• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Dilip Sabat

ନିକଟରେ ଓଡିଶା ସମେତ ଦେଶର ୬ ରାଜ୍ୟର ୭ଟି ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ ସରିଛି । ୭ଟି ଆସନରୁ ୪ଟି ଭାରତୀୟ ଜନତା ପାର୍ଟି (ବିଜେପି) ଖାତାକୁ ଯାଇଥିବାବେଳେ ଅନ୍ୟ ୩ ଟିରେ ଆଞ୍ଚଳିକ ଦଳମାନେ ବାଜି ମାରିଛନ୍ତି। ଶିବସେନା, ଆର୍‌ଜେଡି ଏବଂ ଟିଆର୍‌ଏସ୍ ଏହି ଆସନରେ ଜିତିଛି। ବିଜେପି ବିଜୟଲାଭ କରିଥିବା ୪ ଆସନ ମଧ୍ୟରେ ରହିଛି ଓଡିଶାର ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀ। ଏଠାରେ ବିଜେପିର ସୂର୍ଯ୍ୟବଂଶୀ ସୂରଜ ବିଜୟଲାଭ କରିଛନ୍ତି।

ଆଗାମୀ ଡିସେମ୍ବର ୫ ତାରିଖରେ ଦେଶର ୫ ରାଜ୍ୟରେ ପାଞ୍ଚଟି ବିଧାନସଭା ଏବଂ ଗୋଟିଏ ସଂସଦୀୟ କ୍ଷେତ୍ରରେ ଉପନିର୍ବାଚନ ହେବାକୁ ଯାଉଛି। ଓଡିଶାରେ ପଦ୍ମପୁର ସମେତ ରାଜସ୍ଥାନର ସରଦାର ସହର, ବିହାରର କୁରସାନି, ଛତିଶଗଡର ଭାନୁପ୍ରତାପପୁର(ଏସ୍‌ଟି) ଏବଂ ଉତ୍ତର ପ୍ରଦେଶର ରାମପୁର ବିଧାନସଭା ପାଇଁ ଉପନିର୍ବାଚନ ହେବ।

ସେହିଭଳି ଉତ୍ତରପ୍ରଦେଶର ମଇଁପୁରୀ ସଂସଦୀୟ ଉପନିର୍ବାଚନ ହେବ। ସମାପ୍ତୀ ୭ ଉପନିର୍ବାଚନର ଫଳାଫଳ ଆଗାମୀ ଉପନିର୍ବାଚନକୁ ପ୍ରଭାବିତ କରିବାର ଇଶାରା ଦେଉଛି, ଯାହା ୨୦୨୪ ସାଧାରଣ ନିର୍ବାଚନରେ କେନ୍ଦ୍ରଶାସନାଧିନ ବିଜେପି, ବିରୋଧୀ କଂଗ୍ରେସ ଓ ଓଡିଶା ସମେତ ବିଭିନ୍ନ ଆଞ୍ଚଳିକ ଦଳ ପାଇଁ ଏକ ଆହ୍ୱାନ ହେବ।

ଧାମନଗର ଉପନିର୍ବାଚନରୁ ଓଡିଶା ରାଜନୀତି ପାଇଁ ବାର୍ତ୍ତା:

ଧାମନଗର ଉପନିର୍ବାଚନର ନିର୍ବାଚନ ଫଳାଫଳକୁ ଅନୁଧ୍ୟାନ କଲେ ଅନେକ ଲୋକଙ୍କ ଖୁସି ଅନୁଭବ ହେଉଛି। କେବଳ ଧାମନଗର କିମ୍ବା ଭଦ୍ରକ ନୁହେଁ, ରାଜ୍ୟ ରାଜନୀତି ସହିତ ଜଡିତ ଥିବା ତଥା ରୁଚି ରଖୁଥିବା ଅନେକ ଲୋକଙ୍କ ମୁହଁରେ ଅକୁହା ଆନନ୍ଦ ବାରି ହୋଇପଡିଛି। ଭୋଟ ପୂର୍ବରୁ ମଧ୍ୟ, ଏଠାକାର ବିଦ୍ରୋହୀ ପ୍ରାର୍ଥୀ ତଥା ବିଜେଡିର ପୂର୍ବତନ ବିଧାୟକ ଯେତେବେଳେ ସ୍ୱାଧୀନଭାବେ ଉପନିର୍ବାଚନ ଲଢିବା ପାଇଁ ଘୋଷଣା କଲେ ସେବେଠାରୁ ତାଙ୍କ ପ୍ରତି ଲୋକଙ୍କ ସହାନୁଭୂତି ସାମ୍ନାକୁ ଆସିଥିଲା।

ବିଜେଡି, ବିଜେପି ଓ କଂଗ୍ରେସ ପ୍ରମୁଖ ଦଳ ବଡ ବଡ ନେତା, ଅଭିନେତା ଓ ଅଭିନେତ୍ରୀଙ୍କୁ ଷ୍ଟାର୍‌ ପ୍ରଚାରରେ ନେଇଥିବାବେଳେ ଧାମନଗର ନିର୍ବାଚନମଣ୍ଡଳୀର ଗରିବ, ଖଟିଖିଆ, ମେହେନତୀ, କୃଷକ, ଶ୍ରମଜୀବୀଙ୍କୁ ତାରକା ପ୍ରଚାରକଭାବେ ରାଜୁ ଘୋଷଣା କରିଥିଲେ। ଏହି ନିର୍ବାଚନରେ ରାଜୁ ଦାସଙ୍କୁ ହିରୋ ଭାବେ ବିବେଚନା କରାଯାଇଛି।

ତେବେ ବିଜେଡିରୁ ଟିକେଟ୍‌ ପାଇବାର ଏକପ୍ରକାର ନିଶ୍ଚିତ ହୋଇଥିବାବେଳେ ଶେଷ ମୁହୂର୍ତ୍ତରେ ତାଙ୍କୁ ଏଥିରୁ ବଞ୍ଚିତ କରି ଏସ୍ଏଚ୍‌ଜି ମହିଳା ଅବନ୍ତୀ ଦାସଙ୍କୁ ଦଳ କାହିଁକି ପ୍ରାର୍ଥୀ କଲା? ‘ଯାହାକୁ ବି ଠିଆକଲେ ସେ ଜିତିବେ’ ସାବ୍ୟସ୍ଥ ପାଇଁ ଦଳ ନିଜ ଦମ୍‌ର ପରୀକ୍ଷା କରୁଥିଲା କି? ଏଭଳି ଅନେକ କଥାକୁ ନେଇ ପରବର୍ତ୍ତି ସମୟରେ ପ୍ରଶ୍ନ ଉଠିଛି।

କୁହାଯାଏ, ୧୯୯୩ ପୌର ନିର୍ବାଚନ ସମୟରେ ଭୁବନେଶ୍ୱର ଅଧ୍ୟକ୍ଷ ଭାବେ କିରଣବାଳା ମଙ୍ଗରାଜଙ୍କୁ ଜନତା ଦଳର ପ୍ରାର୍ଥୀ କରିବାକୁ ତତ୍କାଳୀନ ଦଳର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଘୋଷଣା କରିଥିଲେ। ସେତେବେଳେ ଦଳର ବରିଷ୍ଠ ନେତାମାନେ ଏହାକୁ ବିରୋଧ କରିଥିଲେ। ତଥାପି ବିଜୁବାବୁ ନିଜ ନିଷ୍ପତ୍ତିରେ ଅଟଳ ରହିଲେ। ଏହାକୁ ନେଇ ଦଳ ଭିତରେ ବିଦ୍ରୋହ ସୃଷ୍ଟି ହେବାର ବାର୍ତ୍ତା ତାଙ୍କ କାନରେ ପଡିଲା। ଏହା ପରେ ବିଜୁବାବୁ ସମସ୍ତ ନେତାଙ୍କୁ ମନାଇ ସହଯୋଗ କରିବାକୁ କହିଥିଲେ। ଯାହା ଫଳରେ ଶ୍ରୀମତୀ ମଙ୍ଗରାଜ ଉକ୍ତ ପୌରନିର୍ବାଚନରେ ଅଧ୍ୟକ୍ଷ ଭାବେ ବିଜୟ ଲାଭ କରିଥିଲେ।

ତେବେ ଧାମନଗର ଉପନିର୍ବାଚନ କ୍ଷେତ୍ରରେ ରାଜୁ ଦାସ କିମ୍ବା ସେମାନଙ୍କ ସମର୍ଥକଙ୍କ ସହିତ ଏଭଳି ଆଲୋଚନା କରିଥିଲେ ହୁଏତ ଦଳ ମଧ୍ୟରେ ବିଦ୍ରୋହର ବାର୍ତ୍ତା ବାହାରକୁ ଯାଇ ନଥାନ୍ତା ବୋଲି କୁହାଯାଏ। ତା’ଛଡା ବିଭିନ୍ନ ଉପନିର୍ବାଚନ ପ୍ରଚାରରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗସ୍ତ କରିଥିଲେ ବି ଏଭଳି ସ୍ଥଳେ ପ୍ରତ୍ୟକ୍ଷ ପ୍ରଚାର ବଦଳରେ ଭର୍ଚୁଆଲ୍‌ କଲେ। କୁହାଯାଉଥିଲା, ବିଦ୍ରୋହ ସତ୍ତ୍ୱେ ଧାମନଦର ରାସ୍ତାରେ ଯଦି ଥରେ ‘ନବୀନ ରଥ’ ଗଡିବ ତାହେଲେ ବାଜି ବଦଳିଯିବ।

ଦୀର୍ଘ ୨୩ ବର୍ଷ ଧରି ନୀରବଚ୍ଛିନ୍ନ କ୍ଷମତାରେ ଥିବା ବିଜେଡି ୨୦୦୯ ପରେ କୌଣସି ନିର୍ବାଚନ ହାରି ନଥିବା ବେଳେ ଧାମନଗର ଆସନ ପ୍ରଥମଥର ପାଇଁ ଦଳକୁ ଚିନ୍ତାରେ ପକାଇଦେଇଛି। ‘ନିର୍ବାଚନରେ ସହାନୁଭୂତିର ଭୋଟ ପଲା ଭାରି’ କୁ ଭୁଲ ସାବ୍ୟସ୍ତକରି ବାଲେଶ୍ୱର ଉପନିର୍ବାଚନ ଜିତିଥିବା ଦଳ ଧାମନଗର ପରାଜୟ ପାଇଁ ‘ସିମ୍ପାଥି’କୁ ତାଲିକାଭୁକ୍ତ କରିଛି। ୩୦ ହଜାର ଭୋଟ ବ୍ୟବଧାନରେ ବିଜୟର ଦୃଢୋକ୍ତି ପ୍ରକାଶ କରିଥିବା ବିଜେଡି କେଉଁ କାରଣରୁ ପରାଜୟର ସମ୍ମୁଖୀନ ହେଲା ଦଳ ତା’ର ଆତ୍ମସମୀକ୍ଷା କରିବା ଆବଶ୍ୟକ।

ଆଗକୁ ପଦ୍ମପୁର ଉପନିର୍ବାଚନ। ତେଣୁ ବିଜେଡି ଓ ବିଜେପି ଉଭୟଙ୍କ ପାଇଁ ଏହି ଲଢେଇ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏଠାରେ ଯଦି ବିଜେଡିର ବିଜୟ ହୁଏ ତେବେ ଧାମନଗର ‘ବିଦ୍ରୋହର ବାର୍ତ୍ତା’ ଅପସରିବା ନେଇ ଦଳ ଅବସର ପାଇବ ଏବଂ ସାଧାରଣ ନିର୍ବାଚନ ପାଇଁ ଶୁଭଙ୍କର ହେବ।

ସେହିଭଳି ଯଦି ବିଜେପି ଏହି ଆସନରୁ ଜିତେ ତେବେ ଦଳର ୨୦୨୪ ମିଶନ ପାଇଁ ଅନେକ ସହାୟକ ହେବ। ଏହି ଉପନିର୍ବାଚନରେ ସବୁଠାରୁ ବଡ କ୍ଷତି ସହିଛି କଂଗ୍ରେସ। ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଦେଶରେ ଚାଲିଥିବା ‘ଭାରତ ଯୋଡୋ ଯାତ୍ରା’ ମଧ୍ୟରେ ଉପନିର୍ବାଚନ ହୋଇଥିଲେ ମଧ୍ୟ କଂଗ୍ରେସ ଏହାର ଫାଏଦା ପାଇପାରି ନାହିଁ। ଓଲଟି ଦୁଇଟି ଆସନ ହରାଇଛି ଏବଂ ଗୋଟିଏରେ ଭୋଟ୍‌ ଦୁଇଗୁଣା କମିଛ।

୭ ଉପନିର୍ବାଚନରୁ ୩ଟି ଆସନ(ଧାମନଗର, ମୁନୁଗୋଡେ ଓ ଆଦମପୁର) ପାଇଁ ପ୍ରାର୍ଥୀ ଦେଇଥିଲା କଂଗ୍ରେସ। ଧାମନଗର ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ୩୫୬୧ ଭୋଟ୍‌ ପାଇଛନ୍ତି। ତେବେ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ବିଦ୍ୟାଧର ଜେନା ଏହି ଆସନରୁ ୭୩୦୩ ଭୋଟ ପାଇଥିଲେ। ଅର୍ଥାତ ଏଠାରେ କଂଗ୍ରେସର ଭୋଟ ଅଧାରୁ ଅଧିକ କମିଛି।

ତେଲେଙ୍ଗାନାର ମୁନୁଗୋଡେ ଉପନିର୍ବାଚନରେ କଂଗ୍ରେସ ନିଜ ଆସନ ହରାଇଛି। ୨୦୧୮ ସାଧାରଣ ନିର୍ବାଚନରେ ୯୭୨୩୯ ଭୋଟ ପାଇ କଂଗ୍ରେସ ଜିତିଥିଲା ଏବଂ ଟିଆର୍‌ଏସ୍ ୭୪୬୮୩ ଭୋଟ୍‌ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲା। ଚଳିତ ଉପନିର୍ବାଚନରେ କଂଗ୍ରେସ ମାତ୍ର ୨୪ ହଜାର ଭୋଟ ପାଇ ତୃତୀୟ ସ୍ଥାନକୁ ଚାଲିଆସିଛି। ଏଠାରେ ଟିଆର୍‌ଏସ୍ ୯୭ ହଜାର ଭୋଟ ପାଇ ବିଜୟ ଲାଭ କରିଥିବାବେଳେ ୮୬୬୯୭ ଭୋଟ ପାଇ ବିଜେପି ଦ୍ୱିତୀୟ ସ୍ଥାନକୁ ଉଠିଛି।

ସେହିଭଳି ହରିଆଣା, ଆଦମପୁର ଆସନ ମଧ୍ୟ ହରାଇଛି କଂଗ୍ରେସ। କୁହାଯାଉଛି, ଏଠାରେ ଦଳ ନୁହେଁ, ସର୍ବଦା ଭଜନଲାଲଙ୍କ ପରିବାର ଜିତିଥାନ୍ତି। ଏହି ଉପନିର୍ବାଚନରେ ମଧ୍ୟ ପରିବାରର ୩ୟ ପିଢି ଭବ୍ୟ ବିଷ୍ଣୋଇ ବିଜେପିରୁ ବିଜୟଲାଭ କରିଛନ୍ତି। ପୂର୍ବରୁ ଏହି ପରିବାରର କଂଗ୍ରେସ ସମର୍ଥକ ଥିଲା! କୁଳଦୀପ ବିଷ୍ଣୋଇ ୬୩୬୯୩ କଂଗ୍ରେସ ଭୋଟରେ ବିଜୟ ଲାଭ କରିଥିଲେ।

ପରବର୍ତ୍ତୀ ସମୟରେ ସେ ବିଜେପିରେ ଯୋଗଦେବା ପରେ ଏଠାରେ ଉପନିର୍ବାଚନ ହୋଇଥିଲା। କୁଲଦୀପଙ୍କ ପୁଅ ଭବ୍ୟ ବିଜେପି ଟିକେଟ୍‌ରେ ୬୭୪୯୨ ଖଣ୍ଡ ଭୋଟ ପାଇ ଜିତିଛନ୍ତି। କଂଗ୍ରେସରୁ ଜୟ ପ୍ରକାଶ ୫୧୭୫୨ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ତେବେ ମୋଟାମୋଟି ଭାବେ ଦେଖାଗଲେ ଉପନିର୍ବାଚନ ଭୋଟ ବେଳକୁ ପ୍ରାୟ ୨ ମାସରେ ପହଞ୍ଚିଥିବା କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ର ପ୍ରଭାବ ଭୋଟ୍‌ରେ ପ୍ରତିଫଳିତ ହୋଇପାରି ନାହିଁ।

କଂଗ୍ରେସ ଏହାର ତର୍ଜମା କରିବା ସହିତ ଦୃଢ ରଣକୌଶଳ ଆପଣାଇଲେ ଆଗକୁ ଆଉ ୫ଟି ଉପନିର୍ବାଚନ ଏବଂ ୨୦୨୪ ସାଧାରଣ ନିର୍ବାଚନରେ ସୁଫଳ ପାଇପାରିବ ବୋଲି ରାଜନୀତି ସମୀକ୍ଷକଙ୍କ ମତ ରହିଛି। ସେପଟେ ୭ଟି ଉପନିର୍ବାଚନରେ ବିଜେପି ୪ ଆସନ ଦଖଲ କରି ଆଗାମୀ ହିମାଚଳପ୍ରଦେଶ ଓ ଗୁଜୁରାଟ ନିର୍ବାଚନ ପାଇଁ ସୁଫଳ ସାଉଁଟିଛି।

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)