• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Dilip Sabat

“ବିଦେଶ ବେପାରୁ ଆଣିବେ ଦେଶେ ନାନା ବିଭବ,

ଫେରିବ କି ଶୋଭାମୟୀ ଗୋ ତୋର ଲୁପ୍ତ ଗୌରବ!”

ଓଡ଼ିଶାରେ ଆୟୋଜିତ ବାଣିଜ୍ୟର ମହାକୁମ୍ଭ କୁହାଯାଉଥିବା ‘ମେକ୍ ଇନ୍ ଓଡିଶା-୨୦୨୨’ କାର୍ଯ୍ୟକ୍ରମ ଦେଖିବା ପରେ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କର କାଳଜୟୀ କବିତା ‘କାଳିଜାଈରେ ସନ୍ଧ୍ୟା’ର ଏହି ଶେଷ ପଦଟି ମନକୁ ଆସେ। ସାତ ସମୁଦ୍ର ତେର ନଇ ପାରକରି ଓଡିଆ ପୁଅ ଦିନେ ବିଦେଶରେ ବାଣିଜ୍ୟ ବେପାର କରି ନିଜ ଦେଶକୁ ଧନ ସମ୍ପଦର ଭାର ଜାହାଜ ନେଇ ଆସୁଥିଲା, ସେହି ବିଷୟ କବି ତାଙ୍କରି ଏହି କବିତାରେ ଦର୍ଶାଇଛନ୍ତି।

ଦେଶ ବିଦେଶର ବିଶିଷ୍ଟ ଶିଳ୍ପପତିମାନଙ୍କୁ ନେଇ ରାଜ୍ୟ ରାଜଧାନୀର ବକ୍ଷରେ ଆୟୋଜିତ ବ୍ୟବସାୟ ଓ ବାଣିଜ୍ୟର ଏହି ମହାସମାରୋହ ମାନେ ପକାଇଦିଏ କବିଙ୍କ ସେହି ପଦଟିକୁ। ବହୁ ପ୍ରତୀକ୍ଷିତ ମେକ୍ ଇନ୍ ଓଡିଶା ୨୦୨୨, ରଙ୍ଗାରଙ୍ଗ ପରିବେଶ; ଓଡ଼ିଶାରେ କାରବାର କୋଳାହଳ, ରେଡ୍ କରପେଟ ଓ ରଙ୍ଗୀନ ଆଲୁଅରେ ଝଲସିଉଠୁଥିବା ରାଜଧାନୀ ଆଗାମୀ ଦିନର ସୁନେଲୀ ସପ୍ନକୁ ସଂଚରିର କରିଦିଏ ମନ ଭିତରେ। ବିମାନବନ୍ଦର ଠାରୁ ଆରମ୍ଭ କରି ରାସ୍ତାକଡ, କାନ୍ଥ-ବାଡ ସବୁଠି କାର୍ଯ୍ୟକ୍ରମର ବଡ ବଡ ପୋଷ୍ଟର ଆଉ ବ୍ୟାନ ଛାଇଯାଇଛି।

ଟାଟା, ଅମ୍ବାନୀ, ଆଦାନୀ, ଜିନ୍ଦଲ ଆଦି ଶହ ଶହ ଶିଳ୍ପପତି ସମାବେଶରେ ଲକ୍ଷ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କରିବାର ବିଶ୍ୱାସ କରାଇଛନ୍ତି। ମେଟାଲ ଓ ମିନେରାଲ, ପେଟ୍ରୋକେମିକାଲ୍‌, ଟେକ୍ସଟାଇଲ୍‌, ଫୁଡ୍ ପ୍ରୋସେସିଙ୍ଗ୍‌, ସୋଲାର ଏନର୍ଜି, ପର୍ଯ୍ୟଟନ ଏବଂ ଆଇଟି କ୍ଷେତ୍ରରେ ନିବେଶକମାନେ ପୁଞ୍ଜି ବିନିଯୋଗ କରିବା କଥା ଜଣାଇଛନ୍ତି। ଏଥିପାଇଁ ଗତ କିଛି ଦିନ ଧରି ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ବିଭିନ୍ନ ମେଟ୍ରୋ ସିଟିଗୁଡିକୁ ଯାଇ ଏହି ବଡ ବଡ ଶିଳ୍ପପତି, ଉଦ୍ୟୋଗପତି, ବ୍ୟବସାୟୀମାନଙ୍କୁ ମହାକୁମ୍ଭକୁ ଆମନ୍ତ୍ରିତ କରିଥିଲେ।

ଦେଶ ବିଦେଶର ସେହିସବୁ ବଡ ବଡ ଶିଳ୍ପପତିଙ୍କ ସମ୍ମୁଖରେ ଓଡ଼ିଶାର ଶୋଭା ବଢ଼ାଇବା ପାଇଁ ରାଜଧାନୀବସୀ ନିଜ ଜୀବିକା ଓ ରୋଜଗାରକୁ ଉତ୍ସର୍ଗ କରିଦେଇଛନ୍ତି ! ମେକ୍ ଇନ ଓଡ଼ିଶା ମହାକୁମ୍ଭ ପାଇଁ ଭୁବନେଶ୍ବର ରାସ୍ତା କଡରେ(ୟୁନିଟ-୯ ରେଡ୍‌କ୍ରସ ଭବନ ସମ୍ମୁଖ, ସୈନିକ ସ୍କୁଲ୍‌ ସମ୍ମୁଖ ପ୍ରମୁଖ) ବସି ରୋଜଗାର କରି ନିଜ ପରିବାର ପୋଷୁଥିବା ଛୋଟ ଛୋଟ ଚାହା, ପାନ, ପରିବା, ଜଳଖିଆ ଦୋକାନୀ ଆଦିକୁ ସେହି ସ୍ଥାନରୁ ହଟାଇ ଦିଆଯାଇଛି। ଏବେ ସେହି ସ୍ଥାନରେ ବିଭିନ୍ନ ରକମର ଫୁଲ ଗଛ ଶୋଭାପାଉଛି।

ଏହି ମହାକୁମ୍ଭର ମହାସମାବେଶ ସେତେବେଳେ ଆୟୋଜିତ ହୋଇଛି ଯେତେବେଳେ ‘ଦ୍ୱିତୀୟ ଓଡିଶା’ କୁହାଯାଉଥିବା ଗୁଜୁରାଟରେ ସାଧାରଣ ନିର୍ବାଚନ ଚାଲିଥିଲା। ବୟନ ଶିଳ୍ପ ପାଇଁ ପ୍ରସିଦ୍ଧ ତାପି ନଦୀ କୂଳ ସୁରତ ଅଞ୍ଚଳରେ ରହୁଛନ୍ତି ପ୍ରାୟ ୧୦ଲକ୍ଷ ଓଡିଆ। ଏମାନଙ୍କ ମଧ୍ୟରୁ ପ୍ରାୟ ୮୦ ଭାଗ ଅବିଭକ୍ତ ଗଞ୍ଜାମ ଜିଲ୍ଲାର ବୋଲି ଏକ ସୂତ୍ରରୁ ଜଣାପଡିଛି।

ଏମାନେ ଘର ପରିବାରଠାରୁ ଅଲଗା ସୁଦୂର ସୁରତରେ ରହି, ମେହେନତ ମଜୁରି କରନ୍ତି। ବାପା, ମାଆଙ୍କ ଦୁଃଖ ବୁଝନ୍ତି; ଭଉଣୀ ବାହାଘର, ଘର ନିର୍ମାଣ, ପରିବାରର ଖର୍ଚ୍ଚ, ଜମିବାଡି ଆଦିର ଦାୟିତ୍ୱ ତୁଲାନ୍ତି। ନିର୍ବାଚନ ସମୟରେ ଓଡ଼ିଶାରୁ ବିଭିନ୍ନ ଦଳର ନେତା, ବିଧାୟକ ସେଠାକୁ ଯାଇ ଭୋଟ ପ୍ରଚାର କରିବା ଖବର ମଧ୍ୟ ସାମ୍ନାକୁ ଆସିଛି। କେବଳ ସୁରତ କାହିଁକି, ଓଡିଶାରେ ରୋଜଗାର ଓ ନିଯୁକ୍ତିରୁ ନିରୁତ୍ସାହ ନିରାଶ ହେଉଥିବା ଯୁବକମାନଙ୍କର ଆଶା ଆଉ ଠିକଣା ହେଉଛି ଗୁଜୁରାଟ, ତେଲେଙ୍ଗାନା, କେରଳ ଓ ଆନ୍ଧ୍ରପ୍ରଦେଶ। ରାଜ୍ୟ ବାହାରେ ଦାଦନ ଖଟି ଓଡ଼ିଶାରେ ନିଜ ଘର ଓ ପରିବାରର ସୁନେଲି ଭବିଷ୍ୟତ ଦେଖନ୍ତି।

ତେବେ ରାଜ୍ୟର କେତେ ଦାଦନ ଶ୍ରମିକ ବାହାରେ କାମ କରୁଛନ୍ତି ଅନେକ ସମୟରେ ତାହାର ସଠିକ ତଥ୍ୟକୁ ନେଇ ଅନେକ ସମୟରେ ଦ୍ୱାନ୍ଦ୍ୱ ଥିବା ବେଳେ କୋଭିଡ୍‌-୧୯ ପ୍ରଥମ ୱେଭ୍‌ର ତାଲାବନ୍ଦ ସ୍ଥିତି ଏହି ସତ୍ୟକୁ ପଦାକୁ ଆଣିଛି। ୧୫ ମାର୍ଚ୍ଚ ୨୦୨୧ ବିଧାନସଭା ଅଧିବେଶନର ଏକ ପ୍ରଶ୍ନରେ ଦକ୍ଷତା ବିକାଶ ଓ ବୈଷୟିକ ମନ୍ତ୍ରୀ ପ୍ରେମାନନ୍ଦ ନାଏକ ଉତ୍ତର ରଖି କହିଥିଲେ, ‘କୋଭିଡ୍‌ ସମୟରେ ୧୦ଲକ୍ଷ ୭ହଜାରରୁ ଅଧିକ ଶ୍ରମିକ ନିଜ ନିଜ ଗ୍ରାମକୁ ଫେରିଛନ୍ତି।

ସେମାନଙ୍କ ମଧ୍ୟରୁ ଏକ ଲକ୍ଷ ୮୧ ହଜାର କୁଶଳୀ ଏବଂ ୫ ଲକ୍ଷ ୫୪ ହଜାରରୁ ଅଧିକ ଅଣକୁଶଳୀ ଶ୍ରମିକ। କୋଭିଡ୍‌ ସମୟରେ ଅନେକ ଯୁବକ ନିଜ ଗ୍ରାମକୁ ନ ଫେରି ପାରି ସେହି ରାଜ୍ୟରେ ଫସି ରହିଥିବା ଚିତ୍ର ମଧ୍ୟ ସାମ୍ନାକୁ ଆସିଥିଲା। ଓଡିଶା ସରକାର ମହାରାଷ୍ଟ୍ର ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଶ୍ରମିକମାନଙ୍କ ରହିବା ବ୍ୟବସ୍ଥା କରିବାକୁ ନିବେଦନ କରିଥିଲେ। ଏଥିରୁ ଜଣାପଡୁଛି କି ଓଡିଶାର ହାରାହାରି ପ୍ରାୟ ଅର୍ଦ୍ଧାଧିକ ଯୁବ ସମ୍ବଳ ଅନ୍ୟ ରାଜ୍ୟରେ ନିଜ ଜିନ ଭବିଷ୍ୟତ ଗଢୁଛନ୍ତି! ଅନେକ ସମୟରେ ଦାଦନରୁ ଅକଥନୀୟ ଅତ୍ୟାଚାରର ଶୀକାର ହୋଇ, କେହି ଶରୀରର ଅଙ୍ଗ ତ ଆଉକେହି ପ୍ରାଣ ହରାଇଥିବା ଘଟଣା ପ୍ରକାଶ ପାଉଛି।

ଚିନିକଳ, ଚୌଦ୍ୱାର ସୂତାକଳ, ବାରଙ୍ଗ କାଚକାରଖାନା ଏଭଳି ଅନେକ ଶିଳ୍ପ ବନ୍ଦ ହେଲାଣି। ୨୦୧୪ସୁଦ୍ଧା ରାଜ୍ୟର ୧୫ ହଜାର କ୍ଷୁଦ୍ରଶିଳ୍ପ ସବୁ ବନ୍ଦ ହୋଇଥିବା ବିଧାନସଭାରେ ତତ୍କାଳୀନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା ଉତ୍ତର ରଖିଥିଲେ। ଏଥିମଧ୍ୟରେ କଟକରୁ ୨୪୦୨, ଭୁବନେଶ୍ୱରର ୧୫୦୪, ରାଉରକେଲାର ୧୫୬୫ ଏବଂ ଗଞ୍ଜାମର ୧୦୬୧ ଶିଳ୍ପ ବନ୍ଦ ହୋଇଥିବା ଦର୍ଶାଇଥିଲେ। ଓଟିଏମକୁ ନେଇ ଦୀର୍ଘଦିନ ହେଲା ବିବାଦ ଲାଗି ଆସିଛି । ମାମଲା ଏବେ ହାଇକୋର୍ଟରେ ବିଚାରାଧୀନ ରହିଛି।

ସେହିଭଳି ପରବର୍ତ୍ତୀ ସମୟରେ କରୋନା ପରେ ୩୨୦୭ ମାକ୍ରୋ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବନ୍ଦ ରହିଥିବା ସରକାର ଜଣାଇଥିଲେ। ବିଭିନ୍ନ କାରଣରୁ ଅନେକ ଖଣି ଓ ସିମେଣ୍ଟ ଶିଳ୍ପଗୁଡିକ ମଧ୍ୟ ବର୍ଷ ବର୍ଷ ଧରି ଅଧାରେ ରହିଛି। ପ୍ରାକୃତିକ ସମ୍ପଦରେ ଭରା ଓଡିଶାର ଯୁବଶକ୍ତି ନିଯୁକ୍ତି ଓ ରୋଜଗାର ନପାଇ ବାହାରକୁ ଯାଉଛନ୍ତି। ରାଜ୍ୟରେ ବର୍ଷ ବର୍ଷ ଧରି ଖଣି ଖଦାନ ଖୋଳା ଚାଲିଛି, ବାହାରକୁ ରପ୍ତାନି ହେଉଛି, ଅଥଚ ସେହି ଅଞ୍ଚଳ ହିଁ ଅନଗ୍ରସର ଏବଂ ଶିକ୍ଷା, ସ୍ବାସ୍ଥ୍ୟ, ଜଳ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ଖବର ସାମ୍ନାକୁ ଆସୁଛି।

ଇନ୍‌ଭେଷ୍ଟ୍‌ ଭୁବନେଶ୍ୱର, ଇନ୍‌ଭେଷ୍ଟ୍‌ ଓଡିଶା ଏବଂ ଦୁଇ ବର୍ଷ ପରେ ଏବେ ମେକ୍ ଓଡିଶା କନ୍‌କ୍ଲେଭ୍‌ର ତୃତୀୟ ସଂସ୍କରଣ ରାଜ୍ୟ ସରକାର ଆୟୋଜନ କରୁଛନ୍ତି। ସରକାରଙ୍କ ଏହି ପ୍ରୟାସ ଯୋଗୁଁ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ‘କାଳିଜାଈରେ ସନ୍ଧ୍ୟା’ର ସେହି ଶେଷ ପଂକ୍ତିଟି ଫଳପ୍ରଦ ହେବ ବୋଲି ଆଶା କରାଯାଉଛି।

ସତରେ ରାଜ୍ୟ ସରକାର ସାକାର କରିପାରିବେ ଓଡ଼ିଶାର ସେହି ଯୁବକ ଯୁବତୀମାନଙ୍କ ସ୍ୱପ୍ନ? କୌଣସି ମାଆ, ବାପା ଠାରୁ ଅଲଗା ସାତ ସମୁଦ୍ର ତେର ନଈ ପାର ହୋଇ ପୁଅ ଦାଦନ ଖଟିବାକୁ ଆଉ ଯିବାକୁ ପଡ଼ିବନି? ଓଡ଼ିଆ ପୁଅ ନିଜ ରାଇଜରେ କାମ ପାଇବ? ତାହା ସମୟ କହିବ।

ଇମେଲ୍: dksawat@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

OTV is now on Whatsapp

Join and get latest news update delivered to you via whatsapp

Join Now