• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Preeti Prajna Pradhan

୨୦୦୯ ମସିହାର ''ଆଇଲା'' ବାତ୍ୟା ସୁନ୍ଦରବନ ନିକଟସ୍ଥ ବିଜୟନଗର ଅଞ୍ଚଳକୁ ସମ୍ପୂର୍ଣ୍ଣ ଧ୍ୱସ୍ତ ବିଧ୍ୱସ୍ତ କରି ଦେଇଥିଲା। ସେ ଅଞ୍ଚଳର ଅରୁଣ ମଣ୍ଡଳଙ୍କ ପରିବାର ମଧ୍ୟ ଏଥିରେ ସମ୍ପୂର୍ଣ୍ଣ ନିଃସ୍ୱ ହୋଇଯାଇଥିଲା। ତେଣୁ ପରିବାରକୁ କ୍ଷୁଧା ମୁହଁରୁ ରକ୍ଷା କରିବା ପାଇଁ ଅରୁଣ ମଣ୍ଡଳ ମାଛ ଧରିବାକୁ ସୁନ୍ଦରବନ ଜଙ୍ଗଲକୁ ଗଲେ। ସେଠାରେ ସେ କିନ୍ତୁ ବାଘର ଶିକାର ହୋଇ ପ୍ରାଣ ହରାଇଲେ। ତାଙ୍କ ପରେ ପରିବାର ଚଳେଇବାର ଭାର ଆସି ପଡିଲା ତାଙ୍କ ପତ୍ନୀ ନମିତାଙ୍କ ଉପରେ। ନିଜ ପିଲାଙ୍କ ମୁହଁରେ ଆହାର ଦେବା ପାଇଁ ଜୀବନକୁ ପାଣି ଛଡାଇ ଦୀର୍ଘ ୭ବର୍ଷ ଧରି ନମିତା ବି ଏକାକୀ ଜଙ୍ଗଲକୁ ମାଛ ଧରି ଯାଉଥିଲେ, ଯେ ପର୍ଯ୍ୟନ୍ତ ତାଙ୍କୁ ଏକ ଏନଜିଓ ପକ୍ଷରୁ ଚାକିରି ଦିଆଯାଇନଥିଲା।

ସେମିତି କୌଶଲ୍ୟା ନିଜ ଆଖି ଆଗରେ ଦେଖିଥିଲେ ତାଙ୍କ ସ୍ବାମୀଙ୍କୁ ବାଘ ଟାଣି ନେଇ ଯାଉଥିବାର। ୨୦୧୫ ମସିହାରେ ସେ ଓ ତାଙ୍କ ସ୍ବାମୀ ମନତୋଷ ମଣ୍ଡଳ ଗୋଟିଏ ବୋଟରେ ସୁନ୍ଦରବନ ଅନ୍ତର୍ଗତ ପିର୍ଖାଲି ଗାଜି ଜଙ୍ଗଲରେ କଙ୍କଡ଼ା ଧରୁଥିବା ବେଳେ ତାଙ୍କ ବୋଟ୍ ଉପରେ ଏକ ବାଘ ଆକ୍ରମଣ କରି ମନତୋଷଙ୍କୁ ମାରି, ଘୋଷାରି ନେଇ ଯାଇଥିଲା। ଏଇ ଘଟଣାରେ ଭାଙ୍ଗି ପଡିଥିବା କୌଶଲ୍ୟାଙ୍କୁ କିନ୍ତୁ ପୁଣି ଥରେ ଅଣ୍ଟା ସଳଖି ଠିଆ ହେବାକୁ ପଡ଼ିଥିଲା ନିଜ ପରିବାର ପାଇଁ। ପରିବାର ପୋଷିବା ପାଇଁ ଏବେ ବି କଙ୍କଡ଼ା ଓ ମାଛ ଧରିବା କାମ କରନ୍ତି ସେ।

ତେବେ ଖାଲି ନମିତା କିମ୍ବା କୌଶଲ୍ୟା ନୁହନ୍ତି, ସୁନ୍ଦରବନରେ ବାସ କରୁଥିବା ପ୍ରାୟ ୪,୦୦୦ ବାଘ୍ ବିଧୋବାଙ୍କର ଊଣା ଅଧିକେ ସେଇ ସମାନ କାହାଣୀ। ଏଇ ମହିଳା ମାନଙ୍କ ସ୍ବାମୀ ମାନେ ସାଧାରଣତଃ ସୁନ୍ଦରବନ ଜଙ୍ଗଲର କୋର୍ ଏରିଆ ଭିତରେ ମାଛ, କଙ୍କଡ଼ା ଆଦି ଧରୁଥିବା, କାଠ କାଟିବା କିମ୍ବା ମହୁ ସଂଗ୍ରହ କଲା ବେଳେ ବାଘ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଥାନ୍ତି। ତେବେ ଏଇ ବାଘ୍ ବିଧୋବାମାନଙ୍କ ଦୁଃଖ ବିଷୟରେ ବୁଝିବା ପାଇଁ ହେଲେ ଆମକୁ ସୁନ୍ଦରବନ ସମ୍ପର୍କରେ ମଧ୍ୟ ପ୍ରଥମେ କିଛିଟା ଜାଣିବାକୁ ପଡ଼ିବ।

ସୁନ୍ଦରବନ। ଗଙ୍ଗା, ବ୍ରହ୍ମପୁତ୍ର ଓ ମେଘନା ନଦୀ ଦ୍ୱାରା ତିନି ପଟୁ ଘେରି ହୋଇ ରହିଥିବା ଏଇ ଜଙ୍ଗଲ ହେଉଛି ବିଶ୍ବର ସର୍ବବୃହତ୍ ହେନ୍ତାଳ ବଣ ବା ମ୍ୟାଙ୍ଗ୍ରୋଭ୍ ଫରେଷ୍ଟ୍। ଭାରତ ଓ ବା°ଲାଦେଶର ଠିକ୍ ମଝିରେ ଅବସ୍ଥିତ। ଏଇ ଜଙ୍ଗଲର ୧/୩ ଅ°ଶ ଭାରତର ପଶ୍ଚିମବଙ୍ଗରେ ରହିଥିବା ବେଳେ ବାକି ଅ°ଶ ରହିଛି ବା°ଲାଦେଶରେ। ୧୯୮୭ ମସିହାରେ UNESCO ପକ୍ଷରୁ ଏହାକୁ ଏକ ୱାର୍ଲଡ୍ ହେରିଟେଜ୍ ସାଇଟ୍ ଭାବେ ଘୋଷଣା କରାଯାଇଥିଲା। କୁହାଯାଏ, ବିଶ୍ବର ସବୁଠାରୁ ଅଧିକ ସଂଖ୍ୟକ ବାଘ ଏଇ ସ°ରକ୍ଷିତ ଜଙ୍ଗଲ ମଧ୍ୟରେ ବାସ କରନ୍ତି। ପ୍ରାୟ ୪୦୦ରୁ ଅଧିକ ସଂଖ୍ୟକ ବାଘ ସାରା ସୁନ୍ଦରବନରେ ଥିବା ହିସାବରୁ ଜଣା ଯାଇଛି।

୧୯୭୩ରେ ଆରମ୍ଭ ହୋଇଥିବା ପ୍ରୋଜେକ୍ଟ୍ ଟାଇଗର ଅନ୍ତର୍ଗତ ଏମାନଙ୍କୁ ଏକ ସଂରକ୍ଷିତ ପ୍ରଜାତି ଭାବେ ଘୋଷଣା କରାଯାଇଛି। ଏଇ ଜଙ୍ଗଲର ଯେଉଁ ଅ°ଶ ଭାରତ ପାର୍ଶ୍ଵରେ ଅଛି ସେ ଅଞ୍ଚଳରେ ପ୍ରାୟ ୪୦ଲକ୍ଷ ଲୋକ ବାସ କରୁଥିବା ବେଳେ ଏହି ଭିତରେ ଚଳପ୍ରଚଳ କରିଥାନ୍ତି ପ୍ରାୟ ୮୦ଟି ବାଘ। ଆଉ ସୁନ୍ଦରବନର ବାଘମାନେ ପ୍ରାୟତଃ ମଣିଷଖିଆ ହୋଇଥାନ୍ତି। ତେବେ କ'ଣ ରହିଛି ଏଇ ବାଘମାନେ ଏମିତି ମଣିଷଖିଆ ହେବା ପଛରେ କାରଣ? ୧୯୭୧ ମସିହାରେ ଜର୍ମାନ୍ ଜୀବବିଜ୍ଞାନୀ ହୁବର୍ଟ୍ ହେଣ୍ଡ୍ରିକ୍ସ ଏହାର କାରଣ ଖୋଜିବା ପାଇଁ ଉଦ୍ୟମ କରିଥିଲେ। ବା°ଲାଦେଶ ପାର୍ଶ୍ଵରେ ଥିବା ସୁନ୍ଦରବନକୁ ଅନୁଧ୍ୟାନ କରିବା ସହ ଏହାର ବିଭିନ୍ନ ଅଂଶରୁ ପାଣିର ସାମ୍ପଲ୍ ସଂଗ୍ରହ ଓ ତା'ର ପରୀକ୍ଷା କରି ସେ ଜାଣିବାକୁ ପାଇଥିଲେ ଯେ, ଜଙ୍ଗଲର ଯେଉଁ ଅଞ୍ଚଳର ପାଣି ଯେତେ ଲୁଣି ସେ ଅ°ଶରେ ରହୁଥିବା ବାଘ ଗୁଡ଼ିକ ସେତେ ଅଧିକ ମଣିଷଖିଆ ପାଲଟୁଛନ୍ତି। କାରଣ ଲୁଣିପାଣି ବାଘ ମାନଙ୍କର ଲିଭର ଓ କିଡନୀକୁ ପ୍ରଭାବିତ କରି ନଷ୍ଟ କରିବା ସହ ସେମାନଙ୍କୁ ଚିଡଚିଡା କରିଥାଏ। ଫଳରେ ସେମାନେ କଷ୍ଟସାଧ୍ୟ ଶିକାର ବଦଳରେ ସହଜରେ ମଣିଷ ଶିକାର କରିବାକୁ ଚାହିଁଥାନ୍ତି।

ତା' ଛଡ଼ା ଫରାକ୍କା ଡ୍ୟାମ୍ ନିର୍ମାଣ ପୂର୍ବରୁ ଗଙ୍ଗା ନଦୀର ବିଭିନ୍ନ ଘାଟରେ ଫିଙ୍ଗି ଦିଆଯାଇଥିବା ବହୁ ସଂଖ୍ୟକ ମୃତଦେହ ସୁନ୍ଦରବନରେ ଆସି ଲାଗୁଥିବାରୁ ସୁନ୍ଦରବନର ବାଘ ମାନେ ମଣିଷ ମାଂସ ଖାଇବାରେ ଅଭ୍ୟସ୍ତ ହୋଇ ଯାଇଥିଲେ। ଏଇ ଜଙ୍ଗଲର କୋର୍ ଏରିଆର ଆୟତନ ୮୮୫ ବର୍ଗ କିଲୋମିଟର ହୋଇଥିବା ବେଳେ ଏହାର ବଫର ଏରିଆ ହେଉଛି ପ୍ରାୟ ୧୭୦୦ ବର୍ଗ କିଲୋମିଟର। ବନ ବିଭାଗ ପକ୍ଷରୁ ଏଇ ବଫର ଏରିଆରେ ବୋଟ୍ ପରମିଟ୍ ସାର୍ଟିଫିକେଟ୍ ବା BLC ଜରିଆରେ ସୁନ୍ଦରବନର ବାସିନ୍ଦା ମାନଙ୍କୁ ମାଛ ଧରିବା ଓ ମହୁ ସଂଗ୍ରହ କରିବା ଆଦି ପାଇଁ ଅନୁମତି ପ୍ରଦାନ କରାଯାଇଥାଏ। ତେବେ ଦକ୍ଷିଣବଙ୍ଗ ମତ୍ସ୍ୟଜୀବୀ ଫୋରମର ଆସିଷ୍ଟାଣ୍ଟ୍ ସେକ୍ରେଟାରୀ ଅବଦାର ମଲିକଙ୍କ କହିବା କଥା ହେଲା, ଜଳବାୟୁ ପରିବର୍ତ୍ତନ ଓ ମେସିନ୍ ବୋଟ୍ ସାହାଯ୍ୟରେ ମାଛଧରାରେ ବୃଦ୍ଧି ଯୋଗୁଁ ଜଙ୍ଗଲର ବଫର ଜୋନରେ ଥିବା ନଦୀ ଓ ଝରଣା ଗୁଡ଼ିକରେ ମାଛ ଓ କଙ୍କଡ଼ା ମାନଙ୍କ ସଂଖ୍ୟାରେ ବହୁ ପରିମାଣରେ ହ୍ରାସ ଘଟିଛି। ଫଳରେ ସୁନ୍ଦରବନ ଅନ୍ତର୍ଗତ ଦ୍ଵୀପ ଗୁଡ଼ିକର ବାସିନ୍ଦା ମାନେ ନିଜ ଜୀବିକା ପାଇଁ ଜଙ୍ଗଲର କୋର୍ ଏରିଆ ମଧ୍ୟକୁ ପ୍ରବେଶ କରିବାକୁ ବାଧ୍ୟ ହେଉଛନ୍ତି। ଆଉ ଅଧିକ ସଂଖ୍ୟାରେ ବାଘ ଓ କୁମ୍ଭୀର ଆକ୍ରମଣର ଶିକାର ହେଉଛନ୍ତି।

ଖାଲି ସେତିକି ନୁହେଁ, BLC ବା ବୋଟ୍ ଲାଇସେନ୍ସ ସାର୍ଟିଫିକେଟକୁ ନେଇ ମଧ୍ୟ ବହୁ ଅସୁବିଧା ରହିଛି। ଏ ସମ୍ପର୍କରେ ଜନ ଶ୍ରମଜୀବୀ ଫୋରମର ମୁଖ୍ୟ ସଂଗଠକ ତାପସ ମଣ୍ଡଳ କହନ୍ତି, ପ୍ରାୟ ୫ଲକ୍ଷରୁ ଅଧିକ ଲୋକ ଜଙ୍ଗଲ ଉପରେ ନିଜ ଜୀବିକା ପାଇଁ ନିର୍ଭରଶୀଳ। କିନ୍ତୁ ଏଠାରେ ଲୋକଙ୍କୁ ବହୁ କମ୍ ସଂଖ୍ୟକ BLC ପର୍ମିଟ୍ (୧୦୦୦ଠାରୁ ମଧ୍ୟ କମ୍) ଦିଆଯାଇଛି। ସେ ଭିତରୁ ପୁଣି ଆହୁରି କମ୍ ସଂଖ୍ୟକ ପରମିଟ୍ ବା ପ୍ରାୟ ୭୦୦ଟି ହିଁ ମାତ୍ର କାର୍ଯ୍ୟକ୍ଷମ ରହିଛି। ପୁଣି ସେ ମଧ୍ୟରୁ ଏପରି ଅନେକ ପରମିଟ୍ ରହିଛି, ଯେଉଁ ଗୁଡ଼ିକ ଏମିତି କିଛି ଲୋକଙ୍କ ପାଖରେ ଅଛି, ଯେଉଁ ମାନେ ମାଛଧରା ବୃତ୍ତି ଛାଡ଼ି ସାରିଛନ୍ତି। ଆଉ ସେସବୁକୁ ଅତି ଚଢ଼ା ମୂଲ୍ୟରେ ଅନ୍ୟ ମାନଙ୍କୁ ଭଡ଼ାରେ ଦେଉଛନ୍ତି। ଏହା ଫଳରେ ଦାରିଦ୍ର୍ୟ ସହ ନିରନ୍ତର ଯୁଝୁଥିବା ବାଘ୍ ବିଧୋବା ମାନଙ୍କ ପାଇଁ ଏଇ ପରମିଟ୍ ପାଇବା ଏକରକମ ଅସମ୍ଭବ ହୋଇପଡେ।

ପ୍ରତି ବର୍ଷ ସ୍ଥାନୀୟ ଅଞ୍ଚଳରେ ଅନ୍ତତଃ ୮୦ରୁ୧୦୦ ଜଣଙ୍କର ବାଘ ଆକ୍ରମଣରେ ମୃତ୍ୟୁ ଘଟିଥାଏ। ତେବେ କୋର୍ ଏରିଆ ଭିତରକୁ ପ୍ରବେଶ କରିବା ବେଆଇନ ହୋଇଥିବାରୁ ବାଘ ଆକ୍ରମଣ ଜନିତ ଏଭଳି ଅଧିକାଂଶ ଦୁର୍ଘଟଣା ସମ୍ପର୍କରେ ସରକାରୀ ଅଧିକାରୀମାନଙ୍କୁ ଅବଗତ କରାଯାଏ ନାହିଁ। ଖୁବ୍ କ୍ଵଚିତ ଏସବୁ ମୃତ୍ୟୁକୁ ନେଇ କୌଣସି ରିପୋର୍ଟ କରାଯାଏ ଅବା ଆଦୌ ରିପୋର୍ଟ କରାଯାଏ ନାହିଁ। ତା' ଛଡା ଅଧିକାଂଶ କ୍ଷେତ୍ରରେ ଏଭଳି ମୃତକଙ୍କ ଶରୀର ଠାବ କରିବା ପ୍ରାୟତଃ ଅସମ୍ଭବ ହୋଇଥିବାରୁ ସେମାନଙ୍କୁ ନିରୁଦ୍ଦିଷ୍ଟ ବା ମିସିଂ ପର୍ସନ ଭାବେ ଗଣାଯାଏ। ଘଟ ରିପୋର୍ଟ ନ ହେବା ଓ ସଠିକ୍ କାଗଜପତ୍ର ଅଭାବରୁ ସମ୍ପୃକ୍ତ ମୃତକମାନଙ୍କ ପତ୍ନୀ ଅର୍ଥାତ୍ ସ୍ଥାନୀୟ ଭାଷାରେ ବାଘ୍‌ ବିଧୋବା ମାନେ ନା କୌଣସି ବେସରକାରୀ ବୀମା ରାଶି ନା ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥବା ୫ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ପାଇ ପାରିଥାନ୍ତି।

ବହୁ ସମୟରେ ସବୁ କାଗଜପତ୍ର ଠିକ୍ ଥାଇ କିମ୍ବା ପରମିଟ୍ ଥାଇ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ପତ୍ନୀ ମାନେ ମଧ୍ୟ ନିଜ ପତିଙ୍କ ମୃତ୍ୟୁକୁ ବାଘ ଆକ୍ରମଣଜନୀତ ମୃତ୍ୟୁ ବୋଲି ପ୍ରମାଣିତ କରିବା କଷ୍ଟକର ଏପରିକି ଅସମ୍ଭବ ମଧ୍ୟ ହୋଇପଡେ। ଉଦାହରଣ ସ୍ବରୂପ, ପୁଷ୍ପା ମଣ୍ଡଳଙ୍କ କଥା ନିଆଯାଇ ପାରେ। ତାଙ୍କ ସ୍ବାମୀ ବାଘ୍ ବିଧୋବାମାନେ କିଭଳି କ୍ଷତିପୂରଣ ପାଇ ପାରିବେ ସେ ଦିଗରେ କାମ କରୁଥିଲେ। କିନ୍ତୁ ୨୦୧୯ରେ ବାଘ ଆକ୍ରମଣରେ ତାଙ୍କର ମୃତ୍ୟୁ ଘଟିବା ପରେ ସବୁ କାଗଜପତ୍ର ଓ ତଥ୍ୟ ଠିକ୍ ଥାଇ ମଧ୍ୟ ପୁଷ୍ପା ଏ ପର୍ଯ୍ୟନ୍ତ କ୍ଷତିପୂରଣ ପାଇଁ ପାରି ନାହାନ୍ତି।

ଗୋଟିଏ ପଟେ ସ୍ବାମୀଙ୍କ ମୃତ୍ୟୁ ପରେ ଏଇ ବିଧବା ମହିଳା ମାନଙ୍କ କାନ୍ଧରେ ପଡ଼ିଥାଏ ପରିବାର ଚଳେଇବାର ସମ୍ପୂର୍ଣ୍ଣ ଦାୟିତ୍ଵ। ପୁଣି ଅଧିକାଂଶ କ୍ଷେତ୍ରରେ କ୍ଷତିପୂରଣ ପାଇ ପାରୁନଥିବା ମଧ୍ୟ ଏମାନଙ୍କ ପାଇଁ ବେଡ଼ି ଉପରେ କୋରଡ଼ା ପାଲଟିଯାଏ। ଏସବୁ ବାଦ୍ ପୁଣି ନିଜ ପତିଙ୍କୁ ଅକାଳରେ ହରାଇ ଥିବାରୁ ଏମାନଙ୍କୁ ଅନେକ ନିନ୍ଦା-ଅପବାଦର ମଧ୍ୟ ଶିକାର ହେବାକୁ ପଡ଼ିଥାଏ। ଏମାନଙ୍କୁ ସମାଜରେ ଅଶୁଭ ବୋଲି ବିବେଚନା କରାଯିବା ସହ 'ପତି ଖେଓ' ବା ସ୍ବାମୀଖାଈ ବୋଲି ଲୋକ ମାନେ ଡାକିଥାନ୍ତି। ଲୋକମାନେ ବିଶ୍ବାସ କରନ୍ତି ଯେ, ଏମାନେ ନିଜ ସହ ଆଣି ଆସିଥିବା ଦୁର୍ଭାଗ୍ୟ ହିଁ ଏମାନଙ୍କ ସ୍ବାମୀ ମାନଙ୍କ ଅକାଳ ମୃତ୍ୟୁର କାରଣ ହୋଇଥାଏ। ଫଳରେ ଏମାନଙ୍କୁ ଅନେକ ସମୟରେ ସମାଜଠୁ ଦୂରରେ ଏକ ପ୍ରକାର ବାଛନ୍ଦ ଜୀବନ ବିତାଇବାକୁ ପଡ଼ିଥାଏ।

ଧୀରେ ଧୀରେ ଏଇ ମହିଳା ମାନଙ୍କ ବିକାଶ ତଥା ଏମାନଙ୍କୁ ନ୍ୟାୟ ପ୍ରଦାନ ଦିଗରେ କିଛି କିଛି କାମ ହେବା ଆରମ୍ଭ ହେଲାଣି। ତେବେ ଏସବୁ ସେମାନଙ୍କ ଦୁର୍ଦ୍ଦଶା ତୁଳନାରେ ବହୁତ କମ୍।