• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସମୁଦ୍ରରୁ ମାଡ଼ି ମାଡ଼ି ଆସୁଛି ବାତ୍ୟା, ସରି ସରି ଆସୁଛି ପ୍ରସ୍ତୁତି ସମୟ । ବିପର୍ଯ୍ୟୟ ମୁକାବିଲା ତୟାରି ପାଇଁ ହାତରେ ଆଉ ମାତ୍ର ଗୋଟିଏ ଦିନ । ବାତ୍ୟା କେଉଁପଟେ ଯିବ, କେଉଁଠି ସ୍ଥଳକୁ ଛୁଇଁବ, ତାହା ସ୍ପଷ୍ଟ ହୋଇନଥିଲେ ବି, ଏପଟେ ଗ୍ରାଉଣ୍ଡରେ ଦେଖିବାକୁ ମିଳିଲାଣି ପ୍ରଶାସନର ବ୍ୟାପକ ସମରସଜ୍ଜା । ସେପଟେ ସମୁଦ୍ର ଅଶାନ୍ତ ହେଉଥିବାରୁ ମତ୍ସ୍ୟଜୀବୀ ମାନେ କୂଳକୁ ଫେରି ଆସିଥିବା ବେଳେ, ପ୍ରବଳ ବର୍ଷା ଓ ପବନ ହେବାକୁ ଥିବାରୁ ଚାଷ ଓ ବାସକୁ ନେଇ ଛାନିଆ ଉପକୂଳିଆ ଲୋକେ ।

କଳ ତୟାର୍... ବଳ ତୟାର୍ । ବାତ୍ୟା ଦାନା ନିଜର ଦମ୍ ଦେଖାଇବା ଆଗରୁ, ଏହାର ମୁକାବିଲା କରିବାକୁ 'ବିପର୍ଯ୍ୟୟ ଯୋଦ୍ଧା' ସମ୍ପୂର୍ଣ୍ଣ ତୟାର୍ । ଗର୍ଜିଲାଣି ମେସିନ୍ କଟର୍, ଜଳିଲାଣି ଆସ୍କା ଲାଇଟ୍ । ଅଗ୍ନିଶମ, ଓଡ୍ରାଫ୍ ନେଇ କେନ୍ଦ୍ରୀୟ ବାହିନୀ ଏନଡିଆରଏଫ୍... ସମସ୍ତେ ଆଧୁନିକ ସରଞ୍ଜାମ ସହ ଗ୍ରାଉଣ୍ଡରେ ଆରମ୍ଭ କଲେଣି ସମରସଜ୍ଜା । ମୁତୟନ ହୋଇ ସାରିଲେଣି ବିଭିନ୍ନ ତଟବର୍ତ୍ତୀ ଅଞ୍ଚଳରେ ।

ବାତ୍ୟାର ବାଟ ଓଗାଳିବା ସିନା ମୁସ୍କିଲ, କିନ୍ତୁ ଏହାର କ୍ଷୟକ୍ଷତି କମ୍ କରିବା ଅସମ୍ଭବ ନୁହେଁ । ବାତ୍ୟା ଯିବା ମାତ୍ରେ ଜୀବନଯାତ୍ରା ସ୍ୱାଭାବିକ କରିବାକୁ ସମସ୍ତେ ଯେପରି ନେଇସାରିଲେଣି ଭୀଷ୍ମ ପ୍ରତିଜ୍ଞା । ଏପଟେ ବେଳାଭୂମି ଓ ସମୁଦ୍ର କୂଳିଆ ଜନବସତିରେ ସତର୍କ ଘୋଷଣା ବି ଅହରହ ଚାଲିଛି । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ଘନଘନ ସାବଧାନ କରୁଛି ଡାକବାଜି । ମତ୍ସ୍ୟଜୀବୀଙ୍କୁ ସମୁଦ୍ରରୁ ଫେରିଯିବା ପାଇଁ ତାଗିଦ କରୁଛି ମେରାଇନ୍ ପୋଲିସ ।

ସାଇକ୍ଲୋନ୍ ଆଲର୍ଟ ପାଇବା ପରେ ବିଭିନ୍ନ ମୁହାଣ, ମାଛଧରା ଜେଟିରେ ଟଲର ଏବଂ ଡଙ୍ଗାର ଭିଡ଼ ଲାଗିଲାଣି । ଚିଲିକା ଧୀବରମାନେ ଡଙ୍ଗା ଓ ଜାଲ ଆଦି ଉପରକୁ ଆଣି ସୁରକ୍ଷିତ କଲେଣି । ସେପଟେ ବିଭିନ୍ନ ବେଳାଭୂମିରେ ଥିବା ଦୋକାନପତ୍ର ବି ବେପାରୀମାନେ ବାନ୍ଧିବୁନ୍ଧି ବାତ୍ୟା ବିପଦ ଟଳିବାକୁ ଅପେକ୍ଷା କରିଥିବା ଦେଖିବାକୁ ମିଳିଛି । ପୁରୀରେ ସରକାରଙ୍କ ପରାମର୍ଶ ପରେ ପର୍ଯ୍ୟଟକଙ୍କ ଘର ବାହୁଡ଼ା ।

ପୁରୀ ଛାଡ଼ିବା ପାଇଁ ଶହ ଶହ ପର୍ଯ୍ୟଟକଙ୍କ ଭିଡ଼ । ତଥାପି ଏବେବି ହଜାର ହଜାର ପର୍ଯ୍ୟଟକ ଏବଂ ହବିଷ୍ୟାଳୀ ପୁରୀର ବିଭିନ୍ନ ହୋଟେଲ, ଲଜିଂ, ଧର୍ମଶାଳା ଓ ଶିବିରରେ ରହୁଥିବାରୁ, ସେମାନଙ୍କୁ କିପରି ସୁରକ୍ଷିତ ରଖାଯାଇପାରିବ, ସେନେଇ ହୋଟେଲ ମାଲିକମାନଙ୍କୁ ଅବଗତ କରାଯାଇଛି । ସେପଟେ ବେଳାଭୂମିରେ ବେପରୁଆ ପର୍ଯ୍ୟଟକଙ୍କୁ ସମୁଦ୍ରରେ ନପଶିବାକୁ ସତର୍କ କରୁଛନ୍ତି ଲାଇଫଗାର୍ଡ ।

ଏପଟେ ଉପକୂଳିଆ ଗାଁଗଣ୍ଡାରେ କାହାକୁ ଚାଷ ଚିନ୍ତା... କାହାକୁ ବାସ ଚିନ୍ତା...। ଅଣଚାଶ ପବନ ଦାଉରୁ ଚାଳଛପର ରକ୍ଷା କରିବାକୁ ଜାଲ କିଣି ଘେରାଉଛନ୍ତି ଗରିବଗୁରୁବା । ସେପଟେ ବାତ୍ୟା ଦାନା ବର୍ଷକର ଦାନା ବୁଡ଼ାଇବା ଆଗରୁ, କିଏ ଥୋଡ଼ ପୂରା ନପାଚିଥିଲେ ବି ତରବରିଆ ଧାନକାଟିଲାଣି, ଆଉ କିଏ ଅମଳ କରି ବସ୍ତାରେ ପୂରାଇଲାଣି ।

ଖାଲି ଏମାନଙ୍କୁ ନୁହେଁ, ବହୁ ସମୁଦ୍ରକୂଳିଆ ଗାଁଲୋକଙ୍କୁ ଛାନିଆ କଲାଣି ଜୁଆର ଚିନ୍ତା । ଗାଁରେ ଯେପରି ପାଣି ନପଶେ ସେଥିଲାଗି ଗଞ୍ଜାମ ଓ ବାଲେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଗାଁଲୋକେ ସମୁଦ୍ରତଟରେ ବାଲିବସ୍ତା ପକାଉଥିବା ଦେଖିବାକୁ ମିଳିଛି । ବାତ୍ୟା ମୁକାବିଲା ପାଇଁ ଆମୂଳଚୂଳ ପ୍ରସ୍ତୁତି ଉପରେ ନଜର ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଖୋଲାଯାଇଛି କଣ୍ଟ୍ରୋଲ ରୁମ୍ ।

ଆଲର୍ଟରେ ଅଛନ୍ତି ଜିଲ୍ଲାପାଳ, ବିଡିଓ ଓ ତହସିଲଦାର ଠୁ ନେଇ ସ୍ୱାସ୍ଥ୍ୟ, ପୋଲିସ୍ ଓ ତମାମ ପ୍ରଶାସନ । ବିଭିନ୍ନ ସ୍ଥାନରେ ଏବେଠୁ ତଳିଆ ଅଞ୍ଚଳ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳ ଏବଂ ଅସୁସ୍ଥ ଓ ଗର୍ଭବତୀଙ୍କୁ ମେଡିକାଲ ନିଆଯାଉଥିବା ଦେଖିବାକୁ ମିଳିଛି ।

OTV is now on Whatsapp

Join and get latest news update delivered to you via whatsapp

Join Now