• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Dilip Sabat

ମୁଖ୍ୟମନ୍ତ୍ରୀ ‘ଦମନ' ଦେଖିଲେଣି? ଥରେ ଦେଖନ୍ତୁ? ଜଣେ ଡାକ୍ତରଙ୍କୁ ଭଗବାନ ସହିତ ତୁଳନା କରିବାର ତାତ୍ପଯ୍ୟ ଦେଖି ଯେତିକି ଖୁସି ଓ ଗର୍ବିତ ଲାଗିବ, ସରକାରଙ୍କ ସ୍ୱାସ୍ଥ୍ୟ ସେବାର ବିଡମ୍ବିତ ଚିତ୍ର ଦେଖି ଏଥିରେ ସେତିକି ମର୍ମାହତ ହେବାକୁ ପଡିବ।

ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ବଣ, ପାହାଡ, ନାଳ ନଈ ଡେଇଁ ଆଦିବାସୀମାନଙ୍କୁ ଚିକିତ୍ସା କରିଥିବା ମହାନ ବ୍ୟକ୍ତି ତଥା ମାଓମାନଙ୍କ ଗୋଳା ଗୁଳିକୁ ଖାତିର ନକରି ଖଟିଆରେ ପ୍ରସୂତୀଙ୍କୁ କାନ୍ଧରେ ମାଇଲ ମାଇଲ ବାଟ ବୋହିଆଣିଥିବା ଡାକ୍ତର ଓମ୍‌କାର ହୋତାଙ୍କ ଉପରେ ପର୍ଯ୍ୟବେଶିତ ‘ଦମନ’। ଯେଉଁ ଡାକ୍ତରଙ୍କ ନିର୍ଭିକତା ଓ ମାନବିକତାକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରିଥିଲେ, ତାଙ୍କରି ଉପରେ ଆଧାରିତ ଓଡିଆ ସିନେମା ଏବେ ଇତିହାସ ରଚିଛି।

Odisha health system in the hands of brokersଦମନରେ ଓଡିଶାର ସ୍ୱାସ୍ଥ୍ୟ ଅବସ୍ଥାର ଚିତ୍ର

ପ୍ରାୟ ଦୁଇ ଦଶନ୍ଧି ପରେ ଏହି ଓଡିଆ ସିନେମାକୁ ଆଜିକା ପିଢି ଖୁବ ପସନ୍ଦ କରିଛନ୍ତି । ୯.୭ ରେଟିଂରେ ଲୋକପ୍ରିୟତା ହାସଲ କରିଛି। ୫ କୋଟିରୁ ଅଧିକ ବ୍ୟବସାୟ କରିବ! ଆଉ ଓଡିଶା ସରହଦ ଡେଇଁ ଜାତୀୟସ୍ତରରେ ଏହି ସିନେମା ହିନ୍ଦୀ ଭାଷାରେ ବି ଡବ୍ ହେବ। ଡାକ୍ତରବାବୁଙ୍କର ସେହି ବାସ୍ତବିକ ଘଟଣାକୁ ଅଭିନେତା ବାବୁଶାନ ‘ଦମନ’ରେ ଅତି ଜୀବନ୍ତଭାବେ ପରଦାରେ ପ୍ରସ୍ଫୁଟିତ କରିଛନ୍ତି। ଆଭିଜାତ୍ୟ ଛାଡି ମଫସଲ, ମାଲକାନଗିରି ଭଳି ଅଞ୍ଚଳକୁ ଯିବାକୁ ନାକ ଟେକୁଥିବା ଡାକ୍ତରମାନଙ୍କୁ ‘ଦମନ’ ନିହାତି ପ୍ରେରଣା ଦେବ।

ତେବେ ସବୁଠାରୁ ବଡ କଥା ହେଉଛି, ରାଜ୍ୟବାସୀଙ୍କୁ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସେବା ଯୋଗାଇବାର ଲକ୍ଷ୍ୟ ରଖିଥିବା ସରକାର ଲୋକଙ୍କ ପାଖରେ ସାମାନ୍ୟ ମୌଳିକ ସ୍ୱାସ୍ଥ୍ୟ ସୁବିଧା ପହଞ୍ଚାଇବାରେ ଅସଫଳ ହେଉଥିବା ଦେଖାଯାଇଛି।

ଏହି ଚିତ୍ର ଖାଲି ସିନେମାରେ ନୁହେଁ, ବାସ୍ତବିକ ସ୍ଥିତିରେ ମଧ୍ୟ ଠିକ୍ ସେଇଆ ଘଟୁଛି। ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିରଳ ଓ ବିଚିତ୍ର ଖବର ସବୁ ନିଇତି ଗଣମାଧ୍ୟମରେ ପ୍ରକାଶ ପାଉଛି। କେବଳ ମ୍ୟାଲେରିଆ ନୁହେଁ ଆଜି ମଧ୍ୟ ଝାଡାବାନ୍ତି ଓ ଡାଏରିଆରେ ଲୋକେ ପ୍ରାଣ ହରାଉଛନ୍ତି; ରାୟଗଡାର କାଶୀପୁର ଏହାର ଜ୍ୱଳନ୍ତ ଉଦାହରଣ ଦେଇଛି।

ନୀତି ଆୟୋଗଙ୍କ ହେଲ୍‌ଥ ଇନ୍‌ଡେକ୍ସରେ ଓଡିଶା ସ୍ୱାସ୍ଥ୍ୟସେବା ଯୋଗାଇ ଦେବାରେ ୧୩ତମ ସ୍ଥାନରେ ରହିଛି। ଦେଶରେ କେରଳ ପ୍ରଥମ ଓ ତାମିଲନାଡୁ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ୨୩ ବର୍ଷର ନିରବଛିନ୍ନ ଶାସନ କାଳରେ ନିଦାନର ନକ୍ସା ଏମିତି; କେଉଁଠି ଗାଁଆ, ମଫସଲ, ସ୍ୱାଭିମାନ ଅଞ୍ଚଳରେ ଲୋକଙ୍କ ପାଖରେ ସ୍ୱାସ୍ଥ୍ୟସେବା ପହଞ୍ଚି ପାରୁନି; ଆଉ ଯେଉଁ ସହର-ମହାନଗରରେ ରୋଗୀଙ୍କ ହାତ ପାଆନ୍ତାରେ ଚିକିସ୍ତାସେବା ମିଳୁଛି ସେଠି ‘ଦଲାଲ’ ଦଖଲ କରିରଖିଛନ୍ତି!

ଏହି ଦଲାଲମାନଙ୍କୁ ଦମନକରିବା ପାଇଁ ସରକାର ନିକଟରେ ଚିଠି କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି। ସେପଟେ ନିଦାନ ନାଁ’ରେ ବଜାରକୁ ଭେଜାଲ ମେଡିସିନ୍‌ର ପ୍ରବେଶ ଆଉ ଏକ ଚିନ୍ତାଜନକ ସ୍ଥିତି ସୃଷ୍ଟକରିଛି। ଅବଶ୍ୟ ଏସବୁ କ୍ଷେତ୍ରରେ ଅନେକ ଗିରଫ ମଧ୍ୟ ହେଲେଣି। ତେବେ ଉତ୍ତମ ଓ ଗୁଣାତ୍ମକ ମାନର ସ୍ୱାସ୍ଥ୍ୟସେବା ଓଡିଶାବାସୀଙ୍କୁ ଯୋଗାଇଦେବା ପାଇଁ ସରକାର ଯେତେସବୁ ଯୋଜନା, ପ୍ରକଳ୍ପ ଆଉ ଭିତ୍ତିଭୂମି ପ୍ରସ୍ତୁତ କରିଛନ୍ତି ସେଗୁଡିକର ସଠିକ ତଦାରଖ ଏବଂ ସୁପରିଚାଳନା କରାଗଲେ ଲୋକେ ଉପକୃତ ହେବେ ବୋଲି ଆଶା।

‘ଦମନ’ ପରର ଦୃଶ୍ୟ:
ପ୍ରେକ୍ଷାଳୟରେ ‘ଦମନ’ ଚାଲିଥିବା ସମୟରେ ରାଜ୍ୟରେ ସ୍ୱାସ୍ଥ୍ୟସେବା ସମ୍ବନ୍ଧୀୟ ଅନେକ ବିଡମ୍ବିତ ଖବର ସବୁ ସାମ୍ନାକୁ ଆସିଛି। ଠିକ ସେହିଭଳି ଚିତ୍ର! ସେହି ସ୍ୱାଭିମାନ ଅଞ୍ଚଳ ମାଲକାନଗିରିର ଖଇରପୁଟ ବ୍ଲକ୍‌ ଗୋବିନ୍ଦପାଲ୍ଲୀ ଗ୍ରାମ ନିକଟ ନୂଆଗୁଡ଼ ଗ୍ରାମର ଜଣେ ରୋଗୀଙ୍କୁ ଗତ ୯ ତାରିଖରେ ଖଟିଆରେ ବୋହି ଡାକ୍ତରଖାନାକୁ ନିଆଯାଉଥିବା ଚିତ୍ର ସାମ୍ନାକୁ ଆସିଲା। ଗାଁକୁ ଆମ୍ବୁଲାନ୍ସ ଯିବାକୁ ରାସ୍ତା ନଥିବାରୁ ରୋଗୀଙ୍କ ସମ୍ପର୍କୀୟମାନେ ଖଟିଆରେ ବୋହି ନୂଆଗୁଡାଠାରୁ ଗୋବିନ୍ଦପାଲ୍ଲୀ ବଜାର ଦେଇ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ଏହି ଜିଲ୍ଲାରେ ଏମିତି ମଧ୍ୟ ଏକ ଅଂଚଳ ରହିଛି ଯେଉଁଠି ପିଲାମାନେ ବସି ପାଠ ପଢୁଛନ୍ତି, ଠିକ ସେହି ସ୍ଥାନରେ ରୋଗୀମାନଙ୍କ ଚିକିତ୍ସା ମଧ୍ୟ କରାଯାଏ। ମିଡିଆ ରିପୋର୍ଟ ଅନୁସାରେ, ବିଚ୍ଛିନ୍ନାଞ୍ଚଳ ଅନ୍ତର୍ଗତ ଧୂଳିପୁଟ ପଞ୍ଚାୟତର କଟାଦୂରବନ୍ଧ ଗାଁର ବାବୁ ରାଓ ନାମକ ଜଣେ ବ୍ୟକ୍ତିଙ୍କ ଘର ବାରଣ୍ଡାରେ ଶିକ୍ଷା ଓ ସ୍ୱାସ୍ଥ୍ୟ, ଉଭୟ ମୌଳିକ ସୁବିଧା ଦିଆଯାଉଛି। ଶିକ୍ଷକ ଆସି ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୨୭ଜଣ ପିଲାଙ୍କୁ ପାଠ ପଢାଉଛନ୍ତି। ଗାଁରେ ସ୍ୱାସ୍ଥ୍ୟସେବା ଲାଗି ଭିତ୍ତିଭୂମି ନଥିବାରୁ ସେହି ବାରଣ୍ଡାରେ ସରକାର ନିଯୁକ୍ତ କରିଥିବା ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀ ରୋଗୀ ସେବା କରୁଛନ୍ତି।
ଖାଲି ମାଲକାନଗିରି ନୁହେଁ, କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍‌ ଚିକେନ୍‌ପୁଟ ପଞ୍ଚାୟତର ଡୁମୁରିଗୁଡା ଗାଁ’ର ଚଞ୍ଚଳା ଖରା ୧୮ ନଭେମ୍ବର ସକାଳେ ଗର୍ଭ ଯନ୍ତ୍ରଣା ପାଇଥିଲେ। ମେଡିକାଲ୍‌ ନେବା ପାଇଁ ପରିବାର ଲୋକ ୧୦୮ ଆମ୍ୱୁଲାନ୍ସକୁ ଫୋନ୍‌ କରିଥିଲେ। ଆମ୍ୱୁଲାନ୍ସ ଠିକ ସମୟରେ ଆସିଥିଲା। ହେଲେ ଡୁମୁରିଗୁଡା ଠାରୁ ଦୁଇ କିମି ଦୂରରେ ଅଟକିଥିଲା। ଗାଁ’କୁ ଯିବା ପାଇଁ ରାସ୍ତା ନଥିବାରୁ ଅଧା ରାସ୍ତାରେ ଆମ୍ୱୁଲାନ୍ସ ଅଟକିଗଲା।

Odisha health system in the hands of brokersକୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍‌ରେ ରୋଗୀ ଖଟିଆରେ ବୁହାହେଉଥିବା ଦୃଶ୍ୟ

ଏହାପରେ ଗାଁ’ ଲୋକେ ଏକ ଖଟିଆରେ ଚଞ୍ଚଳାଙ୍କୁ ବୋହି ନେଇଥିଲେ। ସେଠାରୁ ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ନିଆଯାଇ ଲମତାପୁଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେହିଭଳି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ୍‌ରେ ଜନନୀ ଯନ୍ତ୍ରଣା ଘଟଣା ଦୁଇ ଦିନ ତଳେ ଦେଖିବାକୁ ମିଳିଛି।

ଝରିଗାଁ ବ୍ଲକ୍‌ ପାଲିଆ ଅନ୍ତର୍ଗତ ବେଲଝରୀ ଗ୍ରାମର ପଡାଗ୍ରାମ ଦିଉଡୁଗୁଡା ଗ୍ରାମର ଚୈତନ୍ୟ ସାନ୍ତକ୍ଷଙ୍କ ସ୍ତ୍ରୀ ରଇଲା ସାନ୍ତକ୍ଷ(୨୩)ଙ୍କ ପ୍ରସବଜନିତ ଯନ୍ତ୍ରଣା ହୋଇଥିଲା। ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଆମ୍ବୁଲାନ୍ସକୁ ଖବର ଦିଆଗଲା। ହେଲେ କାଦୁଅ ରାସ୍ତା ଯୋଗୁଁ ଅଧାରାସ୍ତାରେ ଆମ୍ବୁଲାନ୍ସ ଅଟକିଲା। ପରିବାର ଲୋକ ଦୁଇଟି ସାଇକେଲ୍‌ରେ ଏକ ଖଟିଆ ରଖି ରଇଲାଙ୍କୁ ଦେଢ କିଲୋମିଟର ବାଟ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ।

ଦୀର୍ଘ ୨୩ ବର୍ଷର ସମୟ; ପ୍ରାୟ ୮ ହଜାରରୁ ଅଧିକ ଦିନର ଏକ ଲମ୍ବା ନୀରବଛିନ୍ନ ଶାସନରେ ଥିବା ସରକାରକୁ ‘ରାମରାଜ୍ୟ’ର ପରିକଳ୍ପନା କରିବା କିଛି ବଡ କଥା ନୁହେଁ! ହେଲେ ରାଜ୍ୟବାସୀ ସାଧାରଣ ମୌଳିକ ସ୍ୱାସ୍ଥ୍ୟସେବା ପାଇପାରୁ ବଞ୍ଚିତ, ସେ ଯେକୌଣସି କାରଣରୁ ହେଉ ନା କାହିଁକି।

Odisha health system in the hands of brokersଦୁଇଟି ସାଇକେଲ୍‌ରେ ଏକ ଖଟିଆ ରଖି ରୋଗୀଙ୍କୁ ନେବାର ଦୃଶ୍ୟ

ଦଲାଲ ଦଖଲରେ ନିଦାନ:
ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଦଲାଲଙ୍କ ଦୌରାତ୍ମ୍ୟ ଏବେ ସାମ୍ନାକୁ ଆସିଛି। ୧୯ ଅକ୍ଟୋବରରେ ଗଞ୍ଜାମ ଜିଲ୍ଲା ପୁଲିସ ଗାମୁଛାପିନ୍ଧି ରୋଗୀଙ୍କ ସମ୍ପର୍କୀୟ ବେଶରେ ଆସି ବ୍ରହ୍ମପୁର ଏମ୍‌କେସିଜି ହସ୍ପିଟାଲ ପରିସରରୁ ୭ ଜଣଙ୍କୁ ଗିରଫ କରିବା ଘଟଣା ଚର୍ଚ୍ଚାକୁ ଆସିବା ପରେ ରାଜ୍ୟରେ ଭାଳେଣି ପଡିଲା। ପୁଲିସର ଏଭଳି କାର୍ଯ୍ୟକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ ଟ୍ୱିଟ୍‌ ମଧ୍ୟ କଲେ।

ପରବର୍ତ୍ତି ସମୟରେ ବ୍ରହ୍ମପୁର ସିଟି ହସ୍ପିଟାଲର ଜଣେ ମହିଳା ଡାକ୍ତର ରୋଗୀଙ୍କୁ ଅଲ୍ଟ୍ରାସାଉଣ୍ଡ୍‌ ପାଇଁ ବାହାର ଦୁଆର ଦେଖାଇଥିବା କାରଣରୁ ଆସିକା ବଦଳି କରାଗଲା। ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଦଲାଲ ମାଡିଯିବା ଘଟଣାକୁ ସରକାର ପରୋକ୍ଷରେ ସ୍ୱୀକାର କଲେ! ୨୮ ଅକ୍ଟୋବରରେ ସ୍ୱାସ୍ଥ୍ୟ ବିଭାଗ ସରକାରୀ ହସ୍ପିଟାଲରେ ଦଲାଲ ହଟାଅ ଅଭିଯାନ ଆରମ୍ଭ କଲା।

ଦଲାଲଙ୍କ ସହିତ କୌଣସି କାର୍ଯ୍ୟରତ ଡାକ୍ତର, ପାରାମେଡିକ୍ସ ଓ ଅନ୍ୟ କର୍ମଚାରୀଙ୍କ ନଜରକୁ ଆସିଲେ ସେମାନଙ୍କ ବିରୋଧରେ ଉଭୟ ଆଇନଗତ ଓ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ କଡା ନିର୍ଦେଶନାମା ପ୍ରକାଶ ପାଇଲା। ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଏ ସଂକ୍ରାନ୍ତିୟ ଏକ ଚିଠି ଲେଖି ସମସ୍ତ ମେଡିକାଲ୍‌ କଲେଜ, ସିଡିଏମ୍‌ଓଙ୍କୁ ଜଣାଇଲେ।

ଦଲାଲମାନେ ସରକାରୀ ଡାକ୍ତରଖାନାରେ ଆବଶ୍ୟକୀୟ ଚିକିତ୍ସା ମିଳୁ ନ ଥିବା ଦର୍ଶାଇ ସେମାନଙ୍କୁ ଘରୋଇ ସ୍ୱାସ୍ଥ୍ୟାନୁଷ୍ଠାନକୁ ନେବା ପାଇଁ ପ୍ରଲୋଭିତ କରୁଛନ୍ତି। ଫଳରେ ନିରୀହ ରୋଗୀମାନଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ତେଣୁ ହସ୍ପିଟାଲର ପ୍ରବେଶ ଦ୍ୱାରରେ ‘ଦଲାଲଙ୍କ ପ୍ରତି ସତର୍କ’ ଫଳକ ଲଗାଇବାକୁ ସଚିବ ଚିଠିରେ ନିର୍ଦ୍ଦେଶ ଦେଲେ।

ଏହାର ପରବର୍ତ୍ତି ସମୟରେ ଅର୍ଥାତ ନଭେମ୍ବର ୫ ତାରିଖରେ ଖଣ୍ଡଗିରି ଥାନା ପୁଲିସ ୯ ଜଣଙ୍କୁ ଏମ୍ସ ହସ୍ପିଟାଲ୍‌ରେ ଦଲାଲୀ କରୁଥିବା ଅଭିଯୋଗରେ ଗିରଫ କଲା। ଦଲାଲମାନଙ୍କ ଫଟୋ ମଧ୍ୟ ଏମ୍ସ ପରିସରରେ ଲଗାଗଲା ଆଉ ସେଥିଲେ ଲେଖାଗଲା ‘ଫଟୋକୁ ଭଲ ଭାବେ ଚିହ୍ନି ରଖନ୍ତୁ’। ଏହି ୯ ଦଲାଲଙ୍କ ମଧ୍ୟରୁ ୪ଜଣ ପଶ୍ଚିମବଙ୍ଗର ବୋଲି ପୁଲିସ ସୂଚନା ଦେଲା।

ଏତେ ବ୍ୟବସ୍ଥା ଓ ନିୟମ ସତ୍ତ୍ୱେ ଦଲାଲମାନଙ୍କ କବଳରୁ ସ୍ୱାସ୍ଥ୍ୟ ବ୍ୟବସ୍ଥା ମୁକୁଳୁ ନାହିଁ। ଏହାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ ନୁହେଁ କି?

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)