• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Dilip Sabat

ଦୁର୍ବଳ ଓ ବିପର୍ଯ୍ୟସ୍ତ ସରକାରୀ ଶିକ୍ଷା ବ୍ୟବସ୍ଥା; ପରୀକ୍ଷାରେ ବାରମ୍ବାର ବିଭ୍ରାଟ, ତ୍ରୁଟି ଆଉ ପ୍ରଶ୍ନପତ୍ର ଲିକ୍, ନିଯୁକ୍ତିରେ ଦୁର୍ନୀତି ଆଦି ଘଟଣା ଗତ କିଛିବର୍ଷ ମଧ୍ୟରେ କ୍ରମାଗତ ଭାବରେ ଦେଖାଦେଉଛି। ଏହାକୁ ନେଇ ବିଭିନ୍ନ ସ୍ତରରେ ଉଦ୍‌ବେଗ ଏବଂ ଅସନ୍ତୋଷ ବୃଦ୍ଧିପାଉଥିବା ବେଳେ ଗରିବ ଓ ମେଧାବୀ ଯୁବବର୍ଗ ହତୋତ୍ସାହିତ ହେଉଛନ୍ତି।

ରାଜ୍ୟରେ ମେଧାବୀମାନଙ୍କ ପାଇଁ କୌଣସି ସ୍ଥାନ ବା ସୁଯୋଗ ନାହିଁ ବୋଲି ଯେଉଁ ଧାରଣା ଆସୁଛି ତାକୁ ଭୁଲ ସାବ୍ୟସ୍ତ କଲା ଭଳି ସ୍ଥିତି ମଧ୍ୟ ଦେଖାଯାଉ ନାହିଁ। ଜାଲ ସାର୍ଟିପିକେଟରେ ଚାକିରି ମିଳୁଛି ଆଉ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟରେ ନିଯୁକ୍ତି ବିକ୍ରି ଅଭିଯୋଗ ହେଉଛି। ଯେଉଁ ଗରିବ ଘରର ପିଲାଟି ଶିକ୍ଷାର ମାର୍ଗ ଦେଇ ଏକ ସୁନେଲି ଭବିଷ୍ୟତର ସ୍ୱପ୍ନ ଦେଖୁଛି, ତାକୁ ସାର୍ଥକ କରିବା ପାଇଁ ପରିଶ୍ରମର ପାହାଡ ଅତିକ୍ରମ କରୁଛି, ଏଭଳି ଦୁର୍ବଳ, ଦୁର୍ନୀତି ଓ ସରକାରୀ ଅବ୍ୟବସ୍ଥା ପୁଣି ତାକୁ ଯେମିତି ଏକ ଅନ୍ଧକାର ଭବିଷ୍ୟତ ଆଡକୁ ଠେଲି ଦେଉଛି।

ଥରେ ଅଧେ ନୁହେଁ, ବାରମ୍ବାର ଏଭଳି ଘଟଣା ବ୍ୟଥିତ କରୁଛି। ବିଧାନସଭା ଭିତରେ ଓ ବାହାରେ ବିରୋଧୀ ଦଳମାନେ ପ୍ରଶ୍ନ ଆଉ ପ୍ରତିବାଦ କରୁଛନ୍ତି। ମାମଲା କୋର୍ଟକୁ ମଧ୍ୟ ଯାଉଛି; କିନ୍ତୁ ଏହା ସତ୍ୱେ ବି କୌଣସି ପରିବର୍ତ୍ତନ ଘଟୁ ନାହିଁ। ଅନେକ ମାମଲା ନ୍ୟାୟାଳୟକୁ ମଧ୍ୟ ଯାଉଛି। ତେବେ ୨୩ ବର୍ଷର ଏକ ଦୀର୍ଘ ସ୍ଥାୟୀ ସରକାରରେ ଓଡିଶା ଶିକ୍ଷା ବ୍ୟବସ୍ଥାକୁ ନେଇ ଦେଶ ଦରବାରରେ ଯେଉଁଭଳି ଉଦାହରଣ ସୃଷ୍ଟି କରିବା କଥା ସେଥିରେ ବିଫଳତା ଅତ୍ୟନ୍ତ ଚିନ୍ତାଜନକ।

ଦେଶ ସ୍ୱାଧୀନତାର ୭୫ ବର୍ଷ ପରେ ଆମ ରାଜ୍ୟ ଆଜି ଏଭଳି ଏକ ସ୍ଥିତିରେ ଆସି ପହଞ୍ଚିଛି ଯେଉଁଠି ମୌଳିକ ଶିକ୍ଷାର ସୁବିଧା ଦାବି କରି ସ୍କୁଲ୍‌ ପିଲାମାନଙ୍କୁ ରାସ୍ତାକୁ ଓହ୍ଲାଇବାକୁ ପଡୁଛି। ଆବଶ୍ୟକ ମୁତାବକ ଶିକ୍ଷକ, ଭିତ୍ତିଭୂମି ଆଉ ଗୁଣାତ୍ମକ ଶିକ୍ଷା ଏବେ ବି ଦାବି ଆଉ ଆନ୍ଦୋଳନର ବିରାଟ ଅଂଶ ପାଲଟିଛି। ବିଭିନ୍ନ ଆଳ ଦେଖାଇ ସରକାରୀ ସ୍କୁଲଗୁଡିକରେ ତାଲା ପଡି ପଡି ଯାଉଛି ଏବଂ ଛତୁ ଫୁଟିଲା ପରି ବ୍ୟବସାୟୀକ ଶିକ୍ଷାନୁଷ୍ଠାନ ଖୋଲିବାରେ ଲାଗିଛି।

ଗତ କିଛିବର୍ଷ ମଧ୍ୟରେ ପ୍ରାୟ ୮,୦୦୦ ସରକାରୀ ସ୍କୁଲ ବନ୍ଦ ହୋଇସାରିଲାଣି। କେବଳ ଗ୍ରାମାଞ୍ଚଳ କି ଛୋଟ ବଡ ସହର ନୁହେଁ, ଭୁବନେଶ୍ୱରରେ ମଧ୍ୟ ସମାନ ସ୍ଥିତି। ଗତ ୮ ବର୍ଷରେ କେବଳ ରାଜଧାନୀର ୫୦ରୁ ଅଧିକ ସରକାରୀ ସ୍କୁଲରେ ତାଲା ପଡିଛି । ବଳକା ଯେତିକି ସ୍କୁଲ ରହିଲା ସେଥିରୁ ଅନେକ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି।

ସେପଟେ କିନ୍ତୁ ଘରୋଇ ସ୍କୁଲଗୁଡିକର ସଂଖ୍ୟା ଏବଂ ସେଥିରେ ପିଲାମାନଙ୍କ ଆଡ୍‌ମିଶନ ବେହିସାବ ବଢି ଚାଲିଛି। ସରକାରୀ ତଥ୍ୟ ଅନୁସାରେ ରାଜ୍ୟରେ ୬,୭୬୭ ଘରୋଇ ସ୍କୁଲ ରହିଛି। ଆଉ ସେମାନଙ୍କ ମଧ୍ୟରୁ କେବଳ ଭୁବନେଶ୍ୱରରେ ୨୦୩ଟି ଘରୋଇ ସ୍କୁଲ ବୋଲି ଜଣାପଡିଛି । ସରକାର ଏକଥା ମଧ୍ୟ ସ୍ୱୀକାର କରିଛନ୍ତି ଯେ ରାଜ୍ୟରେ ୨୫୩୧ଟି ଘରୋଇ ସ୍କୁଲ ବିନା ଏନ୍‌ଓସିରେ ଚାଲିଛି ।

ରାଜ୍ୟର ସରକାରୀ ସ୍କୁଲଗୁଡିକର ଦୟନୀୟ ଅବସ୍ଥା ନିକଟରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ହୋଇଥିବା ସର୍ଭେରେ ସ୍ପଷ୍ଟ ହୋଇଯାଇଛି। ଜାତୀୟ ସ୍ତରରେ ଓଡ଼ିଶାର ସ୍ଥାନ ୨୪କୁ ଚାଲିଯାଇଛି। କେବଳ ସ୍କୁଲ ନୁହେଁ, ଉଚ୍ଚଶିକ୍ଷା କ୍ଷେତ୍ରରେ ଓଡ଼ିଶାର କୌଣସି କଲେଜ, ବିଶ୍ୱବିଦ୍ୟାଳୟ ମଧ୍ୟ ଏ+ ଗ୍ରେଡ୍ ପାଉନାହାନ୍ତି ଓ ବହୁ ଉଚ୍ଚଶିକ୍ଷା ଅନୁଷ୍ଠାନ ଗ୍ରେଡିଂ ବ୍ୟବସ୍ଥା ଭିତରକୁ ଆସୁନାହାନ୍ତି।

ନିକଟରେ ପ୍ରକାଶିତ ଏକ ତଥ୍ୟ ଅନୁସାରେ ଭାରତରେ ଥିବା ୪୫ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପ୍ରାୟ ଏକ ତୃତୀୟାଂଶ ଶିକ୍ଷକ ପଦବୀ ଖାଲି ରହିଛି। ଆଉ ଉଦ୍‌ବେଗର ବିଷୟ ଯେ, ଓଡ଼ିଶାରେ ଥିବା ଗୋଟିଏ ବୋଲି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପ୍ରାୟ ଶତକଡ଼ା ୮୮ ଭାଗ ଶିକ୍ଷକ ପଦବୀ ଖାଲି ପଡିଛି।

ସେ କେନ୍ଦ୍ର ହେଉ କି ରାଜ୍ୟ, ପ୍ରତି ବର୍ଷ ସରକାର କୋଟି କୋଟି ଟଙ୍କା ଶିକ୍ଷାକ୍ଷେତ୍ରରେ ବ୍ୟୟ ଅଟକଳ କରୁଛନ୍ତି । ନୂଆ ନୂଆ ଶିକ୍ଷାନୀତି, ଯୋଜନା, ପ୍ରକଳ୍ପ ହେଉଛି; ହେଲେ ସରକାରୀ ଶିକ୍ଷାର ସ୍ଥିତି ଦୁର୍ବଳରୁ ଅତି ଦୁର୍ବଳ ହେବାରେ ଲାଗିଛି। ଏ ସବୁକୁ ଅନୁଧ୍ୟାନ କଲେ ଲାଗୁଛି, ସରକାରୀ ଶିକ୍ଷାକୁ ଶ୍ରୀହୀନ କରି ଘରୋଇ ବା ବ୍ୟବସାୟୀକ ଶିକ୍ଷାକୁ ଅଧିକ ପ୍ରାଧାନ୍ୟ ଓ ପ୍ରୋତ୍ସାହନ ଦେଖାଉଥିବା ମନେହୁଏ ।

ସେହିଭଳି ପରୀକ୍ଷା ପରିଚାଳନାରେ ତ୍ରୁଟି, ବିଭ୍ରାଟ, ଅବ୍ୟବସ୍ଥା ଓ ବେପରୁଆ ନୀତି କ୍ରମାଗତ ଭାବେ ସାମ୍ନାକୁ ଆସିବାରେ ଲାଗିଛି । ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆସିବା ମାତ୍ରେ ବିଦ୍ୟାର୍ଥୀ ଓ ଅଭିଭାବକମାନଙ୍କ ପରିଚାଳନାରେ ସ୍ୱଚ୍ଛତାକୁ ନେଇ ଅନେକ ଆଶା ଆଶଙ୍କା ସୃଷ୍ଟି ହେଉଛି । ୨୦୨୧ ଏପ୍ରିଲରେ ବୋର୍ଡ ପରୀକ୍ଷା ଦ୍ୱନ୍ଦ୍ୱକୁ ନେଇ କଟକ ଓ ଭୁବନେଶ୍ୱରରୁ ଶତାଧିକ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ନବୀନ ନିବାସ ପହଞ୍ଚି ଗଣମାଧ୍ୟମରେ ନିଜ ମତ ରଖିଥିଲେ ।

ନିକଟରେ ସରିଥିବା ଦଶମ ଶ୍ରେଣୀ ପରୀକ୍ଷାରେ ବୋର୍ଡ ତରଫରୁ ପିଲାଙ୍କୁ ଦିଆଯାଇଥିବା ସାର୍ଟିପିକେଟରେ ଏକ ବଡ ତ୍ରୁଟି ଦେଖିବାକୁ ମିଳିଥିଲା । ଅନେକ ଛାତ୍ରଛାତ୍ରୀଙ୍କ ସାର୍ଟିପିକେଟରେ ଥିଲା ଜଣେ ସମାନ ପିଲାଙ୍କ ଫଟୋ । ଯେଉଁଥିପାଇଁ ଯୁକ୍ତ ୨ ଆଡମିଶନରେ ସେମାନଙ୍କୁ ନାନାଦି ବାଧା ସୃଷ୍ଟି ହେଲା । ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାଠାରୁ ଆରମ୍ଭ କରି କଲେଜ ଏବଂ ବିଭିନ୍ନ ନିଯୁକ୍ତି ଭିତ୍ତିକ ପରୀକ୍ଷାରେ ସ୍ୱଚ୍ଛତା ପରିଲକ୍ଷିତ ହେଉ ନାହିଁ ।

ଓପିଆର୍‌ବି(ଓଡିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ) ଦ୍ୱାରା ୨୦୧୮ରେ ହେବାକୁଥିବା ଏସ୍ଆଇ ପରୀକ୍ଷା ବିଭିନ୍ନ କାରଣ ଦର୍ଶାଇ ୪ ବର୍ଷ ବିଳମ୍ବରେ ୨୦୨୨ରେ କରାଗଲା । ତେବେ ବୈଷୟିକ ତ୍ରୁଟି କାରଣ ଦର୍ଶାଇ ପୁଣି ସେ ପରୀକ୍ଷା ବାତିଲ ହେଲା । ଗତ ୨୩ ଏପ୍ରିଲରେ ଓଏସ୍ଏସ୍‌ସି ଦ୍ୱାରା ନଗର ଉନ୍ନୟନ ବିଭାଗର ୬୬ଟି ଜୁନିୟର ଆକାଉଣ୍ଟଟାଣ୍ଟ୍ ପରୀକ୍ଷା ବାତିଲ ହେଲା ।

ଏହି ଉଭୟ ପରୀକ୍ଷା ପରିଚାଳନା ପାଇଁ ଯେଉଁ ପିଏସ୍‌ୟୁକୁ ଦାୟିତ୍ୱ ଦିଆଯାଇଥିଲା ତାଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେବା ତ ଦୂର କଥା ପ୍ରଶ୍ନ ମଧ୍ୟ କରାଗଲା ନାହିଁ? ଏବେ ଜେଇ ସିଭିଲ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଘଟଣା ରାଜ୍ୟରେ ଚହଳ ସୃଷ୍ଟି କରିଛି । ଏହି ଘଟଣାରେ ବାଲେଶ୍ୱର ପୁଲିସ ୧୭ ଜଣଙ୍କୁ ଗିରଫ କରିବା ସହିତ ଅଧିକ ତଦନ୍ତ ଚଲାଇଛି ।

ବାହାର ରାଜ୍ୟରେ ପ୍ରଶ୍ନପତ୍ର ପ୍ରିଂଟିଂ ହେଉଥିବାରୁ ସେଠାରୁ ଲିକ୍ ହୋଇଥିବା ପୁଲିସ କହିଛି । ଏହି ଘଟଣାରେ ପରୀକ୍ଷାର ସମସ୍ତ ଦାୟିତ୍ୱ ବହନ କରୁଥିବା ଓଏସ୍ଏସ୍‌ସିକୁ ପୁଲିସ ଏକ ପ୍ରକାର ‘କ୍ଲିନ ଚିଟ ’ ମଧ୍ୟ ଦେଇଛି! ଯାହାକୁ ନେଇ ସ୍ଥିତି ସରଗରମ ମଧ୍ୟ ରହିଛି । ବୁଦ୍ଧିଜୀବୀଠାରୁ ଆରମ୍ଭ କରି ବିରୋଧୀ ରାଜନୈତିକ ଦଳମାନେ ସରକାର ଓ ବ୍ୟବସ୍ଥା ଉପରେ ଆକ୍ରମଣ ଆରମ୍ଭ କରିଦେଇଛନ୍ତି ।

ଏହା ପୂର୍ବରୁ ଓସ୍ଏସ୍‌ସିର କର୍ମଚାରୀ ବିରଞ୍ଚି ସାହୁଙ୍କ ଘଟଣା ମଧ୍ୟ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା । କୋଟି କୋଟି ଟଙ୍କା, ସୁନା, ଗହଣା, କିଛି ପରୀକ୍ଷାର୍ଥୀଙ୍କ ଆଡମିଟକାର୍ଡ, ସାର୍ଟିପିକେଟ ଏଭଳି ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଭିଜିଲାନ୍ସ ଶ୍ରୀ ସାହୁଙ୍କ ଘରୁ ବାହାର କରିଥିବା ସାମ୍ନାକୁ ଆସିଲା । ଏହି ଘଟଣା ପରେ ଶ୍ରୀ ସାହୁଙ୍କୁ ସରକାର ନିଲମ୍ବିତ କରିଥିଲେ । ପୁଲିସ ରିମାଣ୍ଡରେ ଆଣି ପଚରାଉଚରା କରିଥିଲା । ତେବେ ଏତେବଡ କେଳେଙ୍କାରୀରେ କୌଣସି ଉପର ଅଧିକାରୀଙ୍କ ହାତଥିବା ଅଭିଯୋଗ ସିଦ୍ଧ ହୋଇନଥିଲା ।

ଇତି ମଧ୍ୟରେ ଜାଲ୍ ସାର୍ଟିଫିକେଟ୍‌ରେ ଚାକିରି କରିଥିବା ବେହିସାବ ମାଳ ମାଳ ମାମଲା ସାମ୍ନାକୁ ଆସିବାରେ ଲାଗିଛି । ବିଭିନ୍ନ ସମୟରେ ଓଡିଶାରେ ନକଲି ସାର୍ଟିଫିକେଟ ଜବତ ହୋଇଛି । ବିଶେଷକରି ନକଲି ସାର୍ଟିଫିକେଟ ଦେଇ ସରକାରୀ କରିଥିବା ପ୍ରାୟ ୧୧୫୦ରୁ ଅଧିକ ଶିକ୍ଷକ/ଶିକ୍ଷୟିତ୍ରୀ ଏବେ ସୁଦ୍ଧା ବିଦା ହେଲେଣି । ଶତାଧିକ ଜେଲ ବି ଯାଇଛନ୍ତି ।

ଏକବିଂଶ ଶତାଦ୍ଦୀକୁ ଯୁବକମାନଙ୍କ ଯୁଗ ବୋଲି କୁହାଯାଏ । ଓଡିଶା ଜନ ସଂଖ୍ୟାର ପ୍ରାୟ ୩୫ ପ୍ରତିଶତ ଯୁବକ (୧୫-୩୪) । ଏହାରି ପଛକୁ ଅଛନ୍ତି ନାବାଳକ ଓ ଶିଶୁ । ଅର୍ଥାତ ସମଗ୍ର ଜନସଂଖ୍ୟାର ପ୍ରାୟ ଅଧାରୁ ଅଧିକଙ୍କ ଭବିଷ୍ୟତ ଶିକ୍ଷା ଓ ନିଯୁକ୍ତି ଉପରେ ନିର୍ଭରଶୀଳ ! ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅଧିକ ଚିନ୍ତାଶୀଳ ଓ ଦୃଢ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।

ଇମେଲ୍: dksawat@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)