ଏକ ପିଟିସନ ଦାଖଲ କରିଥିବାରୁ ଏବଂ ଆସନ୍ତା ସୋମବାର ଏହାର ଶୁଣାଣି ଥିବାରୁ ସେ ଯାଏଁ ଏଭଳି ବସିରହିବେ ବୋଲି କହିଛନ୍ତି ତପସ୍ୱିନୀ ।

ତପସ୍ୱିନୀଙ୍କ ଏଭଳି ନିଷ୍ପତ୍ତି ପରେ ତତ୍ପର ହୋଇଛି ଆସିକା ଏବଂ ବ୍ରହ୍ମପୁର ପୋଲିସ । କାରଣ ସୁମିତ୍‌ଙ୍କୁ ନିଖୋଜ ଦର୍ଶାଇ ଆସିକା ଥାନାର ଦ୍ୱାରସ୍ଥ ହୋଇଥିଲେ ତପସ୍ୱିନୀ । ଏପରିକି ତାଙ୍କୁ ଛାଡ଼ି ନିଜ ଘରେ ସୁମିତ ରହିଥିବା ନେଇ ଗତକାଲି ତପସ୍ୱିନୀ କହିଥିଲେ । ଆଜି ବ୍ରହ୍ମପୁର ଏଏସ୍‌ପି, ଏସ୍‌ଡିପିଓ, ଆସିକା ଥାନା ଆଇଆଇସିଙ୍କ ସମେତ ଏକ ଟିମ୍ ସୁମିତଙ୍କ ଘରକୁ ଯାଇ ତାଙ୍କ ବାପାଙ୍କୁ ପଚରାଉଚରା କରିଛି । ହେଲେ ସୁମିତ କେଉଁଠି ସେ ସମ୍ପର୍କରେ ପୋଲିସକୁ କୌଣସି ସୂଚନା ଦେଇ ନାହାଁନ୍ତି ତାଙ୍କ ବାପା । ତେବେ ବିବାଦର ସମାଧାନ ପାଇଁ ଉଦ୍ୟମ ଚାଲିଛି ବୋଲି କହିଛି ପୋଲିସ୍ ।

ଏଠି ପ୍ରଶ୍ନ, କାହିଁକି ଲୁଚାଯାଉଛି ସୁମିତଙ୍କ ଠିକଣା ? ବାସ୍ତବରେ ସୁମିତ୍ କେଉଁଠି ଅଛନ୍ତି ? ବାଲିସିରା ସ୍ଥିତ ବନ୍ଧୁଘରେ ନା ବ୍ରହ୍ମାନଗର ସ୍ଥିତ ନିଜ ଘରେ ? ତେବେ ସୁମିତଙ୍କ ଓକିଲ କହିଛନ୍ତି, ଅସୁସ୍ଥତା ଯୋଗୁ ସୁମିତ ବାଲିସିରାରେ ହିଁ ଅଛନ୍ତି ।