/odishatv-khabar/media/post_attachments/uploadimage/library/16_9/16_9_0/IMAGE_1691494841.jpg)
Missing Women
ଡ୍ୟୁଟିରୁ ଫେରିବାରେ ସାମାନ୍ୟ ବିଳମ୍ବ ହେଲେ ସୁରେନ୍ଦ୍ରଙ୍କ ପାଖକୁ ଫୋନ ଆସିଯାଏ, "ବାପା, ଘରକୁ କେତେବେଳେ ଆସିବ? ଆଉ କେତେ ସମୟ ଲାଗିବ?" ସେମିତି ବାପା ବି ଘରକୁ ଆସିଲେ ଝିଅକୁ ଖୋଜନ୍ତି, "ବିଚିତ୍ରା କୁଆଡେ ଗଲା? କଲେଜରୁ ଫେରିଲାଣି? କ’ଣ ଖାଇଲା?" ହେଲେ ଆଜକୁ ପ୍ରାୟ ୨ ମାସ ହୋଇଗଲା, ବାପାଙ୍କ ଖୋଜା ସରୁନି କି ଝିଅର ସନ୍ଧାନ ମିଳୁନି!
ଗତ ୩୧ ମେ ସନ୍ଧ୍ୟା ୭.୪୫ରେ ୨୦ବର୍ଷୀୟା ଝିଅ ବିଚିତ୍ରା ନିକଟରେ ଥିବା ଡମଣାଛକକୁ ଜେରକ୍ସ କରିବାକୁ ଘରେ କହି ଯାଇଥିଲା, ସେହିଦିନଠୁ ଆଉ ଘରକୁ ଫେରି ନହିଁ l ବାପା ସୁରେନ୍ଦ୍ର ସବୁଠି ଖୋଜା ଖୋଜି ପରେ ନିରାଶ ହୋଇ ଚନ୍ଦ୍ରଶେଖରପୁର ଥାନାରେ ଝିଅ ନିଖୋଜ ବିଷୟରେ ଅଭିଯୋଗ କଲେ l ହେଲେ ସେ କେଉଁଠି ଆଉ କେଉଁ ଅବସ୍ଥାରେ ଅଛି ତା’ର ସଠିକ ଖବର ଆଜି ବି ପାଇପାରିଲେ ନାହିଁ l ଝିଅ ବିନା ଘର ଖାଁ ଖାଁ, ତା’ କଥା ଭାବି ଭାବି ଆଖିରୁ ନିଦ ହଜିଯାଇଥିବା ବାପା ପ୍ରକାଶ କରନ୍ତି l
ସେହିଭଳି ଗତ ୨ ଜୁଲାଇରେ କେନ୍ଦ୍ରାପଡ଼ା ମିର୍ଜା ପାଟଣାର ମିର୍ଜା ଆଲ୍ଲାଉଦ୍ଦିନ ବେଗଙ୍କ ୨୪ ବର୍ଷୀୟା ଝିଅ ଗେଲି ନିଖୋଜ ଥିବା ନେଇ ସଦର ଥାନାରେ ଅଭିଯୋଗ କରିଥିବା ଘଟଣା ସାମ୍ନାକୁ ଆସିଥିଲା l
ରାଜ୍ୟରେ ଯେତେବେଳେ କୌଣସି ନିଖୋଜ କଥା ଉଠେ, ନୟାଗଡ଼ର ପରୀ, ସ୍ଵାତି, ଯାଜପୁର ପିହୁ, ସମ୍ବଲପୁର ଆୟୁଷ ଆଦି ଦୁଃଖଦ ଘଟଣା ସବୁ ଆପଣା ଛାଏଁ ମନକୁ ପଶି ଆସେ l ସେ ଶିଶୁ କନ୍ୟା ହେଉ କି ବଢ଼ିଲା ଝିଅ ଅବା ମହିଳା ନିଖୋଜ ଘଟଣା, କେତେ ଯେ ବାପା ମାଆଙ୍କ ଆଖି ଖୋଜି ଖୋଜି ଥକି ଯାଇଛି, କେତେ ଲୁହ ଝରି ଯାଇଛି ତାର ହିସାବ ନାହିଁ l
ନିଖୋଜ ପରେ କାହାର ମୃତ୍ୟୁ ଖବର ମିଳିଛି ତ ଆଉ କାହାର ମୃତ ଦେହ! ଅନେକ ଘଟଣାରେ 'ପ୍ରେମ ବ୍ୟାପାର' ସନ୍ଦେହରେ ଘଟଣା ପ୍ରତି ପୁଲିସର ଗୁରୁତ୍ୱ ହରାଇବା ବା ଖାମଖିଆଲି ମନୋଭାବ ମଧ୍ୟ ନଜର ଆସେ।
ବେରୋଜଗାରୀ, ମହାଙ୍ଗା ସ୍ଥିତି, ଡାଲି ଚାଉଳ, ଅଟା ଆଦି ଅତ୍ୟାବଶ୍ୟକୀୟ ସାମଗ୍ରୀଗୁଡିକର ଦରଦାମ ବୃଦ୍ଧି ଏବଂ ପନିପରିବାର ଆକାଶ ଛୁଆଁ ଦର ଲୋକଙ୍କୁ ଚିନ୍ତାରେ ପକାଇଥିବା ବେଳେ; ବିଭିନ୍ନ ରାଜ୍ୟରେ ଘଟୁଥିବା ହିଂସା ସାମାଜିକ ଓ ରାଜନୈତିକ ବ୍ୟସ୍ତ ବିବ୍ରତ ବାତାବରଣ ସୃଷ୍ଟିକରିଥିବା ବେଳେ ଏକ ବିଚଳିତ କଲାଭଳି କଥା ସାମ୍ନାକୁ ଆସିଛି!
ଭାରତରେ ୩ ବର୍ଷ ମଧ୍ୟରେ ୧୩ ଲକ୍ଷରୁ ଅଧିକ ମହିଳା ଓ କନ୍ୟା ନିଖୋଜ ଅଛନ୍ତି l ଆଉ ଏହାରି ମଧ୍ୟରୁ ଓଡ଼ିଶାର ସଂଖ୍ୟା ହେଉଛି ୮୬ ହଜାର ୮ଶହ ୭୧ ଜଣ l ଏହି ତଥ୍ୟ କେନ୍ଦ୍ର ସରକାର ଚଳିତ ପାର୍ଲ୍ୟାମେଣ୍ଟ ଅଧିବେଶନରେ ଲୋକସଭାକୁ ଜଣାଇଛନ୍ତି l
ଯେଉଁ ସମୟରେ ଓଡ଼ିଶା ସରକାର ମହିଳା ସଶକ୍ତିକରଣ ବିଷୟରେ ଗାଁ'ଠୁ ସହର ରାଜ୍ୟବ୍ୟାପୀ ନାରା ଦେଉଛନ୍ତି ସେତେବେଳେ ଏହି ବିଡମ୍ବିତ ଚିତ୍ର ସାମ୍ନାକୁ ଆସିଛି l କେନ୍ଦ୍ରର ତଥ୍ୟ ଅନୁସାରେ ଓଡ଼ିଶାରେ ୨୦୧୯ରୁ ୨୦୨୧ ମଧ୍ୟରେ ୭୦ ହଜାର ୨ ଶହ ୨୨ ମହିଳା (୧୮+) ଏବଂ ୧୬ ହଜାର ୬ ଶହ ୪୯ ଝିଅ (୧୮-) ନିଖୋଜ ଅଛନ୍ତି l
ଆଉ ସବୁଠାରୁ ଗୁରୁତ୍ୱର କଥା ହେଉଛି ପ୍ରତି ବର୍ଷ ମହିଳା ତଥା ଝିଅମାନଙ୍କ ନିଖୋଜ ସଂଖ୍ୟା ବଢ଼ିବାରେ ଲାଗିଛି, ଯାହା ବ୍ୟବସ୍ଥା ପାଇଁ ଏକ ବଡ଼ ପ୍ରଶ୍ନବାଚୀ। ୨୦୧୯ରେ ୨୧୫୬୯ ମହିଳା ଓ ଝିଅ ନିଖୋଜ ଥିବାବେଳେ ୨୦୨୦ ମସିହାରେ ଏହି ସଂଖ୍ୟା ୨୯୩୨୧କୁ ବୃଦ୍ଧି ପାଇଛିl ଆଉ ୨୦୨୧ ମସିହାରେ ସର୍ବାଧିକ ୩୫୯୮୧ ନିଖୋଜ ମାମଲା ରେକର୍ଡ ହୋଇଛି l
ସର୍ବଭାରତୀୟ ସ୍ତରରେ ମହିଳା ନିଖୋଜ ମାମଲାରେ ଓଡ଼ିଶାର ସ୍ଥାନ ଚତୁର୍ଥରେ ରହିଛି l ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗ ଯଥାକ୍ରମେ ତାଲିକାର ଶୀର୍ଷ ତିନି ସ୍ଥାନରେ ଅଛନ୍ତି। ତେବେ ଏନ୍ସିଆର୍ବି ତଥ୍ୟ ଅନୁଯାୟୀ, ଓଡ଼ିଶାର ୨୦୨୧ରେ ମୋଟ ୩୫,୯୮୧ ନିଖୋଜ ମାମଲା ମଧ୍ୟରୁ ୧୬,୬୦୮ ପୀଡିତଙ୍କୁ ଉଦ୍ଧାର କରାଯାଇଛି କିମ୍ବା ଚିହ୍ନଟ କରାଯାଇଥିବାବେଳେ ୧୯,୧୭୫ ପୀଡିତଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନାହିଁ।
ଜାତୀୟ ଆକଳନ ତୁଳନାରେ ଓଡିଶାରେ ଉଦ୍ଧାର ହାର ଯଥେଷ୍ଟ କମ ରହିଛି। ନିଖୋଜ ମହିଳା ଉଦ୍ଧାର ହାର ଜାତୀୟ ସ୍ତରରେ ୫୬.୨ ପ୍ରତିଶତ ଥିବାବେଳେ ଓଡିଶାରେ ଏହି ହାର ମାତ୍ର ୪୬.୭ ପ୍ରତିଶତ ରହିଛି।
ଇମେଲ୍: [email protected]
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)