କାହିଁକି ଦେବତାମାନଙ୍କୁ ବର ଭାବରେ ବରଣ କରିବାକୁ ମନା କଲେ ଦମୟନ୍ତୀ? ସ୍ୱୟଂବର ସଭାରେ ବସିଥିବା ପାଞ୍ଚ ନଳଙ୍କ ଭିତରୁ ସତ ନଳଙ୍କୁ ସେ ବାଛିଲେ କେମିତି ? କାହିଁକି କୋପ କଲେ କଳି ? କାହିଁକି ଦମୟନ୍ତୀଙ୍କୁ ତାଙ୍କ ଦେଶର ଲୋକେ ପାଣି ଟୋପେ ବି ଦେଲେନି? ମହାଭାରତର ଏପରି ଆହୁରି ଅନେକ ଅଜଣା କଥାର ଉତ୍ତର ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।
ଦେବତାମାନଙ୍କର ଦୂତ ହୋଇ ନଳ ସିଧାସଳଖ ଦମୟନ୍ତୀଙ୍କ ପାଖରେ ଖବର ପହଞ୍ଚାଇବାକୁ ଚାଲିଲେ । ଆଶ୍ଚର୍ଯ୍ୟ କଥା ତାଙ୍କୁ ଦ୍ୱାରପାଳ କିମ୍ବା ରକ୍ଷୀ କେହିବି କେଉଁଠି ଅଟକାଉନଥାନ୍ତି। ଦମୟନ୍ତୀଙ୍କ ଏକାନ୍ତ କୋଠରୀରେ ପହଞ୍ଚିଲା ବେଳକୁ ଦମୟନ୍ତୀ ତାଙ୍କ ସଖୀଙ୍କ ଗହଣରେ । ସଖୀ ଓ ପରିଚାରିକାମାନେ ବୁଝିପାରିଲେନି ରାଜକନ୍ୟାଙ୍କ ନିଭୃତ କୋଠରୀକୁ ଏ ସୁଦର୍ଶନ ଯୁବକ କେମିତି ଆସିଲେ। କେଉଁ ଦେବତା ନା ଗନ୍ଧର୍ବ କି? ଦମୟନ୍ତୀଙ୍କୁ ପ୍ରଥମ ଥର ପାଇଁ ଦେଖି ନଳଙ୍କ ମନ ବିଚଳିତ ହେବାକୁ ଲାଗିଲା । କିନ୍ତୁ ଦେବତାମାନଙ୍କ ଦୂତ ଭାବରେ ସେ ଆସିଥିବାରୁ ସଞ୍ଜମତା ଆଚରଣ କରି ଚୁପ ରହିଲେ । ଦମୟନ୍ତୀ ପଚାରିଲେ ଆପଣ କିଏ ? ଦ୍ୱାରପାଳ ଓ ରକ୍ଷୀମାନଙ୍କ ସତର୍କ ପ୍ରହରାକୁ ଏଡାଇ ଏଠାରେ ଆପଣ ପହଞ୍ଚିଲେ କେମିତି? କେଉଁ ଉଦ୍ଦେଶ୍ୟରେ ଆସିବା ହୋଇଛି?
ନଳ କହିଲେ ମୁଁ ନିଷଧ ଦେଶର ରାଜା ନଳ । ମୁଁ ପରିସ୍ଥିତରେ ପଡି ଦେବତାମାନଙ୍କ ଦୂତ ଭାବରେ ସେମାନଙ୍କ ବାର୍ତ୍ତା ନେଇ ତୁମ ପାଖକୁ ଆସିଛି । ଇନ୍ଦ୍ର, ବରୁଣ, ଅଗ୍ନି ଓ ଯମ ଦେବତା ମୋ ହାତରେ ଖବର ପଠେଇଛନ୍ତି ଆସନ୍ତା ସ୍ୱୟଂବରରେ ତୁମକୁ ସେମାନଙ୍କ ମଧ୍ୟରୁ କାହାକୁ ଜଣକୁ ବରଣ କରିବାକୁ ହେବ । ସେଇ ଦୈବୀ ଶକ୍ତିର ମାୟା ବଳରୁ ଏଠାରେ ଆସି ପହଞ୍ଚିବା ଭିତରେ ମୋତେ କେହି ଦେଖି ପାରିନାହାନ୍ତି ।
ଦମୟନ୍ତୀ କହିଲେ, ଦେବତାମାନଙ୍କ ପ୍ରତି ମୋର ସମ୍ମାନ ରହିଛି । କିନ୍ତୁ ହଂସ ଠାରୁ ଆପଣଙ୍କ ବିଷୟରେ ଶୁଣିବା ଠାରୁ ମୁଁ ଆପଣଙ୍କ ଛଡା ଆଉ କାହା କଥା ମନରେ ଭାବିନି । ଏବେ ଆପଣ ମନା କଲେ ମୁଁ ଏ ଜୀବନ ଆଉ ରଖିବି କାହିଁକି? ମୋ ମନରେ ଅନ୍ୟ କାହା ବିଷୟରେ ଭାବନା ବି ଆସିନି ।ବରଂ ନଳ ତାଙ୍କ ପ୍ରଣୟ ସ୍ୱୀକାର କରନ୍ତୁ ।
ନଳ ପ୍ରଥମେ ଦମୟନ୍ତୀଙ୍କୁ ବୁଝେଇ କହିଲେ ଯେ, ଦେବତାଙ୍କ ଭିତରୁ କାହାକୁ ଜଣକୁ ସେ ବରଣ କଲେ ସୁଖୀ ହେବେ । ଦେବତା ବର ଭାଗ୍ୟରେ ଥିଲେ ମିଳନ୍ତି । ସେ ଦମୟନ୍ତୀଙ୍କ ତାଙ୍କ ପ୍ରତି ଥିବା ଭଲପାଇବା କଥା ବୁଝୁଛନ୍ତି । କିନ୍ତୁ ସେ ତ ଏବେ କେବଳ ଜଣେ ଦୂତ ମାତ୍ର । ଦୂତ ଭାବରେ ହିଁ ଆସିଛନ୍ତି । ତେଣୁ ଦମୟନ୍ତୀଙ୍କ ପ୍ରଣୟ ସ୍ୱୀକାର କରି ଧର୍ମଦ୍ରୋହୀ ହୋଇପାରିବେନି।
ନଳଙ୍କ କଥା ଶୁଣି ଦମୟନ୍ତୀ କହିଲେ, ଆପଣ ସ୍ୱୟଂବର ସଭାରେ ଦେବତା ଓ ଅନ୍ୟ ରାଜାମାନଙ୍କ ସହ ନିଶ୍ଚୟ ଉପସ୍ଥିତ ହୁଅନ୍ତୁ । ମୁଁ ସମସ୍ତଙ୍କ ସାମ୍ନାରେ ଆପଣଙ୍କୁ ବରଣ କରିବି । ସେଥିରେ ଆପଣଙ୍କର କୌଣସି ଧର୍ମଦ୍ରୋହ ହେବ ନାହିଁ । ଦମୟନ୍ତୀଙ୍କ ପାଖରୁ ବିଦାୟ ନେଇ ରାଜା ନଳ ତାପରେ ଦେବତାମାନେ ଅପେକ୍ଷା କରିଥିବା ସ୍ଥାନରେ ଆସି ପହଞ୍ଚିଲେ । ଦେବତାମାନେ ବ୍ୟଗ୍ର ହୋଇ ଆଗ୍ରହର ସହ ପଚାରିଲେ, ଦମୟନ୍ତୀଙ୍କ ପାଖରେ ସେମାନଙ୍କର ବାର୍ତ୍ତା ପହଞ୍ଚିଲା ନା ନାହିଁ? ନଳ କହିଲେ ହଁ ବାର୍ତ୍ତା ପହଞ୍ଚିଛି ଓ ଦମୟନ୍ତୀ କହିଛନ୍ତି, ସେ ମୋ ଛଡା କାହାକୁ ବି ତାଙ୍କ ମନରେ ସ୍ଥାନ ଦେଇ ପାରିବେନି । ସ୍ୱୟଂବର ସଭାରେ ମୋତେ ବରଣ ମାଳା ଦେଇ ବରଣ କରିବେ ।
ରାଜା ଭୀମଙ୍କ ରାଜନଅରରେ ଦମୟନ୍ତୀଙ୍କ ସ୍ୱୟଂବର ସଭା ଆୟୋଜନ ହେଲା । ଅନେକ ଦେଶର ରାଜା ଓ ରାଜକୁମାରମାନେ ଆସି ପହଞ୍ଚିଲେ । ଚାରି ଦେବତା ଓ ରାଜା ନଳ ବି ଆସିଲେ । କିନ୍ତୁ ଦେବତାମାନେ ରାଜା ନଳଙ୍କ ବେଶ ଧରି ଆସିଥାନ୍ତି । ଦମୟନ୍ତୀ ସ୍ୱୟଂବର ସଭାରେ ଆସି ଦେଖନ୍ତି ଅନ୍ୟ ରାଜାମାନଙ୍କ ସହ ପାଞ୍ଚଜଣ ନଳ ବସିଛନ୍ତି । ସେ ବୁଝିଗଲେ ପାଞ୍ଚ ଜଣରେ ଜଣେ ପ୍ରକୃତ ନଳ ଓ ଅନ୍ୟ ଚାରିଜଣ ଦେବତା ନଳଙ୍କ ରୂପ ଧାରଣ କରି ବସିଛନ୍ତି । ସେ ଏବେ ପ୍ରକୃତ ନଳଙ୍କୁ ବାଛିବେ କେମିତି? ବିଦୂଷୀ ଦମୟନ୍ତୀ କିଛି କ୍ଷଣ ଚିନ୍ତା କଲେ ଓ ଆଉଥରେ ନିରୀକ୍ଷଣ କଲେ । ସେ ଜାଣିଥିଲେ, ଦେବତାମାନଙ୍କର କୌଣସି ମାନବୀୟ ବିକାର ନଥାଏ । ସେ ଜାଣିଥିଲେ, ଦେବତାମାନଙ୍କର ଛାଇ ପଡେନି । ଆଖିର ପଲକ ସ୍ଥିର ରୁହେ । ଦେହରୁ ଝାଳ ବୁହେନି । ବେକରେ ପଡିଥିବା ଫୁଲମାଳ ସବୁବେଳେ ସତେଜ ରୁହେ । ପାଦ କେବେବି ଭୂମି ସ୍ପର୍ଶ କରେ ନାହିଁ । ଲକ୍ଷଣ ଦେଖି ଦମୟନ୍ତୀ ଜାଣିଗଲେ ଏକା ରୂପ ଧାରଣ କରି ବସିଥିବା ପାଞ୍ଚ ନଳଙ୍କ ଭିତରୁ କିଏ ପ୍ରକୃତ ନଳ। ତାଙ୍କରି ବେକରେ ତେଣୁ ସେ ବରଣମାଳା ପିନ୍ଧାଇ ଦେଲେ ।

ଦେବତାମାନେ ନଳ ଓ ଦମୟନ୍ତୀଙ୍କୁ ଆଶୀର୍ବାଦ ଦେଲେ ଓ ନଳଙ୍କୁ ବର ପ୍ରଦାନ ଦେଲେ । ଇନ୍ଦ୍ର ଦେବ କହିଲେ, ଯଜ୍ଞରେ ତୁମେ ଆମର ପ୍ରତ୍ୟକ୍ଷ ଦର୍ଶନ ପାଇବ । ଅଗ୍ନି କହିଲେ, ତୁମେ ଯେତେବେଳେ ସ୍ମରଣ କରିବ ମୁଁ ଉପସ୍ଥିତ ହେବି । ଯମ କହିଲେ, ତୁମେ ଯାହା ବି ରନ୍ଧନ କରିବ ତାହା ସୁସ୍ୱାଦୁ ହେବ । ବରୁଣ କହିଲେ, ତୁମେ ଯେଉଁଠି ଯେତେବେଳେ ସ୍ମରଣ କରିବ ଆମେ ଆସି ଉପସ୍ଥିତ ହେବୁ ।
ସ୍ୱୟଂବର ସଭା ପରେ ରାଜା ଭୀମଙ୍କ ପ୍ରାସାଦରେ ବଡ ଆଡମ୍ବର ପୂର୍ଣ୍ଣ ଭାବରେ ନଳ ଓ ଦମୟନ୍ତୀଙ୍କ ବିବାହ ସମ୍ପୂର୍ଣ୍ଣ ହେଲା । ବିବାହ ପରେ ନଳ କିଛିଦିନ ବିଦର୍ଭରେ ଅଟକି ରହିଲେ । ଦେବତାମାନେ ନଳ ଦମୟନ୍ତୀଙ୍କୁ ଆଶୀର୍ବାଦ କରି ସ୍ୱର୍ଗକୁ ବାହୁଡିଲେ । ସ୍ୱର୍ଗକୁ ଫେରିବା ସମୟରେ ସେମାନେ ଦେଖିଲେ କଳି ଓ ଦ୍ୱାପର ସାଙ୍ଗହେଇ ଆସୁଛନ୍ତି । କଳି ଓ ଦ୍ୱାପରଙ୍କୁ ଦେଖି ଇନ୍ଦ୍ର ପଚାରିଲେ ଦୁହେଁ ସାଙ୍ଗ ହୋଇ ତରତରରେ କୁଆଡେ ବାହାରିଛ? କଳି କହିଲେ, ଆମେ ବିଦର୍ଭ ଦିଗରେ ଯାଉଛୁ । ବିଦର୍ଭ ରାଜନନ୍ଦିନୀ ଦମୟନ୍ତୀଙ୍କର ସ୍ୱୟଂବର ହେଉଛି । ମୁଁ ତାଙ୍କୁ ମନେ ମନେ ପସନ୍ଦ କରିଛି ।
କଳିଙ୍କ କଥା ଶୁଣି ଇନ୍ଦ୍ର ହସିଲେ। କହିଲେ, ଆମେମାନେ ତ ସେଉଠୁ ଫେରୁଛୁ । ଦମୟନ୍ତୀଙ୍କର ବିବାହ ନିଷଧ ରାଜା ନଳଙ୍କ ସହ ହୋଇସାରିଛି । ଦମୟନ୍ତୀଙ୍କ ସ୍ୱୟଂବର ଓ ବିବାହ ସମ୍ପନ୍ନ ହେଇ ସାରିଛି ଶୁଣି କଳି ହତାଶ ଅନୁଭବ କରି ରାଗିଗଲେ । କହିଲେ ଦେବତାମାନେ ଥାଉ ଥାଉ ଦମୟନ୍ତୀ ଛାର ମନୁଷ୍ୟକୁ କିପରି ବରଣ କଲେ । ସେଥିପାଇଁ ସେ ଦୁହେଁ ଉପଯୁକ୍ତ ଦଣ୍ଡ ପାଇବା ଉଚିତ ।
ଦେବତାମାନେ ନଳଙ୍କ ହତାଶା ବୁଝିପାରୁଥିଲେ । ସେମାନେ କହିଲେ ନଳ ଅତ୍ୟନ୍ତ ଧର୍ମପରାୟଣ ରାଜା । ତାଙ୍କୁ ଅଯଥାରେ ହଇରାଣ କରିବା ଉଚିତ ନୁହେଁ କହି ସେମାନେ ସେଠୁ ଚାଲିଗଲେ। କଳିଙ୍କର କ୍ରୋଧ ଉପଶମ ହୋଇନଥାଏ । ସେ ଦ୍ୱାପରଙ୍କୁ କହିଲେ ଚାଲ ନିଷଧ ଦେଶକୁ ଯିବା ଓ ନଳଙ୍କୁ ପଶା ଖେଳ ଖେଳାଇବା । ତାପରେ କଳି ତାଙ୍କୁ ସହଯୋଗ କରିବାକୁ ଦ୍ୱାପରଙ୍କୁ ପଶା କାଠି ହେବାକୁ ଅନୁରୋଧ କଲେ ।
ନଳ ନିଷଧ ଦେଶକୁ ଦମୟନ୍ତୀଙ୍କୁ ଧରି ଫେରିଆସିଲେ । ସୁଖରେ କିଛି ଦିନ ଅତିବାହିତ କଲାପରେ ଦୁହିଁଙ୍କ ଔରସରୁ ପୁଅ ଓ ଝିଅ ଜନ୍ମ ନେଲେ । ପୁଅର ନାମ ଇନ୍ଦ୍ରସେନ ରଖାଗଲା ଓ ଝିଅର ନାମ ରଖାଗଲା ଇନ୍ଦ୍ରସେନା ।
ଅଧିକ ପଢ଼ନ୍ତୁ: ହଂସ ଦୂତ ଓ ଦୂତ ହୋଇଥିବା ରାଜାଙ୍କ କାହାଣୀ
କଳି ରାଜା ନଳଙ୍କ କିଛି ଗୋଟେ ଦୋଷ ଦୁର୍ବଳତା ଅପେକ୍ଷାରେ ରହିଲେ । ବାର ବର୍ଷ ଅପେକ୍ଷା କଲାପରେ ଦିନେ କଳି ଦେଖିଲେ ନଳ ସନ୍ଧ୍ୟାରେ ଶୌଚ ସାରି ସବୁଦିନ ପରି ମୁହଁ ହାତ ଧୋଇଲେ କିନ୍ତୁ ଗୋଡକୁ ଭଲରେ ଧୋଇଲେନି । ରାଜାଙ୍କର ଗୋଡର ଯେଉଁ ସ୍ଥାନରେ ପାଣି ଲାଗିନଥିଲା କଳି ସେଇବାଟେ ନଳଙ୍କ ଶରୀରରେ ପ୍ରବେଶ କଲେ । ସେପଟେ କଳି ନଳଙ୍କ ସାନ ଭାଇ ପୁଷ୍କରଙ୍କୁ ଯାଇ କହିଲେ ତୁମେ ନଳଙ୍କୁ ଦ୍ୟୁତକ୍ରୀଡା ପାଇଁ ଆହ୍ୱାନ କର । ଆମେ ତୁମକୁ ସହାୟତା କରିବୁ ଫଳରେ ତୁମେ ସହଜରେ ଦେଶର ରାଜା ହୋଇ ପାରିବ। କଳି ନଳଙ୍କ ଶରୀରରେ ଥିଲେ ତେଣୁ ସେ ପୁଷ୍କରଙ୍କ ଦ୍ୟୁତକ୍ରୀଡାର ଆହ୍ୱାନକୁ ମନା କରିପାରିଲେନି। ସମସ୍ତ ପାତ୍ର ମନ୍ତ୍ରୀ ଓ ଶୁଭାକାଂକ୍ଷୀଙ୍କ ମନା ପରେ ବି ନଳ ପଶାଖେଳରେ ବସିଲେ । ପଶା କାଠି ରୂପରେ ଦ୍ୱାପର ଥିଲେ । ସେ କଳିଙ୍କୁ ସାହାଯ୍ୟ କରିବାକୁ ପୁଷ୍କର ଯାହା ଡାକୁଥିଲେ ସେହି ଅନୁସାରେ ଗଡୁଥିଲେ। ଫଳରେ ନଳ ରାଜା ଗୋଟି ଗୋଟି କରି ସର୍ବସ୍ୱ ହାରିଗଲେ । ସମସ୍ତ ଧନ ସମ୍ପତ୍ତି ସହ ପୁଷ୍କର ନଳଙ୍କର ରାଜ୍ୟ, ରାଜ ସିଂହାସନ, ହାତୀ, ଘୋଡା ଓ ସୈନ୍ୟ ସାମନ୍ତଙ୍କୁ କରାଗତ କଲେ ।
ଦମୟନ୍ତୀ ଦେଖିଲେ ନଳ କାହାର ବି ପରାମର୍ଶ ଗ୍ରହଣ ନକରି ପଶା ଖେଳରେ ସର୍ବସ୍ୱ ହାରି ସାରିଲେଣି । ସେ ତୁରନ୍ତ ନଳଙ୍କ ସାରଥି ବାର୍ଷ୍ଣେୟଙ୍କୁ ଡାକିଲେ ଓ ଆଦେଶ ଦେଲେ ତୁରନ୍ତ ରଥରେ ବସାଇ ରାଜକୁମାର ଓ ରାଜକୁମାରୀଙ୍କୁ ନେଇ ସେମାନଙ୍କ ମାମୁଁଘର ବିଦର୍ଭରେ ଛାଡି ଦିଅ । ସାରଥି ସେଇଆ କଲେ । ରାଜକୁମାର ଓ ରାଜକୁମାରୀଙ୍କୁ ରାଜା ଭୀମଙ୍କ ପାଖରେ ଛାଡି ସେ ଆଉ ନିଷଧ ନଫେରି ନିଜେ ଅଯୋଧ୍ୟାର ରାଜା ଋତୁପର୍ଣ୍ଣଙ୍କ ପାଖରେ ସାରଥି ହୋଇ ରହିଲେ ।
ପଶା ପାଲିରେ ପଣ ରଖିବାକୁ ଏବେ ନଳଙ୍କ ପାଖରେ ଆଉ କିଛି ବି ନଥିଲା । ନଳଙ୍କୁ ଚାହିଁ ଅଟ୍ଟହାସ କରି ପୁଷ୍କର କହିଲେ, ହେ ନଳ ତୁମ ପାଖରେ ଏବେ କେବଳ ତୁମ ସୁନ୍ଦରୀ ପତ୍ନୀଙ୍କ ଛଡା ଆଉ କିଛିବି ନାହିଁ । ଏବେ କ"ଣ ଦମୟନ୍ତୀଙ୍କୁ ତୁମେ ପଣରେ ରଖିବ କି? ରଖିଲେ ମୁଁ ଖୁସି ହେବି । ସେତକ ବି ମୁଁ ସହଜରେ ଜିତିନେବି ।
ପୁଷ୍କରଙ୍କ ନିର୍ଲଜ କଥା ନଳଙ୍କ ହୃଦୟକୁ ବହୁତ କଷ୍ଟ ଦେଲା । ସେ କେବଳ କ୍ରୋଧପୂର୍ଣ୍ଣ ଆଖିରେ ପୁଷ୍କରଙ୍କୁ ଚାହିଁଲେ । କିଛି କହିଲେନି । ସାଙ୍ଗେ ସାଙ୍ଗେ ତାଙ୍କ ଦେହରେ ଥିବା ସବୁ ଅଳଙ୍କାର ଏବଂ ଉତ୍ତରୀୟକୁ କାଢି ରଖିଲେ ଓ ଖଣ୍ଡିଏ ଯାହା ଲୁଗା ପିନ୍ଧିଥିଲେ ସେତିକିରେ ରାଜପ୍ରାସାଦ ଛାଡି ଚାଲିଗଲେ । ନଳଙ୍କ ପଛେ ପଛେ ଦମୟନ୍ତୀ ମଧ୍ୟ ତାଙ୍କ ଅଳଙ୍କାରକୁ କାଢି ଖଣ୍ଡିଏ ମାତ୍ର ଲୁଗାରେ ନଳଙ୍କ ପଛେ ପଛେ ବାହାରିଲେ । ତିନିଦିନ ଧରି ସେମାନେ ନଗରୀରେ ବିଭିନ୍ନ ଲୋକଙ୍କ ଘରେ ଆଶ୍ରୟ ନେଲେ । କିନ୍ତୁ ରାଜା ପୁଷ୍କର ଘୋଷଣା କଲେ ତାଙ୍କ ଦେଶରେ କେହି ଯଦି ନଳଙ୍କୁ ଆଶ୍ରୟ ଦିଅନ୍ତି ତେବେ ତାକୁ ଦଣ୍ଡିତ କରାଯିବ । ରାଜା ଆଦେଶ ପରେ ନଳ ଓ ଦମୟନ୍ତୀଙ୍କୁ ଆଉ କେହିବି ଆଶ୍ରୟ ଦୂରର କଥା ପାଣି ଟୋପେ ବି ଦେଲେନି। ରାଜ ରୋଷକୁ ସମସ୍ତଙ୍କର ଭୟ । ଭୋକ ଓପାସରେ ବାର ଦୁଆର ବୁଲିଲା ପରେ ନଳ ଓ ତାଙ୍କ ପଛେ ପଛେ ଦମୟନ୍ତୀ ବଣକୁ ବାହାରିଲେ । ଜୀବନ ବଞ୍ଚାଇବାକୁ ସେଇଠି କାଳେ କିଛି ଫଳ ମୂଳ ମିଳିଯିବ ।
