• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆମ୍ବୁଟାକୁଆ ଖାଇ ଡହଳବିକଳ ହେଉଥିବା କନ୍ଧମାଳର ମାଣ୍ଡିପଙ୍କା ଗାଁରେ ଏବେ ପାଣି ପାଇଁ ହାହାକାର ପରିସ୍ଥିତି । ବସୁଧା ଯୋଜନା ଏଠି ଫେଲ୍ ମାରିଥିବା ବେଳେ ଲୋକେ ଝରଣାର ଅପରିଷ୍କାର ପାଣି ଉପରେ ଭରସା କରିଛନ୍ତି । ଏହି ପାଣି ହିଁ ସେମାନଙ୍କ ପାଇଁ ବଞ୍ଚିବାର ବାଟ ପାଲଟିଛି । କେତେ ସୁରକ୍ଷିତ ଏ ପାଣି .. ମାଣ୍ଡିପଙ୍କାରେ ବିଶୁଦ୍ଧ ପାଣି ଏବେ ଏମାନଙ୍କ ପାଇଁ ସାତ ସପନ ପାଲଟିଛି । ଏଇ ଗାଁରେ ହିଁ କିଛି ଦିନ ତଳେ ଆମ୍ବ ଟାକୁଆ ଖାଇ ୨ ଜଣଙ୍କ ଜୀବନ ଯାଇଛି ।

ସାରା ରାଜ୍ୟରେ ଏ ଗାଁର ଅବସ୍ଥା ଲୋକେ ଦେଖିଛନ୍ତି । କନ୍ଧମାଳ ମାଣ୍ଡିପଙ୍କା ଗାଁ । ଆମ୍ବଟାକୁଆ ବିଷାକ୍ତ ହେବା ପରେ ଯାହା ହେଲା ତାକୁ ନେଇ ସମସ୍ତେ ଚିନ୍ତିତ । ହେଲେ ଏଠି ରହିଛି ଆଉ ଏକ ବଡ଼ ସମସ୍ୟା । ବିଶୁଦ୍ଧ ପାଣି ଏଠି ଯେମିତି ସାତ ସପନ । ଝରଣାରୁ ଯାହା ପାଣି ଆସୁଛି ତାକୁ ଓଭର୍ ହେଡ୍ ଟ୍ୟାଙ୍କରେ ରଖି ଲୋକେ ବ୍ୟବହାର କରୁଛନ୍ତି । କାରଣ ନା ଏଠି ନଳକୂଅ କାମ କରୁଛି ନା ବସୁଧା ଯୋଜନାରେ ପାଣି ଆସୁଛି ।

ଟ୍ୟାପ୍ ସିନା ଲାଗି ଯାଇଛି କିନ୍ତୁ ପାଣି ଆସୁନି । ଗାଁରେ ଦୁଇଟି ସୋଲାର୍ ନଳକୂଅ ଅଛି ହେଲେ ମେଘ ପାଗ ହେଲେ ସେ ସବୁ ଠପ୍ । ଆଉ ବାକି ନଳକୂଅରେ ତ ଗୋଳିଆ ପାଣି ବାହାରୁଛି । ଯେଉଁ ଝରଣା ପାଣିକୁ ଲୋକେ ବ୍ୟବହାର କରୁଛନ୍ତି ସେ ସବୁ କେମିତି ଓ କେଉଁ ଭଳି ଭାବେ ଅଛି ସେ ସବୁକୁ ଥରେ ଦେଖନ୍ତୁ ।

ଅପରିଷ୍କାର ପରିବେଶ ଓ ପରିତ୍ୟକ୍ତ ଅବସ୍ଥାରେ ଏସବୁ ପାଣି ଟାଙ୍କିରେ ଭର୍ତ୍ତି ହେଉଛି । ୟାକୁ ବିଶୁଦ୍ଧିକରଣ କରିବାକୁ ବି କିଛି ବ୍ୟବସ୍ଥା ନାହିଁ । ଏଭଳି ପାଣି ଉପରେ ମାଣ୍ଡିପଙ୍କା ଗାଁ ଲୋକେ କାହିଁ କେବେଠୁ ଭରସା କରି ବଞ୍ଚୁଛନ୍ତି । ତେବେ ବିଭାଗୀୟ ଅଧିକାରୀଙ୍କ ଏସମ୍ପର୍କରେ ପ୍ରତିକ୍ରିୟା ମିଳିପାରିନି । କିନ୍ତୁ ଗାଁ ଲୋକେ ନିଜ ଅକଥନୀୟ ସମସ୍ୟା ବଖାଣିଛନ୍ତି ।

ଆମ୍ବଟାକୁଆ କଷ୍ଟ ମନରୁ ନଲିଭୁଣୁ ଏବେ ପାଣି ପାଇଁ ଭୟ ଦେଖାଦେଲାଣି । ଯେଉଁ ଦ୍ରବ୍ୟ ଆଦିବାସୀଙ୍କ ଖାଦ୍ୟ ଥାଳିର ଆକର୍ଷଣ, ତାହା କାହିଁକି ପାଲଟିଯାଉଛି ଜହର ? ପୁରୁଷ ପୁରୁଷ ଧରି ଯେଉଁ ଅଣଚାଷ ଖାଦ୍ୟ ଖାଇ ବଞ୍ଚୁଛନ୍ତି ବଣମୂଲକର ମଣିଷ, ତାହା କେମିତି ସାଜୁଛି ଘାତକ ? ସଲପ ହେଉ ବା ଆମ୍ବଟାକୁଆ ଜାଉ, ଜଙ୍ଗଲୀ ଜନ୍ଦା ହେଉ ଅବା ଶୁଖା ମାଂସ । ଜୀବନ ନେଇଛି, ଉଜାଡ଼ିଛି ଘର ପରିବାର । ଯେଉଁ ଅପବାଦ ପରେ ଏବେ ବିତର୍କର କାଠଗଡ଼ାରେ ଆଦିବାସୀଙ୍କ ପାରମ୍ପାରିକ ଖାଦ୍ୟ ।

ତଥାପି ଛାଡ଼ି ପାରୁନାହାଁନ୍ତି ଅଖାଦ୍ୟ ଅଭ୍ୟାସକୁ । ଜଙ୍ଗଲରୁ କେବେ ଆମ୍ବ ଟାକୁଆ ଆଣି ତ ଆଉ କେବେ ଜଙ୍ଗଲୀ ଜନ୍ଦା, କରଡ଼ି, ଛତୁ ଓ ଶାଗ ସଂଗ୍ରହ କରି ଖାଦ୍ୟ ପ୍ରସ୍ତୁତ କରିବା ସହ ଦୀର୍ଘଦିନ ଧରି ସାଇତି ରଖନ୍ତି । ଯେବେ ଘରେ ଚାଉଳ କିମ୍ୱା ଅନ୍ୟ ଖାଦ୍ୟ ସାମଗ୍ରୀ ସରିଯାଏ, ସେହି ସମୟରେ ଭୋକ ମେଣ୍ଟାଏ ଏସବୁ ଖାଦ୍ୟ । କେବଳ ଗଜପତି ନୁହେଁ, କନ୍ଧମାଳରୁ କୋରାପୁଟ, ରାୟଗଡ଼ାରୁ ନବରଙ୍ଗପୁର ।

ଆଦିବାସୀ ବହୁଳ ଏସବୁ ଜିଲ୍ଲାର ଉପାନ୍ତ ଇଲାକାରେ ଏଭଳି ଅଣଚାଷ ଖାଦ୍ୟ ପାଲଟିଛି ସାହା ଭରସା । ଆମ୍ବଟାକୁଆକୁ ଶୁଖାଇ ଏହାକୁ କିଏ ପିଠା କରିଖାଆନ୍ତି ତ ଆଉ କିଏ ଜାଉ କରି ବି ପିଅନ୍ତି । ପ୍ରକୃତି ପ୍ରଦତ୍ତ ଏସବୁ ଖାଦ୍ୟ ବିଷାକ୍ତ ନୁହେଁ, କିନ୍ତୁ ଖାଦ୍ୟ ପ୍ରକ୍ରିୟାକରଣ ସହ ରକ୍ଷଣାବେକ୍ଷଣରେ ସମସ୍ୟା ଯୋଗୁ ଘାତକ ସାଜୁଛି । ସବୁରି ମୂଳରେ ରହିଛି ସଚେତନତାର ଅଭାବ ।

ଉପାନ୍ତର ଜନଜାତିଙ୍କ ଚାଲିଚଳନ ଓ ଖାଦ୍ୟପେୟର ଅଭ୍ୟାସରେ ସୁଧାର ପାଇଁ ୧୯୮୬ରୁ କାର୍ଯ୍ୟ କରୁଛି ସରକାରଙ୍କ ସ୍ୱତନ୍ତ୍ର ବିଭାଗ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା-DKDA । ଏପରିକି କୁଟିଆ କନ୍ଧ ଉନ୍ନୟନ ପରିଷଦ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ଲାଇଭଲିହୁଡ୍ ମିଶନ ଭଳି ଅନେକ ପ୍ରକଳ୍ପ ଜାରି ରହିଛି ।

OTV is now on Whatsapp

Join and get latest news update delivered to you via whatsapp

Join Now