• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଷ୍ଟେସନ୍ ମାଷ୍ଟର୍ କଲେ ଭୁଲ୍, ରେଳବାଇର କ୍ଷତି ହେଲା ୩ କୋଟି ଟଙ୍କା । ସାମାନ୍ୟ OK କହିବାକୁ ଭୁଲ ରାସ୍ତାରେ ଟ୍ରେନ୍ ଯାଇ ରେଳବାଇର ପ୍ରାୟ ୩ କୋଟି ଟଙ୍କା କ୍ଷତି ହୋଇଛି । ଫଳରେ ଷ୍ଟେସନ୍ ମାଷ୍ଟର୍‌କୁ ଚାକିରିରୁ ବାହାର କରିଦିଆଯାଇଛି । ସୂଚନା ଅନୁସାରେ, ଷ୍ଟେସନ୍ ମାଷ୍ଟର୍ ଜଣକ ପତ୍ନୀଙ୍କ ସହ ଝଗଡ଼ା କରୁଥିଲେ । ଗୋଟିଏ ହାତରେ ଅଫିସ୍ ଫୋନ୍ ଥିବା ବେଳେ ଅନ୍ୟ ହାତରେ ଘର ଫୋନ୍ ରହିଥିଲା ।

ଏହି ସମୟରେ ପତ୍ନୀ କିଛି କହିବାରୁ ସେ OK କହିଥିଲେ । ଫଳରେ ଅଫିସ ଫୋନ୍‌ରେ ଲାଇନ୍‌ରେ ଥିବା ଅନ୍ୟ ଜଣେ ଷ୍ଟେସନ୍ ମାଷ୍ଟର୍ ଶୁଣିବା ପରେ ଟ୍ରେନ୍ ଛାଡ଼ିବାକୁ ନିର୍ଦ୍ଦେଶ ଦେଲେ । ଭୁଲ ରାସ୍ତାରେ ଟ୍ରେନ୍ ଯିବା ଫଳରେ ରେଳବାଇର ପ୍ରାୟ ୩ କୋଟି ଟଙ୍କା କ୍ଷତି ହୋଇଛି । ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ା ପାଇଁ ବନ୍ଦ ରୁଟ୍‌ରେ ଚାଲିଲା ଟ୍ରେନ୍ । ଅନ୍ୟପଟେ ପତ୍ନୀଙ୍କ ପାଇଁ ଚାକିରି ଚାଲିଯିବାରୁ ସେ ହାଇକୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କଲେ ।

ତେବେ ଶୁଣାଣିରେ ହାଇକୋର୍ଟ କହିଛନ୍ତି, ଉକ୍ତ ବ୍ୟକ୍ତିଙ୍କ ପ୍ରତି ପତ୍ନୀ ଦେଖାଇଥିବା ବ୍ୟବହାର ହେଉଛି ମାନସିକ ନିର୍ଯ୍ୟାତନା । ତେଣୁ ସ୍ୱାମୀଙ୍କୁ ଛାଡ଼ପତ୍ର ମିଳିବା ନିହାତି ଆବଶ୍ୟକ । ଘଟଣା ଅନୁସାରେ, ବ୍ୟକ୍ତି ଜଣକ ଡ୍ୟୁଟିରେ ଥିବା ବେଳେ ଫୋନ୍‌ରେ ପତ୍ନୀଙ୍କ ସହ ଝଗଡ଼ା ଆରମ୍ଭ ହୋଇଗଲା । ଦୁଇପଟେ ଦୁଇ ଦୁଇଟି ଫୋନ୍ ଥିବା ବେଳେ ପତ୍ନୀ କହିଲେ- ଅଫିସ୍‌ରୁ ଫେର । ଘରକୁ ଆସିଲେ କଥାବାର୍ତ୍ତା ।

ଏହାକୁ ନେଇ ଷ୍ଟେସନ୍ ମାଷ୍ଟର୍ ଜଣକ OK କହିଥିଲେ । ସେପଟେ କିନ୍ତୁ ଅଫିସ ଫୋନ୍‌ରେ ଥିବା ବ୍ୟକ୍ତି ଏହା ଶୁଣି ଟ୍ରେନ୍ ଚାଲିବାକୁ ନିର୍ଦ୍ଦେଶ ଦେଇଦେଲେ । ଫଳରେ ରେଳବାଇ ଉକ୍ତ ବ୍ୟକ୍ତିଙ୍କୁ ସସ୍‌ପେଣ୍ତ କଲା । ବିଶାଖାପାଟନମ୍ ବାସିନ୍ଦା ଏହି ବ୍ୟକ୍ତିଜଣକ ୨୦୧୧ ରେ ଭିଲାଇ ସ୍ଥିତ ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ତେବେ ଉକ୍ତ ଯୁବତୀଙ୍କ ପ୍ରେମ ସମ୍ପର୍କ ଅନ୍ୟ ଜଣେ ଯୁବକଙ୍କର ଥିବା ଜଣା ପଡ଼ିଥିଲା ।

ଷ୍ଟେସନ୍ ମାଷ୍ଟର୍ ଏ କଥା ଶ୍ୱଶୁର ଘର ଲୋକଙ୍କୁ ଜଣାଇବା ପରେ କନ୍ୟାପିତା କହିଥିଲେ, ଭବିଷ୍ୟତରେ କିଛି ଅସୁବିଧା ହେବନାହିଁ । ଶ୍ୱଶୁରଙ୍କ କଥା ମାନି ସବୁ କିଛି ଭୁଲିଯିବାକୁ ସେ ପତ୍ନୀଙ୍କୁ କହିଲେ । କିନ୍ତୁ ପତ୍ନୀ ସ୍ୱାମୀଙ୍କ ସାମ୍ନାରେ ମଧ୍ୟ ପ୍ରେମିକ ସହ କଥା ହେଲେ । ଫଳରେ ବିବାଦ ବଢ଼ିବାରେ ଲାଗିଲା । ଦିନେ ରାତିରେ ଡ୍ୟୁଟିରେ ଥିବା ବେଳେ ଫୋନ୍ ଆସିଲା ଓ ଝଗଡ଼ା ହେଲା ।

ଏହି ଘଟଣା ପରେ ସ୍ୱାମୀ, ପତ୍ନୀଙ୍କ ଉପରେ ମାନସିକ ନିର୍ଯ୍ୟାତନାର ଅଭିଯୋଗ ଆଣି ଛାଡ଼ପତ୍ର ପାଇଁ ଆବେଦନ କଲେ । ତେବେ କୋର୍ଟରେ ଆବେଦନ ଖାରଜ ହେବା ପରେ ହାଇକୋର୍ଟରେ ଆବେଦନ କଲେ । ମାମଲାର ଶୁଣାଣି କରି ହାଇକୋର୍ଟ, ପରିବାର କୋର୍ଟଙ୍କ ନିଷ୍ପତ୍ତିକୁ ଖାରଜ କରି ଛାଡ଼ପତ୍ର ଆବେଦନକୁ ମଞ୍ଜୁର ପ୍ରଦାନ କରିଥିଲେ ।

OTV is now on Whatsapp

Join and get latest news update delivered to you via whatsapp

Join Now