ଭୁବନେଶ୍ବର କମିଶନରେଟ୍ ପୋଲିସର ହେବ ନବକଳେବର । ଭାଗ ଭାଗ ହେବ ଭୁବନେଶ୍ବର ସହରାଞ୍ଚଳ ପୋଲିସ୍ ଜିଲ୍ଲା । ଗଠନ ହେବ ଭୁବନେଶ୍ବର ଇଷ୍ଟ ଓ ଭୁବନେଶ୍ବର ୱେଷ୍ଟ UPD । ଅପରାଧଠୁ ଅଲଗା ହେବ ଆଇନ ଶୃଙ୍ଖଳା ବିଭାଗ । କ୍ରାଇମ୍ ଡ୍ୟୁଟିରେ ଥିବା ପୋଲିସ ବୁଝିବେନି ଆଇନଶୃଙ୍ଖଳା ସ୍ଥିତି ଏବଂ VVIP ଡ୍ୟୁଟି । ବଢୁଥିବା ଅପରାଧ ହାର ନିୟନ୍ତ୍ରଣ ପାଇଁ କମିଶନରେଟ୍ ପୋଲିସର ବଡ଼ ଯୋଜନା ।
‘ବାଇ-ଲ' ଅନୁସାରେ ଅପରାଧ ଓ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ପରସ୍ପରଠୁ ସଂପୂର୍ଣ୍ଣ ଅଲଗା କରିବାକୁ ଇଏ ହେଉଛି ପୋଲିସ୍ ଡିଜିଙ୍କୁ କଟକ-ଭୁବନେଶ୍ବର ପୋଲିସ କମିଶନରେଟର ପ୍ରସ୍ତାବ । ଏହା ଅନୁସାରେ ଭୁବନେଶ୍ବର ସହରାଞ୍ଚଳ ପୋଲିସ ଜିଲ୍ଲାକୁ ଦୁଇଭାଗ କରାଯିବ । ଭୁବନେଶ୍ବର ଇଷ୍ଟ ଓ ଭୁବନେଶ୍ବର ୱେଷ୍ଟ । ପ୍ରତି ପୋଲିସ୍ ଜିଲ୍ଲା ଦାୟିତ୍ବରେ ରହିବେ ଜଣେ ଲେଖାଏଁ ଡିସିପି ଏବଂ ରହିବ ୩ଟି ଲେଖାଏଁ ଜୋନ୍ । ଭୁବନେଶ୍ବର ଇଷ୍ଟ୍ ପୋଲିସ୍ ଜିଲ୍ଲା ଅଧିନରେ କ୍ୟାପିଟାଲ, ଶ୍ରୀ ଲିଙ୍ଗରାଜ ଓ ଇଷ୍ଟର୍ଣ୍ଣ ଜୋନ୍ ପାଇଁ ପ୍ରସ୍ତାବ ରହିଥିବା ବେଳେ ଭୁବନେଶ୍ବର ୱେଷ୍ଟ ପୋଲିସ୍ ଜିଲ୍ଲା ଅଧିନରେ ଆଉ ତିନିଟି ଜୋନ୍ ଖଣ୍ଡଗିରି, ମୈତ୍ରୀବିହାର ଓ ନନ୍ଦନକାନନ ଜୋନ୍ ରହିବ ।
Also Read
ତେବେ ଅପରାଧଠୁ ଆଇନଶୃଙ୍ଖଳାକୁ ଅଲଗା କରାଯିବା ପ୍ରସ୍ତାବ ପଛର ଯୁକ୍ତି କଣ । ନଜର ପକାନ୍ତୁ ଏ ତଥ୍ୟ ଉପରେ । ୨୦୦୮ ମସିହାରେ ଯେତେବେଳେ କଟକ-ଭୁବନେଶ୍ବର ପୋଲିସ୍ କମିଶନରେଟ୍ ଗଠନ ହେଲା ସେତେବେଳେ ରାଜଧାନୀ ସହରର ଜନସଂଖ୍ୟା ଥିଲା ୧୨ ଲକ୍ଷ ୬୬ ହଜାର । ଆଉ ସେଇ ଆଧାରରେ ୧୬ଟି ଥାନା ଥିଲା । ୨୦୨୪ ସୁଦ୍ଧା ଭୁବନେଶ୍ବରର ଲୋକସଂଖ୍ୟା ଦୁଇ ଗୁଣାରୁ ଅଧିକ ବୃଦ୍ଧିହୋଇ ୨୭ଲକ୍ଷ ୬୪ ହଜାରକୁ ପହଞ୍ଚିଲାଣି । ଏହା ଭିତରେ ଥାନା ସଂଖ୍ୟା ବି ବଢ଼ି ୨୯ରେ ପହଞ୍ଚିବା ସହ ଦ୍ରୁତଗତିରେ ବଢ଼ୁଥିବା ଗାଡ଼ି ସଂଖ୍ୟାକୁ ଦେଖି ଏକରୁ ଦୁଇକୁ ବଢ଼ିଛି ଟ୍ରାଫିକ୍ ଥାନା । ଏଥିସହ ବାର୍ଷିକ ପଞ୍ଜୀକୃତ ଅପରାଧ ମାମଲା ସଂଖ୍ୟା ବି ୪ ହଜାର ୫୬୬ରୁ ୧୩ହଜାର ୪୧୧ରେ ପହଞ୍ଚିଲାଣି ।
ଅଧିକ ପଢ଼ନ୍ତୁ: ବାଙ୍ଗିରିପୋଷିକୁ ଯାଇଥିବା ଦୁଇ ମନ୍ତ୍ରୀଙ୍କୁ ବିରୋଧ, ଢେଲା ମାଡ଼ରେ ଭାଙ୍ଗିଲା ମନ୍ତ୍ରୀଙ୍କୁ ଛାଡି ଫେରୁଥିବା କାର୍ କାଚ
କେବଳ ସେତିକି ନୁହେଁ ଦ୍ରୁତଗତିରେ ବଢୁଥିବା ରାଜଧାନୀ ସହରର କଳେବର ସାଙ୍ଗକୁ ବଢିଚାଲିଥିବା ଶିକ୍ଷାନୁଷ୍ଠାନ, ହସ୍ପିଟାଲ୍ ଓ ଶିଳ୍ପ କାରଖାନା ପାଇଁ ପ୍ରତ୍ୟେହ ଲକ୍ଷାଧିକ ଲୋକଙ୍କ ଯାଆସ ଲାଗିରହିଛି । ଏଥିସହ ଜନସଂଖ୍ୟାର ଘନତ୍ବ ବୃଦ୍ଧି ସହ ତାଳଦେଇ ବଢ଼ିଚାଲିଛି ଅପରାଧ ନେଟୱାର୍କ, ଚୋରି, ଛିନତାଇ ରାହାଜାନୀଠୁ ନେଇ ସାବଇବର ଅପରାଧ ଯାଏଁ । ସେହିପରି ଭିଭିଆଇପି ମୁଭମେଣ୍ଟ ମଧ୍ୟ ୨୦୦୮ଅନୁଯାୟୀ ବହୁମାତ୍ରାରେ ବଢ଼ିଯାଇଛି ।
୨୦୦୮ରେ ୩୬୮ଜଣଙ୍କୁ ଜେଡ୍ ପ୍ଲସ୍ ସିକ୍ୟୁରିଟି ଦିଆଯାଇଥିଲା ବେଳେ ୨୦୨୪ରେ ଏ ସଂଖ୍ୟା ୫୨୭ରେ ପହଞ୍ଚିଛି । ଅପରପକ୍ଷେ ଜେଡ୍ କ୍ୟାଟେଗୋରି ୧୭ରୁ ୧୪୬ ଏବଂ ୱାଇ କାଟାଗୋରି ୮ରୁ ୭୩ ହୋଇଛି । ଏଥିସହ ବିଧାନସଭା, ଲୋକସେବା ଭବନ ସହ ରାଜଭବନ ଓ ମୁଖ୍ୟମନ୍ତ୍ରୀଙ୍କ ଆବାସରେ ୨୪ ଘଣ୍ଟିଆ କଡ଼ା ପ୍ରହରା ଦିଆଯାଉଛି । ବିଧାନସଭା ଅଧିବେଶନ ସମୟରେ ବି ବିଭିନ୍ନ ସଂଗଠନର ବିକ୍ଷୋଭ, ରାଲି, ସଭା କମିଶନରେଟର ମୁଣ୍ଡବ୍ୟଥା ବଢ଼ାଉଛି ।
ଦିନରାତି ଆଇନଶୃଙ୍ଖଳା ବ୍ୟବସ୍ଥାରେ ଯୋଡ଼ି ହେଉଥିବା ପୋଲିସ୍ ଅପରାଧ ନିୟନ୍ତ୍ରଣରେ ବି ଝାଳନାଳ ହେଉଛି । ତେଣୁ ଏକାସଙ୍ଗେ ଦୁଇଟିକୁ ପରିଚାଳନା କରିବା ଅନେକ ସମୟରେ ଏକରକମ୍ ଅସମ୍ଭବ ହୋଇପଡୁଛି । ପୋଲିସିଂ ବ୍ୟବସ୍ଥାର ଏ ଦୁଇଟି ଗୁରୁତ୍ବପୂର୍ଣ୍ଣ ଅଙ୍ଗର ସୁପରିଚାଳନା ପାଇଁ ପୋଲିସ ଡିଜିଙ୍କୁ ଏଭଳି ପ୍ରସ୍ତାବ ଦେଇଛି କମିଶନରେଟ୍ ପୋଲିସ୍ ।
ବଡ଼ କଥା ହେଉଛି ପୂର୍ବ ସରକାର ସମୟରେ ବାରମ୍ବାର ଗୃହ ବିଭାଗ ପାଖକୁ ଏଭଳି ପ୍ରସ୍ତାବ ଯାଇଥିଲେ ବି ତାହା କାର୍ଯ୍ୟକାରୀ ହୋଇପାରି ନଥିଲା । ମାନବସମ୍ବଳର ଅଭାବ ଦର୍ଶାଇ କାଟ୍ ଖାଇ ଚାଲିଥିଲା ପ୍ରସ୍ତାବ । ହେଲେ ବିଶ୍ବସ୍ତସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏଥର ସରକାର ଏ ପ୍ରସ୍ତାବକୁ ଗୁରୁତ୍ବ ଦେବା ସହ ମାନବସମ୍ବଳ ବୃଦ୍ଧି ଦିଗରେ ମଧ୍ୟ ପଦକ୍ଷେପ ନେବାକୁ ଯାଉଛନ୍ତି । ନିକଟରେ ନୂଆପଲ୍ଲୀ ଥାନାର ନୂତନ ଗୃହ ଉଦ୍ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ମଧ୍ୟ ଏ ଦିଗକୁ ଇଙ୍ଗିତ କରିଥିଲେ ।